Unknown

 

 

 

 

 

 

 

 

 

 

ଅଳଙ୍କାର ଚନ୍ଦ୍ରିକା

ଅନନ୍ତ ତ୍ରିପାଠି ଶର୍ମା

 

 

(ଓଡ଼ିଆ ଅଳଙ୍କାର)

ଉପମା ଅଳଙ୍କାର

 

ଉପମାଳଙ୍କାର କହି ଯଦି ହରେ ମନ,

ଉପମେୟ ଉପମାନ ସାଦୃଶ୍ୟ ବର୍ଣ୍ଣନ ।୧।

 

ଉପମେୟରେ ଉପମାନର ସାଦୃଶ୍ୟ ବର୍ଣ୍ଣିତ ହେଲେ ଉପମାଳଙ୍କାର ହୁଏ । ସାଧାରଣତଃ ଉପମାଳଙ୍କାରରେ ଚାରୋଟି ବିଷୟ ଦେଖାଯାଏ । ଉପମେୟ, ଉପମାନ, ସାଧାରଣ ଧର୍ମ ଓ ବାଚକ । ଅନ୍ୟ ବସ୍ତୁ ସହିତ ବର୍ଣ୍ଣନୀୟ ବସ୍ତୁର ସାମ୍ୟ ପ୍ରତିପାଦନ ଏ ଅଳଙ୍କାରର ମୁଖ୍ୟ ଉଦ୍ଦେଶ୍ୟ । ବର୍ଣ୍ଣନୀୟ ବିଷୟ ଉପମେୟ ନାମେ, ଅନ୍ୟ ବିଷୟ ଉପମାନ ନାମେ ଅଭିହିତ ହୋଇଥାଏ । ବର୍ଣ୍ଣନୀୟ ବିଷୟ ଅପେକ୍ଷା ଅନ୍ୟ ବସ୍ତୁରେ ଅନେକ ଅଧିକ ଗୁଣ ଥାଏ, ପୁଣି ଅନ୍ୟ ବସ୍ତୁର ଗୁଣ ଗୁଡ଼ିକ ଲୋକ ପ୍ରସିଦ୍ଧ । ଅତଏବ ତାହା ସହିତ ସାଦୃଶ୍ୟ ବର୍ଣ୍ଣନ କଲେ ବର୍ଣ୍ଣନୀୟ ବସ୍ତୁର ଗୁଣଗୁଡ଼ିକ ପ୍ରକାଶ ପାଏ । ବର୍ଣ୍ଣନୀୟ ବସ୍ତୁର ଟିକିଏ ଉତ୍କର୍ଷ ମଧ୍ୟ ପ୍ରତୀତ ହୁଏ । ଯେଉଁ ଉତ୍କୃଷ୍ଟ ଗୁଣ ବସ୍ତୁ ସହିତ ବର୍ଣ୍ଣନୀୟ ବସ୍ତୁର ସାଦୃଶ୍ୟ ବର୍ଣ୍ଣନ କରାଯାଏ, ସେ ଉପମାନ । ଯେଉଁ ନ୍ୟୂନଗୁଣ ବସ୍ତୁରେ ଉତ୍କୃଷ୍ଟ ଗୁଣ ବସ୍ତୁର ସାଦୃଶ୍ୟ ରହେ, ସେ ଉପମେୟ । ଶାସ୍ତ୍ରୀୟ ଭାଷାରେ କହିବାକୁ ଗଲେ ସାଦୃଶ୍ୟର ୧ ଅନୁଯୋଗୀ ଉପମେୟ । ସାଦୃଶ୍ୟର ୨ ପ୍ରତିଯୋଗୀ ଉପମାନ । ଉପମାନ ଓ ଉପମେୟରେ ଯେଉଁ ଅନୁଗତ ଧର୍ମ ଥାଏ, ତାକୁ ସାଧାରଣ ଧର୍ମ କହନ୍ତି । ଯେଉଁ ଶବ୍ଦ ସାଦୃଶ ବୁଝାଏ, ସେ ବାଚକ ।

 

୧ ଆଧାର, ୨ ଆଧେୟ

 

ଉଦାହରଣ ଯଥା-

ଶୁଭ୍ର ଜ୍ୟୋତ୍ସ୍ନାପୂରେ ଶୋଭେ ବିନୋଦିନୀ

କ୍ଷୀରୋଦେ ଯେସନ କ୍ଷୀରୋଦ ନନ୍ଦିନୀ ।

ନନ୍ଦିକା ।

 

ପାର୍ଥମନ ଶୌର୍ଯ୍ୟେ ସୌନ୍ଦର୍ଯ୍ୟେ ଯେସନ ଯଦୁକୁମାରୀ,

ଭାଷା ସେହିପରି ଜୟନ୍ତର ମନ ନେଲା ଓଟାରି ।

ଉଷା ।

 

ଅପସରା ନିନ୍ଦିତ             ଏ ସୁନ୍ଦରୀ ବୃନ୍ଦେ

ଝଟକ ହାଟକ-ଗୋରୀ,

ଶୋଭା ସ୍ୱର୍ଗ ପୁର-             ନ୍ଦରୀ ପ୍ରାୟ ରାଜେ

ଉତ୍କଳ ରାଜ କିଶୋରୀ ।

ଯଯାତି ।

 

ପ୍ରଥମ ପଦ୍ୟରେ ନନ୍ଦିକା ଓ ଲକ୍ଷ୍ମୀଙ୍କର ସାଦୃଶ୍ୟ ବର୍ଣ୍ଣିତ ହୋଇଅଛି । ଦ୍ୱିତୀୟ ପଦ୍ୟରେ କବି ସୁଭଦ୍ରାଙ୍କ ସହ ଉଷାଙ୍କର ସାଦୃଶ୍ୟ ଦେଖାଇଛନ୍ତି । ତୃତୀୟ ପଦ୍ୟରେ ଉତ୍କଳ-ରାଜ-ଜେମାଙ୍କର ଶୋଭା ସ୍ୱର୍ଗ ପୁରନ୍ଦରୀଙ୍କ ସହ ତୁଳନା କରା ହୋଇଛି । ପ୍ରଥମ ପଦ୍ୟରେ ନନ୍ଦିକା ଉପମେୟ, କ୍ଷୀରୋଦ ନନ୍ଦିନୀ ଉପମାନ, ଶୋଭିବା ସାଧାରଣ ଧର୍ମ ଓ “ଯେସନ’’ ବାଚକ । ଦ୍ୱିତୀୟ ପଦ୍ୟରେ ଉଷା ଉପମେୟ, ଯଦୁ କୁମାରୀ ଉପମାନ, ଶୌର୍ଯ୍ୟେ ସୌନ୍ଦର୍ଯେ ମନ ଓଟାରି ନେବା ସାଧାଣେ ଧର୍ମ ଓ ‘‘ଯେସନ-ସେହିପରି’’ ବାଚକ । ତୃତୀୟ ପଦ୍ୟରେ ସଖୀ-ମଧ୍ୟ-ସ୍ଥିତା ଉତ୍କଳ ରାଜକିଶୋରୀ ଉପମେୟ ଉପମେୟ, ଅପସରୀ ବେଷ୍ଟିତ ଶୋଭା ସ୍ୱର୍ଗ ପୁରନ୍ଦରୀ ଉପମାନ, ଅପୂର୍ବ ସୌନ୍ଦର୍ଯବତ୍ତା ଓ ରାଜିବା ସାଧାରଣ ଧର୍ମ, (ପ୍ରାୟେ) ଶବ୍ଦ ବାଚକ । ଅତଏବ ପ୍ରତ୍ୟେକ ପଦ୍ୟରେ ଉପମାଳଙ୍କାର ।

 

ଏହି ଉପମା ସାଧାରଣତଃ ଦୁଇ ପ୍ରକାର; ପଦାର୍ଥ ବୃତ୍ତି ଓ ବାକ୍ୟାର୍ଥ ବୃତ୍ତି । ଯେଉଁଠାରେ ସାଦୃଶ୍ୟ କେବଳ ପଦଦ୍ୱୟରେ ରହେ ସେଠାରେ ପଦାର୍ଥ ବୃତ୍ତି ଉପମା । ବାକ୍ୟାର୍ଥ-ବୃତ୍ତି ଉପମାରେ ସାଦୃଶ୍ୟ ବାକ୍ୟରେ ଅର୍ଥାତ୍‌ ବାକ୍ୟଗତ ପଦ ସମୂହରେ ରହିଥାଏ ।

 

କୁଳାଳ ଚକ୍ର ପରାଏ ଭ୍ରମିଙ୍କ ଚିତ୍ତ

ରସ ।

 

ଏଠାରେ ପଦାର୍ଥ ବୃତ୍ତି ଉପମା । କେବଳ କୁଳାଳ ଚକ୍ର ଓ ଚିତ୍ତର ସାଦୃଶ୍ୟ ବର୍ଣ୍ଣିତ ହୋଇଅଛି।

 

ପ୍ରଦୋଷେ ସେବେଶେ             ପ୍ରବେଶିଲା ବୀର

ଉତ୍କଳ ରାଜ ନବରେ,

ବୃହନ୍ନଳା-ରୂପୀ            ପାର୍ଥ ରଥୀ ଯଥା

ବିରାଟ ପୁରେ ଦ୍ୱାପରେ ।

ଯଯାତି ।

 

ଏହି ପଦ୍ୟରେ ବାକ୍ୟାର୍ଥ ବୃତ୍ତି ଉପମା । ବିମଳା ରୂଧୋର ଯଯାତି ଓ ବୃହନ୍ଥଳା ରୂପୀ ଅର୍ଜୁନ, ଉତ୍କଳ ରାଜନବର ଓ ବିରାଟ ନଗର ଏବଂ ପ୍ରଦୋଷ ଓ ଦ୍ୱାପରର ସାଦୃଶ୍ୟ ଏକ ବାକ୍ୟରେ ପ୍ରତି ପାଦିତ ହୋଇଅଛି ।

 

ଏପରି ଯେଉଁ ଉପମାରେ ଉପମେୟ ଉପମାନ ସାଧାରଣ ଧର୍ମ ଓ ବାଚକ ଥାଏ, ତାକୁ ପୂର୍ଣ୍ଣୋପମା କହନ୍ତି । ଏ ଚାରୋଟି ମଧ୍ୟରୁ ଗୋଟିଏ ଦୁଇଟି ବା ତିନୋଟି ନ୍ୟୂନ ଥିଲେ ଲୁପ୍ତୋପମା ହୁଏ ।

 

ଦେଖିଲି ଯାହା ଶ୍ରୀଅଙ୍ଗ ଦ୍ୟୁତି

ଦଳିତ ହୋଇ ଗଲା ମୋ ଛାତି

ଦ୍ୱିତୀୟାର ଶଶି ରେଖା ପ୍ରାୟ

ଦିଶିଲେଣି ସେ ଇନ୍ଦ୍ର ନୀଳହାତୀ ।

କିଶୋର ।

 

ଏହି ପଦ୍ୟରେ କୃଷ୍ଣ ଉପମେୟ, ଦ୍ୱିତୀୟା ଚନ୍ଦ୍ର, ଉପମାନ, ‘‘ପ୍ରାୟ’’ ବାଚକ । ମାତ୍ର ସାଧାରଣ ଧର୍ମ କ୍ଷୀଣତ୍ୱାଦି ଉକ୍ତ ହୋଇନାହିଁ । ଅତଏବ ଲୁପ୍ତୋପମା ।

 

କର୍ଣ୍ଣେ ନନ୍ଦ ସୂତ ହେବା ଶୁଣିଲେ,

କଳାକରମୁଖୀ ଗୋପୀ ଧାଇଁଲେ ।

ରସ ।

ଏହି ପଦ୍ୟରେ କେବଳ ଉପମେୟ ଓ ଉପମାନ ଦେଖାଯାଏ । ଚନ୍ଦ୍ର ଓ ମୁଖର ସାଧାରଣ ଧର୍ମ ଆହ୍ଲାଦକତ୍ୱ ଦର୍ତ୍ତୁଳବ ଇତ୍ୟାଦି ନିର୍ଦ୍ଦିଷ୍ଟ ହୋଇ ନାହିଁ । ବାଚକ ମଧ୍ୟ ସମାସରେ ଲୋପ ପାଇଛି-। ଏପରି ଅନ୍ୟାନ୍ୟ ସ୍ଥଳରେ ମଧ୍ୟ ଲୁପ୍ତୋପମା ଦେଖାଯାଏ ।

 

ଉପମାର ତିନୋଟି ଲକ୍ଷ୍ୟ ସ୍ତୁତି ନିନ୍ଦା ଓ ତତ୍ୱାଖ୍ୟାନ । ବସ୍ତୁର ସ୍ତୁତି ପ୍ରତିପାଦନାର୍ଥ, ବସ୍ତୁର ନିନ୍ଦା ପ୍ରତିପାଦନାର୍ଥ ଅଥବା ବସ୍ତୁର ସ୍ୱରୂପ ବିଶଦ ରୂପେ ବୁଝାଇବା ଉଦ୍ଦେଶ୍ୟରେ କବିମାନେ ଉପମାଳଙ୍କାର ବ୍ୟବହାର କରନ୍ତି ।

 

ସ୍ତୁତି ଉପମା-

ବୈକୁଣ୍ଠ ସମାନ ଆହା ଅଟେ ସେହି ଘର

ପରସ୍ପର ପ୍ରୀତି ଯହିଁ ଥାଏ ନିରନ୍ତର ।

ମଧୁସୂଦନ

ଏହି ପଦ୍ୟରେ କବି ପରସ୍ପର ପ୍ରୀତିପୂର୍ଣ୍ଣ ଗୃହର ପ୍ରଶଂସା ପ୍ରତିପାଦନାର୍ଥ ବୈକୁଣ୍ଠ ସହ ତୁଳନା କରି ଅଛନ୍ତି ।

 

ନିନ୍ଦୋପମା –

ଅବିକଳ ସେହି ଦଶା ମା ଭାବେ ଘଟିଛି ତୋର,

ଚିନ୍ତାକୁ ତୁ ବୃଥା ନକର ଚିତା-ସ୍ୱରୂପ ଘୋର ।

ତପସ୍ୱିନୀ ।

 

ଏହି ପଦ୍ୟରେ ଚିନ୍ତାର ନିନ୍ଦନୀୟତା ପ୍ରତିପାଦନ କରିବା ଉଦ୍ଦେଶ୍ୟରେ ଚିତା ସହିତ ବର୍ଣ୍ଣିତ ହୋଇଅଛି ।

 

ତତ୍ୱାଖ୍ୟାନୋପମା –

ଦେବରନାନେ ମାନି ପ୍ରଭୁଙ୍କ କଥା

ବିଷାଦଭରେ ଛନ୍ତି ନୁଆଁଇ ମଥା

ମନ୍ତ୍ରେ ନିହତ ବୀର୍ଯ ଯଥା ଭୁଜଙ୍ଗ

ଯଥା ବା ତୀକ୍ଷ୍‌ଣ ଶୃଣିଭୀତ ନାତଙ୍ଗ ।

ତପସ୍ୱିନୀ ।

 

ଏକ ପଦ୍ୟରେ ଲକ୍ଷ୍ମଣ ପ୍ରଭୃତିଙ୍କର ସ୍ୱାଭାବିକ ଶକ୍ତି ଏବଂ ଭକ୍ତି ଓ ଆଜ୍ଞାଧୀନତା ପ୍ରଭୃତି ଗୁଣ କବି ଭୁଜଙ୍ଗ ଓ ମାତଙ୍ଗ ଉପମାନରେ ଦେଖାଇ ଦେଇ ଅଛନ୍ତି । ଏହି ତତ୍ୱାଖ୍ୟାନୋପମାର ବହୁଳ ବ୍ୟବହାର ଦେଖାଯାଏ ।

 

ଏକ ଉପମେୟର ଅନେକ ଉପମାନ ସହିତ ଯଦି ସାଦୃଶ୍ୟ ବର୍ଣ୍ଣନ କରାଯାଏ, ତେବେ ମାଳୋପନା ହୁଏ ।

କାଦମ୍ୱିନୀ କୋଳେ ଯେହ୍ନେ ବିଜୁଳୀ

କରେ ଝଟକ ସବୁ ଦିଗେ ମିଳି

କଳା ଧଉତ ଲତା ବାତେ ଯେହ୍ନେ

କାମିନୀଙ୍କ ଗମନେ ଅଙ୍ଗ ତେହ୍ନେ ।

ରସ ।

ଏହି ପଦ୍ୟରେ ବିଜୁଳୀ ଓ ସ୍ୱର୍ଣ୍ଣଲତା ସହିତ ଅଙ୍ଗର ତୁଳନା କରାଯାଇ ଅଛି ।

 

ସାଗର ସମୂହେ ଯଥା କ୍ଷୀରାର୍ଣ୍ଣତ

ବୃନ୍ଦାରକ ବୃନ୍ଦେ ଯେମନ୍ତ ବାସଦ

ଅବା ହିମାଚଳ ସମୁଚ୍ଚ ଶିଖର

ମଣ୍ତଳେ ଯେସନ ଗଉରୀ ଶଙ୍କର

ମୁନି-ବୃନ୍ଦ ମଧ୍ୟ ମହାତପୋଧନ,

ବିଶୋଭିଲେ କରି ମଣ୍ତପେ ଆସନ ।

ତପସ୍ୱିନୀ ।

ଏହି ପଦ୍ୟମାନଙ୍କରେ ମଧ୍ୟ ଏକ ଉପମେୟ ବାଲ୍ମୀକିଙ୍କର ଅନେକ ଉପମାନ କ୍ଷୀରାର୍ଣ୍ଣବ, ବାସବ ଓ ମହାଦେବଙ୍କ ସହ ସାଦୃଶ୍ୟ ବର୍ଣ୍ଣିତ ହୋଇଅଛି । ଅତଏବ ମାଳୋପମା ।

 

ଉପମାଳଙ୍କାରରେ ବର୍ଣ୍ଣନୀୟ (ପ୍ରସ୍ତୁତ) କେବଳ ଉପମେୟ । ଅବର୍ଣା (ଅପ୍ରସ୍ତୁତ) ହିଁ ଉପମାନ ହୁଏ ବୋଲି ଅନେକ ମନେ କରିଥାନ୍ତି । କିନ୍ତୁ ସେମାନଙ୍କର ବିଶ୍ୱାସରେ କୌଣସି ମୌଳିକତା ନାହିଁ । କେବଳ ପ୍ରସ୍ତୁତ କେବଳ ଅପ୍ରସ୍ତୁତ ବା ପ୍ରସ୍ତୁତ ଓ ଅପ୍ରସ୍ତୁତ ବସ୍ତୁମାନେ ସୁଦ୍ଧା ଉପମେୟ ଓ ଉପମାନ ହୋଇ ପାରନ୍ତି ।

 

ବୃକ୍ଷତତି ତପି ପନ୍ତୀ ତହିଁ ଏକାକୃତି

ଚଳୁକ ପିଧାନ କରି ଜଟା ଧରିଥାନ୍ତି ।

ବେଦିସାର ମୁଳ ସଦା ସୂମନ ଫଳଦ

ବାସକୃତ ପର୍ଣ୍ଣଚୟ ଅତି ସ୍ଥିର ହୃଦ ।

ବୈଦେହୀ ।

 

ଏହି ପଦ୍ୟରେ ମୁନି ଓ ବୃକ୍ଷ ଉଭୟେ ବର୍ଣ୍ଣନୀୟ = ପ୍ରକୃତ ସେ ଦୁହିଁଙ୍କର ସାଦୃଶ୍ୟ ବର୍ଣ୍ଣିତ-। କେବଳ ଅପ୍ରସ୍ତୁତ ବସ୍ତୁ ଦ୍ୱୟର ମଧ୍ୟ ଉପମେୟତା ଓ ଉପମାନତା ଆଳଙ୍କାରିକ ସମ୍ମତ୍‌ ।

 

କର ଆହେ ସାଧୁଜନ-            ମାନେ ମନ ଏକଧ୍ୟାନ

କର୍ଣ୍ଣଦେଇ କମଳ-ନୟନ କଥାକୁ,

କଳି କଳୁଷ ସଂଘାତ             ଉପରେ କରି ସଂଘାତ

ସଂଶୟ ନଥାଉ କାଳଦଣ୍ତ ବ୍ୟଥା ।

କଳାକରେ ଅନ୍ଧାର ପ୍ରାୟ

କୃଷ୍ଣ କଥା ଶ୍ରବଣରେ             ଦୁରିତ କ୍ଷୟ ।

ରସ ।

 

ଏହି ପଦ୍ୟରେ କୃଷ୍ଣ କଥା ବର୍ଣ୍ଣନୀୟ । ଦୁରିତ ବା ଅନ୍ଧାର ବର୍ଣ୍ଣନୀୟନୁ ହେଁ । ଦୁରିତ ଓ ଅନ୍ଧାର ଉପମେୟ ଓ ଉପମାନ ରୂପେ ବ୍ୟବହୃତ ହୋଇଅଛି ।

 

ଉପମାଳଙ୍କାରରେ କେବଳ କବି ସମ୍ମତ ବସ୍ତୁମାନଙ୍କର ଉପମେୟତା ଓ ଉପମାନତା କଳ୍ପନା କରାଯାଏ । କବିମାନେ ପଦ୍ମ ସହିତ ମୁଖର, ସୂର୍ଯ୍ୟ ସହିତ ପ୍ରତାପର, ଚନ୍ଦ୍ର ସହିତ ଯଶର ତୁଳନା କରନ୍ତି । କିନ୍ତୁ କୁମୁଦ ସହିତ ମୁଖର ଚନ୍ଦ୍ର ସହିତ ପ୍ରତାପର ବା ସୂର୍ଯ୍ୟ ସହିତ ଯଶର ତୁଳନା କରନ୍ତି ନାହିଁ । ଏପରି ଅନେକ ବସ୍ତୁ ଅଛି, ଯାହାର ସାଦୃଶ୍ୟ ଆମ୍ଭେମାନେ ଉପଲବ୍‌ଧି କରୁଅଛୁଁ, କିନ୍ତୁ ସେ ସମସ୍ତକୁ କବିମାନେ ଉପମାନ ରୂପେ ସ୍ୱୀକାର କରି ନାହାନ୍ତି । ଆହୁରି ଅନେକ ଅଛି, ଯାହାର ସାଦୃଶ୍ୟ ଆମ୍ଭମାନଙ୍କର ପ୍ରତ୍ୟକ୍ଷ ନୁହେଁ, ଅଥଚ କବି ସମ୍ମତ ସାଦୃଶ୍ୟ ନେଇ ଉପମା ସ୍ୱୀକାର କରିବାକୁ ହୁଏ । (ହାସ ସହ ଚନ୍ଦ୍ରର ବା ଅମୃତର, ସୁତରାଂ ଯେଉଁ ଦୁଇଟିର ଉପମାନ ଉପମେୟ ଭାବ କବି ସମ୍ମତ, ସେହି ଦୁଇଟିକୁ କେବଳ ଉପମାନ ଓ ଉପମେୟ ରୂପେ ଉପମାରେ ବ୍ୟବହାର କରିବାକୁ ହେବ ।

 

ଉପମାନ ଓ ଉପପମେୟର ଏକ ଲିଙ୍ଗତା ଓ ଏକ ବଚନତା ଥିଲେ ଉପମା ବିଶେଷ ଚମତ୍କାରକ ହୁଏ । ଅତଏବ ଉପମାନ ଓ ଉପମେୟର ଲିଙ୍ଗ ବିଭିନ୍ନ ହେଲେ ଲିଙ୍ଗ ଭେଦ ଦୋଷ ଓ ବଚନ ବିଭିନ୍ନ ହେଲେ ବଚନ ଭେଦ ଦୋଷ ହୁଏ ବୋଲି କହନ୍ତି । କିନ୍ତୁ ପୁଂଲିଙ୍ଗ ଓ ନପୁଂସକ ଲିଙ୍ଗର ଭେଦ ଉପମାନେ ଆଦୃତ ହୁଏ ନାହିଁ । ତଦ୍ଦ୍ୱାରା ଉପମାର ସୌନ୍ଦର୍ଯ୍ୟ ହାନି ଘଟେ ନାହିଁ । ଉପମାନ ଓ ଉପମେୟର ସାଧାରଣତଃ ଜାତିଗତ, ପ୍ରମାଣଗତ ଓ ଧର୍ମଗତ ସାମ୍ୟ ଥିବା ଆବଶ୍ୟକ । ଉପମେୟ ଅପେକ୍ଷା ଉପମା ଜାତି ପ୍ରମାଣ ଓ ଧର୍ମରେ ନ୍ୟୂନ ହେଲେ ନ୍ୟୂନତା ନାମକ ଉପମା ଦୋଷ ହୁଏ । ନ୍ୟୂନ ବସ୍ତୁ ସହ ସାଦୃଶ୍ୟ ବର୍ଣ୍ଣନ କଲେ ଉପମେୟର ଶ୍ରୀ ନଷ୍ଟ ହୁଏ, ଉପମାର ଚମତ୍କାର ନଥାଏ, ଚାରୁତା ହ୍ରାସପ୍ରାପ୍ତ ହୁଏ ।

 

‘‘ରାଜା ଚଣ୍ତାଳ ପରି ଅସୀମ ସାହସୀ’’

‘‘ଭୃତ୍ୟ କୁକୁର ପରି ବିଶ୍ୱସ୍ତ’’

ଏଠାରେ ଜାତିଗତ ନ୍ୟୂନତା ଉପମା ଦୋଷ ।

‘‘ସୂର୍ଯ୍ୟ ଅଗ୍ନିକଣ ପବ ତେଜୀୟାନ’’

ଏଠାରେ ସୂର୍ଯ୍ୟ ଓ ଅଗ୍ନିକଣର ଆକୃତିଗତ ନ୍ୟୂନତା ଦୋଷବହ ।

 

‘‘ମେଖଳା ପରିବୃତ କୃଷ୍ଣାଜିନଧାରୀ ନାରଦ ମେଘାବୃତ ସୂର୍ଯ୍ୟପ୍ରାୟ ଶୋଭା ପାଉଥିଲେ ।

ଏଠାରେ ମେଖଳର ପ୍ରତିରୂପକ (ସଦୃଶ) ବିଦ୍ୟୁତ୍‌ ନିର୍ଦ୍ଦିଷ୍ଟ ହୋଇ ନାହିଁ । ବିଦ୍ୟୁତ୍‌ ବଳୟିତ ମେଘାବୃତ ସୂର୍ଯ୍ୟପରି କହିଲେ ଉପମା ସରସ ହୋଇଥାଅନ୍ତା ।

 

ଉପମେୟ ଅପେକ୍ଷା ଉପମାନର ଜାତିଗତ ପ୍ରମାଣଗତ ବା ଧର୍ମଗତ ଆଧିକ ଥିଲେ ଆଧିକ୍ୟ ଦୋଷ ହୁଏ ।

 

‘‘ଭୃତ୍ୟ ରୁଦ୍ରପରି ବଳଶାଳୀ’’

ଏଠାରେ ଭୃତ୍ୟ ଓ ରୁଦ୍ରଙ୍କ ମଧ୍ୟରେ ଜାତିଗତ ପାର୍ଥକ୍ୟ ଦେଖାଯାଏ ।

 

‘‘ନାଭି ପାତାଳ ପରି ଗଭୀର’’

ଏଠାରେ ପାତାଳର ପ୍ରମାଣଗତ ଆଧିକ୍ୟ ଦୋଷାବହ ।

 

‘‘ପୀତବସ୍ତ୍ରଧାରୀ ଶାର୍ଙ୍ଗଧର ଶ୍ରୀକୃଷ୍ଣ ବିଦ୍ୟୁତ୍‌ ବଳିତ ଇନ୍ଦ୍ରାୟୁଧ ପରିବୃତ ଚନ୍ଦ୍ର ସଂଯୁକ୍ତ ଜଳଦ ପରି ମନୋହର ଦିଶୁଥିଲେ ।’’

 

ଏଠାରେ ‘‘ଚନ୍ଦ୍ର ସଂଯୁକ୍ତ’’ ଏହି ବିଶେଷଣଟି ଅଧିକ ଦେଖାଯାଏ । ଏହି ଆଧିକ୍ୟ ଓ ନ୍ୟୂନତା କବିସମ୍ମତ ହୋଇଥିଲେ ବା ବିରସ ବୋଧକ ନହେଉଥିଲେ ଦୋଷାବହ ହୁଏ ନାହିଁ । ‘‘ଚନ୍ଦ୍ରମୁଖ’’ ‘‘ଭୂଧରସ୍ତନା’’ ଇତ୍ୟାଦି ପ୍ରୟୋଗ ବିରଳ ନୁହେଁ ।

 

ଉପମାରେ ସାଦୃଶ୍ୟ ପ୍ରତି ବିଶେଷ ଲକ୍ଷ୍ୟ ରଖିବା ଆବଶ୍ୟକ । ସାଦୃଶ୍ୟହିଁ ଉପମାର ଚମତ୍କାରର ହେତୁ । ସାଦୃଶ୍ୟ ନଥିଲେ ଉପମା ଉପମା ନୁହେଁ । ‘‘ସଜନା ମୂଳେ କୁଢ଼ାଇଲି ପାଉଁଶ, ତୋତେ ଦେଖି ମୋ ବଡ଼ ଶରଧା’’ ଏ ବାକ୍ୟପରି ବିରସ ବୋଧ ହୁଏ ।

 

ଯେଉଁ ଉପମାନ ସମ୍ଭବପର ନୁହେଁ ତାହା ସହିତ ଉପମେୟର ତୁଳନା ସମୁଚିତ ନୁହେଁ । ‘‘ପ୍ରଫୁଲ୍ଲ ବଦନରେ ସ୍ମିତରେଖା ବିକଶିତ ପଦ୍ମରେ ଚନ୍ଦ୍ରିକା ସଦୃଶ ଶୋଭା ପାଉଥିଲା । ବିକଶିତ ପଦ୍ମରେ ଚନ୍ଦ୍ରିକାପାତ ସମ୍ଭବପର ନୁହେଁ । ଏପରି ଉପମାନ ଦେଲେ ଅସମ୍ଭବନାମକ ଦୋଷ ହୁଏ । ଅତଏବ ଉପମାରେ ଲିଙ୍ଗଭେଦ, ବଚନଭେଦ ନ୍ୟୂନତା, ଆଧିକ୍ୟ ଅସାଦୃଶ୍ୟ ଓ ଅସମ୍ଭବ ଏହି ଛ’ ଟି ଦୋଷପ୍ରତି ବିଶେଷ ଦୃଷ୍ଟି ରଖିବା ଉଚିତ । ଏହି ଛଟିର ଅଭାବରେ ଉପମା ବାସ୍ତବିକ ମନ ହରଣ କରିଥାଏ ।

 

ଅନନ୍ୱୟ ଅଳଙ୍କାର

 

ଏକବସ୍ତୁ ହେଲେ ଉପମାନ ଉପମେୟ,

ଦ୍ୱିତୀୟ ସଦୃଶ ବ୍ୟବଚ୍ଛେଦେ ଅନନ୍ୱୟ ।୨।

 

ଏକ ପଦାର୍ଥ ଉପମାନ ଓ ଉପମେୟ ରୂପେ ବର୍ଣ୍ଣିତ ହେଲେ ଅନନ୍ୱୟ ଅଳଙ୍କାର ହୁଏ । ‘‘ଚନ୍ଦ୍ର ଚନ୍ଦ୍ର ସଦୃଶ କାନ୍ତିମାନ୍‌’’ ଏହି ବାକ୍ୟରେ ଏକହିଁ ଚନ୍ଦ୍ର ଉପମାନ ଓ ଉପମେୟ ରୂପେ ନିର୍ଦ୍ଦିଷ୍ଟ । ‘‘ଚନ୍ଦ୍ର ଚନ୍ଦ୍ର ସଦୃଶ’’ କହିଲେ ହଠାତ୍‌ ଅର୍ଥ ବୋଧ ହୁଏ ନାହିଁ । ତା’ଠାରୁ (ଉପମାନରୁ) ଭିନ୍ନ, ଅଥଚ ତାହାର (ଉପମାନର) ଅନେକ ଧର୍ମରେ ଯୁକ୍ତ ବସ୍ତୁରେ ୧ ସାଦୃଶ୍ୟ ରହେ । ‘‘ମୁଖ ଚନ୍ଦ୍ର ସଦୃଶ’’ କହିଲେ ମୁଖ ଚନ୍ଦ୍ରରୁ ଭିନ୍ନ, ମାତ୍ର ଚନ୍ଦ୍ରର ଆହ୍ଲାଦକତ୍ୱାଦି ଧର୍ମରେ ଯୁକ୍ତ ଏହି ଅର୍ଥ ଜଣାଯାଏ । ‘‘ଚନ୍ଦ୍ର ଚନ୍ଦ୍ର ସଦୃଶ କାନ୍ତିମାନ’’ କହିଲେ ବାକ୍ୟାର୍ଥ ବୋଧ ହୁଏ ନାହିଁ । ବାକ୍ୟାର୍ଥ ଅନୁପପନ୍ନ ହୋଇ ଚନ୍ଦ୍ର ସଦ୍ୟଶ ଅନ୍ୟ ବସ୍ତୁ ନାହିଁ ଏହି ଅର୍ଥ ପ୍ରତିପାଦନ କରେ । ଏହି ଅଳଙ୍କାରରେ ଅନ୍ୱୟ (ବାକ୍ୟର୍ଥ ବୋଧ ନଥାଏ, ଅତଏବ ଏହାକୁ ଅନନ୍ୱୟ କହନ୍ତି । ଉପମାରେ ଉପମେୟର ଦ୍ୱିତୀୟ ସଦୃଶ ବସ୍ତୁ ନାହିଁ, ଏହା ଭାବ ପ୍ରକାଶ ପାଏ ନାହିଁ । ଅତଏବ ଲକ୍ଷଣରେ ‘‘ଦ୍ୱିତୀୟ ସଦୃଶ ବ୍ୟବଚ୍ଛେଦ’’ ବୋଲି କୁହାଯାଇ ଅଛି । ଯଦି ତାହାର ଅନ୍ୟ ସଦୃଶ ବସ୍ତୁ ନାହିଁ ଏ ଉଦ୍ଦେଶ୍ୟରେ ଏକ ପଦାର୍ଥ ଉପମାନ ଓ ଉପମେୟ ରୂପେ ବର୍ଣ୍ଣିତ ହୁଏ, ତେବେ ଅନନ୍ୱୟ । ଯେଉଁ ଠାରେ ଏକ ବସ୍ତୁ ଉପମାନ ଓ ଉପମେୟ, ଅଥଚ ତାହାର ଦ୍ୱିତୀୟ ସଦୃଶ ବସ୍ତୁ ନାହିଁ ଏହି ଭାବ ପ୍ରତୀତ ହୁଏ ନାହିଁ, ସେଠାରେ ଅନନ୍ୱୟ ଅଳଙ୍କାର ହେବ ନାହିଁ । ‘‘ରାମଚନ୍ଦ୍ର ଯେପରି ପିତାଙ୍କ ଆଦେଶରେ ଅକାତରେ ପୃଥିବୀ ତ୍ୟାଗ କରିଥିଲେ ସେପରି ଜନାପବାଦରେ ସୀତାଙ୍କୁ ତ୍ୟାଗ କରିଥିଲେ’’ । ଏଠାରେ ରାମଚନ୍ଦ୍ର ଉପମାନ ଓ ଉପମେୟ । କିନ୍ତୁ ତାଙ୍କର ଅନ୍ୟ ସଦୃଶ ନାହିଁ ଏହି ଅର୍ଥର ପ୍ରତୀତ ନାହିଁ । ଅତଏବ ଅନନ୍ୱୟ ଅଳଙ୍କାର ହେବ ନାହିଁ ।

 

 ତଦ୍‌ ଭିନ୍ନତ୍ୱେ ସତି ତଦ୍‌ଗତଭୂୟୋ ଧର୍ମବତ୍ତଂ ସାଦଶ୍ୟମ

ଉଦାହରଣ –

ତହିଁ ସିଂହାସନେ ସୁନ୍ଦରୀ ଆସୀନା,

ଜଗତେ ତୁଳନା ସେହି ତାର ସିନା ।

ଚିଲିକା ।

ଏହି ପଦ୍ୟରେ ଅନନ୍ୱୟ । ପଦ୍ମାବତୀ ପଦ୍ମାବତୀ ସଦୃଶ, ତାଙ୍କ ସମାନ ଅନ୍ୟ କେହି ନାହାନ୍ତି, ଏହି ଅର୍ଥ ପ୍ରତୀତ ହୁଏ ।

 

ରାଧାପରି ରାଧା ସିନା, ରେ ସଙ୍ଗିନି,

ସ୍ତିରୀ ମାତରକ ଅଛନ୍ତି ଯେତେକ ସର୍ବେ ପିତଳ ସେ ସୁନା,

ଗୋପାଳ

 

ଏଠାରେ ମଧ୍ୟ ଅନନ୍ୱୟ ଅଳଙ୍କାର । ରାଧା ରାଧା ପରି, ତାଙ୍କ ସଦୃଶ ଅନ୍ୟ କେହି ନାହାନ୍ତି – ଏହି ଭାବ ଚମତ୍କାର ସହକାରେ ପ୍ରତିପାଦିତ ହୋଇଅଛି । ଉକ୍ତ ଉଦାହରଣମାନଙ୍କରେ ସାଧାରଣ ଧର୍ମ ଦିଆ ହୋଇନାହିଁ । ଅନନ୍ୱୟରେ ସାଧାରଣ ଧର୍ମ ସୁଦ୍ଧା ନିର୍ଦ୍ଦିଷ୍ଟ ହୋଇଥାଏ ।

 

କୃଷ୍ଣଚନ୍ଦ୍ର ଗଜପତି ତାଙ୍କରି ସମାନ,

ତ୍ୟାଗୀ ଦେଶ ହିତବ୍ରତୀ ସଂଯମୀ ଶ୍ରୀମାନ ।

 

ଏହି ପଦ୍ୟରେ ତ୍ୟାଗିତା, ଦେଶହିତବ୍ରତିତା, ସଂଯମିତା ଓ ଶ୍ରୀମତ୍ତା ରୂପ ସାଧାରଣ ଧର୍ମ ନିର୍ଦ୍ଦିଷ୍ଟ ହୋଇଅଛି ।

 

ଯେ ରୂପ ଗଗନ             ଗଗନ ସଦୃଶ

ସାଗର ସାଗରୋପମ,

ଅବନୀମଣ୍ତଳେ             ସର୍ବ ରାଜଗୁଣେ

ତୁମ୍ଭେ ଏକା ତୁମ୍ଭ ସମ ।

ଇନ୍ଦୁ ।

ଏହି ପଦ୍ୟରେ ଅନନ୍ୱୟ ଅଳଙ୍କାର ଉପମା-ଯୋଗରେ ସୁନ୍ଦର ହୋଇଅଛି ।

 

ଅସମ ଅଳଙ୍କାର

 

ଉପମାନ ପ୍ରତିଷେଧ ବର୍ଣ୍ୟ ପଦାର୍ଥର

ଚମତ୍କାରୀ ହେଲେ ହୁଏ ଅସମାଳଙ୍କାର ।୩।

 

ଅନନ୍ୱୟ ଅଳଙ୍କାରରେ ବର୍ଣ୍ଣନୀୟ ବସ୍ତୁର ଉପମାନ-ଉପମେୟ ଭାବ ‘‘ଦ୍ୱିତୀୟ ସଦୃଶ ବସ୍ତୁ ନାହିଁ, ବୋଲି ଜଣା ଯାଇଥାଏ । ସୁତରାଂ ବର୍ଣ୍ଣନୀୟ ବସ୍ତୁ ନିପରୁମ ଏହା ବ୍ୟଙ୍ଗ୍ୟ ହୁଏ । ବର୍ଣ୍ଣନୀୟ ବସ୍ତୁ ସର୍ବଥା ନିରୁପମ ଏହି ଭାବ ଯଦି କବିଙ୍କ ଚାତୁର୍ଯ୍ୟପୂର୍ଣ୍ଣ ରଚନାରୁ ଅଭିଧାବଳରେ ପ୍ରକାଶ ପାଏ, ତେବେ ଅସମ ନାମକ ଅଳଙ୍କାର ହୁଏ । ଯଥା –

 

କୁମୁଦ ନନ୍ଦିନୀ             ସଖୀଗଣ ଘେନି

ଗମନ କରନ୍ତି ରଙ୍ଗେ

କମଳ ସୁବାସ            ଅଙ୍ଗ ଚାରିପାଶ

ବେଢ଼ି ଉଡ଼ୁଛନ୍ତି ଭୃଙ୍ଗେ ।

କିଦେବା ଉପମା            ସହଜେ ତ ବାମା

ତ୍ରିଭୁବନ-ନିରୂପମା       

କମଳ ନୟନ            ମଦନ ମୋହନ-

ପ୍ରିୟତମା ସୁଖସୀମା ।

ରସ ।

ରାଧାଙ୍କର ଉପମା ନାହିଁ, ଏ ସର୍ବଥା ନିରୂପମା ଏହା-ସ୍ପଷ୍ଟରେ ଜଣାଯାଏ । ଅତଏବ ଅସମାଳଙ୍କାର ।

ଅଥବା,

ବିଜୟୀବୀର ବିଜୟ କର ଯିବା ମିଥିଳାପୁର,

ବାହାର ହୋଇ ବିହାର ତହିଁ କରନ୍ତି ମୁନିବର ।

ବଇଦେହୀ ଯେ ସୁନ୍ଦରୀ ବ୍ରଜେ ଅମୂଲ୍ୟ ଚୂଡ଼ାମଣି

ବର୍ତ୍ତମାନ ସେ ଭୂତ ଭବିଷ୍ୟେ ନାହିଁ ବୋହିବ ପୁଣି ।

ବୈଦେହୀ ।

 

ଏଠାରେ ତିନିକାଳରେ ବୈଦେହୀଙ୍କ ସମାନ କେହି ନାହିଁ । ସେ ନିରୂପମା ଏହା ପ୍ରକାଶ ପାଏ । ଅତଏବ

 

ଉଦାହରଣାଳଙ୍କାର

 

ଉଦାହରଣ, ସାମାନ୍ୟ ସୁଖବୋଧ ଆଶେ

ନିଦର୍ଶକ ରୂପେ ଯହିଁ ବିଶେଷ ପ୍ରକାଶେ ।୪।

 

ସାମାନ୍ୟ ରୂପେ ନିରୂପିତ କୌଣସି ବିଷୟର ସୁଖବୋଧ ନିମିତ୍ତ ସାମାନ୍ୟର ଏକଦେଶ ବିଶେଷ ଯଦି ଉଦାହରଣ ରୂପେ ଦିଆ ହୋଇ ଥାଏ, ତେବେ ଉଦାହରଣ ନାମକ ଅଳଙ୍କାର ହୁଏ । ସାମାନ୍ୟ ଅବୟବ, ବିଶେଷ ସାମାନ୍ୟର ଏକଦେଶ ଅବୟବ । ଅବୟବାବୟବିଭାବେ ବିଶେଷ ଓ ସାମାନ୍ୟର ଅନ୍ୱୟ ହୋଇଥାଏ । ଯଥା –

 

ଏକମେଳ ହେଲେ             ବିଶ୍ୱ ଭବନରେ

ଅସାଧ୍ୟ ହୁଏ ସହଜ

ସୂକ୍ଷ୍ମ ବାଣ ସୂତ୍ର             ମେଳହେଲେ ଦେଖ

ବଦ୍ଧ ହୁଏ ମତ୍ତ ଗଜ ।

ଇନ୍ଦୁ ।

ଏହି ପଦ୍ୟରେ ‘‘ଏକମେଳ ହେଲେ ଅସାଧ୍ୟ ସହଜ ହୁଏ’’ ଏହା ସାଧାରଣ ବିଷୟ । ଏହି ସାଧାରଣ ବିଷୟ ସୁନ୍ଦର ରୂପେ ବୁଝାଇବା ସକାଶେ କବି ‘‘ସୂକ୍ଷ୍ମବାଣ ସୂତ୍ର ମେଳ ହେଲେ ମତ୍ତଗଜ ବଦ୍ଧ ହୁଏ ।’’ ଏହି ଉଦାରଣଟି ଦେଇଅଛନ୍ତି । ଅତଏବ ଉଦାହରଣାଳଙ୍କାର ।

 

 

ଏହା ଶୁଣି ସୁରଙ୍ଗିଣୀ       ଦରହାସେ କହେ ବାଣୀ

ଏହା କିପାଁ କହିଲୁ ନବୀନା,

ଯାହାକୁ ଯେ ଦ୍ରବ୍ୟ ରୁଚେ             ସେ କାହିଁ ତାହାକୁ ମୁଞ୍ଚେ

ମଧୁକର ସ୍ୱଭାବକୁ ଅଜା, ଗୋ ବୀଣାଭାଷୀ ।

ସେ ଯେହ୍ନେ କମଳ ଚୁମ୍ବୁ ଥାଇ,

ପୁଣି ଯାଇ ବା ସଙ୍ଗେ ବସଇ ଗୋ

ମଥୁରା ।

 

ଏଠାରେ ‘‘ଯାହାକୁ ଯେ ଦ୍ରବ୍ୟ ରୁଚେ ସେ କାହିଁ ତାହାକୁ ମୁଞ୍ଚେ’’ ଏହି ସାମାନ୍ୟର ସୁଖବୋଧ ଉଦ୍ଦେଶ୍ୟରେ ମଧୁକର ବୃତ୍ତାନ୍ତ ଉଦାହରଣ ସ୍ୱରୂପ ଦିଆ ଯାଇଅଛି ।

 

ଉପମେୟୋପମା

 

ଉପମେୟୋପମା ଦୁଇବସ୍ତୁ ମନୋହର

ଉପମେୟ ଉପମାନ ହେଲେ ପରସ୍ପର ।୫।

 

ଏକ ବାକ୍ୟରେ ଯେ ଦୁହେଁ ଉପମେୟ ଓ ଉପମାନ, ସେ ଦୁହେଁ ଯଦି ପରବାକ୍ୟରେ ବା ପୁଣି ସେହି ବାକ୍ୟରେ ଉପମାନ ଓ ଉପମେୟ ହୁଅନ୍ତି, ତେବେ ଉପମେୟୋପମା ନାମକ ଅଳଙ୍କାର ହୁଏ । ଏ ତାହାର ସଦୃଶ, ସେ ଏହାର ସଦୃଶ ଏହା କହିଲେ ଏ ଦୁହେଁ ଏ ଦୁହିଙ୍କ ସଦୃଶ, ଏହାଙ୍କ ସଦୃଶ ତୃତୀୟ ବସ୍ତୁ ନାହିଁ ଏହି ଭାବ ପ୍ରକାଶ ପାଏ ଅନନ୍ୱୟରେ ଦ୍ୱିତୀୟ ସଦୃଶ ବ୍ୟବଚ୍ଛେଦ ପ୍ରତୀତ ହୋଇଥାଏ । ଉପାମେୟୋପମାରେ ତୃତୀୟସଦୃଶ ବ୍ୟବଚ୍ଛେଦ ପ୍ରତୀତ ହୁଏ । ଅଶ୍ୱଖୁରୋ ଥିତ ଧୂଳିରେ ଆକାଶ ପୃଥିବୀ ପରି ଦେଖା ଯାଉଥିଲା, ପୃଥିବୀ ମଧ୍ୟ ନୀଳ ଜଳଧର ସଦୃଶ ଗଜମାନଙ୍କ ହେତୁ ଆକାଶ ପରି ଶୋଭା ପାଉ ଥିଲା’ ଏ ବାକ୍ୟରେ ଯଦ୍ୟପି ପୃଥିବୀ ଓ ଆକାଶର ପରସ୍ପର ଉପମାନ ଉପମେୟ ଭାବ ଅଛି, ତଥାପି ତୃତୀୟ ସଦୃଶ ବସ୍ତୁ ନାହିଁ ବୋଲି ପ୍ରତୀତ ହୁଏ ନାହିଁ । ତୃତୀୟ ସଦୃଶ ବ୍ୟବଚ୍ଛେଦ ପ୍ରତୀତ ନଥିଲେ ଉପମେୟୋପମା ହୁଏ ନାହିଁ । ଅତଏବ ଏ ସ୍ଥଳରେ ଉପମେୟୋପମା ନୁହେଁ ।

 

ବୃକ୍ଷତତି ତନ ପତ୍ନୀ ତହିଁ ଏକାକୃତି,

ବଳ୍କଳ ପିଦାନ କରି ଜଟା ଧରିଛନ୍ତି

ବୈଦେହୀ ।

ଏହି ପଦ୍ୟରେ ମଧ୍ୟ ବୃକ୍ଷତତି ତପିପନ୍ତୀ ପରି, ତପିପନ୍ତୀ ବୃକ୍ଷତତି ପରି ବୋଲି ପରସ୍ପର ଉପମାନ ଉପମେୟ ଭାବ ଦେଖାଯାଏ । ମାତ୍ର ତୃତୀୟ ସଦୃଶ ବ୍ୟବଚ୍ଛେଦ ପ୍ରତୀତି ନାହିଁ । ଅତଏବ ଏଠାରେ ଉଭୟ ବିଶ୍ରାନ୍ତ ସଦୃଶ୍ୟ ୧ ଉପମାଳଙ୍କାର ସିନା, ଉପମେୟୋପନା ହେବ ନାହିଁ-। ଉଦାହରଣ-

 

ଜେମା ଯୋଗ୍ୟ ବର       ନିଶ୍ଚେ ପୁଷ୍ପାକର

ଆସୁଛି ଆମ୍ଭ ମନକୁ ।

ରୂପେ ଗୁଣେ ଶୀଳେ       ପଟାନ୍ତର ଏକା

ସେ ଦୁହେଁ ଦୁଇ ଜଣକୁ ।

କଳ୍ପଲତା ।

 

ଏ ପଦ୍ୟରେ କଳ୍ପଲତା ଓ ପୁଷ୍ପାକର ପରସ୍ପର ଉପମାନ ଉପମେୟଭାବେ ବର୍ଣ୍ଣିତ ହୋଇଅଛି । ତାଙ୍କ ସଦୃଶ ତୃତୀୟ ବସ୍ତୁ ନାହିଁ ବୋଲି ମଧ୍ୟ ଜଣାଯାଏ । ଅତଏବ ଉପମେୟୋପମା ଅଳଙ୍କାର ।

 

ଅଥବା,

ସୁନ୍ଦର ପଣକୁ             ନାହିଁ ପଟାନ୍ତର

ଏକକୁ ଆରେକ ବିନା,

ବାଳୁତ କାଳରୁ             ଦୁହେଁ ଦୁହିଁଙ୍କର

ହୃଦୟ ମୂଲ୍ୟରେ କିଣା ।

କେଦାର ।

ଏଠାରେ କେଦାର ଉପମାନ ଗୌରୀ, ଗୌରୀ ଉପମାନ କେଦାର, ସେ ଦୁହିଁଙ୍କ ସମାନ ତୃତୀୟ ବସ୍ତୁ ନାହିଁ ବୋଲି ଜଣା ଯାଏ । ଅତଏବ ଉପମେୟୋପମା ।

 

୧ ଯହିଁରେ ସାଦୃଶ୍ୟ ଦୁଇଟି ବସ୍ତୁରେ ରହେ ।

 

ପ୍ରତୀତ-ଅଳଙ୍କାର

 

ପ୍ରତୀପାଳଙ୍କାର ହୁଏ ଯହିଁ ଅଭିମତ,

ଉପମାନ ଉପମେୟ ରୂପେ ବ୍ୟବହୃତ । ୬।

 

ଉପମାରେ ଯେଉଁ ବସ୍ତୁ ଉପମାନ ରୂପେ ଅଭିହିତ, କବିମାନେ ଉପମାନ ରୂପେ ବର୍ଣ୍ଣନ କରି ଆସୁଅଛନ୍ତି । କବି ତାହାକୁ ଯଦି ଉପମେୟ ଓ ପ୍ରକୃତ ଉପମେୟକୁ ଉପମାନ କରି ବର୍ଣ୍ଣନ କରନ୍ତି, ତେବେ ପ୍ରତୀପାଳଙ୍କାର ହୁଏ । ଉପମାନ ଉପମେୟ ଅପେକ୍ଷା ଗୁଣରେ ଅଧିକ ଓ ପ୍ରସିଦ୍ଧ ବୋଲି କୁହାଯାଇଅଛି । ଉପମେୟ ଉପମାନ ରୂପେ ବର୍ଣ୍ଣିତ ହେଲେ ଉପମାନ ଅପେକ୍ଷା ଅଧିକ ଗୁଣଶାଳୀ ବୋଲି ଜଣାଯାଏ । ଉପମାନ ଅପେକ୍ଷା ଉପମେୟର ଆଧିକ୍ୟ ପ୍ରତିପାଦନ ଏ ଅଳଙ୍କାରର ବିଶେଷବ ଓ ବୈଚିତ୍ର୍ୟୋତ୍ପାଦକ । ଉଦାହରଣ-

 

କାହିଁ ପାଇଁ ଅଙ୍ଗେ ମଣ୍ତି ହୁଅନ୍ତି ସେ ପାରିଜାତ କୁସୁମକୁ

କେତେ ତପକରି ପାଇଛି ଯହୁଁ ସେ ମନୋହର ହାସ ସମକୁ

କାନ୍ତିକି ସମ ନୁହଇ କ୍ଷଣକାନ୍ତି

କାଦମ୍ବିନୀ କୋଳେ ଥାଇସେ ଚଞ୍ଚଳେ ଦେଖାଇ ନଦେଖାଏ ଜ୍ୟୋତି

ରସ ।

 

ପାରିଜାତ କୁସୁମ ଅନେକ ତପକରି ଗୋପିକାଙ୍କର ହାସର ସମ ହୋଇଅଛି । ଅତଏବ ଦେବତାମାନେ ତାକୁ ଧାରଣ କରନ୍ତି । ଏଥିରୁ ପାରିଜାତ ହାସ ସଦୃଶ୍ୟ ବୋଲି ଜଣାଯାଏ । ଅତଏବ ପ୍ରତୀପାଳଙ୍କାର ।

 

ଏହି ପ୍ରତୀପାଳଙ୍କାର ପାଞ୍ଚପ୍ରକାର । ସାଧରଣତଃ ଉପମେୟର ଉପମାନବ ବର୍ଣ୍ଣିତ ହୋଇଥିଲେ ପ୍ରଥମ ପ୍ରତୀପ । ଅନ୍ୟ ବସ୍ତୁ ଉପମାନ ମିଳିଲେ ବର୍ଣ୍ଣ୍ୟ ବସ୍ତୁର ଅନାଦର ଯଦି ବର୍ଣ୍ଣିତ ହୋଇଥାଏ, ତେବେ ଦ୍ୱିତୀୟ ପ୍ରତୀପ । ବର୍ଣ୍ଣ୍ୟବସ୍ତୁକୁ ଉପମାନ କରି ଉପମାନର ଅନାଦର ବର୍ଣ୍ଣିତ ହୋଇଥିଲେ ତୃତୀୟ ପ୍ରତୀପ । ଏହି ପ୍ରତୀପରେ ସୁଦ୍ଧା ବର୍ଣ୍ଣନୀୟ ବସ୍ତୁର ଉପମାନତା ଫଳତଃ ପ୍ରତିପାଦିତ ହୋଇଥାଏ, ଉପମାନ ବର୍ଣ୍ଣ୍ୟ ବସ୍ତୁରେ ସମାନ ନୁହେଁ, ଏହି ଭାବ ପ୍ରକାଶ ପାଇଲେ ଚତୁର୍ଥ ପ୍ରତୀପ । ବର୍ଣ୍ଣ୍ୟ ବସ୍ତୁର ସତ୍ୱେ ଉପମାନ ନିରର୍ଥକ, ଏହି ଭାବ ପ୍ରକାଶ ପାଇଲେ ପଞ୍ଚମ ପ୍ରତୀପ । ପ୍ରଥମ ପ୍ରତୀପ ‘‘କାହିଁ ପାଇଁ’’ ପଦ୍ୟର, ଆଦ୍ୟ ଦୁଇ ପାଦରେ ପ୍ରଦର୍ଶିତ ହୋଇଅଛି ।

 

କେତକୀ ତୋ ଦେହ ପରା କରଇ ମସ୍ତକେ ତୋରା,

କଳାକର କଳା ହାସ ସଦୃଶର କୁସୁମ ମୋହର ହାରା ।

କାଇଁଚଠାରେ ମୋ ପ୍ରୀତି କାହିଁ ପାଇଁ କୁନ୍ଦଦନ୍ତି ?

କେତେ କି ତୋହର ସୁରଙ୍ଗାଅଧର ଛଚିକି ବହି ଅଛନ୍ତି ।

କର ପାଦରଙ୍ଗ କିଛି କିଶଳୟ ଠାରେ ଅଛି,

କରି ଅବତଂସ ହେଉଥାଇ ତୋଷ ମଦକଳ ମଦିରାକ୍ଷି ।

ଏହି ପଦ୍ୟମାନଙ୍କରେ ଉପମାନ କେତକୀ ପ୍ରଭୃତି ଉପମେୟ ରୂପେ ବର୍ଣ୍ଣିତ ହୋଇ ଅଛନ୍ତି । ଅତଏବ ପ୍ରକାଶ ପ୍ରତୀପ ।

 

ଦ୍ୱିତୀୟ ପ୍ରତୀପ –

ଏ ବିଶାଳ ନେତ୍ର ଦ୍ୱୟ ଲାଭେ କୃଶେ ଦରି

ବହିଅଛି ଅକାରଣେ ଗର୍ବ ଏତେ ସରି

ସରେ ସରେ ଏତାଦୃଶ ସୁନୀଳ ଉତ୍ପଳ

ଅସଂଖ୍ୟ ବିରାଜେ, ଦେଖ ବିମୋହି ଅନ୍ତର ।

 

ଏଠାରେ ନିଳୋତ୍ପଳ ରୂପ ଉପମାନ ଲାଭରେ ବର୍ଣ୍ଣନୀୟ ଲୋଚନ ଦ୍ୱୟର ଅନାଦର ବର୍ଣ୍ଣିତ ହୋଇଅଛି । ଅର୍ଥାତ୍‌ ନୀଳୋତ୍ପଳ ଲୋଚନ ସଦୃଶ ଏହି ଭାବ ପ୍ରକାଶ ପାଏ । ଅତଏବ ଦ୍ୱିତୀୟ ପ୍ରତୀପ ।

 

ତୃତୀୟ ପ୍ରତୀପ –

ଶୁଣ ହଳାହଳ ବାରେ ମୋର ନିବେଦନ,

ନକର ନକର ଆଉ ଗର୍ବ ପ୍ରଦର୍ଶନ ।

ଭାବିଅଛ ପରା ତୁମ୍ଭେ ଏତିକି ଭୁବନେ

ସୁଦ ରୁଣ ଚକ୍ରବର୍ତ୍ତୀ ବୋଲି ମନେ ମନେ ।

ଭବାଦୃଶ ସୁଦାରୁଣ ଦୁର୍ଜନ ବଚନ,

ଜଗତେ ବିରଳ ନୋହେ କର ବିଲୋକନ ।

 

ଏଠାରେ ଦୁର୍ଜନ ବଚନ ବର୍ଣ୍ଣନୀୟ । ତାକୁ ଉପମାନ ରୂପେ ବର୍ଣ୍ଣନ କରି ହଳାହଳର ଅନାଦର କରା ହୋଇଅଛି । ଦୁର୍ଜନ ବଚନ ହଳାହଳ ସଦୃଶ ଏହା ବର୍ଣ୍ଣିତ ହୋଇଥିଲେ ମଧ୍ୟ ହଳାହଳ ଦୁର୍ଜନ ବଚନ ସଦୃଶ୍ୟ, ଏହି ଭାବ ପ୍ରକାଶ ପାଏ । ଅତଏବ ତୃତୀୟ ପ୍ରତୀପ ।

 

ଅଥବା,

ରେ ନୀରଦ ଗରଜି ମରୁଛୁ କେତେ,

ଅରଜି ନାହୁଁତ ମୋ ବନ୍ଧୁ ଲଳିତ ଭାବ ବିଭବୁଁ କିଞ୍ଚତେ ।

ଦେଖୁ ଛୁ ତ ମୋର ବାଳା ପୟୋଧର ଉପରେ ମୁକୁତା ହାର,

କେଉଁ ବୁଦ୍ଧି ବଳେ ଧରାଧରଚୂଳେ ଲମ୍ବାଉ ସଲିଳ ଧାର ।

କବିସୂର୍ଯ୍ୟ ।

 

ଏ ପଦ୍ୟରେ ମଧ୍ୟ ତୃତୀୟ ପ୍ରତୀପ । ବର୍ଣ୍ଣନୀୟ ବାଳାପୟୋଧର ଓ ମୁକୁତା ହାରର ଦର୍ଶନେ ଧରାଧରଚୂଳେ ସଲିଳଧାରାର ଅନାଦର ବର୍ଣ୍ଣିତ ହୋଇଅଛି ।

 

ଚତୁର୍ଥ ପ୍ରତୀପ –

ହରିହର ମଣିକ ନିନ୍ଦୁଛି ଅପଘନ ଗୋ

ନିନ୍ଦୁଛି ଇନ୍ଦୁକୁ ସୁବଦିନ ଗୋ,

ହଜାର ସଂଖ୍ୟକ ଏକ ହେଲେ ମଦନ ଗୋ,

ହେବକି ଏ ମୋହନ ସମାନ ଗୋ ।

କିଶୋର ।

 

ଏହି ପଦ୍ୟରେ ହଜାର ସଂଖ୍ୟକ ମଦନମୋହନ ସମାନ ନୁହେଁ, ଏହା ସ୍ପଷ୍ଟ ପ୍ରତିପାଦିତ । ଅତଏବ ଚତୁର୍ଥ ପ୍ରତୀପ ।

 

ଅଥବା,

କୁଚ ସଦୃଶରୁ ଦେବତାଏ ମେରୁ ପର୍ବତ କଲେ ନିକେତନ

କଣ୍ଠକୁ ଅନାଇ ମହାତୋଷ ହୋଇ ବିଷ୍ଣୁ ବହିଲେ ପାଞ୍ଚଜନ୍ୟ ।

କାହିଁକି ଦେବେ କରନ୍ତି ସୁଧାପାନ,

କୁଟିଳକେଶୀ ଚପଳବେଶୀ ଗୋପୀ କଥାକୁ କାହିଁ ସେ ସମାନ

ରସ ।

 

ଏହି ପଦ୍ୟରେ ଆଦ୍ୟ ଦୁଇ ପାଦରେ ପ୍ରତୀପ ଓ ଶେଷ ପାଦରେ ଚତୁର୍ଥ ପ୍ରତୀପ । ‘‘କାହିଁପାଇଁ’’ ଏ ପଦ୍ୟେର ମଧ୍ୟ ଆଦ୍ୟ ଦୁଇ ପଦ୍ୟରେ ପ୍ରଥମ ପ୍ରତୀପ, ଶେଷ ଦୁଇ ପାଦରେ ଚତୁର୍ଥ ପ୍ରତୀଯ । ଅସମ ଅଳଙ୍କାରରେ ବସ୍ତୁର ନିରୂପମତା ପ୍ରତୀତ ହୁଏ । ଚତୁର୍ଥ ପ୍ରତୀପରେ ନିରୂ କ୍ଷମତା ପ୍ରତୀତ ହୁଏ ନାହିଁ । କେବଳ ଗୋଟିଏ ଉପମାନ ଉପମେୟର ସମା ନୋହେ – ଏହି ଭାବ ବର୍ଣ୍ଣିତ ହୋଇଥାଏ ।

 

ପଞ୍ଚମ ପ୍ରତୀପ-

ବହୁ ସମୁଦ୍ର ମନ୍ଥନ ଚନ୍ଦ୍ର ଜନମ ଯେଉଁ କାଳେ

ବିହୀନ କ୍ଷୀଣ କଳଙ୍କ ଜାଣ ସେ ହୋଇଥିଲେ ।

ବଦନେ ଜାନକୀର ସମାନ ମନ ଜାଣଟି ବିହି

ବିମ୍ବବେଷ୍ଟନ ନୋହିଲା ବର୍ଣ୍ଣଭାବେଟି କାଟିଦେଇ ।

ବୈଦେହୀ ।

 

ଏହି ପଦ୍ୟରେ ବିଧି ଚନ୍ଦ୍ର ସୀତା ମୁଖ ସମାନ ନୁହେଁ । ଅତଏବ ବୃଥା ଭାବି ଅକ୍ଷର କାଟିଲା ପରି କାଟି ଦେଇ ପରିବେଷ ଚ୍ଛଳରେ କୁଣ୍ତଳୀ (ମୁଣ୍ତଳା) ଦିଅନ୍ତି ବୋଲି ବର୍ଣ୍ଣନ କରି ଅଛନ୍ତି । ସୀତା ମୁଖ ସତ୍ୱେ ଚନ୍ଦ୍ର ନିରର୍ଥକ- ଏହା ବ୍ୟକ୍ତ ହେଉଅଛି । ଅତଏବ ପଞ୍ଚମ ପ୍ରତୀପ । ପ୍ରତ୍ୟେକ ଭେଦରେ ଉପମେୟର ଉପମାନତା ବା ଉପମାନ ଅପେକ୍ଷା ଆଧିକ୍ୟ ପ୍ରତୀତ ହୁଏ, ଅତଏବ ସମସ୍ତ ଭେଦ ପ୍ରତୀପାଳଙ୍କାରେ ଅନ୍ତର୍ଭୁକ୍ତ ।

 

ରୂପକ-ଅଳଙ୍କାର

 

ଉପମାନ ଉପମେୟ ଅଭେଦ ବର୍ଣ୍ଣନା

ରୂପକାଳଙ୍କାର ନାମେ ଲଭିଛି ଗଣନା । ୭ ।

 

ଉପମାଳଙ୍କାରରେ ଉପମେୟ ଓ ଉପମାନର ପରସ୍ପର ଥାଏ । ଯଦି ଉପମାନ ଓ ଉପମେୟର ପରସ୍ପର ଅଭେଦ ପ୍ରତିପାଦି ହୋଇଥାଏ, ତେବେ ରୂପକ ଅଳଙ୍କାର । ‘‘ମୁଖ କେବଳ ଚନ୍ଦ୍ର,’’ ଏହା କାହିଁକି କ୍ଷଣି ମୁଖ ଓ ଚନ୍ଦ୍ରର ଅଭେଦ ପ୍ରତୀତ ହୁଏ, ସଙ୍ଗେ ସଙ୍ଗେ ଚନ୍ଦ୍ରଠାରେ ଯେତେଦୂର ଆହ୍ଲାଦକତ୍ୱାଦି ଗୁଣ ଅଛି, ମୁଖରେ ସେ ସମସ୍ତେ ଗୁଣ ଅଛି ବୋଲି ଜଣାଯାଏ । ଏହି ଗୁଣାଧ୍ୟେୟ ପ୍ରତିପାଦନ ଉଦ୍ଦେଶ୍ୟରେ ରୂପକରେ ଅଭେଦ ବର୍ଣ୍ଣିତ ହୋଇଥାଏ ।

ରୂପକ ଅଳଙ୍କାର ତିନି ପ୍ରକାର ନିରମୟବ ( ନିରଙ୍ଗ) ସବୟବ, ( ସାଙ୍ଗ) ଓ ପରସ୍ପରିତ । ଯେଉଁଠାରେ ଏକ ବସ୍ତୁରେ ଅନ୍ୟ ଏକ ବସ୍ତୁର ଆରୋପ, ସେଠାରେ ନିରବୟବ ରୂପକ । ଏହି ନିରବୟବ ରୂପକ ଦୁଇ ପ୍ରକାର । କେବଳ ଓ ମଳରୂପ । ଯହିଁରେ ଏକ ବସ୍ତୁରେ ଅନେକ ବସ୍ତୁର ସମାରୋପ, ସେଠାରେ ମାଳ ନିରବୟବ ରୂପକ କେବଳ ନିରବୟବ ରୂପକ -

ଦୁର୍ବାର ତୋ ନେତ୍ରାଞ୍ଜଳ ଶର ଦେବାରୁ ଦୁଃଖ ଦୁଃସହରେ

ଦିବାଲା ହେବାର ଦେହ ମଜ୍ଜାସାର ଜାଣି ଯା ହେଲା ମାନସ ମୋର

କିଶୋର ।

 

ଏଠାରେ ନେତ୍ରାଞ୍ଜଳ ଓ ଶରିର କେବଳ ଅଭେଦ ବର୍ଣ୍ଣିତ ଅତଏବ କେବଳ ନିରବୟବ ରୂପକ :

 

ମାଳରୂପ ନିରବୟବ ରୂପକ -

କ୍ରମେ ରସାୟନ            କାନ୍ତି ବରଧନେ

ନିରାଜନ ବକ୍ରମର

ସ୍ମର ରାଜଲକ୍ଷ୍ମୀ            ନବତରୁଣିମା

ଆଶ୍ରେ କଲା ବୀର ନଳ ।

                  ସହୃଦୟାକନ୍ଦ ।

 

ଏଠାରେ ଏକ ନବତରୁଣିମାରେ ରସାୟନ ଓ ସ୍ମର ରାଜଲକ୍ଷ୍ମୀର ଆରୋପ ଦେଖାଯାଏ । ଅତଏବ ମାଳା ରୂପ ନିରବୟବ ରୂପକ ।

 

ଯେଉଁ ରୂପକରେ ପରସ୍ପର ସାପେକ୍ଷ ଅଙ୍ଗମାନଙ୍କର ଆରୋପ ସହ ଅଙ୍ଗୀର ଆରୋପ ହୋଇଥାଏ, ସେହି ରୂପକ ସାବୟବ ରୂପକ । ସାବୟବ ରୂପକ ଦୁଇ ପ୍ରକାର, ସମସ୍ତ ବସ୍ତୁ ବିଷୟ ଓ ଏକଦେଶ ବିବର୍ତ୍ତୀ । ସମସ୍ତ ଅଙ୍ଗଗୁଡ଼ିକ ଯଦି କଣ୍ଠତଃଆରୋପିତ ଉକ୍ତି ହୋଇଥାଏ ତେବେ ସମସ୍ତ ବସ୍ତୁ ବିଷୟ ରୂପକ । କେତେକ କଣ୍ଠତଃ ଆରୋପିତ ହୋଇଥାଏ, ଅନ୍ୟ କେତେକ ଅଙ୍ଗର ଆରୋପ ବା ଅଙ୍ଗିର ଆରୋପ ଯଦି ଅର୍ଥରୁ ଆକ୍ଷିପ୍ତ ହୁଏ, ତେବେ ଏକଦେଶ ବିବର୍ତ୍ତା ରୂପକ ।

 

ସମସ୍ତ ବସ୍ତୁ ବିଷୟ ସାବୟବ ରୂପକ ଯଥା -

କବିତା ବନିତା କବିତା ପିତା, କହିବା ଲୋକ ତାର ଉପମାତା

କଲେ ତାକୁ ଭୋଗ ରସିକ ନେତା କେତେହେ ଅବା ରହଇ ଯୋଗ୍ୟତା

କୁମତି ଗୁଆଁର, କେବଳ ବଇମାତୃ ଭାଇ ତାର ।

ରସ

 

ଏହି ପଦ୍ୟରେ କବିତା କବିତାରୂପ ବନିତାର ମାତା ପିତାପତି ଓ ବୈମାତ୍ରେୟ ଭାଇ ସୁଦ୍ଧା ନିର୍ଦ୍ଧିଷ୍ଟ ହୋଇଅଛି । ଅତଏବ ସମସ୍ତ ବସ୍ତୁ ବିଷୟ ସାବୟବ ରୂପକ ।

 

ଏକଦେଶ ବିବର୍ତ୍ତୀ ସାବୟବ ରୂପକ ଯଥା -

ବାଲ୍ମୀକି ଆଶ୍ରମ ରାଜ୍ୟରେ      ଶାନ୍ତି ରାଜତ୍ୱ କରେ,

କୋଶ ପୂର୍ଣ୍ଣ କରି ପାଦପ      ଦତ୍ତ ସ୍ୱଚ୍ଛାୟାବରେ ।

ତପସ୍ୱିନୀ ।

 

ଏଠାରେ ଆଶ୍ରମରେ ରାଜତ୍ୱ, ପାଦପଦତ୍ତ ସ୍ୱଚ୍ଛାୟାରେ କରତ୍ୱ ଆରୋପିତ ହୋଇଅଛି । ମାତ୍ର ଶାନ୍ତିରେ ରାଣୀତ୍ୱ ଓ ପ୍ରଜାତ୍ୱ ଆରାପିତ ହୋଇ ନାହିଁ । ଅର୍ଥତଃ ଆକ୍ଷିପ୍ତ । ଅତଏବ ଏକଦେଶ ବିବର୍ତ୍ତୀ ସାବୟବ ରୂପକ ।

ଯେଉଁଠାରେ ଏକ ଆରୋପ ଅନ୍ୟ ଆରୋପକୁ ଅପେକ୍ଷା କରି ଥାଏ, ତାହା ବିନା ସମ୍ଭବପର ନୁହେଁ ବା ନିରର୍ଥକ, ଅର୍ଥାତ୍‌ ଏକ ଆରୋପ ଅନ୍ୟ ଆରୋପରେ ନିମିତ୍ତ, ସେଠାରେ ପରସ୍ପରିତ ରୂପକ । ପରସ୍ପରିତ ରୂପକ ଦୁଇ ପ୍ରକାର, କେବଳ ଓ ମାଳରୂପ । ଏ ଦୁଇଟି ପୁଣି ଶ୍ଳିଷ୍ଟ ଶବ୍ଦନିବନ୍ଧନ ଓ ଅଶ୍ଳିଷ୍ଟ ଶବ୍ଦନିବନ୍ଧନ । ଏପରି ପରସ୍ପରିତ ରୂପକ ଚାରିପ୍ରକାର ।

 

କେବଳ ପରସ୍ପରିତ ରୂପକ ଯଥା -

ଖର୍ବ ହୋଇ ସୁରତରୁ କୁସୁମ ବାନ୍ଥି କରେ

ଖେଦ ବୀଜ ନିଜ ହୃଦୟ କେଦାରେ ବିସ୍ତିଳୁରେ ।

କିଶୋର ।

 

ଏଠାରେ ହୃଦରେ କେଦାରତ୍ୱ ଆରୋପିତ ନହେଲେ ଖେଦରେ ବୀଜତ୍ୱାରୋପ ନିରର୍ଥକ ବା ଅତଏବ କେବଳ ପରସ୍ପରିତ ରୂପକ ।

 

ମଳାରୂପକ ପରସ୍ପରିତ ରୂପକ ଯଥା -

ଧୀର ଚକ୍ର ହୃଦପଦ୍ମ ମିହିର, ରସିକ ନନ୍ଦ ସିନ୍ଧୁ କଳାକର,

ଗ୍ରାହକ ପ୍ରେମ ରତନ ପସରା ମୁମୁକ୍ଷ କୈବଲ୍ୟ ଭଣ୍ଡାର ପରା,

ଏ ଛାନ୍ଧକୁ ଭାଳ, ପ୍ରେମ ବିଯୋଗ ଯୋଗ ଜନମାଳ ।

ଚିନ୍ତାମଣି ।

 

ଏ ପଦ୍ୟରେ ଏକ ଛାନ୍ଦରେ ମିହିର, କଳାକାର, ରତନପସରା ଓ ମାଳାର ଆରୋପ ଦେଖାଯାଏ । ଏହି ଆରୋପ ବିନା ହୃଦୟାଦିରେ ପଦ୍ମତ୍ୱାଦି ଆରୋପ ନିଷ୍ପ୍ରୟୋଜନ । ଅତଏବ ଏଠାରେ ମାଳାରୂପ ପରସ୍ପରିତ ରୂପକ ।

ଶ୍ଳେଷ ବଶତଃ ଯେଉଁ କେବଳ ପରସ୍ପରିତ ରୂପକ ହୁଏ, ସେ ଶ୍ଳିଷ୍ଟ ଶବ୍ଦ ନିବନ୍ଧନ କେବଳ ପରସ୍ପରିତ ରୂପକ । ଯଥା -

ସ୍ୱଭାବେ ସୁବର୍ଣ୍ଣ ଯୌବନ

ହେଲା ଯୋଗ୍ୟ ରସାଣ,

ରୂପାତ୍ସର ହେଲା ରୂପସୀ

ଷଷ୍ଠ ଅମୋଘ ବାଣ ।

ଚନ୍ଦ୍ରଭାଗା ।

 

ଏହିଠାରେ ସୁବର୍ଣ୍ଣରେ ସୁବତ୍ୱାରୂପ ବିନା ଯୌବନରେ ରସାଣତ୍ୱାରୋପ ନିରର୍ଥକ । ସୁବର୍ଣ୍ଣରେ ସୁବର୍ଣ୍ଣତ୍ୱାରୋପ ଶ୍ଳେଷବଶତଃ ଘଟେ । ଅତଏବ ଏଠାରେ ଶ୍ଳିଷ୍ଟ ଶବ୍ଦ ନିବନ୍ଧନ କେଳେ ପରସ୍ପରିତ ରୂପକ । ‘‘ପ୍ରଜା ମାନସ ଜହଂସ’’ ‘‘ସଦ୍‌ବଂଶ ମୁକ୍ତାମଣି’’ ଇତ୍ୟାଦି ସ୍ଥଳରେ ମଧ୍ୟ ଏହି ରୂପକ । ମାନସରେ ମାନସରୋବରତ୍ୱାରୋପ ଓ ସଦ୍‌ବଂଶରେ (ଉତ୍ତମକୁଳରେ) ସଦ୍‌ବଂଶତ୍ୱାରୋପ ଶ୍ଳେଷ ନିବନ୍ଧନ । ସର୍ବାତ୍ରାପି ଶ୍ଳେଷବଶତଃ ଆରୋପ ହୋଇଥାଏ ।

 

ବନଲକ୍ଷ୍ମୀ ଦ୍ୱାରେ ସୀତା            ରାଜନ୍ତେ ସେ ଉଲ୍ଲସିତା

ମତିରେ ସେ ହୋଇ ଭୂଷିତ ରବି କିରଣେ,

ହାସ ପଲ୍ଲବ ଅଧରେ            ମଞ୍ଜୁ ମଧୁ ହୃଦକରେ

ମଣ୍ଡିଲାଗିଲା ଆନରେ ଚିତ୍ତ ହରଣେ ।

ଅର୍ଘ୍ୟ ଦେଇ ରଙ୍ଗ ଶାଳ୍ମଳ

ପାଦ୍ୟ ଦେଲା ଦୁର୍ବାଦଳ ହିମ ପଟାଳୀ ।

ତପସ୍ୱିନୀ ।

 

ଏଠାରେ ମଧ୍ୟ ବନଲକ୍ଷ୍ମୀ (ବନର ଶୋଭା) ଲକ୍ଷ୍ମୀ ହେଲେ ତାଙ୍କର ଦ୍ୱାରେ । ଏପରି ଅର୍ଥ ଚମତ୍କାରକ । ଅତଏବ କେବଳ ଶ୍ଳିଷ୍ଟ ଶବ୍ଦ ନିବନ୍ଧନ ପରସ୍ପରିତ ରୂପକ ।

 

ଏପରି ଅନେକ ଆରୋପ ଥିଲେ ଶ୍ଳିଷ୍ଟ ଶବ୍ଦ ନିବନ୍ଧନ ମାଳାରୂପ ପରସ୍ପରିତ ରୂପକ ।

 

ବିବାହୀରେ ହୋଇ ଗ୍ରୀଷମାକାର ବଂଶ ବହୁତ କାଳୁ ବୃଦ୍ଧି ତାର

ବହ୍ନିବାରେ ତା କରି ଭସ୍ମିଭୂତ            ବିଶ୍ରାମ ନଗରେ ଦେଇ ଜ୍ୱଳିତ

ବଳ ପଙ୍ଗୋଦି, ବିଳେ ପକାଇବି ତହିଁ ସସ୍ପଦି ।

ବୈଦେହୀ ।

 

ଏ ପଦ୍ୟରେ ବଂଶ = କୁଳ ଓ ବାଉଁଶ, ବିଶ୍ରାମ ନଗର = ବିଶ୍ରାମ - ସ୍ଥଳ ଓ ବଂଶର ବିଶ୍ରାମ ସ୍ଥଳ ପର୍ବତର ଇତ୍ୟଦି ଅର୍ଥ ଶେଷ ବଶତଃ ପ୍ରତୀତ ହୋଇଥାଏ । ଅତଏବ ଶ୍ଳିଷ୍ଟ ଶବ୍ଦ ନିବନ୍ଧନ ମାଳାରୂପ ପରସ୍ପରିତ ରୂପକ ।

 

ଭାନୁ ଯମାଳୟ ଗମନ ଦେଖି ପଦ୍ମିନୀ ସତୀ

ବିଷ୍ଣୁ ପଦ ସ୍ତୁତ ଜଳରେ ଝାସି ଥିଲା ଝଟତି ।

ତପ ଫଳେ ଏବେ ସୁନ୍ଦରୀ ନବ ଜନମ ଲଭି

ଧ୍ରୁବ ସମ୍ମୁଖୀନ ପତିଙ୍କ ହେଲା ପ୍ରିୟ ବଲ୍ଲଭୀ ।

କୀଚକ

 

ଏଠାରେ ମଧ୍ୟ ଶ୍ଳିଷ୍ଟ ଶବ୍ଦ ନିବନ୍ଧନ ମାଳରୂପ ପରସ୍ପରିତ ରୂପକ । ଯମାଳୟ=ଦକ୍ଷିଣ ଦିଗ ଓ ଯମଗୃହ, ସରୋଜିନୀ=ପଦ୍ମିନୀ ଓ ପଦ୍ମିନୀ ଜାତୀୟା ସ୍ତ୍ରୀ । ବିଷ୍ଣୁ ପଦ ସ୍ତୁତ ଜଳ=ଅବା ବା ସ୍ତୁତ ଜଳ ଓ ଗଙ୍ଗା ଜଳ । ତପଫଳେ=ଗ୍ରୀଷ୍ମ ବଳେ ଓ ତପସ୍ୟା ଫଳେ । ନବଜୀବନ=ନୂତନ ଜଳ ଓ ନବପ୍ରାଣ । ଧ୍ରୁବ ଖୀନ=ଧ୍ରୁବ ସମ୍ମୁଖ ଓ ସଦା ଅନୁକୂଳ । ଇତ୍ୟାଦି ଅର୍ଥ ଶ୍ଳେଷ ବଶତଃ ପ୍ରତୀତ ହେଉଅଛି ଏକ ପ୍ରକୃତାର୍ଥରେ ଆରୋପିତ ହୋଇ ଅନ୍ୟ ଆରୋପର ନିମିତ୍ତ ହୋଇଅଛି ।

 

ଏପରି ରୂପକ ଆଠ ପ୍ରକାର - ୧ କେବଳ ନିରବୟବ ରୂପକ, ୨ ମାଳାରୂପ ନିରବୟବ ରୂପକ, ୩ ସମସ୍ତ ବସ୍ତୁ ବିଷୟ ସାବୟବ ରୂପକ, ୪ ଏକଦେଶ ବିବର୍ତ୍ତୀ ସାବୟବ ରୂପକ, ୫ କେବଳ ପରସ୍ପରିତ ରୂପକ, ୬ ମାଳାରୂପ ପରସ୍ପରିତ ରୂପକ, ୭ କେବଳ ଶ୍ଳିଷ୍ଟ ଶବ୍ଦ ନିବନ୍ଧନ ପରସ୍ପରିତ ଓ ୮ ଶ୍ଳିଷ୍ଟ ଶବ୍ଦ ନିବନ୍ଧନ ମାଳା ରୂପକ ପରସ୍ପରିତ ରୂପକ ।

 

ପରିଣାମ ଅଳଙ୍କାର

 

ଉପମାନ ଉପମେୟ ରୂପ ବହି ଯେବେ

କାର୍ଯ୍ୟକରେ ପରିଣାମ ସେଠାରେ ସମ୍ଭବେ ।୮।

 

ଯେଉଁଠାରେ ଉପମେୟରେ ଆରୋପିତ ଉପମାନ କ୍ରିୟା ସାଧନ କରି ପାରେ ନାହିଁ, ଉପମେୟ ରୂପରେ ପରିଣତ ହୋଇ କ୍ରିୟାରେ ଅନ୍ୱିତ ହୁଏ, ସେଠାରେ ପରିଣୋମ ।

 

କାର୍ଯ୍ୟମାନ ଶୁଭ ହେଲେ ପରମ ମଙ୍ଗଳା

ପ୍ରସନ୍ନ ନୟନ ପଦ୍ମେ ଚାହାନ୍ତି କମଳା ।

ସୁଢଳ ଦେବ ।

 

ଏଠାରେ କମଳା ପ୍ରସନ୍ନ ନୟନପଦରେ ଚାହାନ୍ତି ବୋଲି ବର୍ଣ୍ଣିତ । ପ୍ରସନ୍ନତା ରୂପ ସାଧାରଣ ଧର୍ମ ଉକ୍ତ ହୋଇଅଛି । ଅତଏବ ଉପମିତ ସମାସ ହେବ ନାହିଁ । ସାଧାରଣ ଧର୍ମ ନଥିଲେ କେବଳ ଉପମିତ ସମାସ ହୁଏ । (ଉପସିତଂ ବ୍ୟାଘ୍ରାଦିଭଃ ସାମାନ୍ୟା ପ୍ରୟୋଗେ) ସୁତରାଂ ପଦ୍ମ ପରି ନୟନ ଏହି ଅର୍ଥେ ଅସମ୍ଭବ । ରୂପକ କର୍ମଧାରୟ ସ୍ୱୀକାର କରିବାକୁ ହେବ । (ନୟନ ରୂପ ପଦ୍ମ) ଏହିପରି ବ୍ୟାସବାକ୍ୟ କରିବାକୁ ହେବ । ରୂପକ କର୍ମ ଧାରୟରେ ଉତ୍ତର ପଦର ପ୍ରାଧାନ୍ୟ । ଏଠାରେ ପଦ୍ମର ପ୍ରାଧାନ୍ୟ, କିନ୍ତୁ ପଦ୍ମରେ ଚାହିଁବା ଅସମ୍ଭବ । ଅତଏବ ପଦ୍ମ ଉପମେୟ ନୟନ ରୂପରେ ପରିଣତ ହୋଇ ଚାହିଁବ କ୍ରିୟାରେ ଅନ୍ୱିତ ହୁଏ । ଅତଏବ ପରିଣାମ ଅଳଙ୍କାର । ଅଥବା –

 

ନୀଳୋତ୍ପଳବାସୀ ହେଲା ପରି ଦିଶି ଯାଉଛି ଦୂରୁଁ ଶ୍ରୀରଙ୍ଗ

ନାସାନୀଳ ତିଳ ଫୁଲରୁ ଅନିଳ ପ୍ରସରିଛି ବେଗ ବେଗ ।

କିଶୋର ।

 

ଏଠାରେ ମଧ୍ୟ ପରିଣାମ ନାସାରୂପ ତିଳଫୁଲରୁ ଅନିଳ ବହିବା ଅସମ୍ଭବ । ଅତଏବ ତିଳ ଫୁଲ ପ୍ରାକୃତ ନାସା ରୂପେ ପରିଣତ ହୋଇ କ୍ରିୟାରେ ଉପଯୋଗୀ ହେଉଅଛି ।

 

ରୂପକ ଓ ପରିମାଣରେ ଉପମାନ ଓ ଉପମେୟରେ ଅଭେଦ ପ୍ରତୀତ ହୋଇଥାଏ । ପରିଣାମରେ ଉପମନ ସ୍ୱତଃକ୍ରିୟାରେ ଉପଯୋଗୀ ନହୋଇ ଉପମନ ରୂପେ ପରିଣତ ହୋଇଥାଏ-। ଏହା ଦ୍ୱାରା ଉପମାନ । ଓ ଉପମେୟରେ ଅଭେଦ ଦୃଢ଼ରେ ହୁଏ । ସୁତରାଂ ଉପମାନଗତ ସକଳ ଧର୍ମ ଉପମେୟରେ ପ୍ରତିଭାତ ହୁଏ । ଏହି ଧର୍ମାତିଶୟ ପ୍ରତିବାଦନ ପରିଣାମ ଅଳଙ୍କାରର ମୁଖ୍ୟ ଉଦ୍ଦେଶ୍ୟ ।

 

ଉଲ୍ଲେଖାଳଙ୍କାର

 

ଏକ ବସ୍ତୁ ଧର୍ମ ଭେଦେ ଅନେକ ପ୍ରକାର

ଉଲ୍ଲିଖିତ ହୋଇଥିଲେ ଉଲ୍ଲେଖାଳଙ୍କାର ।୯।

 

ଏକବସ୍ତୁ ଧର୍ମ ଭେଦରେ ଯଦି ଅନେକ ପ୍ରକାର ଉଲ୍ଲେଖିତ ହୁଏ, ତେବେ ଉଲ୍ଲେଖାଳଙ୍କାର । ଏହି ଦୁଇ ପ୍ରକାର । ଏକ ବସ୍ତୁ ଅକେକ ବକ୍ତାଙ୍କ ଦ୍ୱାରା ଅନେକ ପ୍ରକାର ଉଲ୍ଲଖିତ ହୋଇଥିଲେ ପ୍ରଥମ ଉଲ୍ଲେଖ, ଧର୍ମ ଭେଦରେ କବି ବା ଏକବକ୍ତା କର୍ତ୍ତୃକ ଅନେକ ପ୍ରକାର ଉଲ୍ଲଖିତ ହୋଇଥିଲେ ଦ୍ୱିତୀୟ ଉଲ୍ଲେଖ । ମାଳାରୂପକର ବକ୍ତୃଭେଦ ନଥାଏ । ଏକ ଧର୍ମରେ ସୁଦ୍ଧା ଏକ ବସ୍ତୁରେ ଅନେକ ବସ୍ତୁର ଆରୋପ ହୋଇଥାଏ । ପ୍ରଥମ ଉଲ୍ଲଖରେ ବକ୍ତୃଭେଦ ଓ ବାସ୍ତବତା ଥାଏ, ଦ୍ୱିତୀୟ ଉଲ୍ଲଖରେ ବାସ୍ତବତା ଓ ବକ୍ତୃଭେଦ ନଥିଲେ ମଧ୍ୟ ଧର୍ମଭେଦ ଅବଶ୍ୟ ରହିଥାଏ । ଉଲ୍ଲେଖାଳଙ୍କାରରେ କେତେକ ସ୍ଥଳରେ ଆରୋପ ବା ରୂପକର ଛାୟା ସୁଦ୍ଧା ନଥାଏ । ଯେଉଁଠାରେ ଆରୋପ ଥାଏ, ସେଠାରେ ରୂପକ ମଧ୍ୟ ଅନୁଗତ ହୋଇଥାଏ । ଏହା ବୋଲି ରୂପକ ଓ ଉଲ୍ଲେଖ ଏକ ନୁହନ୍ତି ।

 

ପ୍ରଥମ ଉଲ୍ଲେଖରେ ଉଦାହରଣ -

ଯାହାଙ୍କୁ ବୋଲନ୍ତି ବୁଦ୍ଧ ବୋଲି ବୁଦ୍ଧମାନେ

ଭାବୁଛନ୍ତି ବ୍ରହ୍ମ ରୂପେ ବେଦାନ୍ତିଏ ଧ୍ୟାନେ

ଶୈବଭାବେ ଶିଳ୍ପ କର୍ତ୍ତା ବୋଲି ନ୍ୟାୟରତ

ମୀମାଂସକ କହେ ଚର୍ମ, ଜଇନ ଅର୍ହତ

ସେହି ତ୍ରିଭୁବନପତି ଦେବ ଦେବ ହରି

ଦୟା ବହି ବିରାଜନ୍ତୁ ମାନସେ ମୋହରି ।

 

ଏ ପଦ୍ୟରେ ଏକ ହରି ବୁଦ୍ଧ, ବ୍ରହ୍ମ, ଶିବ, କର୍ତ୍ତୃ, କର୍ମ ଆର୍ହତ ରୂପେ ବୌଦ୍ଧାଦି ଅନେକଙ୍କ ଦ୍ୱାରା ଉଲ୍ଲିଖିତ ହୋଇଅଛି, ଅତଏବ ଉଲ୍ଲେଖ । ଏଠାରେ ବାସ୍ତବତା ଅଛି, ଆରୋପ ବା ରୂପକର ଛାୟା ନାହିଁ ।

 

ବାବୁ ସେ ନବ ନଗର କାହ୍ନୁ

ଦେଖି ପାସୋରିବ କାହାର ମନୁଁ ।

ଶିଶୁକୁ ଦିଶନ୍ତି ପରାଏ,

ନାରୀଙ୍କ ଦୃଷ୍ଟିକି ମଦନ ରାଏ ।

ବୃଦ୍ଧକୁ କାଳକ ସ୍ୱଭାବ ମତି

ଜ୍ଞାନିଙ୍କି ନିର୍ଗୁଣ ରୂପ ଶ୍ରୀପତି ।

ଭକ୍ତଙ୍କୁ ନନ୍ଦ ନନ୍ଦନ ପରା

ନାନା ରୂପଧରେ ମନ୍ଦର ଧରା ।

ମଥୁରା ମଙ୍ଗଳ

ଏ ପଦ୍ୟରେ ମଧ୍ୟ ଉଲ୍ଲେଖାଳଙ୍କାର । ଏକ ଶ୍ରୀକୃଷ୍ଣ ଶିଶୁ, ନାରୀ ବୃଦ୍ଧ, ଜ୍ଞାନି, ଭକ୍ତ କର୍ତ୍ତୃକ ଯଥାକ୍ରମେ ଶିଶୁ, କନ୍ଦର୍ପ, ବାଳକ ଶ୍ରୀପତି ନନ୍ଦନନ୍ଦନ ରୂପେ ଉଲ୍ଲିଖିତ ହୋଇ ଅଛନ୍ତି ।

 

ଦ୍ୱିତୀୟ ଉଲ୍ଲେଖର ଉଦାହରଣ -

ବେଦ ବେଦାନ୍ତେ ବିଧାତା, ବ୍ୟାକରଣେ ହର

ସଙ୍ଗୀତରେ ନାରଦ, ଶୃଙ୍ଗାର ଶାସ୍ତ୍ରେ ମାର ।

ଅଶ୍ୱାରୋହେ ମିହିର, ଭୈରବ ପରି ଗତି

କବି ପଣେ ପଣ୍ଡିତ, ଜ୍ୟୋତିଷେ ବୃହସ୍ପତି ।

ଧନୁର୍ଦ୍ଧରେ ଅର୍ଜ୍ଜୁନ, ଗଦାରେ ବୃକୋଦର

ଦାନୀରେ କର୍ଣ୍ଣ, ମାନୀରେ କୁରୁ ଦଣ୍ଡଧର

ବଳିଷ୍ଠରେ ବଳୀ, ଧାର୍ମିକରେ ଯୁଧିଷ୍ଠିର

ସୁନ୍ଦର ପଣରେ ତାକୁ ସେହି ପଟାନ୍ତର ।

ଲାବଣ୍ୟ ।

 

ଏ ପଦ୍ୟରେ ବକ୍ତୃଭେଦ ନଥିଲେ ମଧ୍ୟ ଧର୍ମଭେଦ ଓ ବିଷୟ ଭେଦ ଅଛି । ଅତଏବ ଉଲ୍ଲେଖ । ଶେଷ ପଦରେ ଅନନ୍ୱୟ ଉଲ୍ଲେଖ ବା ଛାୟା ବୃଦ୍ଧି କରୁଅଛି ।

 

ସ୍ମୃତି ଅଳଙ୍କାର

 

ସାଦୃଶ୍ୟ ବର୍ଣ୍ଣନେ ଯଦି ଅନ୍ୟ ପଦାର୍ଥର

ହୁଅଇ ସ୍ମରଣ, ତେବେ ସ୍ମୃତି ଅଳଙ୍କାର ।୧୦।

 

ଯଦି ସଦୃଶ ବସ୍ତୁ ଦର୍ଶନରେ ଏକ ବସ୍ତୁ ମନେ ପଡ଼େ ତେବେ ସ୍ମୃତି ନାମକ ଅଳଙ୍କାର ହୁଏ-। ଯଥା –

 

ଅଛି ଅତିକ୍ରମି ସୁରାସୁର ପରାକ୍ରମ

ଦେଖି ତବ ତୁଲ୍ୟ ଏହି ଶିଶୁ ମନୋରମ ।

ବିଶ୍ୱାମିତ୍ର ଯଜ୍ଞଦ୍ୱୋଷି ରାକ୍ଷସ ନିଧନେ

ଧନୁର୍ଦ୍ଧର ରାମମୂର୍ତ୍ତି ପଡ଼ଇ ମୋ ମନେ ।

ଉତ୍ତର ।

 

ଏ ପଦ୍ୟରେ ରାମ ସଦୃଶ ରାମ ପୁତ୍ର ଲବଙ୍କ ଦର୍ଶନରେ ସୁମନ୍ତ୍ରଙ୍କର ରାମଚନ୍ଦ୍ର ସ୍ମରଣ ବର୍ଣ୍ଣିତ ହୋଇଅଛି । ଅତଏବ ସ୍ମୃତି ଅଳଙ୍କାର । ଏହାକୁ ସ୍ମରଣାଳଙ୍କାର ବୋଲି ମଧ୍ୟ କହନ୍ତି ।

 

ବୈସ ଦୃଶ୍ୟ ଦର୍ଶନରେ ମଧ୍ୟ ସମୟ ସମୟରେ ଏକ ବସ୍ତୁର ସ୍ମରଣ ହୋଇଥାଏ । ସେପରି ସ୍ଥଳରେ ମଧ୍ୟ ସ୍ମୃତି ଅଳଙ୍କାର ହୁଏ ବୋଲି କେତେକ ଅଳଙ୍କାରିକ ସ୍ୱୀକାର କରିଅଛନ୍ତି । ଯଥା -

ତୃଷାତୁର ରୋଗୀ ଗୃହେ ଯଥା ବସି

ସ୍ମରେ କମଳିନୀ ହରିତ ସରସୀ ।

ସେହି ରୁକ୍ଷ ଦୃଶ୍ୟେ ସ୍ନିଗ୍ଧଚ୍ଛବି ତୋର

ନେତ୍ରାତିଥି ସ୍ମୃତି କରୁଥିଲା ମୋର ।

ଚିଲିକା ।

 

ଏଠାରେ ରୁକ୍ଷ ଦୃଶ୍ୟ ମରୁସ୍ଥଳୀ ଦର୍ଶନରେ ସ୍ନିଗ୍ଧଛବି ଚିଲିକାର ସ୍ମରଣ ବର୍ଣ୍ଣିତ । ସ୍ମରଣ ସାଦୃଶ୍ୟ ମୂଳକ ବା ଚମତ୍କାରାଦାୟକ ନହେଲେ ସ୍ମୃତି ଅଳଙ୍କାର ହୁଏ ନାହିଁ ।

 

ଭ୍ରାନ୍ତି ଅଳଙ୍କାର

 

ସାଦୃଶ୍ୟ ବଶତଃ ଏକେ ଅନ୍ୟ ପଦାର୍ଥର

ଭ୍ରମ ଜନମିଲେ ହୁଏ ଭ୍ରାନ୍ତି ଅଳଙ୍କାର ।୧୧।

 

ଯଦି ସାଦୃଶ୍ୟ ବଶତଃ ଏକ ପଦାର୍ଥରେ ଅନ୍ୟ ପଦାର୍ଥର ଭ୍ରମ ଜାତ ହୁଏ, ତେବେ ଭ୍ରାନ୍ତି ଅଳଙ୍କାର, ଏହାକୁ ଭ୍ରାନ୍ତିମାନ୍‌ ବୋଲି ମଧ୍ୟ କହନ୍ତି । ଅବଶ୍ୟ ଚମତ୍କାର ନଥିଲେ ଏ ଅଳଙ୍କାର ହୁଏ ନାହିଁ । ଉଦାହରଣ –

 

ହେମାଙ୍ଗେ ଚିତ୍ର ବିନ୍ଦୁ ଚୟର କାନ୍ତି

ନେତ୍ରେ ଆଣିଲା ମୋର ରଜତ ଭାନ୍ତି ।

ସେ ଜାତି ମୃଗ ଦେଖି ନଥିଲି ଦିନେ

ନଗରେ-ରାଜପୁରେ ଅବା ବିପିନେ ।

ତପସ୍ୱିନୀ ।

 

ଏଠାରେ ସୁବର୍ଣ୍ଣ ବିନ୍ଦୁ ଚୟରେ ରଜତ ଭ୍ରାନ୍ତି ବର୍ଣ୍ଣିତ ।

କହୁ କହୁ ଏହା ହୋଇଲା ଉତ୍ସାହା କୀଚକଧୀର ନାଦ ଶୁଣି

କୃଷ୍ଣ ମୁରଲୀ ଧ୍ୱନି ପ୍ରାୟ ମଣି

କୋଦଣ୍ଡେ କାଣ୍ଡ ବାହାର ହେଲା ପ୍ରାଏ ଧାଇଁଲେ ଗୋପ ତରୁଣୀ

ସୁଜନେ ।

କୁଚ ନିତମ୍ବ ଯାହାର ବିପୁଳ, କରାଇଲା ତାହାକୁ ସେ ବିକଳ

କହେ ଦୀନକୃଷ୍ଣ ରସିକ ଅରବେ ଯେମନ୍ତେ ଗୁଣି ପଟଳ ହେ

ସୁଜନେ ।                        ରସ ।

 

ଏହି ପଦ୍ୟରେ କୀଚକ ଧ୍ୱନିରେ ମୁରଲୀନାଦର ଭ୍ରମ ବର୍ଣ୍ଣିତ ଭ୍ରମପଦ ନଥିଲେ ମଧ୍ୟ ଭ୍ରାନ୍ତି ପ୍ରତୀତ ହୁଏ, ଅତଏବ ଭ୍ରାନ୍ତିମାନ ଅଳଙ୍କାର ।

 

ଶାମୁକ ରଜ୍ଜୁ ଇତ୍ୟାଦିରେ ରଜତାଦି ଭ୍ରମ ଜାତ ହୋଇଥାଏ । ରୋଗ ବଶତଃ ମଧ୍ୟ ନାନାପ୍ରକାର ଭ୍ରମ ଜନ୍ମିଥାଏ, ସେପରି ସ୍ଥଳରେ ଏ ଅଳଙ୍କାର ହୁଏ ନାହିଁ ।

 

ଅପୂର୍ବ ଅମ୍ୱୁଜ ମୁଖକୁ ଚାହିଁ ଭୃଙ୍ଗ ଚକୋର

ଚୁମ୍ୱିକା ଲୋଭରେ ଧାଇଁଲେ ଶ୍ରୁତି ଚାହିଁ କାତର

କେଶ ଦରଶନେ ରଥାଙ୍ଗ ଧାଇଁ ଆହାର ବଶେ

ବିଚ୍ଛେଦ ଭୟରୁ ପଳାଇ ଗଲେ ନ ରହି ପାଶେ ।

ଲାବଣ୍ୟ ।

 

ଏପରି ସ୍ଥଳରେ ଭ୍ରାନ୍ତି ପରେ ଭ୍ରାନ୍ତି ମନ ଆକର୍ଷଣ କରେ ଭୃଙ୍ଗ ଓ ଚକୋର ପ୍ରଥମେ ମୁଖକୁ ପଦ୍ମ ଓ ଚନ୍ଦ୍ର ମନେ କରି ଚୁମ୍ୱିବା ଆଶାରେ ଧାଇଁ ଶ୍ରୁତି ଦର୍ଶନେ ପାଶ ମନେ କରି କାତର ହେଲେ । ରଥାଙ୍ଗ (ଚକ୍ରବାକ) କେଶକୁ ଶୈବଳ ମନେ କରି ଆହାର କରିବାକୁ ଯାଇପୁଣି ଅନ୍ଧକାର ଭାବି ପଳାଇଲେ ଶେଷପଦ୍ୟରେ ଆହୁରି ଚମତ୍କାର ବିଦ୍ୟମାନ ଏକ ବସ୍ତୁରେ ଏକ କର୍ତ୍ତୃକ ଶୈବଳ ଓ ଅନ୍ଧକାରର ଭୂମି ବର୍ଣ୍ଣିତ । ଭ୍ରମ ବାଚକ ପଦ ନ ଥିଲେ ମଧ୍ୟ ଭ୍ରମ ଅର୍ଥାତଃ ପ୍ରତୀତ ହେଉଅଛି ।

 

ସନ୍ଦେହ ଅଳଙ୍କାର

 

ସାଦୃଶ୍ୟ ବଶତଃ ବଣ୍ୟୈ ଅନ୍ୟପଦାର୍ଥର

ସନ୍ଦେହ ଜନ୍ମିଲେ ହୁଏ ସନ୍ଦେହାଳଙ୍କାର ।୧୨।

 

ବର୍ଣ୍ଣନୀୟ ବସ୍ତୁରେ ସାଦୃଶ୍ୟ ବଶତଃ ଯଦି ଅପ୍ରକୃତ ବସ୍ତୁର ସନ୍ଦେହ ଜାତ ହୁଏ, ତେବେ ସନ୍ଦେହାଳଙ୍କାର । ଏହି ସନ୍ଦେହାଳଙ୍କାର ତିନି ପ୍ରକାର, ଶୁଦ୍ଧ, ନିଶ୍ଚୟାନ୍ତ ଓ ନିଶ୍ଚୟ ଗର୍ଭକ ।

 

ଯେଉଁଠାରେ ବର୍ଣ୍ଣନୀୟ ବସ୍ତୁର ଅପ୍ରାକୃତ ବସ୍ତୁର ସନ୍ଦେହ ଅକ୍ଷୁର୍ଣ୍ଣ ରହେ, ସେଠାରେ ସନ୍ଦେହାଳଙ୍କାର । ଯଥା

ବଦନ ଶ୍ରୀତେଜ ଗାମ୍ଭୀର୍ଯ ବ୍ୟଞ୍ଜକ

କୃପାଣ ପାଣିରେ କରେ ଜକ ଜକ ।

ମୂର୍ତ୍ତି ପରିଗ୍ରହ ଉଦେକି ସାହାସ,

କିମ୍ୱା କ୍ଷାତ୍ର ଧର୍ମ କିମ୍ୱା ବୀରରସ ।

ଚିଲିକା ।

 

ଏଠାରେ ପୁରୁଷୋତ୍ତମଦେବ ବର୍ଣ୍ଣନୀୟ । ତାଙ୍କଠାରେ ମୂର୍ତ୍ତିଧାରୀ ସାହାସ, କ୍ଷାତ୍ରଧର୍ମ ଓ ବୀର ରସର ସନ୍ଦେହ ବର୍ଣ୍ଣିତ ହୋଇଅଛି ଏବଂ ସନ୍ଦେହାକାରରେ ରହେ । ଅତଏବ ଶୁଦ୍ଧ ସନ୍ଦେହ । ଅଥବା-

 

ଲଳିତା ରାଜାର            ଏକମାତ୍ର ସୁତା

ରୁପେ ଗୁଣେ ଅନୁପମା,

ନାରାୟଣ ଚକ୍ଷ            ତେଜି ମଞ୍ଚପୁରେ

ଅବତୀର୍ଣ୍ଣ କିବା ରମା ।

ଅବା ମର୍ତ୍ତ୍ୟେ ବିଜେ                  ଅମର୍ତ୍ତ୍ୟ ଲାବଣ୍ୟେ

ନିଧିର ଅଧିଦେବତା,

ମଦନର ଜୈତ୍ର            ଅସ୍ତ୍ର, ମଦାଳସା

କିମ୍ୱା ରୂପ କଳ୍ପଲତା ।

ଯଯାତି

 

ଏହି ପଦ୍ୟମାନଙ୍କରେ କବି ବର୍ଣ୍ଣନୀୟ ଲଳିତାଙ୍କଠାରେ ଅନେକ ବସ୍ତୁର ସନ୍ଦେହ ବର୍ଣ୍ଣନା କରିଅଛନ୍ତି । ସୁତରାଂ ଶୁଦ୍ଧ ସନ୍ଦେହ ।

 

ଯେଉଁଠାରେ ସନ୍ଦେହ ପରେ ନିଶ୍ଚୟ ଜ୍ଞାନ ଜାତ ହୁଏ, ସେଠାରେ ନିଶ୍ଚୟାନ୍ତ ସନ୍ଦେହାଳଙ୍କାର ଯଥା –

 

ଭାଳିଲା ହୋଇଛି ଅବା ଏଥି ବନ ଦେବୀଙ୍କ ମେଳା,

କିରାତିନୀ ବେଶେ ଖେଳୁଛନ୍ତି ପରା ପାରିଧି ଖେଳ

କି ଅବା ଶବରୀ ରୂପେ ମୁକ୍ତକେଶୀ ହର ସୁନ୍ଦରୀ,

ଯୋଗିନୀ ଗହଣେ ଭ୍ରମନ୍ତି ରଜତ ତ୍ରିଶୂଳ ଧାରୀ :

ନାହଁ ନାହିଁ ସୁର ନାରୀଠାରୁ ଏଥି ଅଛି ବିଶେଷ,

ମର୍ତ୍ତନାରୀ ବୋଲି ଚିହ୍ନାଇ ଦେଉଛ ନେତ୍ର ଉନ୍ମେଷ ।

 

ଏହି ପଦ୍ୟମାନଙ୍କରେ ଉଷା ବର୍ଣ୍ଣନୀୟ । କବି ଉଷାଙ୍କଠାରେ ବନଦେବୀ ଓ ହରସୁନ୍ଦରୀଙ୍କ ସନ୍ଦେହ ବର୍ଣ୍ଣନ କରି ‘ନାହିଁ ନାହିଁ’ ବୋଲି ନିଶ୍ଚୟରେ ପରିଣତ କରିଅଛନ୍ତି । ଅତଏବ ନିଶ୍ଚୟାନ୍ତ ସନ୍ଦେହ ।

 

ଯେଉଁଠାରେ ପ୍ରଥମ ସନ୍ଦେହ, ମଧ୍ୟେ ନିଶ୍ଚୟ ଶେଷରେ ପୂର୍ଣ୍ଣ ବର୍ଣ୍ଣିତ, ସେଠାରେ ନିଶ୍ଚୟ ଗର୍ଭକ ସନ୍ଦେହାଳଙ୍କାର ଯଥା –

 

ଭାଳୁଛି ନ ହୁଇ ମାର, ନାହିଁ ଫୁଲ ଧନୁଶର,

ସୁଧାକର ନୋହେ ତହିଁ କଳଙ୍କ ଅଛି ।

ଆଉ ଦେବତାମାନଙ୍କୁ କିମ୍ୱା ଆଣିବାକୁ ମନ,

ମୋହରି ସୁକୃତ ଏ ପୁରୁଷ ହୋଇଛି ।

ମୋର ପୁଣି ସୁକୃତ କେତେ,

ଏମନ୍ତ ରୂପ ଜାତ ହେବାକୁ ଜଗତେ ।

ନିକଟେ ଗୋକୁଳେ ହରି ମୋହନ ରୂପକୁ ଧରି

ଥିଲେ ନାଶ କରିଛନ୍ତି ଅବନୀଭାର ।

ଏତେ ବେଗେ ଅବତର କିଯା ହୋଇବ ତାଙ୍କର,

କି ମୂର୍ତ୍ତିମନ୍ତତ ଉପମା ଦ୍ରବ୍ୟମାନଙ୍କରେ ସାର ।

ଏ ରୂପେ ବିଚାରୁ ସୁକେଶୀ

କ୍ଷୀର ନୀର ପ୍ରାୟ ମନ ପୁରୁଷେ ମିଶି ।

ଲାବଣ୍ୟ ।

 

ଏହି ପଦ୍ୟମାନଙ୍କରେ ଚନ୍ଦ୍ରକେତୁ ବର୍ଣ୍ଣନୀୟ । ତାଙ୍କଠାରେ ମାର ଚନ୍ଦ୍ର ଓ ହରିଙ୍କ ସନ୍ଦେହ, ପରେ ନିଶ୍ଚୟ, ଶେଷରେ ପୁଣି କି ମୂର୍ତ୍ତିମନ୍ତ ଉପମା ଦ୍ରବ୍ୟମାନଙ୍କ ସାର ବୋଲି ସନ୍ଦେହ ବର୍ଣ୍ଣିତ ହୋଇଅଛି । ଏହି ପଦ୍ୟର ବିଚାର ପଦଟା ଅବଶର ବିକଳ୍ପାର୍ଥକ-। ଅତଏବ ନିଶ୍ଚୟଗର୍ଭକ ସନ୍ଦେହ-

 

ସନ୍ଦେହ ଚମତ୍କାରାଧାୟନ ନ ହେଲେ ଏ ଅଳଙ୍କାର ହୁଏନାହିଁ । ‘‘ଏ ସ୍ଥାଣୁ କି ପୁରୁଷ’’ ଏପରି ସ୍ଥଳେ ଉଭୟ କୋଟି ଅବଶାହି ଜ୍ଞାନ ଥିଲେ ମଧ୍ୟ ସନ୍ଦେହାଳଙ୍କାର ହେବ ନାହିଁ ।

 

ଅପହୁତି ଅଳଙ୍କାର

 

ପ୍ରକୃତେ ପ୍ରକୃତେ ଧର୍ମ ନିଷେଧ ଆବାର

ଅନ୍ୟାରୋପ ହେଲେ ଅପହ୍ମୁତି ଅଳଙ୍କାର ।୧୩ ।

 

ବର୍ଣ୍ଣନୀୟ ବସ୍ତୁ ପ୍ରକୃତ । ଯଦି ବର୍ଣ୍ଣନୀୟ ବସ୍ତୁରେ ତାର ଧର୍ମ ନିଶେଧ କରାଯାଏ ଏବଂ ଏକ ବସ୍ତୁର ଧର୍ମ ଆରୋପିତ ହୁଏ ତେବେ ଅପହ୍ନୃତ ଅଳଙ୍କାର । କେତେକ ‘‘ଅପହ୍ନବ’’ ବୋଲି ମଧ୍ୟ କହନ୍ତି । ରୂପକ ଅଳଙ୍କାରରେ କେବଳ ଅନ୍ୟାରୋପ ଥାଏ । ପ୍ରକୃତ ଧର୍ମ ନିଷେଧ ନ ଥାଏ । ଏ ଅଳଙ୍କାର ସାଦୃଶ୍ୟ ମୂଳକ । ଉପମେୟରେ ଉପମାନର ଅଭେଦ ପ୍ରଣତି ଏ ଅଳଙ୍କାର ମୁଖ୍ୟ ଉଦ୍ଦେଶ୍ୟ । ରୂପକ ଅଳଙ୍କାର ଅପେକ୍ଷା ଏ ଅଳଙ୍କାରରେ ଦୃଢ଼ତର ଅଭେଦ ପ୍ରତୀତ ହୁଏ । କେତେକ ସ୍ଥଳରେ ଅନ୍ୟାରୋପ ପୂର୍ବକ ପ୍ରକୃତ ଧର୍ମର ନିଷେଧ ବର୍ଣ୍ଣିତ ହୋଇଥାଏ, କେତେକ ସ୍ଥଳରେ ପ୍ରକୃତ ଧର୍ମ ନିଷେଧ ପୂର୍ବକ ଅନ୍ୟାରୋପ ପ୍ରତିପାଦିତ ହୋଇଥାଏ । ଯଥା-

 

ଅର୍ଦ୍ଧେନ୍ଦୁ ଲଲାଟେ ସିନ୍ଦୂର ବିନ୍ଦୁ ରମଇ ଆଖି

ନ ହଇ ସିନ୍ଦୂର, ରହିଛି ସର ହୃଦୟ ଲାଖି ।

ଚନ୍ଦ୍ରଭାଗା

 

ଏଠାରେ ପ୍ରଥମେ ସିନ୍ଦୂରରେ ସିଳ୍ପରତ୍ନ ନିଷେଧ, ପରେ ସର ହୃଦୟତ୍ୱ ଆରୋପିତ ହୋଇପଛି । ଅଥବା –

 

ସୁରଙ୍ଗ ଦୁକୂଳ କେହି ପୀତ ଚେଳ

କେବା ଶୁକ୍ଳାମ୍ୱର ଶାଢ଼ୀ,

ପହରି ଥିଲେ ଏ ବୀରାଙ୍ଗନାମାନେ

ଠିଆ ହେଲେ ଧାଡ଼ି ଧାଡ଼ି ।

ନାରୀ ନୁହନ୍ତି ସେ ନଗରୀ ଲଳନା

ସୁରମ୍ୟ କୁସୁମ ହାର,

ମଲ୍ଲିକା ଚମ୍ପକ ସଙ୍ଗରେ ମିଶାଇ

ଗୁନ୍ଥା ହୋଇଛି ମନ୍ଦାର ।

ଇନ୍ଦୁ ।

 

ଏଠାରେ ମଧ୍ୟ ନାରୀତ୍ୱ ନିଷେଧ ପୂର୍ବକ କୁସୁମହାରତ୍ୱ ଆରୋପ ହୋଇଅଛି ।

 

କ୍ଷୀର ସାଗର ଏ ନୁହଇ ଗଗନ

ଏ ଫେନ ପଟଳ ନୋହେ ତାରାଗଣ ।

ଶେଷ ଦେବ ସ୍ଥିତ ବଳୟିତାକାର

ମୁଗ୍ଧଜନ କହେ ସୁଧାଂଶୁ ମଣ୍ଡଳ ।

ମଧ୍ୟେ ଶୋଇଛନ୍ତି ଶ୍ରୀ ମଧୁସୂଦନ

କଳଙ୍କ ବୋଲାଇ ସିନା ତାକୁ ଜନ ।

 

ଏଠାରେ ପ୍ରଥମେ କ୍ଷୀର ସାଚରତ୍ୱ, ଫେନପଟଳତ୍ୱ, ଶେଷତ୍ୱ ଓ ମଦୁସୂଦନତ୍ୱ ଆରୋପିତ ହୋଇଅଛି । ପରେ ଗଗନାତ୍ୱାଦି ନିଷିଦ୍ଧ କରାଯାଇଅଛି ।

 

ଏକ ପଦ୍ୟରେ ସୁଦ୍ଧା ନିଷେଧ ପୂର୍ବକ ଆରୋପ ଓ ଆରୋପ ପୂର୍ବକ ନିଷେଧ ଏବଂ ଆରୋପ ପୂର୍ବକ ନିଷେଧ ଓ ନିଷେଧ ପୂର୍ବକ ଆରୋପ ଦେଖାଯାଏ ।

 

ନିଷେଧ ପୂର୍ବକ ଆରୋପ ଓ ଆରୋପ ପୂର୍ବକ ନିଷେଧ ଯଥା –

 

କେଉଁ ମିତ ଭାଷେ                  ଏମନ୍ତ ଆଭାସେ

ବିଦେହ ଦହନ ଜାଣି,

ନୋହେ ସୁଧାପିଣ୍ଡ                  ରତି ସୁଧା ପିଣ୍ଡ

ଦେଇଥିଲା ପରା ମଣି ।

କାମ ଭୋଜନେ ଯେ,

କାଳୀ ଏ କଳଙ୍କ ନୋହେ

ପ୍ରେତ ସ୍ପରଶରେ                  ଭୟ ବିଶେଷରେ

ବିଲୋଚନ ଜନ ଦହେ ।

ଚିନ୍ତାମଣି ।

 

ଏ ପଦ୍ୟରେ ଚନ୍ଦ୍ରକଠାରେ ଚନ୍ଦ୍ରତ୍ୱ ନିଷେଧ ପୂର୍ବକ ରତିଦତ୍ତ ସୁଧାପିଣ୍ଡତ୍ୱ ଆରୋପିତ ଏବଂ କଳଙ୍କରେ କାଳିମାରୋପ ପୂର୍ବକ କଳଙ୍କତ୍ୱ ନିଷିଦ୍ଧ କରାଯାଇଛି ।

 

ଆରୋପ ପୂର୍ବକ ନିଷେଧ ଓ ନିଷେଧ ପୂର୍ବକ ଆରୋପ –

 

ବିଶାଖା ଭାବତୀ            କିଶୋରୀ ସୁରତି

ଶୋଭା ଗୁଣଗଣ ରାଶି

ଆଳବାଳ ବିଧି            ସିଦ୍ଧ କଲା ବିଧି

କି କରି ବୋଲୁଛ ଶଶୀ

ନୋହେ କଳଙ୍କ ଯେ

ରୋପା କୃଷ୍ଣ କାମ ବୀଜ,

ଶ୍ରୀରାଧା ବିଶୁଦ୍ଧ-            ସୁପୀରତି ସୁଧା

ମୂଳେ ଦତ୍ତ ମନେ ହେଜ ।

ଚିନ୍ତାମଣି ।

 

ଏ ପଦ୍ୟରେ ଚନ୍ଦ୍ରଙ୍କଠାରେ କିଶୋରୀ ସୁରତି, ଶୋଭା ଗୁଣ ଗଣରାଶିରେ ଆଳବାଳତ୍ୱାରୋପ ପୂର୍ବକ ଚନ୍ଦ୍ରତ୍ୱ ନିଷେଧ ଓ କଳଙ୍କରେ କଳଙ୍କତ୍ୱ ନିଷେଧ ପୂର୍ବକ କୃଷ୍ଣକାମ ବୀଜତ୍ୱ ରୋପ ବର୍ଣ୍ଣିତ ହୋଇଅଛି ।

 

ଅପହ୍ନବ ଅଳଙ୍କାରରେ ନିଷେଧ କଣ୍ଠତଃ ଉକ୍ତ ହୋଇଥାଏ ଓ ଅର୍ଥତଃ ଅକ୍ଷିପ୍ତ ହୋଇଥାଏ-। ‘‘କ୍ଷୀର ସାଗର ଏ ନୁହଇ ଗଗନ’’ ‘ଏ ଫେନପଟଳ ନୋହେ ତାରାଗଣ’ ଇତ୍ୟାଦି ସ୍ଥଳରେ ନିଷେଧ ଶବ୍ଦ ଦ୍ୱାରା ଉକ୍ତ ହୋଇଅଛି । ‘ମୁଗ୍ଧଜନ କହେ ସୁଧାଂଶୁ ମଣ୍ଡଳ’ ‘କଳଙ୍କ ବୋଲଇ ସିନା ତାକୁ ଜନ’ ‘କି କରି ବୋଲୁଛ ଶଶୀ’ ଇତ୍ୟାଦି ସ୍ଥଳରେ ନିଷେଧ ଅର୍ଥକ୍ଷକ୍ଷିପ୍ତ ।

 

ଉକ୍ତ ଉଦାହରଣମାନଙ୍କରେ ବାକ୍ୟଭେଦ ଦେଖାଯାଏ । ଏକ ବାକ୍ୟରେ ମଧ୍ୟ ରୂପ, ଛଳ, ବ୍ୟାଜ, କପଟ ଇତ୍ୟାଦି ଶବ୍ଦ ପ୍ରୟୋଗରେ ଅପହ୍ନବ ଅଳଙ୍କାର ହୁଏ ।

 

ବିହିଲେ କୃଶାଳୀ ମଧ୍ୟ ଅତି ତନୁ ରସେ,

ଜାଗି ଗଲା ଭଙ୍ଗଭୟ ବିଧାତା ମାନସେ ।

ବେଢ଼ିଲେ ତ୍ରିବଳୀ ଛକେ ହେମମୟ ଦାମ

ସୌଭାଗ୍ୟ ସଂପଦେ ଦିଶେ ଅତି ଅଭିରାମ ।

ନୈଷଧ ।

 

ଏଠାରେ ତ୍ରିବଳୀତ୍ୱନିଷେଧ ପୂର୍ବକ ହେମମୟଦାମତ୍ୱ ଆରୋପିତ କିନ୍ତୁ ବାକ୍ୟ ଭେଦ ନାହିଁ ।

 

ବୋଲିବୁ ଅବାତୁ            ବାଳିକାର ମନ

ଅଧୀନ ଅଟେ ପିତାର,

ବାଳିକା ନୋହେ ସେ            ଯୁବତୀ ତା ମନେ

ନାହିଁ ପିତୃ ଅଧିକାର ।

ପ୍ରଣୟ ବଲ୍ଲରୀ ।

 

ଏପରି ସ୍ଥଳେ ସାଦୃଶ ପ୍ରଯୁକ୍ତ ଆରୋପ ନ ଥାଏ । ଅତଏବ ଅପହ୍ନବ ଅଳଙ୍କାର ହୁଏ ନାହିଁ ।

 

ଉତ୍ପ୍ରେକ୍ଷା ଅଳଙ୍କାର

 

ଉପମେୟେ ଉପମାନ ସମ୍ଭାବନା ସିଦ୍ଧି

ଉତ୍ପ୍ରେକ୍ଷାଳଙ୍କାର ନାମେ ଲଭିଛି ପ୍ରସିଦ୍ଧି । ୧୪ ।

 

ରୂପକ ଅଳଙ୍କାରରେ ଉପମେୟ ଓ ଉପମାନର ଅଭେଦ ପ୍ରତୀତ ହୋଇଥାଏ । ଯଦି ଉପମେୟରେ ଉପମାନର ଅଭେଦ ସମ୍ଭାବିତ ହୁଏ ତେବେ ଉତ୍ପ୍ରେକ୍ଷା ଅଳଙ୍କାର । କବି ଉପମେୟରେ ଉପମାନର ଅତ୍ୟନ୍ତ ସାଦୃଶ ଉପଲବ୍‌ଧ କରି ଉପମେୟ ଉପମାନ ଅପେକ୍ଷା ଭିନ୍ନ ବୋଲି ଜାଣି ସୁଦ୍ଧା ଉପମେୟକୁ ଉପମାନ ରୂପେ ସମ୍ଭାବିତ କରିଥାନ୍ତି । ଅତଦ୍ରୁପ ଜାଣି ତଦ୍ରୂପ ଭାବିବାର ନାମ ଆହାର୍ଯ୍ୟ ଜ୍ଞାନ । ଏହି ଆହାର୍ଯ୍ୟଜ୍ଞାନ ଉତ୍ପ୍ରେକ୍ଷାଳଙ୍କାରରେ ବିଦ୍ୟମାନ । ରୂପକରେ ନାହିଁ । ସ୍ଥୂଳତଃ କହିବାକୁ ଗଲେ ରୂପକରେ ଉପମେୟର ଅଭେଦ ପ୍ରତୀତି, ଉତ୍ପ୍ରେକ୍ଷାରେ ଅଭେଦ ସମ୍ଭାବନା, ଏହିମାତ୍ର ଭେଦ । ସମ୍ଭାବବନାର ଅର୍ଥ= ତର୍କଣା= ଏହା ଏହିପରି ହୋଇପାରେ । ଏହି ପରି ଭାବନା । ସମ୍ଭାଦନାରେ ନିଶ୍ଚୟ ଜ୍ଞାନ ନଥାଏ । ଯେଉଁଠାରେ ନିଶ୍ଚୟ ଜ୍ଞାନ ଥାଏ, ସେଠାରେ ଉତ୍ପ୍ରେକ୍ଷା ଅଳଙ୍କାର ହୁଏ ନାହିଁ ।

ନାରୀ ମନଚୋର ଚୋର ମହାବୀର

ଚୋର ନାମ ତେଣୁ ରହିଛି ନିହୀତ ।      ନନ୍ଦିକା ।

 

ଏଠାରେ ମହାବୀର ଚୋରଗଙ୍ଗ ଅବଶ୍ୟ ନାରୀ ମନଚୋର, ଯେହେତୁ ସେ ଚୋର ନାମଧାରୀ - ଏହି ରୂପ ନିଶ୍ଚୟ ଜ୍ଞାନ ବିଦ୍ୟମାନ, ସୁତରାଂ ଉତ୍ପ୍ରେକ୍ଷା ନୁହେଁ । ସମ୍ଭାବନା ସାଦୃଶ୍ୟମୂଳକ ନହୋଇଥିଲେ ଉତ୍ପ୍ରେକ୍ଷା ହୁଏ ନାହିଁ । ‘ମୁଁ ତାଙ୍କୁ ସାଧୁମନେ କରେ ।’ ଏଠାରେ ସାଧୁତ୍ୱ ସମ୍ଭାବନା ସାଦୃଶ୍ୟ ମୂଳକ ନୁହେଁ । ସୁତରାଂ ଯେଉଁଠାରେ ଉପମେୟରେ ଉପମାନର ଅତ୍ୟନ୍ତ ସାଦୃଶ୍ୟ ଥିବାରୁ ଉପମେୟ ଉପମାନ ରୂପେ ସମ୍ଭାବିତ ହୋଇଥାଏ, ସେଠାରେ ଉତ୍ପ୍ରେକ୍ଷାଳଙ୍କାର ।

 

ଖେଳୁଥିଲା ନବ      ଲାବଣ୍ୟ ତରଙ୍ଗ

କିଶୋରୀ କିଶୋର କାୟେ,

ପରିଧିର ବେଶେ      ଦିଶୁଥିଲେ କିସେ

ଅଶ୍ୱିନୀ କୁମାର ପ୍ରାୟେ ।

ଯଯାତି ।

ଏ ପଦ୍ୟରେ କବି ମୃଗୟା ବେଶଧାରୀ ଯଯାତି ଓ ବିମଳାଙ୍କ ଠାରେ ଅପୂର୍ବ ଲାବଣ୍ୟ ବଶତଃ ଅଶ୍ୱିନୀକୁମାରଙ୍କର ଅତ୍ୟନ୍ତ ସାଦୃଶ୍ୟ ଦେଖି ତାଙ୍କୁ ଅଶ୍ୱିନୀ କୁମାର ରୂପେ ସମ୍ଭାବିତ କରିଅଛନ୍ତି । ‘‘କିସେ’’ ‘ପ୍ରାୟେ’ ଶବ୍ଦ ସମ୍ଭାବନା ସୂତିତ କରୁଅଛି ।

ଏହି ଉତ୍ପ୍ରେକ୍ଷା ଦୁଇ ପ୍ରକାର, ବାଚ୍ୟୋତ୍ପ୍ରେକ୍ଷା ଓ ଗମ୍ୟୋତ୍ପ୍ରେକ୍ଷା । ଯେଉଁଠାରେ ଉତ୍ପ୍ରେକ୍ଷା (ସମ୍ଭାବନା) ମଣେ, ଭାବେ, କିସେ, ପ୍ରାୟ, ଅବା, କି ଉତ୍ୟାଦି ଶବ୍ଦ ଦ୍ୱାରା ପ୍ରକାଶ ପାଉଥାଏ । ସେଠାରେ ବାଚ୍ୟୋତ୍ପ୍ରେକ୍ଷା । ଯେଉଁଠାରେ ସମ୍ଭାବନା ଅର୍ଥରୁ ଅକ୍ଷିପ୍ତ ହେଉ ଥାଏ, ସେଠାରେ ଗମ୍ୟୋତ୍ପ୍ରେକ୍ଷ । ପୂର୍ବ ଉଦାହୃତ ପଦ୍ୟରେ ସମ୍ଭାବନା କିସେ, ପ୍ରାୟ ଶବ୍ଦ ଦ୍ୱାରା ବ୍ୟକ୍ତ ହୋଇଅଛି ।

 

ବସଲେ ତହିଁରେ            ଅତି ମନୋହର

ସ୍ୱର୍ଣ୍ଣମୟ ସିଂହାସନେ,

ଆଚମ୍ବିତେ ଅବା            କମଳ ସକଳ

ଫୁଟି ଗଲେ ପଦ୍ମ ବନେ,

ତହିଁ ମଧ୍ୟେ ବିଜେ            କୋଶଳ ନୃପତି

ସୁତ ଅଜ ଯୁବରାଜ,

ସୁରବୃନ୍ଦ ସଙ୍ଗେ            ମହୀକି ଆଗତ

ହେଲେ କିସେ ଦେବରାଜ ।

ଇନ୍ଦୁମତୀ ।

 

ପ୍ରଥମ ପଦ୍ୟରେ କବି ସ୍ୱର୍ଣ୍ଣମୟ ସିଂହାସନରେ ଆସୀନ ନୃପତିମାନଙ୍କୁ ପଦ୍ମବନ ବିକସିତ ପଦ୍ମସମୂହ ରୂପେ ସମ୍ଭାବିତ କରିଅଛନ୍ତି । ଅବା ଶବ୍ଦ ସମ୍ଭାବନା ବ୍ୟକ୍ତ କରୁଅଛି । ଏଠାରେ ଦୁଇଟି ବାକ୍ୟରେ ସୁଦ୍ଧା ( ବାକ୍ୟଭେଦ ଥିଲେ ମଧ୍ୟ) ଉତ୍ପ୍ରେକ୍ଷା ଏହି ମାତ୍ର ପୂର୍ବ ଅପେକ୍ଷା ଭେଦ ! ଦ୍ୱିତୀୟ ପଦ୍ୟରେ ମଧ୍ୟ ରାଜମଧ୍ୟସ୍ଥିତ ଯୁବରାଜ ଆଜି ସୁରବୃନ୍ଦ ସହ ପୃଥିବୀକୁ ଆସିଥିବା ଦେବରାଜଙ୍କ ରୂପେ ସମ୍ଭାବିତ ହୋଇଅଛନ୍ତି । ‘କି ସେ’ ଶବ୍ଦ ସମ୍ଭାବନା ସୂଚକ ।

 

ପ୍ରପଦେ ଚାରୁ ଝୁଣ୍ଟିଆ, ସେ ବନ୍ଧୁଛ ମୁଁ ଖୁଣ୍ଟିଆ

ବୋଲଇ ପାହୁଡ଼ ଶାତ୍ରୁକୁ ଘଉଡ଼ ଶ୍ରୀପାଲଙ୍କି ଆପାଟିଆ ।

ଚିନ୍ତାମଣି ।

 

ଏଠାରେ ଝୁଣ୍ଟିଆ ବନ୍ଧୁ ଛାମୁଖୁଣ୍ଟିଆ ରୂପେ ସମ୍ଭାବିତ । ମାତ୍ର ସମ୍ଭାବନା ସୂଚକ ପଦ ନାହିଁ-। ଅତଏବ ଗମ୍ୟୋତ୍ପ୍ରେକ୍ଷା।

 

ଅନେକେ ମନେ କରିଥାନ୍ତି, ଉପମାରେ କବି ସମ୍ମତ ଉପମାନ ଉପମେୟ ଭାବ ଥାଏ । ଉତ୍ପ୍ରେକ୍ଷାରେ କବି କଳ୍ପିତ ଉପମାନ ଉପମେୟ ଭାବ ଥାଏ, ଏହାହିଁ ଉପମା ଓ ଉତ୍ପ୍ରେକ୍ଷାର ପାରସ୍ପରିକ ଭେଦ । ଯଥାର୍ଥରେ ଦେଖିବାକୁ ଗଲେ ଏହିରୀତି ସକଳ ସ୍ଥଳରେ ଘଟେ ନାହିଁ । ଯେଉଁ ସ୍ଥଳରେ ଉପମା ସର୍ବସମ୍ମତ, ସେ ସ୍ଥଳରେ ସୁଦ୍ଧା ସାଦୃଶ୍ୟବାଚକ ଶବ୍ଦ ଦୂର କରି ଯଦି ସମ୍ଭାବନା ସୂଚକ ଶବ୍ଦ ସନ୍ନିବେଶିତ ହୁଏ, ତେବେ ଉତ୍ପ୍ରେକ୍ଷାଳଙ୍କାର ହୋଇଥାଏ । ଯେଉଁ ସ୍ଥଳରେ ଉତ୍ପ୍ରେକ୍ଷା, ସେଠାରେ ସମ୍ଭାବନା ସୂଚକ ପଦ ଦୂତ୍ତ କରି ସାଦୃଶ୍ୟବାଚକ ଶବ୍ଦ ବିନ୍ୟାସ କଲେ ମଧ୍ୟ ଉପମାଳଙ୍କାର ହୋଇଥାଏ; ଚନ୍ଦ୍ର ଓ ମୁଖର ଉପଦାନ ଉପମେୟଭାବ ଲୋକ ସିଦ୍ଧି କିନ୍ତୁ ‘‘ପ୍ରସନ୍ନ ବିମଳ ଆନନ ଉଦେକି ଅମୃତ କିରଣ’’ ଇତ୍ୟାଦି ସ୍ଥଳରେ ଉତ୍ପ୍ରେକ୍ଷା ସର୍ବବାଦି ସମ୍ମତ । ‘‘ପାରିଧିର ବେଶେ ଦିଶୁଥିଲେ କିସେ’’ ଏହି ପଦ୍ୟରେ ‘‘କିସେ’’ ତ୍ୟାଗ କରି ‘‘ଦୁହେଁ’’ ପ୍ରୟୋଗ କଲେ ଉତ୍ପ୍ରେକ୍ଷା ହେବ ନାହିଁ । ସମସ୍ତେ ଅକୁଣ୍ଠିତ ଚିତ୍ତରେ ଉପମା ସ୍ୱୀକାର କରିବେ । ବିଶେଷତଃ କଳ୍ପିତୋପମାରେ କବିସମ୍ମତ ଉପମାନ-ଉପମେୟ ଭାବ ନଥାଏ । ସୁତରାଂ ତାହା କେବଳ ଉପମା ଓ ଉତ୍ପ୍ରେକ୍ଷାର ପାରସ୍ପରିକ ଭେଦ ନୁହେଁ ।

 

ଉପମା ଭେଦ ପ୍ରଧାନ । ଉପମାରେ ଉପମେୟ ଓ ଉପମାନର ଭେଦ ସ୍ପଷ୍ଟ ଜଣାଯାଉଥାଏ । ଉତ୍ପ୍ରେକ୍ଷାରେ ଉପମେୟ ଓ ଉପମାନର ଅଭେଦ ପ୍ରତୀତ ହୋଇଥାଏ । ଯଦ୍ୟପି ଉତ୍ପ୍ରେକ୍ଷାରେ ଅହାର୍ଯ୍ୟଜ୍ଞାନ ଅଛି, ତଥାପି ଅଭେଦ ପ୍ରତୀତରେ ବ୍ୟାଘାତ ଘଟେ ନାହିଁ । ଅଭେଦ ପ୍ରତୀତ ଅଯାର୍ଥ ବା ସାଧ୍ୟ । ଏହା ବୋଲି ଅଭେଦ ପ୍ରତୀତି ନାହିଁ ବୋଲି କହି ହେବ ନାହିଁ । ବିଶେଷତଃ ଉପମାରେ ବାଚକ ଶବ୍ଦ କେବଳ ସାଦୃଶ୍ୟ ପ୍ରକାଶ କରେ, ଉତ୍ପ୍ରେକ୍ଷାରେ ବାଚକ ଶବ୍ଦ ସମ୍ଭାବନା ପ୍ରକାଶ କରେ । ଉପମାରେ ସମ୍ଭାବନା ନଥାଏ । କବିକଳ୍ପନ ଉତ୍ପ୍ରେକ୍ଷାର ସମ୍ଭାବନା ଚିତ୍ରଣରେ ସାହାଯ୍ୟ କରିଥାଏ । ଏହି ହେତୁ ଉପମାନ କବିକଳ୍ପିତ ହେଲେ ଉତ୍ପ୍ରେକ୍ଷା ହୁଏ ବୋଲି ସାଧାରଣତଃ କହିଦିଅନ୍ତି ।

 

ଯଦାୟ ସୁପମାନାଂଶୋ ଲୋକତଃ ସିଦ୍ଧି ମୃଚ୍ଛତି

ତଦୋପମୈବ ଯେନେବ ଶବ୍ଦଃ ସାଦୃଶ୍ୟ ବାଚକଃ ।

ଯଦା ପୁନରୟଂ ଲୋକ ଦ ସିଦ୍ଧଃ କବିକଳ୍ପିତଃ

ତାଦୋତ୍ପ୍ରୈକ୍ଷୈବ ଯେନେବ ଶବ୍ଦଃ ସମ୍ଭାବନାପରଃ ।

 

ଏହି ପଦ୍ୟ ଦ୍ୱୟ ସୁଦ୍ଧା ଉତ୍ତମ ରୂପେ ଭାବିଲେ ସ୍ପଷ୍ଟ ପ୍ରତୀତ ହୁଏ ଯେ, ଉତ୍ପ୍ରେକ୍ଷା ବାଚକ ସମ୍ଭାବନା ପ୍ରକାଶ କରେ, ଉପମାରେ ବାଚକ ସାଦୃଶ୍ୟ ଦ୍ୟୋତିତ କରେ, ଯଥାସ୍ଥିତ ବସ୍ତୁର ( ଉପମାନର) ସାଦୃଶ୍ୟ ସହଜ, ସମ୍ଭାବନା କବିକଳ୍ପନାର ପ୍ରଭାବରେ ସାଧିତ ହୋଇଥାଏ । ଆଉ ଗୋଟିଏ କଥା, ଉପମାରେ ବାଚକ ଶବ୍ଦ ଠିକ ଉପମାନର ପୂର୍ବେ ବା ପରେ ବ୍ୟବହୃତ ହୋଇଥାଏ-। ଉତ୍ପ୍ରେକ୍ଷାରେ ଯେ କୌଣସି ସ୍ଥଳରେ ପ୍ରଯୁକ୍ତ ହୋଇପାରେ ।

 

ଅତିଶାୟୋକ୍ତି ଅଳଙ୍କାର

 

ଉପମେୟଂବିନା ଉପମାନ ଉପାଦାନ

ଥିଲେ ଅତିଶୟ ଉକ୍ତି ଅଳଙ୍କାରମାନ । ୧୫ ।

 

ଯେଉଁଠାରେ କେବଳ ଉପମାନ ନିର୍ଦ୍ଦିଷ୍ଟ ହୋଇଥାଏ ଉପମେୟ ନିଗୀର୍ଣ୍ଣ ( ଗୁଢ଼ ବା ଅନୁକ୍ତ ହୋଇଥାଏ, ଉପମାନ ଓ ଉପମେୟର ଭେଦ ଲକ୍ଷିତ ହୁଏ ନାହିଁ । କବି ଉପମେୟକୁ କେବଳ ଉପମାନ ମନେ କରି ବର୍ଣ୍ଣନ କରିଥାନ୍ତି, ସେଠାରେ ଅତିଶୟୋକ୍ତି ଅଳଙ୍କାର ହୁଏ । ଯଥା-

 

କନକ ଲତାରେ କମଳ କୋଳରେ ବିଳାସେ ବେନି ଇନ୍ଦୀବର

କୁନ୍ଦକଳି ସଙ୍ଗେ ଫୁଟି ଅଛି ରଙ୍ଗେ ବନ୍ଧୁ ଜୀବକ ମନୋହର ।

କମଳା କେ କନଦରେ ଗନ୍ଧଫଳୀ

କି କରି ବିଧାତା କରିଛି ଏ ଲତା ଚିତ୍ରକୁ ପଡ଼ିଅଛି ବଳି ।

ରସ ।

 

ଏହି ପଦ୍ୟରେ କେବଳ କନକଲତା, କମଳ, ଇନ୍ଦୀବର, କୁନ୍ଦକଳି, ବନ୍ଧୁଜୀବକ, କମଳା କୋକନଦ ଓ ଗନ୍ଧଫଳୀ ରୂପ ଉପମାନ ଗୁଡ଼ିକ ନିର୍ଦିଷ୍ଟ ହୋଇଅଛି । କିନ୍ତୁ ନାୟିକା, ମୁଖ, ଚକ୍ଷୁ, ଦନ୍ତ, ଅଧର, ହସ୍ତ, ଅଙ୍ଗୁଳି ଏହି ଉପମେୟ ଗୁଡ଼ିକ ଉପାତ୍ତ ହୋଇନାହିଁ । ନାୟିକାକୁ ଲକ୍ଷ କରି ଏହା କୁହାଯାଇଅଛି । କବି ଉପମେୟ ଓ ଉପମାନର ଅତ୍ୟନ୍ତ ସାଦୃଶ୍ୟ ହେତୁ ଭେଦ ଥିଲେ ମଧ୍ୟ ଅଭେଦ କରି ବର୍ଣ୍ଣନା କରିଅଛନ୍ତି । ଅତଏବ ଅତିଶୟୋକ୍ତି ଅଳଙ୍କାର ।

 

ଉପମେୟ ଓ ଉପମାନର ଅଭେଦ ପ୍ରତୀତକୁ ଆରୋପ କୁହାଯାଏ । ଏହି ଆରୋପ ରୂପକାଳଙ୍କାରରେ ବିଦ୍ୟମାନ । ଉପମେୟ ନକହି କେବଳ ଉପମାନ କହିଲେ ଦୁହିଁଙ୍କର ଯେଉଁ ଅଭେଦ ପ୍ରତୀତ ହୁଏ, ତାକୁ ଅଧ୍ୟବସାୟ କହନ୍ତି । ଏହି ଅଧ୍ୟବସାୟ ଅତିଶୟୋକ୍ତିରେ ଅବସ୍ଥିତ । ଉତ୍ପ୍ରେକ୍ଷା ଓ ଅତିଶୟୋକ୍ତିରେ ଉପମେୟ ଓ ଉପମାନର ଅଭେଦ ପ୍ରତୀତ ହୁଏ । କିନ୍ତୁ ଉତ୍ପ୍ରେକ୍ଷାରେ ଅଭେଦ ପ୍ରତୀତ ସମ୍ମାବନାର ବିଷୟ ହୋଇ ସାଧ୍ୟ ରୂପେ ରହିଥାଏ । ଅତିଶୟୋକ୍ତିରେ ସିଦ୍ଧ ରୂପେ ଥାଏ । ‘‘ମୁଖଚନ୍ଦ୍ର କି’’ କହିଲେ ମୁଖ ଓ ଚନ୍ଦ୍ରର ଅଭେଦ ପ୍ରତୀତ ହେଉଅଛି । କିନ୍ତୁ କି ଶବ୍ଦ ଥିବା ହେତୁ ଅଭେଦ ପ୍ରତୀତ ସମ୍ଭାବନାର ବିଷୟ ହେଉଅଛି ନିଶ୍ଚୟ ଜ୍ଞାନ ନାହିଁ । ମୁଖକୁ ଲକ୍ଷ୍ୟ କରି ‘ଏ ଚନ୍ଦ୍ର’ ଏହା କହିଲା କ୍ଷଣି ନିଃସନ୍ଦେହ ରୂପେ ମୁଖଚନ୍ଦ୍ରରୁ ଭିନ୍ନ ନୋହେ ବୋଲି ଜଣାଯାଏ ।

 

କେତେକ ଆଳଙ୍କାରିକ ଅଭେଦରେ ଭେଦ, ଅସମ୍ବନ୍ଧରେ ସମ୍ବନ୍ଧ, ସମ୍ବନ୍ଧରେ ଅସମ୍ବନ୍ଧ, କାର୍ଯ୍ୟ କାରଣ ଦୁହିଙ୍କର ପୌର୍ବାର୍ଯବ୍ୟତ୍ୟୟ ବା ଯଦ୍ୟର୍ଥ କଳ୍ପନା ପ୍ରତିପାଦିତ ହୋଇଥିଲେ ମଧ୍ୟ ଅତିଶୟୋକ୍ତି ଅଳଙ୍କାର ହୁଏ ବୋଲି କହନ୍ତି । ବାସ୍ତବରେ ଏହି ପଞ୍ଚବିଧ ସ୍ଥଳରେ ଅତିଶୟୋକ୍ତିର ଛାୟା ନାହିଁ । ଉପମେୟ ନିଗିରଣ ( ଉପମେୟର ଅନୁକ୍ତି) ଅତିଶୟୋକ୍ତିର ଜୀବନ । ଉକ୍ତ ପଞ୍ଚ ବିଧ ସ୍ଥଳରେ ଉପମେୟର ଅନୁକ୍ତି ନାହିଁ । ଆଉ ଗୋଟିଏ କଥା, ଅତିଶୟୋକ୍ତି ସଦୃଶ୍ୟ ମୂଳକ ଅଳଙ୍କାର । ଉକ୍ତ ପଞ୍ଚପ୍ରକାର ଭେଦ ସୁଦ୍ଧା ସାଦୃଶ୍ୟ ମୂଳକ ନୋହେ । ଅତଏବ ଉକ୍ତ ପାଞ୍ଚ ପ୍ରକାର ସ୍ଥଳରେ ଅତିଶୟୋକ୍ତି ମାନିବା ଯୁକ୍ତିଯୁକ୍ତ ବୋଧ ହୁଏ ନାହିଁ ।

 

ଯେଉଁଠାରେ ଲୋକାତିଶାୟିତା ପ୍ରତିପାଦିତ ହୋଇଥାଏ, ସେଠାରେ ଅତ୍ୟୁକ୍ତି ଅଳଙ୍କାର ହୁଏ । ଅଭେଦରେ ଭେଦ, ସମ୍ବନ୍ଧରେ ଅସମ୍ବନ୍ଧ, ଅସମ୍ବନ୍ଧରେ ସମ୍ବନ୍ଧ ଓ କାର୍ଯ୍ୟ କାରଣ ଦୁହିଁଙ୍କର ପୌର୍ବା ପର୍ଯ୍ୟବ୍ୟତିରେକ ବର୍ଣ୍ଣିତ ହୋଇଥିଲେ ଏହି ଅତ୍ୟୁକ୍ତି ଅଳଙ୍କାର ହୁଏ । ଯଦ୍ୟର୍ଥ କଳ୍ପନା ଥିଲେ ସମ୍ଭାବନା ନାମକ ଅନ୍ୟ ଏକ ଅଳଙ୍କାର ହୁଏ । ଏହା ଆଧୁନିକ ଆଳଙ୍କାରିକମାନଙ୍କର ମତ-

 

ଏଠାରେ ସୁଖବୋଧ ସକାଶେ ଉକ୍ତ ପାଞ୍ଚ ପ୍ରକାର ଭେଦର ଉଦାହରଣ ଦିଆଗଲା । ଉଦାହରଣ ଗୁଡ଼ିକ ଅବଶ୍ୟ ଅତିଶୟୋକ୍ତିର ନୁହେଁ । ପ୍ରାଚୀନ ଆଳଙ୍କାରିକମାନେ ଅତିଶୟୋକ୍ତିର ମନେ କରିପାରନ୍ତି ।

 

ଅଭେଦରେ ଭେଦ-

ବିଲକ୍ଷଣ ମଧୁକିମା            ବିଲକ୍ଷଣ ଠାଣି,

ବିଲକ୍ଷଣ ଗୁଣରାଜି            ଅପୂର୍ବ ଚାହାଣି ।

ବିଳାସ ବିଭ୍ରମଚ୍ଛାୟା             ସର୍ବ ବିଲକ୍ଷଣ,

ନୁହେଁ ବାମା ସାଧ ରଣ      ବିରଞ୍ଚି ସୃଜନ ।

 

ଏଠାରେ ନାୟିକାଗତ ମଧୁରିମାଦି ଲୌକିକ ମଧୁରିମାଦିରୁ ଭିନ୍ନ ନହେଲେ ମଧ୍ୟ କବି ଲୋକାତିଶାୟିତା ପ୍ରତିପାଦନ କରିବାକୁ ଭିନ୍ନ ରୂପେ ବର୍ଣ୍ଣନା କରିଅଛନ୍ତି । ସେପରି ସାଧାରଣ ସୃଷ୍ଟି ହେଲେ ମଧ୍ୟ ଭେଦ ବର୍ଣ୍ଣନା କରା ହୋଇଅଛି ।

 

ଅସମ୍ବନ୍ଧରେ ସମ୍ବନ୍ଧ ଓ ସମ୍ବନ୍ଧରେ ଅସମ୍ବନ୍ଧ-

ବିଳାସ ବିପଣି ପରାଏ ଲାବଣ୍ୟ

ଲୀଳା ମାତ୍ରେ ବଶ କରେ ତ୍ରିଭୁବନ ।

ବୈଷୟିକ ସୁଖ ସ୍ୱାଦେ ପରାଙ୍ମୁଖ

ସଦା ବେଦାଭ୍ୟାସ ବଶେ ଜଡ଼ ମୁଖ ।

 

ବିଶେଷେ ପ୍ରବୃଦ୍ଧ କମଳ ଆସନ

କି ରୂପେ ରଚିବେ ଏ ରୂପ ଲାବଣ୍ୟ,

ଅବଶ୍ୟ ସୁଷମା ସମ୍ରାଟ ମଦନ

ଅବ କାନ୍ତିପ୍ରଦ ଅମୃତ କିରଣ ।

 

କିବା ବିଭ୍ରମର ସ୍ଥଳୀ ଋତୁପତି

ରଚିଲେ ବାମାକୁ ହୋଇ ପ୍ରଜାପତି ।

 

ଏ ପଦ୍ୟରେ ସଦନ, ଅମୃତ କିରଣ, ଋତୁପତିଙ୍କ ଠାରେ ପ୍ରଜାପତିତ୍ୱ ରୂପ ସମ୍ବନ୍ଧ ନଥିଲେ ମଧ୍ୟ ସମ୍ବନ୍ଧ ବର୍ଣ୍ଣିତ ହୋଇଅଛି । ଅତଏବ ଅସମ୍ବନ୍ଧରେ ସମ୍ବନ୍ଧ, ବ୍ରହ୍ମାଙ୍କଠାରେ ପ୍ରଜାପତିତ୍ୱରୂପ ସମ୍ବନ୍ଧ ଥିଲେ ମଧ୍ୟ ସେ ସମ୍ବନ୍ଧ ନିଷିଦ୍ଧ କରାଯାଇଅଛି । ଅତଏବ ସମ୍ବନ୍ଧରେ ଅସମ୍ବନ୍ଧ ।

 

କାର୍ଯ୍ୟ କାରଣର ପୌର୍ବାପର୍ଯ୍ୟବ୍ୟତ୍ୟୟ କହିଲେ କାର୍ଯ୍ୟ ଓ କାରଣର ଏକକାଳୀନତା ବା ଆଗେ କାର୍ଯ୍ୟ ପଛେ କାରଣ, ଏହି ଅର୍ଥ ବୁଝାଏ କାର୍ଯ୍ୟକାରଣର ଏକକାଳୀନତା ଯଥା-

 

ମୋହ ଭାଗ୍ୟବଳେ ସେ ଦୁର୍ଦ୍ଧର ଚାପ

ସଙ୍ଗେ ଭାଙ୍ଗ ଦେଲେ ମୋ ହୃଦ ସନ୍ତାପ ।

ତପସ୍ୱିନୀ ।

 

ଏ ପଦ୍ୟରେ ଦୁର୍ଦ୍ଧର ଚାପଭଙ୍ଗ ରୂପ କାରଣ ଓ ସନ୍ତାପତ୍ୟାଗ ରୂପ କାର୍ଯ୍ୟର ଏକକାଳୀନତା ବର୍ଣ୍ଣିତ ।

ଏହି କାଳେ ବୃଷ୍ଟି ରବିଙ୍କ ବାଳାବର ବଦନେ

ଉଡ଼ିଲା, ଉଡ଼ିଲା ହୃଦୟ, ଧୈର୍ଯ୍ୟ ବୁଡ଼ିଲା କ୍ଷଣେ ।

ଚନ୍ଦ୍ରଭାଗା ।

 

ଏ ପଦ୍ୟରେ ମଧ୍ୟ କାର୍ଯ୍ୟକାରଣ ଦୁହିଁଙ୍କର ଏକକାଳୀନତା ଦେଖାଯାଏ ।

 

ଗଠନ କାର୍ଯ୍ୟ ଓ ପରେ କାରଣ ଯଥା-

ବିକସଇ ସିନା ପ୍ରଥମେ କୁସୁମ

ପରେ ଦେଖାଦିଏ ଫଳ ମନୋରମ ।

କାର୍ଯ୍ୟ କାରଣର ଏପରି ସ୍ୱଭାବ,

ତବ ପ୍ରସାଦରେ ତାର ଭିନ୍ନ ଭାବ ।

 

ଆଗେ ଲାଭ କଲି ଅପୂର୍ବ ସଂପତ୍ତି

ପରେ ତବ ରୂପ କଲି ନେତ୍ରାତିଥି ।

 

ଏ ପଦ୍ୟରେ ପ୍ରଥମେ ଅପୂର୍ବ ସଂପତ୍ତି ଲାଭରୂପ କାର୍ଯ୍ୟ ଓ ପରେ ନାରୀର ଦର୍ଶନରୂପ କାରଣ ବର୍ଣ୍ଣିତ । ଏ ସମସ୍ତ ଉଦାହରଣରେ ଅତ୍ୟୁକ୍ତି ଅଳଙ୍କାର ।

 

ଯଦ୍ୟର୍ଥ କଳ୍ପନା ଯଥା-

ଦିଶୁଥିଲା ଶିଶୁ            ହରିଣାକ୍ଷୀ ରତ୍ନ-

ଭୂଷଣେ କିବା ମଞ୍ଜୁଳ,

ତୁଳ ତାର ସିନା            ହୁଅନ୍ତା ତଡ଼ିତ

ଲତାରେ ଫୁଟିଲେ ଫୁଲ ।

ଯଯାତି ।

 

ଏଠାରେ ଯଦି ତଡ଼ିତ-ଲତାରେ ଫୁଲ ଫୁଟନ୍ତା, ତେବେ ସେହି ଲତା ରତ୍ନଭୂଷଣଧାରିଣୀ ଲଳିତାଙ୍କର ସମାନ ହୁଅନ୍ତା ବୋଲି ବର୍ଣ୍ଣିତ । ଯଦି ଫୁଟିବ, ତେବେ ସମାନ ହେବ- ଏହିପରି ଅର୍ଥ ପ୍ରକାଶ ପାଏ । ଅତଏବ ଯଦ୍ୟର୍ଥ କଳ୍ପନା । ଏଠାରେ ସମ୍ଭାବନା ଅଳଙ୍କାର ଯୁକ୍ତି ସଙ୍ଗତ ।

 

ସମ୍ଭାବନା ଓ ଅତ୍ୟୁକ୍ତି ଅଳଙ୍କାରର ବିଷୟ ଯଥା ସ୍ଥାନରେ ପରେ ପ୍ରଦର୍ଶିତ ହେବ ।

 

ତୁଲ୍ୟ ଯୋଗିତାଳଙ୍କାର

 

ପ୍ରକୃତ ବା ଅପ୍ରକୃତ ବସ୍ତୁମାନଙ୍କର

ଏକ ଧର୍ମ ଯୋଗ୍ୟ ତୁଲ୍ୟ-ଯୋଗିତାଳଙ୍କର । ୧୬ ।

 

ଯଦି କେବଳ ବର୍ଣ୍ଣନୀୟ ବସ୍ତୁମାନଙ୍କର କିମ୍ବା କେବଳ ଅବର୍ଣ୍ଣନୀୟ ବସ୍ତୁମାନଙ୍କର ଏକ ଧର୍ମ ସହିତ ଅନ୍ୱୟ ହୁଏ, ତେବେ ତୁଲ୍ୟ ଯୋଗିତ ନାମକ ଅଳଙ୍କାର ହୁଏ । ଧର୍ମ କହିଲେ ଗୁଣ ଓ କ୍ରିୟା । ଏ ମଧ୍ୟ ସାଦୃଶ୍ୟ ଗର୍ଭକ ଅଳଙ୍କାର । ଉପମାରେ ଧର୍ମ କହିଲେ ସାଧରଣ ଧର୍ମକୁ ବୁଝାଏ । ଏଠାରେ ମଧ୍ୟ ଧର୍ମ ଶବ୍ଦର ଅର୍ଥ ସାଧାରଣ ଧର୍ମ । ଏହି ଅଳଙ୍କାରରେ କେବଳ ପ୍ରକୃତ (ବର୍ଣ୍ଣନୀୟ) ମାନଙ୍କରେ ବା ଅପ୍ରକୃତ ମାନଙ୍କରେ ଉପମାନ ଉପମେୟ ଭାବ ଅର୍ଥତଃ ଆକ୍ଷିପ୍ତ ହୋଇଥାଏ ।

 

ଉଦାହରଣ-

ନୟନର ପ୍ରୀତି            ସଂପାଦଇ ଆହା

ମୂରତି କି ମନୋହର,

ଜାନୁଲମ୍ବି ଭୁଜ            ପ୍ରସନ୍ନ ବଦନ

ସୁଢ଼ଳିତ କଳେବର ।

ଇନ୍ଦୁମତୀ ।

 

ଏହି ପଦ୍ୟରେ ଅଳଙ୍କାର ମନୋହର ମୂର୍ତ୍ତି, ଜାନୁଲମ୍ବୀ ଭୁଜ; ପ୍ରସନ୍ନ ବଦନ ଓ ସୁଢଳିତ କଳେବର ବର୍ଣ୍ଣନୀୟ, ସୁତରାଂ ପ୍ରକୃତ । ସେମାନଙ୍କର ‘‘ନୟନର ପ୍ରୀତି ସଂପାଦଇ’’ ଏହି ଏକ କିୟା ସହିତ ସମ୍ବନ୍ଧ (ଅନ୍ୱୟ) ବର୍ଣ୍ଣିତ ହୋଇଅଛି । ଯେପରି ମନୋହର ମୂର୍ତ୍ତି ନୟନର ପ୍ରୀତି ସଂପାଦନ କରେ ସେପରି ଜାନୁଲମ୍ବୀ ଭୁଜ ମଧ୍ୟ ନୟନର ପ୍ରୀତି ସଂପାଦନ କରେ । ଏପରି ଉପମାନୋମେୟ ଭାବ ଅର୍ଥରୁ ଆକ୍ଷିପ୍ତ ହୋଇଥାଏ ।

 

ଉଦାସୀନ ବାଣୀ ଅଟଳ ଚାହାଣି

ହୃତ ହୃଦୟର କହଇ କାହାଣି ।

ନନ୍ଦିକା ।

 

ଏ ପଦ୍ୟରେ ମଧ୍ୟ ତୁଲ୍ୟଯୋଗିତା । ପ୍ରକୃତ ବାଣୀ ଓ ଚାହାଣିର ଏକ କ୍ରିୟା ସହିତ ସମ୍ବନ୍ଧ ଦେଖାଯାଏ ।

ସୁଧାଧାରା ସମ            ସରିତର ସ୍ରୋତ

ବହୁଅଛି ତୋ ବକ୍ଷରେ,

ସେ ଅମୃତ ପାନ            ସ୍ଥାବର ଜଙ୍ଗମ

କରୁଛନ୍ତି କି ସୁଖରେ ।

ଛନ୍ଦମାଳା ।

 

ଏ ପଦ୍ୟରେ ପୃଥିବୀ ବର୍ଣ୍ଣନୀୟ । ସ୍ଥାବର ଜଙ୍ଗମ ବର୍ଣ୍ଣନୀୟ ନୁହନ୍ତି । ସ୍ଥାବର ଓ ଜଙ୍ଗମର ଏକ କ୍ରିୟା ସହିତ ଅନ୍ୱୟ ଦେଖାଯାଏ ।

ଅରି କର ଅସି            ସୁନ୍ଦରୀ ମନରୁ

ଧୃତି ପଡ଼େ କ୍ଷଣେ ଖସି,

ଯାକୁ ଦେଖି, ସେହି            ପୁରୁଷ ବୋଲାଏ

ଏହି ସେ ପୁରୁଷ ଶଶୀ ।

ଯଯାତି ।

 

ଏଠାରେ ଅପ୍ରାକୃତ ଆସି ଓ ଧୃତିର ଖସି ପଡ଼ିବା ରୂପ କ୍ରିୟା ସହିତ ଅନ୍ୱୟ ଦେଖାଯାଏ ।

ବାହାର କଠିନ            କରିବର କର

କଦଳୀ ସଦା ଶୀତଳ,

ଲଭିଲେ ବି ରମ୍ୟ-            ରୂପ ସୁନ୍ଦରୀର

ଉରୁ ଉପମା ବାହାର ।

 

ଏହି ପଦ୍ୟରେ କବିବରଙ୍କର ଓ ସଦା ଶୀତଳ କଦଳୀର ଉରୁ ଉପମା ବାହୂତ୍ୱରୂପ ଏକ ଗୁଣ ସହିତ ସମ୍ବନ୍ଧ ବର୍ଣ୍ଣିତ ହୋଇଅଛି । ଅତଏବ ତୁଲ୍ୟଯୋଗିତା ।

 

ଦୀପକ ଅଳଙ୍କାର

 

ପ୍ରକୃତ ଓ ଅପ୍ରକୃତ ବସ୍ତୁମାନଙ୍କର

ଏକ ଧର୍ମ ଯୋଗେ ହୁଏ ଦୀପକାଳଙ୍କାର । ୧୭ ।

 

ତୁଲ୍ୟ ଯୋଗିତାଳଙ୍କାରରେ କେବଳ ପ୍ରକୃତ ବା ଅପ୍ରକୃତ ବସ୍ତୁମାନଙ୍କର ଏକ ଧର୍ମସହିତ ଅନ୍ୱୟବର୍ଣ୍ଣିତ ହୋଇଥାଏ; ଯଦି ପ୍ରକୃତ ଓ ଅପ୍ରକୃତ ବସ୍ତୁମାନଙ୍କର ଏକ ଧର୍ମ ସହିତ ଅନ୍ୱୟ ହୁଏ, ତେବେ ଦୀପକ ଅଳଙ୍କାର । ଦେହଳୀ ସ୍ଥାପିତ ଦୀପ ଯେପରି ଗୃହ ଓ ରଥ୍ୟାର ଉପକାର କରେ, ସେହିପରି ଏହି ଅଳଙ୍କାରରେ ଏକ ଧର୍ମ ପ୍ରକୃତ ଓ ଅପ୍ରକୃତର ଉପଯୋଗୀ ହୋଇଥାଏ । ଅତଏବ ଏ ଅଳଙ୍କାରକୁ ଦୀପକ କହନ୍ତି ।

 

ଉଦାରଣ-

ମାତ୍ର ନିମ୍ନମୁଖ ପୟଃ ପୁଣି ଦୃଢ଼ ପ୍ରତିଜ୍ଞା ମନ,

ଯେତେ ବାରିଲେହେଁ ମାନନ୍ତି ନାହିଁ ସେ ଲୋକେ ବାରଣ ।

ଉଷା ।

 

ଏହି ପଦ୍ୟରେ ଜୟନ୍ତର ଦୃଢ଼ପ୍ରତିଜ୍ଞ ମନ ବର୍ଣ୍ଣନୀୟ, ନିମ୍ନମୁଖ ପୟଃ ବର୍ଣ୍ଣନୀୟ ନୁହେଁ । ଦୁହିଁଙ୍କର ଲୋକେ ବାରଣ ମାନନ୍ତି ନାହିଁ- ଏହି କ୍ରିୟା ସହିତ ସମ୍ବନ୍ଧ ଦେଖାଯାଏ । ଅତଏବ ଦୀପକ-। ଏହି ଅଳଙ୍କାର ମଧ୍ୟ ସାଦୃଶ୍ୟମୂଳକ । ଏ ଅଳଙ୍କାରରେ ପ୍ରକୃତ ବସ୍ତୁ ଉପମେୟ, ଅପ୍ରକୃତ ବସ୍ତୁ ଉପମାନ । ଦୃଢ଼ପ୍ରତିଜ୍ଞ ମନ ଯେତେ ବାରିଲେହେଁ ବାରଣ ମାନେ ନାହିଁ, ଏହି ଅର୍ଥ ପ୍ରତୀତ ହୋଇଥାଏ । ତୁଲ୍ୟଯୋଗିତାଳଙ୍କାରରେ ଏହି ବ୍ୟବସ୍ଥା ( ପ୍ରକୃତର ଉପମେୟ ଅପ୍ରକୃତର ଉପମାନର) ନଥାଏ ।

 

ତୁଲ୍ୟଯୋଗିତା ଓ ଦୀପକରେ ଅନେକ ବସ୍ତୁର ଏକଧର୍ମ ( ଗୁଣ ବା କ୍ରିୟା) ସହିତ ଅନ୍ୱୟ ହୋଇଥାଏ । ଯଦି ଏକ ବସ୍ତୁର ଅନେକ କ୍ରିୟା ସହିତ ଅନ୍ୱୟ ହୁଏ, ତେବେ ମଧ୍ୟ ତୁଲ୍ୟଯୋଗିତା ଓ ଦୀପକ ହୋଇଥାଏ । ସେପରି କାରକ ତୁଲ୍ୟଯୋଗିତା ଓ କାରକ ଦୀପକ ବୋଲି କହନ୍ତି । କ୍ରିୟା ଗୁଡ଼ିକ ପ୍ରସ୍ତୁତ ବା ଅପ୍ରସ୍ତୁତ ହୋଇଥିଲେ କାରକ ତୁଲ୍ୟଯୋଗିତା, ପ୍ରସ୍ତୁତ ଓ ଅପ୍ରସ୍ତୁତ ହୋଇ ଥିଲେ କାରକଦୀପକ ।

 

କିଶୋରୀ ଶ୍ରୀଚରଣ ଦର୍ଶନ ଆଶେ

ଦେବତାଗଣେ ନାନା ଦ୍ରବ୍ୟ ମନାସେ ।

ପ୍ରଣମେ ବାରମ୍ବାର ସିଦ୍ଧ ଚରଣେ

ଭଜଇ ସବିନୟେ ମାନ୍ତ୍ରିକଗଣେ ।

 

ଔଷଧିବିଦ ସେବେ ଅତି ଆଦରେ

ପୂଜଇ ଗିରିସ୍ଥତା ଭକତିଭରେ ।

ମନଷ୍ୟ ବାଞ୍ଛି ଇଷ୍ଟ ଦ୍ରବ୍ୟ ସଞ୍ଚୟ

ସକଳ ମଣିଥାଏ ସଫଳୋଦୟ ।

ହଂସଦୂତ ।

 

ଏହି ପଦ୍ୟରେ ଏକ କିଶୋରୀ ଅନେକ କ୍ରିୟାରେ କର୍ତ୍ତୃରୂପେ ଅନିତ ହୁଏ । ସମସ୍ତ କ୍ରିୟା ପ୍ରସ୍ତୁତ । ଅତଏବ କାରକ ତୁଲ୍ୟଯୋଗିତା ।

 

ପାଳନ୍ତି ଦୁର୍ବଳେ ଭକତି ପ୍ରବଣ

ଉଦ୍ଧତେ ବିହନ୍ତି ଚିର ନିର୍ବାସନ ।

ଦିଅନ୍ତି ନିଖିଳ ଶତ୍ରୁଗଣେ ଭୀତି

ନୀତି ବିଚକ୍ଷଣ ଧୀର ‘‘ଗଜପତି’’ ।

 

ଏଠାରେ ରାଜଙ୍କର ଗୋଟିଏ କାର୍ଯ୍ୟ ପ୍ରସ୍ତୁତ । ଅନ୍ୟ ଗୁଡ଼ିକ ଅପ୍ରସ୍ତୁତ । ଏକ ‘‘ଗଜପତି’’ ଶବ୍ଦ ପ୍ରସ୍ତୁତ ଓ ଅପ୍ରସ୍ତୁତ କ୍ରିୟା ସହିତ ଅନ୍ୱିତ ହୁଏ, ଅତଏବ କାରକ ଦୀପକ ଅଳଂକାର । ଯଦି ଗଜପତିଙ୍କର ସକଳ କାର୍ଯ୍ୟ ବର୍ଣ୍ଣନୀୟ, ତେବେ କାରକ ତୁଲ୍ୟଯୋଗିତା ହେବ । ଅନେକକ ଆଳଙ୍କାରିକ କାରକ ତୁଲ୍ୟଯୋଗିତା ମାନି ନାହାନ୍ତି । ଏକ କାରକର ଅନେକ କ୍ରିୟା ସହିତ ଅନ୍ୱୟ ହେଲେ କାରକ ଦୀପକ କେବଳ ସ୍ୱୀକାର କରନ୍ତି ।

 

ଦୀପକ ଅଳଙ୍କାରରେ ଉପାତ୍ତ ଧର୍ମ ଅନେକ ବସ୍ତୁ ସହିତ ଅନ୍ୱିତ ହୋଇଥାଏ, ସେହିପରି ଅନେକ ବସ୍ତୁ ଉପକାରକ ଶବ୍ଦ ଅର୍ଥ ବା ଉଭୟ ଯଦି ଆବୃତ୍ତ ହୁଏ, ତେବେ ଆବୃତ୍ତି ଦୀପକ ନାମକ ଅଳଙ୍କାର ହୁଏ ।

 

ପଦାବୃତ୍ତି ଦୀପକ ଯଥା -

ଭାଷୁଛି ଦୁଃଖରେ ଭାସୁଛି ଦୁଃଖରେ ବୁଡ଼ି ନଯାଉ ତରଣି

ଚାହିଁ ହିମକର ସେ ଅହିମ କର ବିଘାତ ମଣଇ ପୁଣି ।

ଚିନ୍ତାମଣି ।

 

ଏ ପଦ୍ୟରେ ‘‘ଭାଷୁଛି’’ ପଦ ଆବୃତ୍ତ ହୋଇଅଛି । ଯଦି ଷ ଓ ସର ଭେଦ ଅଛି, ତଥାପି ତାହା ଆବୃତ୍ତି ସ୍ଥଳରେ ଧରାଯାଏ ନାହିଁ ।

 

ଅର୍ଥାବୃତ୍ତି ଦୀପକ ଯଥା -

ରଜନୀରେ ନୀଳାକାଶେ ଚନ୍ଦ୍ରମା ଉଜ୍ୱଳ

ବିରାଜଇ ଦଶଦିଗ କରିଣ ଧବଳ,

ଉଜ୍ୱଳ ନକ୍ଷତ୍ରମାଳା ଚନ୍ଦ୍ର ସଙ୍ଗତରେ

ଶୋଭଇ ପ୍ରଫୁଲ୍ଲ ପୁଷ୍ପ ପରାଏ ଅମ୍ବରେ ।

ଛାନ୍ଦମାଳା ।

 

ଏହି ପଦ୍ୟରେ ‘‘ବିରାଜଇ’’ ‘‘ଶୋଭଇ’’ ଏହି ଦୁଇ ପଦର ଅର୍ଥ ଏକ, ସେହି ଅର୍ଥର ଆବୃତ୍ତି ।

 

ପଦାର୍ଥ ଆବୃତ୍ତି ଦୀପକ -

ବନଦେବୀ ଦେଖୁ ଥିଲେ ବସି ଲତା-ଦୋଳା ତଳପେ

ସ୍ୱର୍ଗ ଦେବତାଏ ଦେଖୁଥିଲେ ସ୍ୱର୍ଣ୍ଣ ମେଘ ମଣ୍ଡପେ ।

ଉଷା ।

 

ଏହି ପଦ୍ୟରେ ‘‘ଦେଖୁଥିଲେ’’ ଏହି ଶବ୍ଦର ଓ ଏହାର ଅର୍ଥର ଆବୃତ୍ତି ଦେଖାଯାଏ ।

 

ଉଦାହୃତ ପଦ୍ୟମାନଙ୍କରେ ପ୍ରକୃତ ଓ ଅପ୍ରକୃତମାନଙ୍କର ସମାବେଶ ନାହିଁ । ତଥାପି ଦୀପକର ଛାୟା ଥିବାରୁ ଆବୃତ୍ତି ଦୀପକ ବୋଲି କେତେକ ଆଳଙ୍କାରିକ ସ୍ୱୀକାର କରିଅଛନ୍ତି । କିନ୍ତୁ କେହି ଆବୃତ୍ତି ତୁଲ୍ୟ ଯୋଗିତା ମାନି ନାହାନ୍ତି ।

 

ପ୍ରତିବସ୍ତୁପମା-ଅଳଙ୍କାର

 

ସାମ୍ୟଗର୍ଭ ବାକ୍ୟଦ୍ୱୟେ ଧର୍ମ ଦୁଇବାର

ଉକ୍ତ ହେଲେ ପ୍ରତିବସ୍ତୁ ଉପମାଳଙ୍କାର । ୧୮ ।

 

ଦୁଇଟି ସାଦୃଶ୍ୟଗର୍ଭକ ବାକ୍ୟରେ ଯଦି ସାଦୃଶ୍ୟବାଚକ ଶବ୍ଦ ଉପାତ୍ତ ହୋଇ ନଥାଏ ଏବଂ ସାଧାରଣ ଧର୍ମ ପୃଥକ ରୂପେ ନିର୍ଦ୍ଦିଷ୍ଟ ହୁଏ, ତେବେ ପ୍ରତିବସ୍ତୁପମାନାମକ ଅଳଙ୍କାର ହୁଏ । ଏହି ଅଳଙ୍କାରରେ ଉପମାନ ଉପମେୟ ଭାବ ଆକ୍ଷିପ୍ତ ହୋଇଥାଏ ।

 

ଉଦାହରଣ-

ତୁଳା ଉଡ଼ିଲା ତେଜି ଶାଳ୍ମଳୀ ତରୁ

କୃପଣଧନ କାଳେ ଉଡ଼େ ଖାତରୁ ।

ତପସ୍ୱିନୀ ।

 

ଏହି ପଦ୍ୟରେ ଦୁଇଟି ବାକ୍ୟ ଦେଖାଯାଏ । ବାକ୍ୟ ଦୁଇଟି ସାଦୃଶ୍ୟଗର୍ଭକ । ଯେପରି କାଳେ କୃପଣଧନ ଖାତରୁ ଉଡ଼େ, ସେପରି ତୁଳା ଶାଳ୍ମଳୀତରୁ ତେଜି ଉଡ଼ିଲା- ଏହି ଅର୍ଥ ପ୍ରତୀତ ହୁଏ । ଉଡ଼ିବ ସାଧାରଣ ଧର୍ମ ସେହି ଧର୍ମଦୁଇ ବାକ୍ୟରେ ପୃଥକ ହୋଇ ନିର୍ଦ୍ଦିଷ୍ଟ ହୋଇ ଅଛି । ଅତଏବ ପ୍ରତିବସ୍ତୁପମା ପ୍ରତିବସ୍ତୁରେ ( ପ୍ରତିବାକ୍ୟରେ) ଉପମା ( ସାଧାରଣ ଧର୍ମ) ଥାଏ ବୋଲି ଏ ଅଳଙ୍କାରକୁ ପ୍ରତିବସ୍ତୁପମା କହନ୍ତି । ଅର୍ଥାବୃତ୍ତି ଦୀପକରେ ସମସ୍ତ ପ୍ରସ୍ତୁତ । ପ୍ରତବସ୍ତୁପମାରେ ଗୋଟିଏ ପ୍ରସ୍ତୁତ; ଅନ୍ୟଟି ଅପ୍ରସ୍ତୁତ । ଅର୍ଥାବୃତ୍ତି ଦୀପକ ବୈଧର୍ମ୍ୟରେ ହୁଏ ନାହିଁ, ପ୍ରତିବସ୍ତୁପମା ବୈଧର୍ମ୍ୟରେ ସୁଦ୍ଧା ହୁଏ ।

 

କିନ୍ତୁ ରୂପଥିଲେ ପ୍ରଚ୍ଛନ୍ନେ

କେବେ ରସିକ ଛାଡ଼େ,

ମଧୁଥିଲେ ପୁଷ୍ପେ ଯତନେ

ଖୋଜି ମଧୁପ କାଢ଼େ ।

ଚନ୍ଦ୍ରଭାଗା ।

 

ଯେପରି ପୁଷ୍ପରେ ମଧୁଥିଲେ ମଧୁପ କାଢ଼େ, ସେପରି ରୂପ ପ୍ରଚ୍ଛନ୍ନେ ଥିଲେ ମଧ୍ୟ ରସିକ ଖୋଜି କାଢ଼େ, ଏହି ଅର୍ଥ ପ୍ରତୀତ ହୁଏ, ଅତଏବ ପ୍ରତିବସ୍ତୁପମା । କିନ୍ତୁ ଏଠାରେ ଖୋଜି କାଢ଼ିବା ସମାନ ଧର୍ମ, ସେ ଦୁଇ ବାକ୍ୟରେ ଅବିକଳ ନିର୍ଦିଷ୍ଟ ହୋଇନାହିଁ । ପ୍ରଥମ ବାକ୍ୟରେ ଏହାର ବିପରୀତ ଧର୍ମ ନିର୍ଦିଷ୍ଟ ହୋଇଅଛି । ତଥାପି ପ୍ରତିବସ୍ତୂପମା ।

 

ଦୃଷ୍ଟାନ୍ତ ଅଳଙ୍କାର

 

ଯଦି ବାକ୍ୟଦ୍ୱୟେ ବିମ୍ବ ପ୍ରତିବିମ୍ବ ଭାବ

ତେବେ ଦୃଷ୍ଟାନ୍ତ ନାମକ ଅଳଙ୍କାର ଭାବ । ୧୯ ।

 

ଦୁଇଟି ବାକ୍ୟରେ ଉପାତ୍ତ ଧର୍ମ ଦୁଇଟି ସଂପୂର୍ଣ୍ଣ ପୃଥକ । କିନ୍ତୁ ସେ ଦୁଇଟି ଯଦି ବିମ୍ବ ପ୍ରତିବିମ୍ବ ଭାବରେ ଗୃହୀତ ହୋଇଥାଏ, ତେବେ ଦୃଷ୍ଟାନ୍ତ ନାମକ ଅଳଙ୍କାର ହୁଏ । ଯଥାର୍ଥରେ ବିଭିନ୍ନ ବସ୍ତୁ ଦ୍ୱୟର ସାଦୃଶ୍ୟ ବଶତଃ ପାରସ୍ପରିକ ଅଭେଦକୁ ବିମ୍ବ ପ୍ରତିବିମ୍ବ ଭାବ କହନ୍ତି ।

 

ଉଦାହରଣ -

ବିଧି ବିଧାତବ୍ୟ            ବିଷୟ ନବୁଝ

କ୍ଷୋଭ କରିବାର ମନେ,

ପ୍ରାକୃତ ମାନବ            ପରାଏ ଉଚିତ

ନୁହେଁ ଭବାଦୃଶ ଜନେ ।

 

ନଦୀ ପ୍ରବାହରେ            ଭାସିଯାନ୍ତି ସିନା

ତଟସ୍ଥିତ ତରୁମାନ,

ପ୍ରବାହ ଉପରେ            ପ୍ରବାହ ଆସିଲେ

ନଟଳଇ ସାନୁମାନ ।

ଇନ୍ଦୁମତୀ ।

 

ଏହି ପଦ୍ୟରେ ପ୍ରାକୃତ ମାନବ ଓ ତଟସ୍ଥିତ ତରୁ ଏବଂ ଅଜ ଓ ସାନୁମାନରେ ବିମ୍ବ ପ୍ରତିବିମ୍ବ ଭାବବଶତଃ ନଟଳିବା, କ୍ଷୋଭନ କରିବା ଏହି ଧର୍ମଦ୍ୱୟ ଏକ ପରି ପ୍ରତୀତ ହୁଅନ୍ତି । ଅତଏବ ଦୃଷ୍ଟାନ୍ତ । ଯେପରି ସାଧାରଣ ପ୍ରବାହରେ ତଟସ୍ଥିତ ତରୁ ଭାସି ଯାଏ, ସେପରି ପ୍ରାକୃତ ମାନବ ସମାନ୍ୟ ଦୁଃଖ ଉପସ୍ଥିତ ହେଲେ କ୍ଷୁବ୍‌ଧ ହୁଏ । ଯେପରି ମହାପ୍ରବାହ ଆସିଲେ ମଧ୍ୟ ପର୍ବତ ଅଟଳ ରହେ, ସେପରି ମହା ବିପତ୍ତି ପଡ଼ିଲେ ମଧ୍ୟ ମହାତ୍ମା ଅଟଳ ରହନ୍ତି, ଏହି ଏହି ଅର୍ଥ ପ୍ରତୀତ ହୁଏ । ସୁତରାଂ ଏ ଅଳଙ୍କାର ମଧ୍ୟ ଉପମା ଗର୍ଭକ ।

 

ବିମଳା ଗଲାରୁ            ବିରହ ସନ୍ତାପେ

ବିବର୍ଣ୍ଣ ହେଲା ସେ ରାମା,

ଚନ୍ଦ୍ରିକା ସଜନୀ            ଛାଡ଼ିଗଲେ ଭଜେ

କାଳିମା ସିନା ତ୍ରିଯାମା ।

ଯଯାତି ।

 

ଏ ପଦ୍ୟରେ ବିବର୍ଣ୍ଣ ହେବା ଓ କାଳିମା ଭଜିବା ପୃଥକ୍‌ ଧର୍ମ ନୁହେଁ । ଅତଏବ ଏଠାରେ ଦୃଷ୍ଟାନ୍ତ ହେବ ନାହିଁ । କିନ୍ତୁ ପ୍ରତିବସ୍ତୁପମା ହେବ । ଦୃଷ୍ଟାନ୍ତରେ ବିଭିନ୍ନ ଧର୍ମ ବିମ୍ବ ପ୍ରତିବିମ୍ବ ଭାବେ ବିରାଜିତ, ପ୍ରତିବସ୍ତୁପମାରେ ଏକ ଧର୍ମ ପୃଥକ ବାକ୍ୟରେ କଥିତ ( ବସ୍ତୁ ପ୍ରତି ବସ୍ତୁଭାବେ ଅବସ୍ଥିତ) ଏହି ମାତ୍ର ଦୃଷ୍ଟାନ୍ତ ଓ ପ୍ରତିବସ୍ତୁପମାର ପାରସ୍ପରିକ ଭେଦ ।

ଉଦାହରଣ ଅଳଙ୍କାରରେ ସାଧାରଣ ବିଷୟର ସୁଖବୋଧ ସକାଶେ ଗୋଟିଏ ବିଶେଷ ଉଲ୍ଲିଖିତ ହୋଇଥାଏ । ଦୃଷ୍ଟାନ୍ତରେ ଏହି ସାମାନ୍ୟ ବିଶେଷ ଭାବ ନାହିଁ । ଦୃଷ୍ଟାନ୍ତରେ ସାଧାରଣ ବିଷୟର ପ୍ରତିବିମ୍ବ ସ୍ୱରୂପ ସାଧାରଣ ବିଷୟ ଓ ବିଶେଷର ପ୍ରତିମ୍ବିବ ସ୍ୱରୂପ ବିଶେଷ ବିଷୟ ବର୍ଣ୍ଣିତ ହୋଇଥାଏ ।

 

ନିଦର୍ଶନାଳଙ୍କାର

 

ନିଦର୍ଶନା, ଯଦି ବସ୍ତୁ ସମ୍ବନ୍ଧି କଳ୍ପନ

ବିମ୍ବ ପ୍ରତିବିମ୍ବ ଭାବ କରଇ ବୋଧନ । ୨୦ ।

 

ବସ୍ତୁ ଦ୍ୱୟର ସମ୍ବନ୍ଧ ଯଦି ବିମ୍ବ ପ୍ରତିବିମ୍ବଭାବ ବୋଧନ କରେ, ତେବେ ନିଦର୍ଶନା ହୁଏ । ବସ୍ତୁ ଦ୍ୱୟର ସମ୍ବନ୍ଧ କହିଲେ ବସ୍ତୁଦ୍ୱୟର ଅନ୍ୱୟ କେତେକ ସ୍ଥଳରେ ସମ୍ଭବପର, ଆଉ କେତେକ ସ୍ଥଳରେ ଅସମ୍ଭବ । ଯେଉଁଠାରେ ଅସମ୍ଭବ, ସେଠାରେ ଅନୁପପନ୍ନ ହୋଇ ତତ୍ସଦୃଶ ଆକ୍ଷିପ୍ତ କରେ-। ଅତଏବ ସମ୍ଭବୀ ବା ଅସମ୍ଭବ ବସ୍ତୁ ସମ୍ବନ୍ଧ ଯଦି ବିମ୍ବ ପ୍ରତିବିମ୍ବ ଭାବ ବୋଧନ କରେ, ତେବେ ନିଦର୍ଶନା ହୁଏ ବୋଲି କହନ୍ତି । ଅର୍ଥାତ୍‌ ବିମ୍ବ ପ୍ରତିବିମ୍ବ ଭାବପନ୍ନ ବସ୍ତୁଦ୍ୱୟର ଐକ୍ୟାରୋପହିଁ ନିଦର୍ଶନା । ଏଠାରେ ବିମ୍ବ ପ୍ରତିବିମ୍ବ ଭାବର ଅର୍ଥ ଉପମାନ ଉପମେୟ ଭାବ ।

 

ସମ୍ଭବପର ବସ୍ତୁଦ୍ୱୟର ସମ୍ବନ୍ଧ-

ଶଇଳ ଶେଖର ଗତ ଜଳବିନ୍ଦୁ କଣ

ବାତାଘାତେ ତଳେ ପଡ଼ି କରଇ ସୂଚନ ।

ସମୁନ୍ନତ ପଦ ଯଦି ଲଭେ ଲଘୁଳନ

ଅବଶ୍ୟ ସମ୍ଭବେ ତାର ଅଚିରେ ପତନ ।

 

ଏଠାରେ ଜଳକଣର ତାଦୃଶାର୍ଥ ସୂଚନ କରିବା ଅସମ୍ଭବ ନୁହେଁ । ସେପରି ଜଳବିନ୍ଦୁ କଣ ଉନ୍ନତ ପଦ ( ସ୍ଥାନ) ଲାଭ କରି ତଳେ ପଡ଼େ, ସେପରି ଲଘୁ ମନୁଷ୍ୟ ଉନ୍ନତ ପଦ ଲାଭ କଲେ ଅବଶ୍ୟ ପତନ ଲାଭ କରେ, ଏହି ଅର୍ଥ ପ୍ରତୀତ ହୁଏ । ସୁତରାଂ ବିମ୍ବ ପ୍ରତିବିମ୍ବ ଭାବ ସ୍ପଷ୍ଟ ହେଉଅଛି ।

 

ଅସମ୍ଭବ ବସ୍ତୁ ସମ୍ବନ୍ଧ ନିବନ୍ଧନ ନିଦର୍ଶନା ଦୁଇ ପ୍ରକାର । ପଦାର୍ଥ ବୃତ୍ତି ଓ ବାକ୍ୟାର୍ଥବୃତ୍ତି । ଯେଉଁ ସ୍ଥଳରେ ବିମ୍ବ ପ୍ରତିବିମ୍ବ ଭାବାପନ୍ନ ବସ୍ତୁ ଦ୍ୱୟର ସମ୍ବନ୍ଧ, ସେଠାରେ ପଦାର୍ଥବୃତ୍ତି ନିଦର୍ଶନା, ଯେଉଁଠାରେ ବିମ୍ବ ପ୍ରତିବିମ୍ବ ଭାବାପନ୍ନ ବାକ୍ୟ ଦ୍ୱୟର ଅଭେଦ ସେଠାରେ ବାକ୍ୟାର୍ଥବୃତ୍ତି ନିଦର୍ଶନ ।

 

ସ୍ୱୟମ୍ବରେ ଯିବା ପାଇଁ ନିଷେଧିଲେ ବାହାନପତି

ଶୈଳରୂଦ୍ଧ ସ୍ରୋତ ଦଶାକୁ ଭଜିଲା ଜୟନ୍ତମତି ।

ଉଷା ।

 

ଏଠାରେ ଜୟନ୍ତମତି ଶୈଳରୁଦ୍ଧ ସ୍ରୋତ ଦଶାକୁ ଭଜିବା ଅସମ୍ଭବ । ଅତଏବ ଶୈଳରୁଦ୍ଧ ସ୍ରୋତ ଦଶା ସଦୃଶ୍ୟ ଦଶାକୁ ଭଜିଲା ବୋଲି ଅର୍ଥ କରିବାକୁ ହେବ । ଅର୍ଥାତ୍‌ ଜୟନ୍ତମତି ଶୈଳରୁଦ୍ଧ ସ୍ରୋତପରି ଅବରୁଦ୍ଧ ରହିଲା । ଏଠାରେ ଜୟନ୍ତମତି ଓ ସ୍ରୋତର ଅଭେଦ ବର୍ଣ୍ଣିତ । ଅତଏବ ଏ ପଦାର୍ଥ ବୃତ୍ତି ନିଦର୍ଶନ ।

 

ବାକ୍ୟାର୍ଥ ବୃତ୍ତି ନିଦର୍ଶନା -

ଏକ ମାତ୍ର ତୋର ପ୍ରାପ୍ୟ ଯାହା ମୋରଠାରୁ

ମାୟାବନୀ ରାକ୍ଷସିନୀ ସେ ସ୍ନେହ ଅଜାଡ଼ି ।

ଦେଲି ମୁଁ ପଡ଼ି ପାପ ପିଶାଚ କୁହୁକେ

ପବିତ୍ର ଯଜ୍ଞର ହବି ଅରପିଲ ଶ୍ୱାନେ

ପୁଷ୍ପମାଳା ଭ୍ରମେ ମୁହଁ ଜଡ଼ାଇଲେ ଦେହ

ଗରଳ ସ୍ରାବଣୀ କ୍ରୁର ଦୂରନ୍ତ ନାଗୁଣୀ ।

ରାଧାନାଥ ।

 

ଏଠାରେ ସତୀର ପ୍ରାପ୍ୟ ସ୍ନେହ ମାୟାବିନୀ ରାକ୍ଷାସୀକି ଦେବ । ପବିତ୍ର ଯଜ୍ଞର ହବିଶ୍ୱାନକୁ ଦେବା ସମାନ । ମାୟାବିନୀ ଆଶ୍ରୟ ଗରଳ ସାବିଣୀ କ୍ରୁର-ଦୁରନ୍ତ-ନାଗୁଣୀ ଆଶ୍ରୟ ସମାନ ଏହି ଭାବ ପ୍ରକାଶ ପାଏ । ବାକ୍ୟ ଦ୍ୱୟର ଅଭେଦ ପ୍ରତିପାଦିତ ହୋଇଅଛି । ବିମ୍ବ ପ୍ରତିବିମ୍ବ ଭାବ ମଧ୍ୟ ଦେଖାଯାଏ । ଅତଏବ ବାକ୍ୟାର୍ଥ ବୃତ୍ତି ନିଦର୍ଶନା ।

 

ବନ୍ଧୁ କଲି କି ଦୁର୍ବିଚାରକୁରେ, ବର୍ଜିଲି ଖଣ୍ଡ ଖାରକୂରେ

ଅକ୍ଷରେ ନ ଜାଣିବା ମୁରୁଖ ପରି

ନିଜ ବକ୍ଷରେ ଲକ୍ଷ୍ୟ କଲି ଶରକୁରେ ।

ସଂପାଦ ଗୁଞ୍ଜ ଆଣି ମୁଁ ଫିଙ୍ଗି ଦେଲି

ପାଣିବନ୍ତ-ବର୍ତ୍ତୁଳ ମୋତିହାରକୁ ରେ

ଚଢ଼ାଇ ଦେଲି ଚାରୁତର ଚନ୍ଦନ ତରୁଚୂଡ଼େ

କର୍ଲଟୀ ଲଟୀ ଛାରକୁରେ ।

କବିସୁର୍ଯ୍ୟ ।

 

ଏଠାରେ ନିଜ ପ୍ରିୟା ତ୍ୟାଗ କରି ବେଶ୍ୟାଠାରେ ଆସକ୍ତ ହେବା ଖଣ୍ଡବର୍ଜି ଖାର ସେବିକା ପ୍ରଭୃତିର ସମାନ ବୋଲି ବର୍ଣ୍ଣିତ । ଅତଏବ ବାକ୍ୟାର୍ଥ ବୃତ୍ତି ନିଦର୍ଶନା । ଏଠାରେ ଉପମେୟ ନିର୍ଦ୍ଧିଷ୍ଟ ନହେଲେହେଁ, ଶେଷ ବାକ୍ୟାବଳୀରୁ ପ୍ରତୀତ ହୁଏ ।

 

ଏ ବ୍ୟାଳାକୁ ବନ            ବାସ ସହାଇଲେ

ବିଧି ଆହା କି ବିଚାରେ,

ଶମୀ ଛେଦିବାକୁ            ଲୋଡ଼ିଲେ ସିନା ସେ

ନୀଳୋତ୍ପଳ ପତ୍ରଧାରେ ।

ଯଯାତି ।

 

ଏହି ପଦ୍ୟରେ ମଧ୍ୟ ବାଳାକୁ ବନବାସ ସହାଇବା, ନୀଳୋତ୍ପଳ ପତ୍ରଧାରରେ ଶମୀଛେଦନ କରିବା ସମାନ-ଏହି ଭାବ ପ୍ରତିପାଦିତ ହୋଇଅଛି । ଦୁଇଟି ବାକ୍ୟର ଅଭେଦ ରୂପ ସମ୍ବନ୍ଧ ଅନୁପପନ୍ନ ହୋଇ ତତ୍ସଦୃଶ୍ୟ ଅର୍ଥ ଆକ୍ଷେପ କରେ । ଅତଏବ ବ୍ୟାକାର୍ଥ ବୃତ୍ତି ନିଦର୍ଶନା ।

 

କଲି ମୁଁ ଅରଣ୍ୟେ ରୋଦନ, ଶବ ଶରୀର ଉଦ୍ଦତ୍ତନ,

ସ୍ଥଳରେ ରୋହିଲି କମଳ, ଉଷରେ ବରଷିଲି ଜଳ ।

କୁକୁର ପୁଚ୍ଛ କଲି ନତ, ବଧିର କାନେ ଦେଲି ମନ୍ତ୍ର,

ଦେଲି ଦର୍ପଣ ଅନ୍ଧ ମୁଖେ, ଯାହାକି ସେବା କଲି ମୂର୍ଖେ ।

 

ଏ ପଦ୍ୟମାନଙ୍କରେ ମଧ୍ୟ ବ୍ୟାକାର୍ଥ ବୃତ୍ତି ନିଦେର୍ଶନା ସ୍ପଷ୍ଟ ।

 

ଦୃଷ୍ଟାନ୍ତ ଅଳଙ୍କାରରେ ବାକ୍ୟ ଦ୍ୱୟ ନିରକ୍ଷେପ ଭାବେ ଥାଏ, ନିଦେର୍ଶନା ଅଳଙ୍କାରରେ ବାକ୍ୟଦ୍ୱୟ ସାପେକ୍ଷ ଥାଏ ଏବଂ ବାକ୍ୟ ଦ୍ୱୟର ଅଭେଦ ବର୍ଣ୍ଣିତ ହୋଇଥାଏ । ନିଦେର୍ଶନାରେ ବିମ୍ବ ପ୍ରତିବିମ୍ବଭାବ ବିନା ବାକ୍ୟାର୍ଥ ବୋଧହୁଏ ନାହିଁ । ଦୃଷ୍ଟାନ୍ତରେ ବାକ୍ୟାର୍ଥ ବୋଧପରେ ବିମ୍ବ ପ୍ରତିବିମ୍ବ ଭାବ ପ୍ରତୀତ ହୁଏ । ନିଦେର୍ଶନାରେ ସମାନଧର୍ମ ଉପାତ୍ତ ହୋଇନଥାଏ, ଅର୍ଥରୁ ଆସେ । ଦୃଷ୍ଟାନ୍ତରେ ବିମ୍ବ ପ୍ରତିବିମ୍ବ ଭାବରେ ସମାନ ଧର୍ମ ଉପାତ୍ତ ହୋଇଥାଏ ।

 

ବ୍ୟତିରେକ ଅଳଙ୍କାର

 

ଉପମାନୁଁ ଉପମେୟେ ଆଧିକ୍ୟ ବର୍ଣ୍ଣନ

ଥିଲେ ବ୍ୟତିରେକ ନାମ ଅଳଙ୍କାର ଗଣ ।୧।

 

ସାଧାରଣତଃ ଉପମାନ, ଉପମେୟ ଅପେକ୍ଷା ଅଧିକଗୁଣ । ଉପମାନରେ ଥିବା ଅଧିକ ଗୁଣର ଉପମେୟରେ ଉଣା ସକାଶେ ଉପମାନ ସହିତ ଉପମେୟର ସାଦୃଶ୍ୟ ବର୍ଣ୍ଣିତ ହୋଇଥାଏ । କିନ୍ତୁ ଯଦି ଉପମେୟ ଉପମାନ ଅପେକ୍ଷା ଅଧିକ ବୋଲି ବର୍ଣ୍ଣନ କରାଯାଏ, ତେବେ ବ୍ୟତିରେକ ଅଳଙ୍କାର ହୁଏ । ପ୍ରତୀପାଳଙ୍କାରରେ ଉପମେୟ ଉପମାନ ରୂପେ ସନ୍ନିବେଶିତ ହୋଇଥାଏ, ଆଧିକ୍ୟ କଣ୍ଠତଃ ଉକ୍ତ ହୋଇ ନଥାଏ । ଏ ଅଳଙ୍କାରରେ ଉପମାନ ଅପେକ୍ଷା ଉପମେୟରେ ଆଧିକ୍ୟ ସ୍ପଷ୍ଟରୂପେ ପ୍ରତିପାଦିତ ହୋଇଥାଏ ।

 

ତପନ ବିକାଶେ ମ୍ଳାନ ବୈରବ ନିକର

କଳାକାର ସମୂଦେୟ ସଉଳେ କମଳ ।

କିନ୍ତୁ ନଦ ଅଭିଷିକ୍ତ ନଳଙ୍କ ଉଦୟେ

ସର୍ବ ଥିଲେ ପ୍ରଫୁଲ୍ଲିତ ଆନନ୍ଦାତିଶୟେ ।

ସହୃ ଦୟାନନ୍ଦ ।

 

ଏହି ପଦ୍ୟରେ ନଳ ଉପମେୟ,ଚନ୍ଦ୍ର ଓ ତପନ ଉପମାନ । ଚନ୍ଦ୍ର ଓ ତପନ ଅପେକ୍ଷାନଳଙ୍କାର ଉତ୍କର୍ଷ ପ୍ରତିପାଦିତ ହୋଇଅଛି । ଅଥବା-

ସର୍ପଠାରୁ                  ଖଳ ଉଗ୍ର, ତାହା

ପାଳୁ କେଲଭିବ ତ୍ରାହି,

ମନ୍ତ୍ରୌଷଧି ବଳେ            ବଶ ହୁଏ ସର୍ପ

ଖଳର ଔଷଧ ନାହିଁ ।

କନକଲତା ।

 

ଏପଦ୍ୟରେ ଉପମାନ ସର୍ପ ଅପେକ୍ଷା ଉପମେୟ ଖଳର ଆଧିକ୍ୟ ବର୍ଣ୍ଣିତ । ଅତଏବ ବ୍ୟତିରେକ ।

କଳ୍ପତରୁ କରେ ପ୍ରାର୍ଥିତ ସଫଳ

ଚିନ୍ତାମଣି ଦିଏ ଚିନ୍ତିତ କେବଳ ।

ଚିନ୍ତା ବ୍ୟତିରେକେ ପ୍ରାର୍ଥନା ଅଭାବେ

ସଖେ ସାଧିଅଛ କାର୍ଯ୍ୟ ତୁମ୍ଭେ ଭବେ ।

                                          ସହୃ ଦୟାନନ୍ଦ ।

ଏଠାରେ ବ୍ୟତିରେକ । ମାତ୍ର ଯଦି

ନାହିଁ ଏ ସଂସାରେ ତବ ଉପମାନ,

ଧନ୍ୟ ତୁମ୍ଭେ ଧନ୍ୟ ତବ ଗୁଣମାନ ।

 

ଏପରି କୁହାଯାଏ, ତେବେ ଅସମାନାଳଙ୍କାରହିଁ ହେବ । ଏହି ଉଦାହରଣ ଗୁଡ଼ିକରେ ବାଚକ ଶବ୍ଦ ନଥିଲେ ମଧ୍ୟ ଉପମାନ ଉପମେୟ ଭାବ ସ୍ପଷ୍ଟରେ ପ୍ରତୀତ ହୁଏ ।

 

ଅନେକ ଉପମାନ ଅପେକ୍ଷା ଉପମେୟର ଆଧିକ୍ୟ ବା ନ୍ୟୂନତା ଥିଲେ ବ୍ୟତିରେକ ହୁଏ ବୋଲି ସ୍ୱୀକାର କରନ୍ତି । ଉପମାରେ ସର୍ବଦା ଉପମେୟ ଅପେକ୍ଷା ଉପମାନର ଆଧିକ୍ୟ ଥାଏ । ଅତଏବ ଉପମାନର ଆଧିକ୍ୟରେ ମଧ୍ୟ ବ୍ୟତିରେକ ସ୍ୱୀକାର କରିବା ସମୁଚିତ ବୋଧ ହେଉଅଛି । ଉପମାନର ଆଧିକ୍ୟରେ ବ୍ୟତିରେକ ସ୍ୱୀକାର କରିବାକୁ ହେଲେ ଉପମା ଅପେକ୍ଷା କିଛି ବିଶେଷତ୍ୱ ଦେଖାଇବାକୁ ହେବ । ତାହା ଦେଖାଯାଏ ନାହିଁ । ସୁତରାଂ ଉପମେୟର ନ୍ୟୂନତାରେ (ବା ଉପମାନର ଆଧିକ୍ୟରେ) ବ୍ୟତିରେକ ସ୍ୱୀକାର କରା ସଙ୍ଗତ ବୋଧ ହୁଏ ନାହିଁ ।

 

ବିନୋକ୍ତି ଅଳଙ୍କାର

 

ଏକ ବ୍ୟତିରେକେ ବସ୍ତୁ ଯେବେ ମନୋହର

ହୁଏ ଅବା ନୋହେ, ତେବେ ବିନୋକ୍ତ୍ୟଳଙ୍କାର । ୨୨ ।

 

ଯଦି ଏକ ବସ୍ତୁର ବ୍ୟତିରେକରେ ( ଅଭାବରେ) ରମଣୀୟ ବସ୍ତୁ ବିରସ ବୋଧହୁଏ, ଅଥବା ଏକର ଅଭାବରେ ବସ୍ତୁ ଯଦି ମନୋହର ହୁଏ, ତେବେ ବିନୋକ୍ତି ଅଳଙ୍କାର । ବିନା ଶବ୍ଦ ନଥିଲେ ମଧ୍ୟ ବିନା ଶବ୍ଦର ଅର୍ଥ ପ୍ରତୀତ ହେଉଥିଲେ ଏହି ଅଳଙ୍କାର ହୁଏ, ବିନା ଶବ୍ଦ ଥିଲେହେଁ ଚମତ୍କାର ନଥିଲେ ଏହି ଅଳଙ୍କାର ହୁଏ ନାହିଁ । ଉଦାହରଣ-

 

ସେ ସୁଖୁ ବଞ୍ଚିତ ହେଲେ ନବଞ୍ଚିବ ସୀତା

ପ୍ରଭୁ ପାଦ ସେବା ବିନା ବିଶ୍ୱ ତାକୁ ପିତା ।

କାନ୍ତ ବିନା କାନ୍ତପ୍ରାଣ ସ୍ୱଭାବେ ବିକଳ

ବିକଳ ଜୀବନ ମଣେ ଜଗତ ବିଫଳ ।

ତପସ୍ୱିନୀ ।

 

ଏହି ପଦ୍ୟରେ ରାମଚନ୍ଦ୍ରଙ୍କର ପାଦସେବାର ଅଭାବରେ ସୀତାଙ୍କ ପକ୍ଷରେ ଜଗତର ବିରସତା ଓ କାନ୍ତ ବିନା କାନ୍ତା ପ୍ରାଣର ବିକଳତା ପ୍ରତିପାଦିତ ହୋଇଅଛି । ଅତଏବ ବିନୋକ୍ତି ଅଳଙ୍କାର ।

 

ହେଉ ପଛେ ଧନେ କୁବେର ସମାନ

ଶାସ୍ତ୍ରେ ବାଚସ୍ପତି ଚିର ଆୟୁଷ୍ମାନ ।

ଏକ ହରି ଭକ୍ତି ବ୍ୟତିରେକ ନର

ନପାଏ ଆଦର, ତା ଜନ୍ମ ବିଫଳ ।

 

ଏହି ପଦ୍ୟରେ ମଧ୍ୟ ବିନୋକ୍ତି । ରୂପ-ଐଶ୍ୱର୍ଯାଦି ସଂପନ୍ନ ମନୁଷ୍ୟର ମଧ୍ୟ ହରିଭକ୍ତି ଅଭାବରେ ଅନାଦରତା ଓ ନିରର୍ଥକ ଜନ୍ମତା ପ୍ରତିପାଦିତ ହୋଇଅଛି ।

 

କବିତା ଅଭାବେ ପ୍ରସନ୍ନ ବଦନ

ପ୍ରେୟସୀ-ବିରହେ ଧନୀର ସଦନ,

ଧନ ବିନା ରାଜ୍ୟ, ଜ୍ଞାନ ବିନା ଜନ

ନ କରେ ବିଶେଷେ ମାନସ ରଞ୍ଜନ ।

 

ଏ ପଦ୍ୟରେ ମଧ୍ୟ ବିନୋକ୍ତ୍ୟଳଙ୍କାର ସ୍ପଷ୍ଟ । ଉକ୍ତ ଉଦାହରଣ ଗୁଡ଼ିକରେ ଏକ ଅଭାବରେ ବସ୍ତୁର ବିରାସତା ବର୍ଣ୍ଣିତ ।

ଏକ ବିରହରେ ବସ୍ତୁର ରମଣୀୟତା ଯଥା-

ଖଳ ବିନା ସଭା ପଙ୍କ ବିନା ସରୋବର

କଟୁ ବର୍ଣ୍ଣ ବିନା କାବ୍ୟ ଦିଶେ ମନୋହର ।

 

ଏ ପଦ୍ୟରେ ଖଳାଦି ବ୍ୟତିରେକରେ ସଭାଦିର ମନୋହରର ସ୍ପଷ୍ଟ ରୂପେ ବର୍ଣ୍ଣିତ ହୋଇଅଛି ।

 

ନଳିନୀ ଜନମ ନିଶ୍ଚେ ନିରର୍ଥକ

ନ ଦେଖେ ପ୍ରସନ୍ନ କୁମୁଦ ନାୟକ

ସୁଧାଂଶୁ ଜନମ ନିଷ୍ଫଳ ତେସନ

ନକରେ ବିକାଶି ନଳିନୀ ଦର୍ଶନ ।

 

ଏ ପଦ୍ୟରେ ବିନା ଶବ୍ଦ ବା ବିନା ଶବ୍ଦାର୍ଥ ଶବ୍ଦ ନଥିଲେ ମଧ୍ୟ ଏକର ଦର୍ଶନ ଅଭାବରେ ଅନ୍ୟର ଜନ୍ମ ନିରର୍ଥକ ବୋଲି ପ୍ରତୀତ ହୁଏ । ଅତଏବ ବିନୋକ୍ତି ଅଳଙ୍କାର ।

 

ସହୋକ୍ତି ଅଳଙ୍କାର

 

ଯାହା ସହ ଯେ ପଦାର୍ଥ ହୁଏ ମନୋହର

ସେ ଦୁହିଙ୍କୁ ସମାବେଶେ ସହୋକ୍ତ୍ୟଳଙ୍କାର । ୨୩ ।

 

ଯେଉଁ ବସ୍ତୁ ସହିତ ଯେଉଁ ବସ୍ତୁ ମନୋହର ଦେଖାଯାଏ, ସେହି ବସ୍ତୁ ସହ ତାର ଅବସ୍ଥିତ ବର୍ଣ୍ଣିତ ହୋଇଥିଲେ ସହୋକ୍ତି ହୁଏ । କେବଳ ସହଭାବ ବର୍ଣ୍ଣିତ ହୋଇଥିଲେ ଏ ଅଳଙ୍କାର ହୁଏ ନାହିଁ, ସହଭାବ ଅତିଶୟୋକ୍ତି ଗର୍ଭକ ବା ବିଶେଷେ ଚମତ୍କାରାଦାୟକ ହୋଇଥିଲେ ସହୋକ୍ତି ହୁଏ-

 

ବିଳାସର ଖଣି ସେ ବଙ୍କିମ ଠାଣି

ମିଶିଛି ତା ସଙ୍ଗେ ତରଙ୍ଗ ଚାହାଣି ।

ଚାରୁ ଭୁରୁଲତା ତା ସଙ୍ଗେ ଖେଳଇ

ମାର ଗାରୁଡ଼ିଆ ଖେଳାଏ କି ଅହି ।

                                    ନନ୍ଦିକା ।

 

ଏଠାରେ ବଙ୍କିମ ଠାଣିର ସହ ତରଙ୍ଗ ଚାହାଣିର ଓ ତରଙ୍ଗ ଚାହାଣି ସହ ଭ୍ରୂଲତାର ସମାବେଶ ଚିତ୍ତ ଆକର୍ଷଣ କରୁଅଛି । ଅତଏବ ସହୋକ୍ତି ।

 

କୁମାରଙ୍କ ତେଜ ବିଦ୍ୟୁତ ସହିତ

ମିଶି ଦଶ ଦିଗ କଲା ଆଲୋକିତ ।

ହରଷେ ବାସଦ କଲେ ତୋପ ଧ୍ୱନି

ନଜାଣିଲା ଲୋକେ ବୋଇଲେ ଅଶନି ।

ଦିଗଙ୍ଗନାଙ୍କର ହୁଳ ହୁଳି ସଙ୍ଗେ

ଘନ ଘଡ଼ ଘଡ଼ି ମିଶିଗଲା ରଙ୍ଗେ ।

ତପସ୍ୱିନୀ ।

 

ଏଠାରେ ମଧ୍ୟ ବିଦ୍ୟୁତ ସହିତ ତେଜର ଓ ହୁଳହୁଳି ସହିତ ଘନ ଘଡ଼ଘଡ଼ିର ସହଭାବ ଚମତ୍କାର ଧାୟକ । ଅତଏବ ସହୋକ୍ତି ।

 

ଶକୁନ୍ତଳା ପୂର୍ବ-            ସ୍ୱଭାବ ସହିତ

ଦିବାକର ହେଲେ ଅସ୍ତ,

ନବୀନ ପ୍ରକୃତି-            ସଙ୍ଗେ ତାର ନବ

ସନ୍ଧ୍ୟା ହେଲା ଉପଗତ ।

ଗଗନ ପବନ            ବନ ଅଭିନବ

ହେଲା ତା ନବଜୀବନେ,

ସନ୍ଧ୍ୟାରାଗ ସହ             ନବରାଗ ଜାତ

ହେଲା ନବୀନାର ମନେ ।

ପ୍ରଣୟ

 

ଏ ପଦ୍ୟରେ ସହୋକ୍ତ୍ୟଳଙ୍କାର ସ୍ପଷ୍ଟ । କବି ସହୋକ୍ତି ଆଶ୍ରୟରେ ସନ୍ଧ୍ୟା ଓ ଶକୁନ୍ତଳାଙ୍କର ତାତ୍କାଳିକ ଅବସ୍ଥା ସୁନ୍ଦର ରୂପେ ଚିତ୍ରଣ କରିଅଛନ୍ତି ।

 

Unknown

ସମାସୋକ୍ତି ଅଳଙ୍କାର

 

ସମାସୋକ୍ତି, କାର୍ଯ୍ୟଲିଙ୍ଗ ବ୍ୟବହାର ବଳେ,

ଅନ୍ୟ ବ୍ୟବହାରାରୋପ ହେଲେ ପ୍ରସ୍ତୁତରେ । ୨୪ ।

 

ପ୍ରସ୍ତୁତ ବୃତ୍ତାନ୍ତ ବର୍ଣ୍ଣିତ ହୋଇଥିବ । ସେ ସ୍ଥଳରେ ପ୍ରସ୍ତୁତ କାର୍ଯ୍ୟରୁ ପ୍ରସ୍ତୁତମାନଙ୍କର ଲିଙ୍ଗ ସାମ୍ୟ ବଳରୁ ଅଥବା ବିଶେଷ ସାମ୍ୟ ବଳରୁ ଯଦି ଅପ୍ରସ୍ତୁତ ବୃତ୍ତାନ୍ତର ସ୍ଫୁର୍ତ୍ତି ହୁଏ, ତେବେ ସମାସୋକ୍ତି । ସମାସୋକ୍ତିର ଅର୍ଥ ସଂକ୍ଷପରେ କଥନ ପ୍ରସ୍ତୁତ ଓ ଅପ୍ରସ୍ତୁତ ବୃତ୍ତାନ୍ତର ଯଦି କୌଣସି ସମ୍ବନ୍ଧ ନରହେ, ତେବେ ଅପ୍ରସ୍ତୁତ ବୃତ୍ତାନ୍ତ ପ୍ରତୀତ ବ୍ୟର୍ଥ ହେବ । ଅତଏବ ପ୍ରସ୍ତୁତ ବୃତ୍ତାନ୍ତରେ ଅପ୍ରସ୍ତୁତ ବୃତ୍ତାନ୍ତ ଆରୋପ କରାଯାଏ । ଏହି ବ୍ୟବହାର ସମାରୋପହିଁ ସମାସୋକ୍ତିରେ ଚମତ୍କାରର ହେତୁ ପ୍ରତୀୟମାନ ବୃତ୍ତାନ୍ତ ଉପମାନ ରୂପେ ପ୍ରସ୍ତୁତ ବୃତ୍ତାନ୍ତ ସହ ଅନ୍ୱିତ ହୋଇଥାଏ ।

 

କାର୍ଯ ସାମ୍ୟ ବଶତଃ ଅପ୍ରସ୍ତୁତ ପ୍ରତୀତ ଯଥା-

ବିହଙ୍ଗମ ଗଣ            ଡାକନ୍ତେ ଗଗନ

ପ୍ରାଙ୍ଗଣେ ତାରକା କୁଳ,

ଏକ ପଛେ ଏକ            ତାପଛେ ଅନେକ

ଆସି ହୋଇଗଲେ ଠୁଳ ।

ତପସ୍ୱିନୀ ।

 

ଏ ପଦ୍ୟରେ ସନ୍ଧ୍ୟାକାଳର ଦୃଶ୍ୟ ବର୍ଣ୍ଣନା କରାଯାଇଅଛି । କବି ବିହଙ୍ଗଗଣ ଡାକନ୍ତେ ତାରକାକୁଳ ଏକ ପଛେ ଏକ ତା ପଛେ ଅନେକ ଆସି ଗଗନ ପ୍ରାଙ୍ଗଣେ ଠୁଳ ହେଲେ ବୋଲି ବର୍ଣ୍ଣନା କରିଅଛନ୍ତି । ସମାନ କାର୍ଯ୍ୟ ହେତୁ ରାଜ୍ୟଭୃତ୍ୟ ଡାକନ୍ତେ ପ୍ରଜାମାନେ ଏକ ପଛେ ଏକ ତା ପଛେ ଅନେକ ଆସି ରାଜପ୍ରାଙ୍ଗଣରେ ଠୁଳ ହୁଅନ୍ତି । ଏହି ଅର୍ଥର ବି ପ୍ରତୀତ ହୁଏ । ଏ ଅର୍ଥ ଅପ୍ରକୃତ ହେଲେ ମଧ୍ୟ ଉପମାନ ଭାବେ ପ୍ରସ୍ତୁତ ସହ ଅନ୍ୱିତ ହୁଏ । ଯେପରି ରାଜଭୃତ୍ୟମାନେ ଡାକନ୍ତେ ପ୍ରଜାମାନେ କ୍ରମେ କ୍ରମେ ଆସି ରାଜ ପ୍ରାଙ୍ଗଣରେ ଠୁଳ ହୁଅନ୍ତି । ସେପରି ତାରକାକୁଳ ବିହଙ୍ଗମେ ଡାକନ୍ତେ କ୍ରମେ କ୍ରମେ ପ୍ରକାଶିଗଗନ ଠୁଳ ହେଲେ । ଉପମା ବାଚକ ଶବ୍ଦ ନଥିବାରୁ ଉପମାନ ବୃତ୍ତାନ୍ତ କେବଳ ଆରୋପିତ ହୁଏ ।

 

କେ ବୋଲଇ ଚାଲ ଗୋଳ କରି ଭଲ କରି ଦେଇ ସିନା ସେ ବୋଧ କରମ୍ବିତ ହୋଇ କୁଞ୍ଜବନେ ନେଇ କରିବା ଦହୁପାଶେ ବଦ୍ଧ ।

 

କଲେ ଏମନ୍ତ, ଶଙ୍କାଥିବ କାଳକାଳକୁ,

କେ ବୋଲେ କି ବୋଲମଧୁକର ଗେଲ ବଢେ ନିଦ୍ରା ପଦ୍ମ କୋଳକୁ ।

ରସ ।

 

ଏଠାରେ ମଧ୍ୟ ଅପ୍ରସ୍ତୁତ ବୃତ୍ତାନ୍ତର ସ୍ଫୂର୍ତ୍ତି ଦେଖାଯାଏ । ଯେପରି ଅପରାଧୀକୁ ସମସ୍ତେ ମିଶି ସତର୍କରେ ବାନ୍ଧି ରଖିଲେ ଶଙ୍କା ନଥାଏ, ଯେପରି ଶ୍ରୀକୃଷ୍ଣଙ୍କୁ ବାହୁପାଶରେ ବଦ୍ଧ କଲେ ଆଉ ଶଙ୍କା ନଥିବ-ଏହି ଅର୍ଥ ପ୍ରତୀତ ହୁଏ । ଅପ୍ରକୃତ ପ୍ରତୀୟମାନ ଅର୍ଥ ଉପମାନ ରୂପେ ପ୍ରକୃତ ବୃତ୍ତାନ୍ତରେ ଅନ୍ୱିତ ହୁଏ । ଅତଏବ ସମାସୋକ୍ତି । ଲିଙ୍ଗ ବଳେ ଅପ୍ରସ୍ତୁତ ବୃତ୍ତାନ୍ତର ପ୍ରତୀତ ଯଥା-

 

ତମସା ତଟ ବଟ-ବିଟପିତଳ

ନିବିଡ଼ କିଶଳୟ ଛାୟା ଶୀତଳ ।

ଯହିଁ କୂଟଜ-ବାସ ପୂର୍ଣ୍ଣ ଉଟଜେ

ସହଜେ ଗ୍ରୀଷ୍ମ ଶାନ୍ତି ଚାରଣେ ଭଜେ ।

ତପସ୍ୱିନୀ ।

 

ଏହି ପଦ୍ୟରେ ଗ୍ରୀଷ୍ମ ପୁଂଲିଙ୍ଗ, ଶାନ୍ତି ସ୍ତ୍ରୀ ଲିଙ୍ଗ । ଏହି ଲିଙ୍ଗ ବଳରେ ‘‘ପ୍ରୀୟ ପ୍ରେୟସୀ ଚରଣେ ଭଜେ’’ ଏହି ଅପ୍ରକୃତ ଅର୍ଥ ପ୍ରତୀତ ହୋଇ ଉପମାନ ଭାବେ ପ୍ରସ୍ତୁତ ସହ ଅନ୍ୱିତ ହେଉଅଛି ।

ସରଯୂ ତଟସ୍ଥ            ରମ୍ୟ-ଉପବନ-

ସୁଚାସ-ପୁଷ୍ପ ପରାଗ,

ବୋଳି ଦେଉଥାଏ            ନଗରୀ ଅଙ୍ଗରେ

ବହି ଅତି ଅନୁରାଗ ।

ଇନ୍ଦୁମତୀ ।

 

ଏହି ପଦ୍ୟରେ ମଧ୍ୟ ‘‘ପ୍ରିୟତମ ଅନୁରାଗ ଦହି ଅଙ୍ଗରେ ଅଙ୍ଗରାଗ ବେଳେ’’ ଏହି ପ୍ରତୀୟମାନ ଅର୍ଥ ଉପମାନ ରୂପେ ପ୍ରସ୍ତୁତ ସହିତ ଅନ୍ୱିତ ହୋଇ ଚିତ୍ତ ଆକର୍ଷଣ କରୁଅଛି । ଏଠାରେ ଅପ୍ରସ୍ତୁତ ପ୍ରତୀତର ନିମିତ୍ତ ଉପବନଗତ ଲିଙ୍ଗ ଓ ନାଗରୀଗତ ଲିଙ୍ଗ ।

 

ମନ୍ଦାନିଳ ହସ୍ତେ            ତୋଳାଇ ପ୍ରଭାତେ

ପ୍ରଫୁଲ୍ଲ ପ୍ରସୃନାବଳୀ,

ପ୍ରକୃତ ସୁନ୍ଦରୀ            ଦେଉଥାଏ ନିତି

ସୁରଶିରେ ପୁଷ୍ପାଞ୍ଜଳି ।

ଇନ୍ଦୁମତୀ ।

 

ଏ ପଦ୍ୟରେ ମଧ୍ୟ ଅପ୍ରସ୍ତୁତ ବୃତ୍ତାନ୍ତ ପ୍ରତୀତ ହୋଇ ଚମତ୍କାର ପୋଷିତ କରେ । ନାୟିକାର ପରିଜନ ହସ୍ତେ ପୁଷ୍ପ ଚୟନ ପୂର୍ବକ ନାୟକ ଶିରେ ପୁଷ୍ପାଞ୍ଜଳି ପ୍ରକ୍ଷେପ ଅପ୍ରକୃତ ବସ୍ତୁ । କେବଳ ପ୍ରକୃତିଗତ ସ୍ତ୍ରୀ ଲିଙ୍ଗ ଓ ସରଶଦ୍ଧତ ପୁଂଲିଙ୍ଗ ସେହି ଅପ୍ରସ୍ତୁତ ବୃତ୍ତାନ୍ତ ପ୍ରତୀତର ନିମିତ୍ତ ।

 

ବିଶେଷଣ ସାମ୍ୟରୁ ମଧ୍ୟ ଅପ୍ରସ୍ତୁତ ବୃତ୍ତାନ୍ତର ପ୍ରତୀତ ହୋଇଥାଏ । ବିଶେଷଣ ଗୁଡ଼ିକ ଶ୍ଳିଷ୍ଟ ହୋଇଥିଲେ (ଦ୍ୱ୍ୟର୍ଥ ପ୍ରତିପାଦକ ହୋଇଥିଲେ) ବା ସାଧାରଣ (ପ୍ରସ୍ତୁତ ଓ ଅପ୍ରସ୍ତୁତ ବସ୍ତୁରେ ସମାନ ଭାବେ ଅନ୍ୱିତ) ହୋଇଥିଲେ କିମ୍ବା ଉପମାଗର୍ଭକ ହେଲେ ଅପ୍ରସ୍ତୁତ ବସ୍ତୁର ସ୍ଫୁର୍ତ୍ତି ହୁଏ ।

 

ଶ୍ଳେଷବଶତଃ ଯଥା-

ଦେଖ ପ୍ରିୟେ ରକ୍ତ            ତୁହିନ କିରଣ

ପୌରନ୍ଦରୀ ମୁଖ            କରୁଛି ଚୁମ୍ବନ ।

 

ଏ ପଦ୍ୟରେ ଚନ୍ଦ୍ରୋଦୟ ବର୍ଣ୍ଣନୀୟ । ଉକ୍ତ ପଦଟି ରକ୍ତବର୍ଣ୍ଣ ଓ ଅନୁରାଗ ପୂର୍ଣ୍ଣ, ଏହି ଦୁଇ ଅର୍ଥ ପ୍ରକାଶ କରେ । ସେ ବଳରେ ଅପ୍ରସ୍ତୁତ ବୃତ୍ତାନ୍ତର ପ୍ରତୀତ ହୁଏ । ଧୂର୍ତ୍ତ ପରନାରୀ ମୁଖ ଅନୁରାଗ ବଶତଃ ଚୁମ୍ବି ଥାଏ । ଅପ୍ରସ୍ତୁତ ବୃତ୍ତାନ୍ତ । ଏ ବିଷୟରେ ମୁଖ ଓ ଚୁମ୍ବନ ଶଦ୍ଧର ଶ୍ଳିଷ୍ଟତା ଓ ଚଦ୍ରଗତ ପୁଂଲିଙ୍ଗ ଓ ପୌରନ୍ଦରୀ ଗତ ସ୍ତ୍ରୀଲିଙ୍ଗ ମଧ୍ୟ ସାହାଯ୍ୟ କରେ ।

 

ଗଳିତ ତିମି ରାବରଣା ରାଗେ କରମ୍ବିତା

ଦେଖି ଦାସବୀକୁ ତପନ କରେ ଆଲିଙ୍ଗତା ।

ବିଶେଷେ କଳୁଷ ଅନ୍ତର ପାଣ୍ଡୁର ବରଣ

ତୁହିନ କିରଣ ଆଶିଲେ ଦାରୁଣୀ ସଦନ ।

 

ଏ ପଦ୍ୟରେ ସମସ୍ତ ବିଶେଷଣ ଶ୍ଳିଷ୍ଟ । ଗଳିତ ତିମିରର ଆବରଣ ଯହିଁରେ ଓ ଗଳିତ ତିମିର ପରି ଆବରଣ ( ବସ୍ତ୍ର) ଯାହାର, ରାଗେ କରମ୍ବିତା = ରକ୍ତ ବର୍ଣ୍ଣା । ଅଥଚ ଅନୁରକ୍ତା, ବିଶେଷେ କଳୁଷ-ଅନ୍ତର-ବିଶେଷରେ କଳଙ୍କିତ ମଧ୍ୟଭାଗ ଯାହାର ଏବଂ ଈର୍ଷାପୂର୍ଣ୍ଣ ହୃଦୟ । ପାଣ୍ଡୁର ଛବି = ପାଣ୍ଡୁର କାନ୍ତି, ବିରହ ବଶତଃ ପାଣ୍ଡୁର ବର୍ଣ୍ଣା । ଏପରି ବିଶେଷଣ ଶ୍ଳେଷ୍ଟ ବଶତଃ ଦାସବୀ ଦିଗରେ ବନ୍ଧକୀ ବ୍ୟବାହାର ଓ ଚନ୍ଦ୍ରଙ୍କ ଠାରେ ନାୟକ ବ୍ୟବହାରର ସମାରୋପ ଦେଖାଯାଏ ।

 

ବିଶେଷଣର ସାଧାରଣତାରେ ଅପ୍ରସ୍ତୁତ ପ୍ରତୀତ ଯଥା-

ଚନ୍ଦ୍ରିକାଲିଙ୍ଗନ ସୁଖେ ପ୍ରଫୁଲ୍ଲିତ

ହୃଦୟ ସରିତପତି,

ସରିତଙ୍କ ପ୍ରତି            ଆନାଦର କରି

ଠେଲି ଦେଲା ପଛକତି ।            କୀଚକ ।

 

ଏ ପଦ୍ୟରେ ‘ପ୍ରଫୁଲ୍ଲିତ ହୃଦୟ’ ଏ ବିଶେଷଣଟି ପ୍ରସ୍ତୁତ ଓ ଅପ୍ରସ୍ତୁତରେ ସମାନଭାବେ ଅନ୍ୱିତ ହେଉଅଛି । ଅନ୍ୟ ସ୍ତ୍ରୀର ଆଲିଙ୍ଗନେ ପ୍ରଫୁଲ୍ଲ ହୃଦୟ ମନୁଷ୍ୟ ସ୍ୱସ୍ତ୍ରୀ ପ୍ରତି ଅନାଦର କରି ପଛକୁ ଠେଲି ଦିଏ, ଏହି ଅପ୍ରସ୍ତୁତ ବୃତ୍ତାନ୍ତର ସମାରୋପ ଚାରୁତାଧାୟକ ।

 

ଉପମା ଗର୍ଭକ ବିଶେଷଣ ବଳେ ଅପ୍ରସ୍ତୁତ ପ୍ରତୀତ ଯଥା-

 

ଦଶନ କିରଣ-କୁସୁମହାସିନୀ

କରକିଶଳୟେ ବିଶିଷେ ଶୋଭିନୀ

କେଶାଳ ଭାସୁରା ଶୋଭା ପୁରନ୍ଦରୀ

କୁରଙ୍ଗ ନୟନା ମନ ନେଲା ହରି ।

 

ଏଠାରେ ନାୟିକା ବର୍ଣ୍ଣନୀୟା । ବିଶେଷଣ ଗୁଡ଼ିକ ଉପମା ଗର୍ଭକ । ଦଶନକିରଣ କୁସୁମ ପରି କର କିଶଳୟ ପରି, କେଶ ଅଳିପରି- ଏପରି ପ୍ରକୃତ ବସ୍ତୁସହ ଅନ୍ୱିତ ହୁଅନ୍ତି । ପ୍ରକୃତାର୍ଥ ପ୍ରତୀତ ପରେ, ଦଶନ କିରଣ ପରି କୁସୁମଳ କର ପରି କିଶଳୟ, କେଶପରି ଅଳି--ଏପରି ଅର୍ଥ ବଳରୁ ଅପ୍ରସ୍ତୁତ ଲତା ବ୍ୟବହାରର ପ୍ରତୀତ ହୁଏ । ସୁତରାଂ ସମାସୋକ୍ତି ।

 

ଉପମାଗର୍ଭକ ବିଶେଷଣ ବଳରୁ ଅପ୍ରସ୍ତୁତ ବୃତ୍ତାନ୍ତର ପ୍ରତୀତ ହେଉଥିଲେ ସମାସୋକ୍ତି ହୁଏ ନାହିଁ । ସମାସୋକ୍ତିରେ ଅପ୍ରସ୍ତୁତ ବ୍ୟବହାରର ସମାରୋପ ଥାଏ । ଏପରି ସ୍ଥଳରେ ଅପ୍ରସ୍ତୁତ ସ୍ୱରୂପର କେବଳ ସମାରୋପ ଦେଖାଯାଏ । ଅନ୍ୟାନ୍ୟ ଧର୍ମ ଗୁଡ଼ିକ ସମାସ ବଳରେ ଉପମାନ ଭାବେ ଅନ୍ୱିତ ହୋଇଥାନ୍ତି । ଉକ୍ତ ଉଦାହରଣରେ କେବଳ ଲତା ପଦ ନାହିଁ । ଅନ୍ୟ ସମସ୍ତ ଉକ୍ତ ହୋଇଅଛି । ଅତଏବ ଏପରି ସ୍ଥଳରେ ଏକ ଦେଶ ବିବର୍ତ୍ତନୀ ଉପମା ବା ଏକଦେଶ ବିବର୍ତ୍ତୀ ରୂପକ ହେବା ଉଚିତ । ଯେଉଁମାନେ ଏକଦେଶ ବିବର୍ତ୍ତିନୀ ଉପମା ବା ଏକ ଦେଶ ବିବର୍ତ୍ତୀ ରୂପକ ମାନନ୍ତ ନାହିଁ, ସେମାନଙ୍କ ମତରେ ଏଠାରେ ସମାସୋକ୍ତ ହୋଇପାରେ ।

 

ପରିହାର ଅଳଙ୍କାର

 

ଯଦି ଥାଏ ଅଭିପ୍ରାୟ ଗର୍ଭ ବିଶେଷଣ

ପରିକର ଅଳଙ୍କାର ବୋଲି ତେବେ ଗଣ । ୨୫ ।

 

ଯଦି ବିଶେଷଣ ଅଭିପ୍ରାୟଗର୍ଭକ ହୁଏ, ଅର୍ଥାତ୍ ବିଶେଷଣ ପ୍ରକୃତାର୍ଥ ଉପପାଦକ ଏକ ଅର୍ଥ ପ୍ରକାଶ କରେ ତେବେ ପରିକର ଅଳଙ୍କାର ହୁଏ । ନିରର୍ଥକ ବିଶେଷଶ ଉପାତ୍ତ ହୋଇଥିଲେ ଅପୁଷ୍ଟାର୍ଥ ଦୋଷ ହୁଏ, ସୁତରାଂ ବିଶେଷଣ ସପ୍ରୟୋଜନ ହେଲେ ଦୋଷ ରହେ ନାହିଁ ସିନା, ଅଳଙ୍କାର ହୁଏ ନାହିଁ । କିନ୍ତୁ ଯେଉଁ ସ୍ଥଳରେ ଅନେକ ଅଭିପ୍ରାୟ ଗର୍ଭକ ବିଶେଷଣ ଥାଏ, ସେଠାରେ ବୈଚିତ୍ର୍ୟ ରହେ ବୋଲି ଅଳଙ୍କାର ରୂପେ ଗଣନା କରାଯାଏ-ଏପରି ଅନେକ ଆଳଙ୍କାରିକ ମନେ କରିଥାନ୍ତି । ଦେଖିବାକୁ ହେଲେ ଏକ ବିଶେଷଣ ମଧ୍ୟ ସାଭିପ୍ରାୟ ହେଲେ ପରିକର ହୋଇପାରେ, ଯମକ-ଅନୁପ୍ରାସାଦି ସ୍ଥଳରେ ଅପୁଷ୍ଟାର୍ଥ ଦୋଷ ହୁଏ ନାହିଁ, ସେପରି ସ୍ଥଳରେ ଗୋଟିଏ ସାଭିପ୍ରାୟ ବିଶେଷଣ ଥିଲେ ମଧ୍ୟ ଅବଶ୍ୟ ଘରକର ଅଳଙ୍କାର ମାନିବାକୁ ହେବ । ସୁତରାଂ ଗୋଟିଏ ବା ଅନେକ ବିଶେଷଣ ସାଭିପ୍ରାୟ ହେଲେ ପରିକର ହୁଏ । ଉଦାହରଣ-

 

ପାଣ୍ଡବର ପକ୍ଷପାତୀ ଆବର ସ୍ଥବିର,

ଭୀଷ୍ମ ଦ୍ରୋଣ ନିଧନେ ହେ ନହୁଅ ଅସ୍ଥିର ।

କର୍ଣ୍ଣବଧ ।

 

ଏହି ପଦ୍ୟରେ ‘ପାଣ୍ଡବ ପକ୍ଷପାତୀ’ ଓ ‘ସ୍ଥବିର’ ଏହି ଦୁଇଟି ବିଶେଷଣ ସାଭିପ୍ରାୟ । ଭୀଷ୍ମ ଦ୍ରୋଣଙ୍କର ପାଣ୍ଡବଙ୍କ ଠାରେ ପକ୍ଷପାତ ଥିଲା, ଅତଏବ ଭଲ କରି ଯୁଦ୍ଧ କରୁ ନଥିଲେ । ବିଶେଷତଃ ସ୍ଥବିର, ଶକ୍ତି ମଧ୍ୟ ନଥିଲା, ସେପରି ମନୁଷ୍ୟ ମରିଗଲେ ବୋଲି ଅସ୍ଥିର ହେବା ଉଚିତ ନୁହେଁ- ଏହି ଭାବ ବିଶେଷଣ ଦୁଇଟି ପ୍ରକାଶ କରନ୍ତି, ଅତଏବ ପରିକର ।

 

ଭୂଧୋତ୍ରି, ମାତଃ, ବସୁଧେ,

ଦ୍ୱିଧା ହୁଅ ତୁ ଲବେ,

ଶରଣ ସମ୍ଭାଳ, ଆଶ୍ରୟ

ମୋତେ ଦିଅ ଗରଭେ ।

ଚନ୍ଦ୍ରଭାଗା ।

 

ଏଠାରେ ଭୃଧୋତ୍ରୀ ପଦଟି ଅଭିପ୍ରାୟ ଗର୍ଭକ । ତୁମ୍ଭେ ସମସ୍ତ ଭୂତ ଧାରଣ କରିଅଛ, ମୁଁ ତୁମ୍ଭର ଶରଣାପନ୍ନ, ମୋତେ ରକ୍ଷାକର, ଗର୍ଭରେ ଧାରଣ କର, ଏହି ଅର୍ଥ ପ୍ରତୀତ ହୁଏ । ଅତଏବ ପରିକର ।

 

ପରିକରାଙ୍କୁର ଅଳଙ୍କାର

 

ଥିଲେ ଅଭିପ୍ରାୟ ଗର୍ଭ ବିଶେଷ୍ୟେପାଦାନ

ପରିକରାଙ୍କୁର ନାମେ ଅଳଙ୍କାରମାନ । ୨୬ ।

 

ଯଦ୍ୟପି ବିଶେଷ୍ୟ ଅଭିପ୍ରାୟ ଗର୍ଭକ ହୋଇ ଉପାତ୍ତ ହୋଇ ଥାଏ, ତେବେ ପରିକରାଙ୍କୁର ଅଳଙ୍କାର । ଯଥା-

ଅଧରାମୃତ ପାନେ ଲୋଭ ଜାତ,

ହୋଇଲେ ଶେଷ ଆନନ ବାଞ୍ଛିତ ।

ତୃପ୍ତି ନ ଲଭିଲେ ଆଲିଙ୍ଗନରେ

ପରଶଂସା କଲେ ଦାଣାର୍ଜ୍ଜୁନରେ ।

 

ଶ୍ରୀଅଙ୍ଗ ସଉରଭ ଲୋଭରେ,

ନାସା-ଆଶା ବିଶେଷିତ ହେବାରେ ।

ଦରଶନ ଲୋଭେ ନିନ୍ଦି ବିଧିକି

ଭାଜନ୍ତି ନକଲା ଇନ୍ଦ୍ର ବିଧିକି ।

 

ଯାହା କଲା ତାହା ନିମେଷ ଦେଲ,

ଅହ ସିଦ୍ଧି ହେଲେ କି ହାନି ଥିଲା ।

ଏ ଶୋଭା ହେଉଥିଲେ ଲୋକନ,

କରନ୍ତି ନାହିଁ ଏଡ଼େ ବିଘଟନ ।

ଚିନ୍ତାମଣି ।

 

ଏହି ପଦ୍ୟରେ ଦାଣାର୍ଜ୍ଜୁନ ପଦ ସହସ୍ର ବାହୁ ଅଭିପ୍ରାୟକ ଇନ୍ଦ୍ରପଦ ସହସ୍ର ନେତ୍ରାଭିପ୍ରାୟକ ଓ ଅହିପଦ ଚକ୍ଷୁଃଶ୍ରଦ ସ୍ତ୍ୱାଭିପ୍ରାୟକ, ଅତଏବ ଏଠାରେ ପରିକରାଙ୍କୁର ଅଳଙ୍କାର ।

 

ଶ୍ଳେଷ ଅଳଙ୍କାର

 

ଏକବାର ଉଚ୍ଚାରିତ ଶବ୍ଦରୁ ଅନେକ

ଅର୍ଥ ପ୍ରକାଶିତ ହେଲେ ଶ୍ଳେଷ ବୋଲି ଲେଖ ।୨୭ ।

 

ଯଦି ଏକବାର ଉଚ୍ଚାରିତ ନାନାର୍ଥ ଶବ୍ଦରୁ ବା ଶବ୍ଦମାନଙ୍କରୁ ଅନେକ ଅର୍ଥ ପ୍ରତୀତ ହୁଏ, ତେବେ ଶ୍ଳେଷଙ୍କାର । କେତେକ ସ୍ଥଳରେ ପ୍ରତୀୟମାନ ଦୁଇଟି ଅର୍ଥ ପକ୍ରରଣ ଉପଯୋଗୀ ହୋଇଥାଏ, କେତକ ସ୍ଥଳରେ ଶବ୍ଦବୋଧ୍ୟ ଦୁଇଟି ଅର୍ଥ ଅପ୍ରକୃତ ହୋଇଥାଏ, କେତେକ ସ୍ଥଳରେ ଗୋଟିଏ ପ୍ରକୃତ ଅନ୍ୟଟି ଅପ୍ରକୃତ ହୋଇଥାଏ । ଏପରି ଶ୍ଳେଷ ତିନି ପ୍ରକାର । ପ୍ରକୃତ ବିଷୟକ, ଅପ୍ରକୃତ ବିଷୟକ ଓ ପ୍ରକୃତାପ୍ରକୃତ ବିଷୟକ । ଶ୍ଳେଷରେ ବଶେଷ୍ୟ ଶ୍ଳିଷ୍ଟ ଥାଏ, ଅଥବା ନଥାଏ । ପ୍ରକୃତା ପ୍ରକୃତ ବିଷୟକ ଶ୍ଳେଷରେ ବିଶେଷ୍ୟ ଶ୍ଳିଷ୍ଟ ନଥାଏ । ବିଶେଷ୍ୟ ମଧ୍ୟ ଶ୍ଳିଷ୍ଟ ହେଲେ ଶକ୍ତିମୂଳ ଧ୍ୱନି ହୁଏ ସିନା, ଶ୍ଳେଷ ଅଳଙ୍କାର ହୁଏ ନାହିଁ ।

 

ପ୍ରକୃତ ବିଷୟକ ଶ୍ଳେଷ ଯଥା-

ବନ୍ଦଇ ଦିନବାନ୍ଧବ ହରି ଯେ ତନ ଚକ୍ର ଖଣ୍ଡନକାରୀ

ସଦା କମଳାନନ୍ଦ ବିସ୍ତାରି ସ୍ୱଭାବ ଈନ ଯେ,

ବିଭୁ ଅନନ୍ତ ଅଙ୍କ ବିହାରୀ, କର ପ୍ରତାପ ଯାର ସଞ୍ଚରି

ନିଶାଚରଙ୍କ ଉଲ୍ଲାସ ହରି, ପୁଜେ ସୁମନ ଯେ ।

ବୈଦଇନ ତେୟ ଯାହା ଅଗ୍ରତେ ସ୍ଥିତ ଯେ,

ବଇକୁଣ୍ଠ ପକ୍ଷକ ଲୋକ ତୋଷିତ ଯେ,

ବିକାଶ ଅଖଣ୍ଡିତ ମଣ୍ଡଳେ, ସିଂହ ଭାବରେ ତ୍ରାଡ଼ିତ କାଳେ

ଭବେ ତରଣି ହୋଇ ମଞ୍ଜୁଳେ ଗିରି ଊଦିତ ଯେ ।

ବୈଦେହୀ ।

 

ଏ ପଦ୍ୟରେ କବି ଦେବ ଦେବ ନାରାୟଣ ଓ ସୂର୍ଯ୍ୟ ଆଦି ଦେବ ସୂର୍ଯ୍ୟଙ୍କର ବନ୍ଦନା କରିଅଛନ୍ତି । ନାରାୟଣଙ୍କ ପକ୍ଷରେ ଏକ ଅର୍ଥ ହୁଏ, ସୂର୍ଯ୍ୟଙ୍କ ପକ୍ଷରେ ଅନ୍ୟ ଏକ ଅର୍ଥ ହୁଏ । ସମସ୍ତ ପଦଶ୍ଳିଷ୍ଟ ବା ଦ୍ୱ୍ୟର୍ଥ ପ୍ରତିପାଦକ । ଯେ ଅଜ୍ଞାନରାଶି ନାଶ କରନ୍ତି, ସର୍ବଦା ଲକ୍ଷ୍ମୀଙ୍କର ଆନନ୍ଦ ବର୍ଦ୍ଧିତ କରନ୍ତି, ପ୍ରକୃତରେ ଜଗତରେ ସ୍ୱାମୀ, ଶେଷ ଦେବଙ୍କର ଅଙ୍କରେ ଶୟନ କରନ୍ତି, ଯାହାଙ୍କର ସର୍ବତୋବିସାରୀ ବାହୁବଳ ରାକ୍ଷସଙ୍କର ଗର୍ବ ଖର୍ବ କରୁଅଛି, ଗରୁଡ଼ ଯାହାଙ୍କ ଆଗରେ ବିଦ୍ୟମାନ, ଦେବତାମାନେ ଯାହାଙ୍କୁ ସେବା କରନ୍ତି, ଯେ ବୈକୁଣ୍ଠନିବାସୀ ଓ ଭକ୍ତମାନଙ୍କର ଆନନ୍ଦଦାୟୀ, ସକଳ ଚରାଚର ବ୍ରହ୍ମାଣ୍ଡରେ ବ୍ୟାପୀ ରହିଛନ୍ତି, ଏକ ସମୟରେ ନୃସିଂହରୂପେ ଧାରଣ କରିଥିଲେ, ସଂସାର ସାଗରରେ ନୌକା ସ୍ୱରୂପ, ନୀଳାଚଳରେ ଜଗନ୍ନାଥ ରୂପେ ବିଦ୍ୟମାନ, ସେହି ଦୀନବାନ୍ଧବ ହରିଙ୍କୁ ମୁଁ ନମସ୍କାର କରୁଛି । ଏପରି ବିଷ୍ଣୁଙ୍କୁ ପକ୍ଷରେ ଅର୍ଥ ହୁଏ ।

 

ଯେ ଅନ୍ଧକାର ନାଶ କରନ୍ତି, ପଦ୍ମର ଆନନ୍ଦ ବର୍ଦ୍ଧନ କରନ୍ତି, ଈନ ବୋଲି ଯାହାଙ୍କର ନାମ, ଅନନ୍ତ ଆକାଶରେ ଯେ ବିହାର କରନ୍ତି, ଯାହାଙ୍କର କିରଣ ପବିତ୍ର ସଂଚାର କରି ପେଚକ ମାନଙ୍କର ଆନନ୍ଦ ଦୂର କରେ, ପଣ୍ଡିତମାନେ ଯାହାଙ୍କୁ ପୂଜା କରନ୍ତି, ଅରୁଣ ଯାହାଙ୍କ ଆଗରେ ସାରଥି ରୂପେ ବିଦ୍ୟମାନ, ଇନ୍ଦ୍ର ଯାହାଙ୍କର ସହାୟ, ଯେ ଲୋକପୂଜ୍ୟ, ଗୋଲାକାରରେ ପ୍ରକାଶିତ ହୁଅନ୍ତି, ସମୟରେ ସିଂହ ରାଶିରେ ଅବସ୍ଥାନ କରନ୍ତି, ‘ତରଣି’ ବୋଲି ଯାହାଙ୍କର ନାମ, ଯେ ଉଦୟାଚଳରେ ମନୋହର ଭାବେ ଉଦିତ ହୁଅନ୍ତି, ସେହି ଦିବସବନ୍ଧୁ ସୂର୍ଯ୍ୟଙ୍କୁ ମୁଁ ନମସ୍କାର କରୁଅଛି । ଏହିପରି ସୂର୍ଯ୍ୟଙ୍କ ପକ୍ଷରେ ଅର୍ଥ ହୋଇଥାଏ । ଏଠାରେ ହରିପଦ ବିଶେଷ୍ୟ, ସେ ମଧ୍ୟଶ୍ଳିଷ୍ଟ ( ଦ୍ୱ୍ୟର୍ଥ ପ୍ରତିପାଦକ) ପ୍ରକୃତ ବିଷୟକ ମଧ୍ୟରେ କେତେକ ସ୍ଥଳରେ ବିଶେଷ୍ୟ ମଧ୍ୟ ଶ୍ଳିଷ୍ଟ ହୋଇଥାଏ ।

 

ଅନନ୍ତ ଭୂଷଣ ବୃଷଧନୁ ଯୁତ ସହୃଦ ଭବ ତାପ ନାଶୀ

ଶ୍ରୀନିଳୟ ଦ୍ୱିଜରାଜ ବନ୍ଦନୀୟ ଜନକ ସୁଖକୁ ପ୍ରକାଶି

ସୁମରି, ମନେ ସେ ରାମଚନ୍ଦ୍ର ଶିବ,

କହେ ଉପଇନ୍ଦ୍ର ଭଞ୍ଜ ବୀରବର ଯୁବାଜନ କର୍ଣ୍ଣ -ଉଲ୍ଲାସି ।

ଲାବଣ୍ୟ ।

 

ଏହି ପଦ୍ୟରେ ଅନନ୍ତ ଭୂଷଣ ଇତ୍ୟାଦି ବିଶେଷଣ ଗୁଡ଼ିକ ଦୁଇ ଦୁଇଟି ଅ୍ରର୍ଥ ପ୍ରକାଶ କରନ୍ତି । କିନ୍ତୁ ବିଶେଷ୍ୟ ରାମଚନ୍ଦ୍ର ଓ ଶିବପଦ ଶ୍ଳିଷ୍ଟ ନୁହେଁ । ରାମଚନ୍ଦ୍ର ଓ ଶିବ ସ୍ତୋତବ୍ୟ ଅତଏବ ପ୍ରକୃତ ସୁତରାଂ ପ୍ରକୃତ ବିଷୟକ ଶ୍ଳେଷ ।

ଅପ୍ରକୃତ ବିଷୟକ ଶ୍ଳେଷ ଯଥା-

 

ପ୍ରସନ୍ନ ଆନନ, ଲୁବ୍‍ଧ ଶିଳୀମୁଖାକୁଳ

ବନବିଳାସି କମଳ ପରାଏ ମଞ୍ଜୁଳ ।

 

ଏଠାରେ ମୁଖ ବର୍ଣ୍ଣନୀୟ । ପଦ୍ମ ଓ ହରଣ ବର୍ଣ୍ଣନୀୟ ନୁହନ୍ତି । ମୁଖ ବ୍ୟାଧବାଣଭୀତ ବନବାସୀ ହରିଣ ପରି, ମଧୁଲୋଭ ମଧୁକରାକୁଳ ଜଳବିକସିତ ପଦ୍ମ ପରି ମନୋହର-ଏହି ଅର୍ଥ ପ୍ରକାଶ ପାଏ । ଦୁଇଟି ଅର୍ଥ ଅପ୍ରକୃତ । ଅତଏବ ଅପ୍ରକୃତ ବିଷୟକ ଶ୍ଳେଷ । ଏଠାରେ ମଧ୍ୟ ବିଶେଷ୍ୟ କମଳପଦ ଶ୍ଳିଷ୍ଟ । ‘‘ବନରାଜୀ ମୃଗ ପଦ ପରାଏ ମଞ୍ଜୁଳ କହିଲେ ବିଶେଷ୍ୟ ଶ୍ଳିଷ୍ଟ ହେବ ନାହିଁ । ମାତ୍ର ଅପ୍ରକୃତ ବିଷୟକ ଶ୍ଳେଷ ଅବାଧ୍ୟ ।

 

ପ୍ରକୃତାପ୍ରକୃତ ବିଷୟକ ଶ୍ଳେଷ ଯଥା-

ସ୍ୱକୀୟ ତେଜରେ             ସକଳ ଜଗତେ

ବିଦୂରିତ କରି ତମ,

କରେ ସପ୍ତଦ୍ୱୀପ            ବଶ କରି ନୃପ

ଥିଲେ ପ୍ରଭାକରୋଯମ ।

ସହୃଦୟାନନ୍ଦ ।

 

ଏହି ପଦ୍ୟରେ ରାଜା ନଳ ବର୍ଣ୍ଣନୀୟ । ତପନ ଉପମାନ ରୂପେ ଆଦୃତ, ଅପ୍ରକୃତ । ନଳଙ୍କ ପକ୍ଷରେ ଏକଅର୍ଥ, ସୂର୍ଯ୍ୟଙ୍କ ପକ୍ଷରେ ଅପର ଅର୍ଥ । ଯେପରି ସୂର୍ଯ୍ୟ ଅସୀମ ତେଜରେ ସମସ୍ତ ଜଗତର ଅନ୍ଧକାର ଦୂର କରି କିରଣରର ସମସ୍ତ ଜଗତ ପ୍ରକାଶ କରନ୍ତି, ସେହି ପରି ରାଜା ନଳ ନିଜର ଅସୀମ ପ୍ରତାପରେ ସମସ୍ତ ଜନମାନଙ୍କର ମୋହ ଦୂର କରି ସକଳ ଦ୍ୱୀପ ନିଜ କରର ବଶୀଭୂତ କରିଥିଲେ ନଳଙ୍କ ପକ୍ଷରେ ଅର୍ଥ ପ୍ରକୃତ, ସୂର୍ଯ୍ୟଙ୍କ ପକ୍ଷରେ ଅର୍ଥ ଅପ୍ରକୃତ । ଅତଏବ ଏଠାରେ ପ୍ରକୃତା ପ୍ରକୃତ ବିଧୟକ ଶ୍ଳେଷ ।

 

ଏହି ତିନି ପ୍ରକାର ଶ୍ଳେଷ ପୁଣି ଦୁଇ ପ୍ରକାର, ସଭଙ୍ଗ ଶ୍ଳେଷ ଓ ଅଭଙ୍ଗ ଶ୍ଳେଷ । ଯେଉଁଠାରେ ପଦମାନେ ଅନେକ ଅର୍ଥ ପ୍ରତିପାଦନ କଲେବି ଅବିକଳ ରହନ୍ତି, କୌଣସି ବିକୃତ ଘଟେ ନାହିଁ, ସେଠାରେ ଅଭଙ୍ଗ । ଉଦାହୃତ ପଦ୍ୟଗୁଡ଼ିକ ଅଭଙ୍ଗ ଶ୍ଳେଷର । ଯେଉଁଠାରେ ପଦର ଭଙ୍ଗ ବା ବିକୃତ ଘଟେ, ଅଥଚ ଅନେକ ଅର୍ଥର ପ୍ରତୀତ, ସେଠାରେ ସଭଙ୍ଗ ଶ୍ଳେଷ ।

 

ବିହତ ଯେହୁ ରୋହିତ ମୁର୍ତ୍ତି ଶ୍ରତିରଞ୍ଜନ କାରକ ଅତି

ହଂସ ହୋଇଣ ଯାହା ପ୍ରଶସ୍ତି ଅଛି ପ୍ରବର୍ତ୍ତି ଯେ,

ବିରାଜରୂପ ଯାହାର ପୁଣି, ଦ୍ୱିଜ ଚକ୍ରଯା ଦର୍ଶନ ଗୁଣି ।

ଆତ୍ମଭୂପରଶଂସାରେ ଭଣି କି ଶୁଭ୍ରକୀର୍ତ୍ତି ଯେ,

ବୁଧଜନଙ୍କ ଶିର ଭୂଷଣ ଯେହି ଯେ,

ବିନୟରୁ ସେ ଆନ ଦାଣୀ ନକହି ଯେ,ୟ

ବଳି ଯାହାକୁ ସର୍ବଦା ନାହିଁ, ଦ୍ୱୀପ ପ୍ରସନ୍ନ କରଣ ସେହି,

ପୁଣତ ଧର୍ମ ସ୍ୱରୂପଗ୍ରାହୀ କି ସ୍ତୁତି ତହିଁ ଯେ ।

ବୈଦେହୀ ।

 

ଏହି ପଦ୍ୟରେ ମଧ୍ୟ ହରି ଓ ସୂର୍ଯ୍ୟ ବର୍ଣ୍ଣନୀୟ । ଆତ୍ମଭୁପରଶଂସାରେ ଏ ଅଶଂରେ ଭଙ୍ଗ ଦେଖାଯାଏ । ‘‘ଆତ୍ମା ଭୂପର, ସଂସାରେ ସଂସାରରେ ବ୍ରହ୍ମଶ୍ରେଷ୍ଠ ବୋଲି କହନ୍ତି, ସୂର୍ଯ୍ୟଙ୍କ ପକ୍ଷରେ ବ୍ରହ୍ମା ଯାହାଙ୍କୁ ପ୍ରଶଂସା କରି କହନ୍ତି, ଏପରି ଅର୍ଥ ହୋଇଥାଏ । ଅତଏବ ସଭଙ୍ଗ ଶ୍ଳେଷ ।

 

ପାଣିଗ୍ରହଣରୁ            ବୁଝିଅଛୁ ବୋଲି

ସ୍ୱଭାବେ ତୁମ୍ଭେ ଉଦାର,

ବାହୁଲ୍ୟେ ମାତର             କହୁଅଛୁଁ ଆମ୍ଭେ

ମୁନି କନ୍ୟା ହେ ଉଦାର ।

ପ୍ରଣୟ ।

 

ଏହି ପଦ୍ୟରେ ମୁନିକନ୍ୟା ଦାର ( ଭାର୍ଯ୍ୟା) ହେଉ, ହେ ଉଦାର ଆମ୍ଭେ ସ୍ୱଭାବେ ମୁନି କନ୍ୟା, ଏହିପରି ଦୁଇ ପ୍ରକାର ଅର୍ଥ ହୁଏ । ଉଭୟ ଅର୍ଥ ପ୍ରକୃତ, ଅତଏବ ପ୍ରକୃତ ବିଷୟକ ସଭଙ୍ଗ ଶ୍ଳେଷ । ଏପରି ଅନ୍ୟାନ୍ୟ ସ୍ଥଳରେ ମଧ୍ୟ ସଭଙ୍ଗ ଶ୍ଳେଷ ହୁଏ ।

 

ନବ ସମୁଦିତ             କାନ୍ତି ବିଦ୍ୟୋତିତ

ରକ୍ତ ମଣ୍ଡଳ ରାଜନ,

ମୃଦୁରେ କତର             ଜନମାନଙ୍କରେ

ହରନ୍ତି ସନ୍ତପ୍ତ ମନ ।

 

ଏଠାରେ ରାଜା ବର୍ଣ୍ଣନୀୟ । ନବାଭିଷକ୍ତି କାନ୍ତିଭସୁର ଅନୁରକ୍ତ ମଣ୍ଡଳ ରାଜା ଅତି ଅଳ୍ପ ପ୍ରଜାପାଳନ କରି ସେମାନଙ୍କର ଦୁଃଖ ନିବାରଣ କରୁଅଛନ୍ତି । ଏଠାରେ ଶବ୍ଦମାନଙ୍କର ସାହାଯ୍ୟରେ ଅନ୍ୟ ଏକ ଅର୍ଥ ମଧ୍ୟ ପ୍ରତୀତ ହେଉଅଛି । ନବୋଦିତ କାନ୍ତିପୂର୍ଣ୍ଣ ରକ୍ତବର୍ଣ୍ଣ ମଣ୍ଡଳ ଶୀତଳ କିରଣର ଜନମାନଙ୍କର ମନହରଣ କରୁଅଛନ୍ତି - ଏହି ଅର୍ଥ ଅପ୍ରକୃତ । ଏଠେରେ ବିଶେଷ୍ୟ ରାଜପଦ ଶ୍ଳିଷ୍ଟ ନୃପତି ଓ ଚନ୍ଦ୍ରକୁ ବୁଝାଏ । ଅତଏବ ଏଠାରେ ଶବ୍ଦ ଶକ୍ତି ମୂଳ ଧ୍ୱନି ସିନା ଶ୍ଳେଷ ନୁହେଁ ।

 

ତୁଲ୍ୟ ଯୋଗିତାଳଙ୍କାରରେ ପ୍ରକୃତ ଓ ଅପ୍ରକୃତମାନଙ୍କର ଏକ ଧର୍ମ ସହିତ ସମ୍ବନ୍ଧ ଥାଏ । ପ୍ରକୃତ ଓ ଅପ୍ରକୃତ ବସ୍ତୁ ସ୍ୱତନ୍ତ୍ର ଶବ୍ଦରେ ଉତ୍ତାପ ହୋଇଥାଏ । ସାଦୃଶ୍ୟ ତୁଲ୍ୟଯୋଗିତାରେ ପ୍ରାଣ ପ୍ରକୃତ ବିଷୟକ ଶ୍ଳେଷ ଓ ଅପ୍ରକୃତ ବିଷୟକ ଶ୍ଳେଷରେ ପ୍ରକୃତ ବସ୍ତୁ ଗୁଡ଼ିକ ବା ଅପ୍ରକୃତ ବସ୍ତୁଗୁଡ଼ିକ ସ୍ୱତନ୍ତ୍ର ଶବ୍ଦରେ ଅଭିହିତ ହୋଇ ନଥାନ୍ତି । ସାଦୃଶ୍ୟ ମଧ୍ୟ ପ୍ରକୃତ ଓ ଅପ୍ରକୃତମାନଙ୍କରେ ନିୟମତରୂପ ନଥାଏ । ଦୀପକାଳଙ୍କାରରେ ପ୍ରକୃତ ଓ ଅପ୍ରକୃତ ବସ୍ତୁଗୁଡ଼ିକ ସ୍ୱତନ୍ତ୍ର ଶବ୍ଦରେ ବିନ୍ୟସ୍ତ ହୋଇଥାନ୍ତି । ସେମାନଙ୍କର ଉପମାନ ଉପମେୟ ଭାବ ଗର୍ଭିତ ହୋଇଥାଏ । ପ୍ରକୃତାପ୍ରକୃତ ଅପ୍ରକୃତ ଧର୍ମ ଗୁଡ଼ିକ ସ୍ୱତନ୍ତ୍ର ଶବ୍ଦରେ ଉପାତ୍ତ ହୋଇ ନଥାନ୍ତି । ଉପମା ସ୍ପଷ୍ଟତଃ ପ୍ରତୀତ ହୋଇଥାଏ ।

 

କେତକ ଅଳଙ୍କାରିକମାନେ ଶ୍ଳେଷକୁ ଶବ୍ଦାଳଙ୍କାର ରୂପେ ଅନ୍ୟ କେତକେ ଅର୍ଥାଳଙ୍କରେ ରୂପେ ସ୍ୱୀକାର କରିଅଛନ୍ତି । ଅନେକ ଶବ୍ଦ ଶ୍ଳେଷ ଓ ଅର୍ଥଶ୍ଲେଷ ପୃଥକ ଅଳଙ୍କାର ରୂପେ ମାନିଅଛନ୍ତି । ଅନେକ ସଭଙ୍ଗ ଶ୍ଳେଷକୁ ଶବ୍ଦାଳଙ୍କାର ଓ ଅଭଙ୍ଗ ଶ୍ଳେଷକୁ ଅର୍ଥାଳଙ୍କର ବୋଲି ମାନନ୍ତି । ଶବ୍ଦଗତ ଚାରୁତା ଯେଉଁଠାରେ ଥାଏ, ସେଠାରେ ଶବ୍ଦଳାଙ୍କର, ଅର୍ଥଗତ ଚାରୁତା ଯେଉଁଠାରେ ଥାଏ, ସେଠାରେ ଅର୍ଥାଳଙ୍କାର । ଯମକ ଅନୁପ୍ରାସଦ ସ୍ଥଳରେ ଶବ୍ଦ ବା ବର୍ଣ୍ଣର ଆବୃତ୍ତିଗତ ଚମତ୍କାର ହଠାତ୍ ମନକୁ ଆକର୍ଷଣ କରିଥାଏ । ପଢ଼ିବାକୁ ସୁନ୍ଦର ବୋଧ ହୁଏ । ଅତଏବ ଯମକାଦିକୁ ଶବ୍ଦାଳଙ୍କାର ରୂପେ ସ୍ୱୀକାର କରନ୍ତି । ଉପମା ପ୍ରକୃତିରେ ଶବ୍ଦର ତାଦୃଶ ସୌଷ୍ଠବ ନଥିଲେ ମଧ୍ୟ ଅର୍ଥଗତ ବୈଚିତ୍ର୍ୟ ମନ ହରଣ କରେ । ଅତଏବ ଉପମାଦି ଅର୍ଥାଳାଙ୍କରୂ ରୂପେ ପରିଗଣିତ । ଶ୍ଳେଷ ସ୍ଥଳରେ ଶବ୍ଦର ସେପରି ସୌଷ୍ଠବ ନାହିଁ । ବରଂ ଶ୍ଳିଷ୍ଟ ପଦ ଗୁଡ଼ିକ ସାଧାରଣଙ୍କର ଦୁର୍ବୋଧ ହୋଇ ବିରକ୍ତି ଜାତ କରୁଥାଏ । ଅର୍ଥଗତ ବୈଚିତ୍ର୍ୟହିଁ ଚମତ୍କାର ଜାତ କରେ, ଶବ୍ଦଗତ କାଠିନ୍ୟ ଚମତ୍କାର ଇଷ୍‌ତ ହ୍ରାସ କରେ କହିଲେ ମଧ୍ୟ ଅତ୍ୟୁକ୍ତ ହେବ ନାହିଁ । ଏପରି ସ୍ଥଳରେ ( ଚାରୁତା ସଂପୂର୍ଣ୍ଣ ରୂପେ ଅର୍ଥାଶ୍ରୟ ଥିବାରୁ) ଶ୍ଳେଷକୁ ଶବ୍ଦାଳଙ୍କାର ରୂପେ ଗଣନ କରିବା ତେତେଦୂର ଯୁକ୍ତିଯୁକ୍ତ ବୋଧ ହେଉନାହିଁ । ଅବଶ୍ୟ କେତେକ ସ୍ଥଳରେ ଶବ୍ଦର ପରିବୃତ୍ତି ସହତା, ପରିବୃତ୍ତି ଅସହତା ନେଇ ଶବ୍ଦର ପ୍ରାଧାନ୍ୟ ଅଛି, ତାହା ବୋଲି ଶବ୍ଦାଳାଙ୍କର ହୋଇପାରିବ ନାହିଁ । ଅଳଙ୍କାରତ୍ୱ ସାଧକତାରେ ନିମିତ୍ତ ଚାରୁତ ଧାୟିକତା ସିନା, ପରିବୃତ୍ତ ସହିତ ବା ପରିବୃତ୍ତ ଅସହାତା ନୁହେଁ ।

 

ଅପ୍ରସ୍ତୁତ ପ୍ରଶଂସା ଅଳଙ୍କାର

 

ଅପ୍ରସ୍ତୁତ ବ୍ୟବହାରୁ ପ୍ରସ୍ତୁତ ବୃତ୍ତାନ୍ତ

ଗମ୍ୟ ହେଲେ ଅପ୍ରସ୍ତୁତ-ପ୍ରଶଂସା ସମ୍ମତ ।୨୮।

 

ସମାସୋକ୍ତିରେ ପ୍ରସ୍ତୁତ ବୃତ୍ତାନ୍ତ ବର୍ଣ୍ଣିତ ହୋଇଥାଏ । ତହିଁରୁ ଅପ୍ରସ୍ତୁତ ବୃତ୍ତାନ୍ତ ପ୍ରତୀତ ହୁଏ । ଯଦି ବର୍ଣ୍ଣିତ ଅପ୍ରସ୍ତୁତ ବୃତ୍ତାନ୍ତରୁ ପ୍ରସ୍ତୁତ ବୃତ୍ତାନ୍ତ ପ୍ରତୀତ ହୁଏ, ତେବେ ଅପ୍ରସ୍ତୁତ ପ୍ରଶଂସା ନାମକ ଅଳଙ୍କାର ହୁଏ । ଅପ୍ରସ୍ତୁତ ବର୍ଣ୍ଣନା ପ୍ରସ୍ତୁତ ବୃତ୍ତାନ୍ତ ପର୍ଯ୍ୟବସାୟିନୀ ହୁଏ ବୋଲି ଏ ଅଳଙ୍କାରକୁ ଅପ୍ରସ୍ତୁତ ପ୍ରଶଂସା କହନ୍ତି । ପ୍ରସ୍ତୁତ ଓ ଅପ୍ରସ୍ତୁତ କୌଣସି ସମ୍ପନ୍ଧ ନଥିଲେ ଅପ୍ରସ୍ତୁତରୁ ପ୍ରସ୍ତୁତ ଗମ୍ୟ ହୋଇ ପାରିବ ନାହିଁ । ଏହି ସମ୍ବନ୍ଧ ସାଧାରଣତଃ ତିନି ପ୍ରକାର; ସାମାନ୍ୟ ସାମାନ୍ୟ ବିଶେଷ ଭାବ, କାର୍ଯ୍ୟ କାରଣ ଭାବ ଓ ସାରୂପ୍ୟ । ଅପ୍ରସ୍ତୁତ ସାମାନ୍ୟ ହୋଇଥିଲେ ତତ୍ସମ୍ବନ୍ଧ ବିଶେଷ ପ୍ରତୀତ ହୋଇଥାଏ ବା ଅପ୍ରସ୍ତୁତ ବିଶେଷ ହୋଇଥିଲେ ତହିଁରୁ ତତ୍ସମ୍ବନ୍ଧୀ ସାମାନ୍ୟ ପ୍ରତୀତ ହୁଏ । ଏପରି ଅପ୍ରସ୍ତୁତ କାର୍ଯ୍ୟରୁ ପ୍ରସ୍ତୁତ କାରଣ ବା ଅପ୍ରସ୍ତୁତ କାରଣରୁ ପ୍ରସ୍ତୁତ କାର୍ଯ୍ୟରେ ମଧ୍ୟ ପ୍ରତୀତ ହୋଇଥାଏ । ଅପ୍ରସ୍ତୁତ ଓ ପ୍ରସ୍ତୁତର ସାମ୍ୟବଳରୁ ମଧ୍ୟ ଅପ୍ରସ୍ତତରୁ ପ୍ରସ୍ତୁତ ବୃତ୍ତାନ୍ତର ପ୍ରତୀତ ହୋଇଥାଏ । ଏପରି ଅପ୍ରସ୍ତୁତ ପ୍ରଶଂସା ପାଞ୍ଚପ୍ରକାର ।

 

ସାମାନ୍ୟରୁ ବିଶେଷ ପ୍ରତୀତ ଯାଥା -

ଅଦ୍‌ଭୁତ ସାହସେ କହଇ ନନ୍ଦିକା

ପ୍ରେମେ ଶ୍ରୀ ପୟରେ ହେଲି ମୁହଁ ବିକା ।

ନନ୍ଦିକା ଉତ୍କଳ ନରେନ୍ଦ୍ର ନନ୍ଦିନୀ

ତୁମ୍ଭ ପାଦେ ଆଜି ପ୍ରେମ ଭିକାରିଣୀ ।

ବୀର ପକ୍ଷପାତୀ ସଦେ ନାରୀକୂଳ

ନାରୀ ପ୍ରେମ ସଦା ବୀର୍ଯ୍ୟ ଅନୁକୂଳ ।

ନନ୍ଦିକା ।

 

ଏଠାରେ ବୀର ପକ୍ଷପାତୀ ସଦା ନାରୀକୂଳ, ନାରୀ ପ୍ରେମ ସଦା ବୀର୍ଯ୍ୟ ଅନୁକୂଳ ଏହି ସାଧାରଣ ବୃତ୍ତାନ୍ତରୁ ମୁଁ ବୀର ପକ୍ଷପାତିନୀ ମୋର ପ୍ରେମ ତୁମ୍ଭ ବୀର୍ଯ୍ୟ ଅନୁକୂଳ ବୋଲି ବିଶେଷ ବୃତ୍ତାନ୍ତ ଜଣା ଯାଏ । ଅତଏବ ଅପ୍ରସ୍ତୁତ ପ୍ରଶଂସା । ଅଥବା-

ଯେ ଯେତେ ତେଜସ୍ୱୀ ତା ତେଜ

ମୋତେ ଅଛଇ ଜଣା,

ଫୁଲଶର ଆଗେ ପଡ଼ିଲେ

ବୁଦ୍ଧି ହୁଅଇ ବଣା ।

ଚନ୍ଦ୍ରଭାଗା ।

 

ଏହି ପଦ୍ୟରେ ମଧ୍ୟ ସାମାନ୍ୟରୁ ବିଶେଷର ପ୍ରତୀତ ଦେଖାଯାଏ । ତୁମ୍ଭେ ଯେଡ଼େ ତେଜସ୍ୱୀ ହେଲେବି ମୋ’ ଶର ଆଗେ ପଡ଼ିଲେ ତୁମ୍ଭ ବୁଦ୍ଧି ବଣା ହେବ, ଏହି ବିଶେଷ ବୃତ୍ତାନ୍ତ ପ୍ରକାଶ ପାଏ ।

 

ବିଶେଷରୁ ସାମାନ୍ୟ ପ୍ରତୀତ ଯଥା-

ଦାରୁଭେଦ କ୍ଷମ ଭ୍ରମର ପଶି କମଳ କୋଳେ

ପାସୋରେ ଆପଣା ବିକ୍ରମ ପ୍ରେମ ମୋହନ ଭୋଳେ ।

ଚନ୍ଦ୍ରଭାଗା ।

 

ଏଠାରେ ଭ୍ରମରର ବୃତ୍ତାନ୍ତ ବର୍ଣ୍ଣିତ । କିନ୍ତୁ ତାହା ପ୍ରସ୍ତୁତ ନୁହେଁ । ଭ୍ରମର ବୃତ୍ତାନ୍ତ ରୂପ ବିଶେଷରୁ ପ୍ରେମିକ ବୃତ୍ତାନ୍ତରୂପ ସାମାନ୍ୟ ବୃତ୍ତାନ୍ତର ପ୍ରତୀତ ହୁଏ । ମନୁଷ୍ୟ ଶକ୍ତି ସଂପନ୍ନ ହେଲେ ମଧ୍ୟ ପ୍ରେମ ମୋହରେ ନିଜର ସ୍ୱରୂପ ଯାଏ, ଏହା ପ୍ରସ୍ତୁତ । ଅତଏବ ଅପ୍ରସ୍ତୁତ ପ୍ରଶଂସା ।

 

କାର୍ଯ୍ୟରୁ କରଣ ପ୍ରତୀତ ଯଥା-

ଶଙ୍ଖାରି ତାମ୍ବୁଳିମାନେ            କାଚରା ବଣିକ ଗଣେ

ସୁନାରୀ ସହିତେ ପାଞ୍ଚ ଜାତି,

ଗୋପପୁରୁଁ ପଳାଇଲେ            ଅନ୍ୟ ଅନ୍ୟ ଦେଶେ ଗଲେ

ଯେଣେ ଗୋପୀ ସୁବେଶ ନୁହନ୍ତି ହେ ଦୀନବନ୍ଧୁ

ତାଙ୍କ ସଙ୍ଗେ ଗଲା ମାଳାକାର,

ଯହୁଁ ବିକା ନଗଲା କାହାର ହେ ।

ମଥୁରା ।

 

ଉଦ୍ଧବ ଗୋପୀମାନଙ୍କର ଦଶା ବର୍ଣ୍ଣନା କରିବାକୁ ଯାଇ ଏହି ପଦ୍ୟରେ ଅପ୍ରସ୍ତୁତ ଶଙ୍ଖାରି ପ୍ରଭୃତିଙ୍କର ଗୋପପୁରୁ ପ୍ରସ୍ଥାନ ରୂପ କାର୍ଯ୍ୟ ବର୍ଣ୍ଣନା କରିଅଛନ୍ତି । ସେହି କାର୍ଯ୍ୟରୁ ଗୋପିକାମାନଙ୍କର ଦୁଃଖାତିଶୟରୂପ କାରଣର ପ୍ରତୀତ ହେଉଅଛି । ଗୋପିକାମାନେ ବେଶ ଭୁଷାରେ ସେମାନଙ୍କର ଆସ୍ଥା ନାହିଁ, ସୁତରାଂ ଶଙ୍ଖାରି ପ୍ରଭୁତି ନିଜ ଜୀବିକା ଦୁରୂହ ମଣି ଗୋପପୁର ଛାଡ଼ି ଅନ୍ୟ ଦେଶ ଆଶ୍ରୟ କରିଅଛନ୍ତି । ଏଠାରେ ଅପ୍ରସ୍ତୁତ କାର୍ଯ୍ୟରୁ ପ୍ରସ୍ତୁତ କାରଣ ପ୍ରତୀତ । ଅତଏବ ଅପ୍ରସ୍ତୁତ ପ୍ରଶଂସା ।

 

ଚମ୍ପା ଜାତି କୁରୁବକ            ନିଆଳୀ ମଲ୍ଲୀ ଅଶୋକ

ଏ ଆଦି ଯେତେକ ପୁଷ୍ପମାନ,

ଫୁଟନ୍ତି ଝଡ଼ନ୍ତି ତଳେ      ପଡ଼ନ୍ତି ଅତି ପ୍ରବଳେ

ଯେଣୁ ଗୋପୀ ନୁହନ୍ତି ମଣ୍ଡନ ହେ, ଦୀନବନ୍ଧୁ ।

ଗୋପପୁର ବାରତା ଏମନ୍ତ ଶୁଣିଲେ ଶ୍ରବଣେ ଦେବ ହସ୍ତରେ ହେ ।

ମଥୁରା ।

 

ଏ ପଦ୍ୟରେ ମଧ୍ୟ ଅପ୍ରସ୍ତୁତ ପ୍ରଶଂସା ସ୍ପଷ୍ଟ ।

କାରଣରୁ କାର୍ଯ୍ୟର ପ୍ରତୀତ ଯଥା-

ବିଧି ରଚବାକୁ ବୈବର୍ତ୍ତୀ ଆନନ

କରିଛନ୍ତି ଚନ୍ଦୁ ସାରାଂଶଂ ହରଣ,

ଦିଶେ ଖୋଳା ହେଲା ପରାଏ ମଣ୍ଡଳ

ମଧ୍ୟେ ଖଣି ମଧ୍ୟ ଗଗନ ଶ୍ୟାମଳ ।

 

ଏ ପଦ୍ୟରୁ କବି ଦମୟନ୍ତୀ ବଦନ ନିର୍ମାଣ କରିବାକୁ ବ୍ରହ୍ମା ଚନ୍ଦ୍ର, ମଣ୍ଡଳରୁ ସାରାଂଶ କାଢ଼ି ନେଇଛନ୍ତି, ଅତଏବ ଚନ୍ଦ୍ରମଣ୍ଡଳ ମଧ୍ୟ ଭାଗରେ ଖୋଳା ହେଲାପରି ନୀଳବର୍ଣ୍ଣ ଦିଶୁଅଛି ବୋଲି ବର୍ଣ୍ଣନ କରିଅଛନ୍ତି । ସାରାଂଶ ହରଣ ରୂପ କାରଣ ବର୍ଣ୍ଣିତ ହୋଇଅଛି । ତଦ୍ୱାରା ଦମୟନ୍ତୀ ବଦନର ଲୋକୋତ୍ତର ଲାବଣ୍ୟ ସୂଚିତ ହେଉଅଛି ଅତଏବ ଅପ୍ରସ୍ତୁତ ପ୍ରଶଂସା ।

 

ବର୍ଣ୍ଣ୍ୟମାନ ଅପ୍ରସ୍ତୁତ ବୃତ୍ତାନ୍ତ-ସାମ୍ୟରୁ ପ୍ରସ୍ତୁତ ବୃତ୍ତାନ୍ତର ପ୍ରତୀତ ଯଥା-

ସେହିଦିନୁ ରୁଦ୍ଧ ବିଡ଼ାନସୀ ଦ୍ୱାର

ବ୍ୟାଧକରୁ ମୁକ୍ତ ହୋଇଛି ଶୀକାର । ନିନ୍ଦିକା

 

ଏଠାରେ ରାଜା ଚୋରଗଙ୍ଗଙ୍କ କବଳରୁ ମୁକ୍ତ ହୋଇଅଛନ୍ତି । ଏହା କହି ନକହି କବି ବୈଚିତ୍ର୍ୟରେ ‘‘ବ୍ୟାଧକରୁ ମୁକ୍ତ ହୋଇଛି ଶୀକାର ବୋଲି ତତ୍ସଦୃଶ୍ୟ ବିଷୟ କହିଅଛନ୍ତି । ଅତଏବ ଅପ୍ରସ୍ତୁତ ପ୍ରଶଂସା ।

 

ଯାବତୀୟ ଉତ୍ତଟ କବିତାରେ ( Misty literature) ଓ ଅନ୍ୟାପଦେଶ କବିତାରେ ଏହି ଅପ୍ରସ୍ତୁତ ପ୍ରଶଂସା ବିଦ୍ୟମାନ ଅନେକ ସ୍ଥଳରେ ବିବକ୍ଷିତ ବିଷୟ ଗୂଢ଼ ରଖିବା ଉଦ୍ଦେଶ୍ୟରେ ଅନେକ ଏହି ଅଳଙ୍କାର ଆଶ୍ରୟ ନେଇଥାନ୍ତି ।

 

ପ୍ରସ୍ତୁତାଂକର ଅଳଙ୍କାର

 

ପ୍ରସ୍ତୁତ ବର୍ଣ୍ଣନୁଁ ଯେବେ ପ୍ରସ୍ତୁତ ପ୍ରତୀତି,

ତେବେ ପ୍ରସ୍ତୁତ ଅଙ୍କୁର ନାମେ ଅଳଂକୃତି । ୨୯।

 

ଅପ୍ରସ୍ତୁତ ବିଷୟରୁ ପ୍ରସ୍ତୁତ ବୃତ୍ତାନ୍ତ ପ୍ରତୀତ ହେଉଥିଲେ ଅପ୍ରସ୍ତୁତ ପ୍ରଶଂସା । ଯଦି ପ୍ରସ୍ତୁତ ବିଷୟରୁ ଅନ୍ୟ ଏକ ପ୍ରସ୍ତୁତ ବିଷୟର ସୂଚନ ହୁଏ, ତେବେ ପ୍ରସ୍ତୁତାଙ୍କୁର ।

 

ଉଦାହରଣ ଯଥା-

ବର୍ଣ୍ଣ୍ୟମାନ ପ୍ରସ୍ତୁତ ବୃତ୍ତାନ୍ତ ସାମ୍ୟରୁ ପ୍ରସ୍ତୁତ ବୃତ୍ତାନ୍ତର ପ୍ରତୀତ ଯଥା-

 

ବିପିନ ଭିତରେ             ସରେ କମଳିନୀ

ଥିଲା ଗିରି ଅନ୍ତରଳେ,

ଜନମ କାଳରୁ             ଦର୍ଶନ ନଥଲା

ଦିବାକର କର ଜାଳେ ।

 

ଦକ୍ଷିଣ ଭ୍ରମଣ             ଶେଷ କରି ଏବେ

ଦର୍ଶନ ଦେଲେ ଭାସ୍କର,

ଦରଶନ ମାତ୍ର            ଦେଲେ ଚଳିଥାନ୍ତା

ବଢ଼ାଇଲେ ପୁଣି କର ।

 

ସେ କର ସ୍ପରଣ             ଲଭି କମଳିନୀ

ହୋଇଗଲା ମୁହ୍ୟମାନ,

ଏ କାଳେ ଜଳଦ            ଜାଳ ଆଚ୍ଛାଦିଲା

ରବି ହେଲେ ଅନ୍ତର୍ଦ୍ଧାନ ।

 

ପ୍ରଭାତରେ ପୁଣି             ଉଇଁବାକୁ ରବି

ଦେଇ ଯାଇଥିଲେ ଆଶା,

ନଳିନୀ ରହିଛି            ପ୍ରଭାତରୁ ଗାଢ଼େ

ଅନାଇଁ ଉଦୟ ଆଶା ।

 

ବୁଝିଛନ୍ତି କିନା            କେ ଜାଣି ଜଗତ

ଦ୍ୟୋତିକ ଦିବସ ପତି,

ତିନି ଭୁବନରେ             ତାଙ୍କ ବ୍ୟତିରକେ

ନାହିଁ ନଳିନୀର ଗତି ।

ପ୍ରଣୟ ।

 

ଏଠାରେ ଦିବାକର ଓ ନଳିପୀ ବୃତ୍ତାନ୍ତ ବର୍ଣ୍ଣିତ ହୋଇଅଛି । ତାହା ପ୍ରସ୍ତାବାଗତ ପ୍ରଭାତକାଳ ବର୍ଣ୍ଣନରୁ ପ୍ରସ୍ତୁତ । ଏ ଦୁହିଁଙ୍କର ବୃତ୍ତାନ୍ତରୁ ରଜା ଓ ଶକୁନ୍ତଳାଙ୍କର ବୃତ୍ତାନ୍ତ ସୂଚିତ ହେଉଅଛି । ଶକୁନ୍ତଳା ଜନ୍ମାବଧି ରାଜାଙ୍କର ଦର୍ଶନ ଲାଭ ନଥିଲେ ଅରଣ୍ୟରେ ତାର ଆବାସ, ରାଜା ମୃଗୟା ଶେଷ କରି ତାର ଦୃଷ୍ଟି ଗୋଚର ହୋଇ ଥିଲେ । ତାର କରଧାରଣ ପୂର୍ବକ ସମୟରେ ଆସିବାକୁ ଆଶ୍ୱସନା ମଧ୍ୟ ଦେଇଅଛନ୍ତି । ରାଜାଙ୍କର ତାଦୃଶ୍ୟ ଆଚରଣରେ ଶକୁନ୍ତଳା ମୁହ୍ୟମାନା । ହଠାତ୍‌ ରାଜାଙ୍କର ବିରହ ଘଟିଛି । ରାଜାଙ୍କର ଆଗମନ ଆଶାରେ ଶକୁନ୍ତଳା ଉତ୍କଣ୍ଡିତ ହୋଇ ରହିଛି । ରଜା ଶକୁନ୍ତଳାର ଭାବ ଜାଣନ୍ତି କି ନାହିଁ, ଜଣା ନାହିଁ । ରାଜାଙ୍କ ବିନା ଶକୁନ୍ତଳାର ଅନ୍ୟ ଗତି ନାହିଁ - ଏହି ପ୍ରକରଣୋପଯୋଗୀ ପ୍ରସ୍ତୁତ ବୃତ୍ତାନ୍ତ ସୂଚିତ ହେଉଅଛି । କେବଳ ସାରୂପ୍ୟ ଏତାଦୃଶ୍ୟ ଶକୁନ୍ତଳା ବୃତ୍ତାନ୍ତ ପ୍ରତୀତରେ ସମ୍ବନ୍ଧ । ଅତଏବ ପ୍ରସ୍ତୁତାଙ୍କରୁ ।

 

ପର୍ଯ୍ୟାୟୋକ୍ତ ଅଳଙ୍କାର

 

ବିଚିତ୍ରତା ସହକାରେ ବିଚକ୍ଷିତ ଅର୍ଥ

ଭଙ୍ଗନ୍ତରେ ଉକ୍ତ ହେଲେ ହୁଏ ପର୍ଯ୍ୟାୟୋକ୍ତ ।୩୦।

 

ବିବକ୍ଷିତ ଅର୍ଥ ବିଚିତ୍ରତା ପ୍ରତିପାଦନ କରିବା ଉଦ୍ଦେଶ୍ୟରେ ଯଦି ଅନ୍ୟ ଏକ ଭଙ୍ଗିରେ ଉକ୍ତ ହୋଇଥାଏ, ତେବେ ପର୍ଯ୍ୟାୟୋକ୍ତ ଅଳଙ୍କାର । ଯେଉଁ ସ୍ଥଳରେ ଅର୍ଥ ଭଙ୍ଗ୍ୟନ୍ତରରେ ଉକ୍ତ ହେଲେ ମଧ୍ୟ ବୈଚିତ୍ର୍ୟ ନଥାଏ, ଚମତ୍କାର ପ୍ରତୀତ ନାହିଁ, ସେଠାରେ ପର୍ଯ୍ୟାୟୋକ୍ତ ହୁଏ ନାହିଁ ।

 

ଜଳ ସୁତ- ସୁତ-ତା ସୁତ-ତା ସୁତ ତା ସୁତ ସୁତ-ତା ସୁତ-ତା ସୁତ

ସୁତ ସୁତ ଦେଲା ଜୀବିତ ନାରୀ ସ୍ନେହ ବିପରୀତ ହେ, ବୀର,

ତୁମ୍ଭେ ବୋଲାଅ ରସିକବର ହେ, ପ୍ରିୟା ପ୍ରତି କରଅଛ ଦୂର ହେ ।

ଚିନ୍ତାମଣି ।

 

ଜଳସୁତ=ପୃଥିବୀ, ତା ସୁତ=ପର୍ବତ, ତା ସୁତ=ଝର, ତା ସୁତ=ସର, ତା ସୁତ=ପଙ୍କ, ତା ସୁତ=ପଦ୍ମ, ତା ସୁତ=ବ୍ରହ୍ମା, ତା ସୁତ=ପୁଲସ୍ତ୍ୟ, ତା ସୁତ=ବିଶ୍ରବା, ତା ସୁତ=ରାବଣ ।

 

ଏହି ପଦ୍ୟର ଅର୍ଥ ଭଙ୍ଗ୍ୟନ୍ତରରେ ଊକ୍ତ ହେଲେ ମଧ୍ୟ ବୈଚିତ୍ର୍ୟ ନାହିଁ ବା ଅର୍ଥ ବୋଧ ସହଜ ନୁହେଁ । ଅତଏବ ପର୍ଯ୍ୟାୟୋକ୍ତ ହେବ ନାହିଁ ।

 

ଉଦାହରଣ-

ମୃଗ ନଦ ପତ୍ରେ ଶୂନ୍ୟ ଗଣ୍ଡସ୍ଥଳ

ଦିଶେ ପରିଣତ ଲବଲି ଧବଳ ।

କୃଶୋଦରୀ, କିପାଁ ସେ ମଣେ ଦୁସ୍ତ୍ରହ

ତାମରସ ଶୋଣ କରର ବିରହ ।

ସହୃଦୟାନନ୍ଦ ।

 

କାହିଁକି ସର୍ବଦା ଗଣ୍ଡରେ ହସ୍ତ ଦେଇଥାଅ, ଏହି ଅର୍ଥ ବିଚକ୍ଷିତ ସେପରି ନକହି ଅନ୍ୟ ଏକ ଭଙ୍ଗିରେ କୃଶୋଦର କିପାଁ ସେ ମଣେ ଦୁସ୍ତ୍ରହ ତାମରସଶୋଣ କରର ବିରହ ବୋଲି କହି ଅଛନ୍ତି ।

ମାର୍ଗ ମାରଜନେ ରଜ ନିକର ଆଣି ଯାଇ

ରଜନୀକର ଆଣନ୍ତି ଶକଟରେ ବାହି ।

ହରିତକୀ ପାଇଁ ତିଆରିଲେ ବୈଦ୍ୟକୁଳ

ଭାର ବାହେ ଭାରରେ ଆଣନ୍ତି ଜାତିଫଳ ।

 

ଶବରୀ ଶର୍ବରୀ ଶେଷୁଁ ଅରଣ୍ୟକୁ ଯାଇ

ହରି ବିଦାରିତ କରୀ ମୋତି ପଡ଼ିଥାଇ ।

ବିଦରୀ ଆଦରେ ନେଇ ସରୋବରେ ଧୋଇ

ବିକା ତା ନଯିବ ବୋଲି ଆସନ୍ତି ପକାଇ ।

ଲାବଣ୍ୟ ।

 

ଉକ୍ତ ପଦ୍ୟମାନଙ୍କରେ ମଧ୍ୟ ପର୍ଯ୍ୟାୟୋକ୍ତି ଅଳଙ୍କାର । କର୍ପୂର ଜାତିଫଳ ଓ ଗଜ୍ଜାମୁକ୍ତା ସିଂହଳରେ ବହୁ ପରିମାଣରେ ମିଳେ, ଏହି ଅର୍ଥ ବିବକ୍ଷିତ । କବି ବିଚିତ୍ରତା ସହକାରେ ଅନ୍ୟ ଏକ ଭଙ୍ଗିରେ ସେହି ଅର୍ଥ ପ୍ରକାଶିତ କରି ଅଛନ୍ତି ।

 

ବ୍ୟଞ୍ଜନା ସାହାଯ୍ୟରେ ବିବକ୍ଷିତ ଅର୍ଥ ଜଣାଯାଉଥିଲେ ପର୍ଯ୍ୟୋୟୋକ୍ତ ହୁଏ, କେବଳ ଅନ୍ୟ ଭଙ୍ଗିରେ ଉକ୍ତ ହେଉଥିଲେ ହୁଏ ନାହିଁ । ଦଶମୁଖ ନିଧନକାରୀ ଜୟ ଦାଶରଥି ଏହା କହିଲେ ମଧ୍ୟ ରାମଚନ୍ଦ୍ର ରୂପ ଅର୍ଥ ଜଣାଯାଏ । କିନ୍ତୁ ଏଠାରେ ପର୍ଯ୍ୟାୟୋକ୍ତ ହୁଏ ନାହିଁ । ସେପରି କମଳା କାନ୍ତବାହନ ଭକ୍ଷ୍ୟାଧାରି ନାରୀଯାନ ତାସୁତ ତାରିପୁ-ମୁଖ ମଳିନ ଇତ୍ୟାଦି ସ୍ଥଳରେ ପର୍ଯ୍ୟାୟୋକ୍ତ ହୁଏ ନାହିଁ ।

 

ବ୍ୟାଜସ୍ତୁତି ଅଳଙ୍କାର

 

ସ୍ତୁତି ବ୍ୟାଜେ ନିନ୍ଦା ଅବା ନିନ୍ଦାବ୍ୟାଜେ ସ୍ତୁତି

ଉକ୍ତ ହେଲେ ହୁଏ ଅଳଙ୍କାର ବ୍ୟାଜସ୍ତୁତି ।୩୧।

 

ଯେଉଁଠାରେ ସ୍ତୁତିର ନିନ୍ଦା ପ୍ରତୀତ ହୁଏ ବା ନିନ୍ଦାରୁ ସ୍ତୁତି ପ୍ରତୀୟମାନ ହୁଏ ସେଠାରେ ବ୍ୟାଜସ୍ତୁତି କହିଲେ ବ୍ୟାଜରୂପ ସ୍ତୁତି ଓ ବ୍ୟାଜରେ ସ୍ତୁତି । ବ୍ୟାଜରେ ସ୍ତୁତି କହିଲେ ନିନ୍ଦାବ୍ୟାଜରେ ସ୍ତୁତି ବା ସ୍ତୁତି ବ୍ୟାଜରେ ସ୍ତୁତି ଅର୍ଥାତ୍ ଏକର ସ୍ତୁତି ବ୍ୟାଜରେ ଅନ୍ୟର ସ୍ତୁତି । ଏପରି ବ୍ୟାଜସ୍ତୁତି ତିନି ପ୍ରକାର ।

 

ସ୍ତୁତିରୁ ନିନ୍ଦାର ପ୍ରତୀତ ଯଥା-

କି କହିବି ମାଇଁ ମୋର କର୍ମ ଅଭାଗ୍ୟ,

କରାଇଲା ନାହିଁ ମାମୁ ସଙ୍ଗତ ଯୋଗେ

କରି ବଡ଼ ପ୍ରତିଆଶା ଅଇଲି ଧାଇଁ,

କଉତୁକେ ମାମୁ ମୁଖ ଦେଖିବା ପାଇଁ ।

 

କରିଥାଇ ମାମୁ ମୋତେ କେଡ଼େ ସେନେହ

କରି ତା ଭାବନା ଦହି ହେଉଛି ଦେହ ।

କାହାର କି ଗଲା ମାଇଁ ମୋର ବାହାରେ

କର୍ମ ଅବଳକୁ ତୁ ନୋହିଲୁ ନାହାରେ ।

 

କାହିଁ ଥିଲା ଅକାଳ ଚଡ଼କ ମାମୁକୁ

କି ହେଉଛି ଏତେବେଳେ ସୁମରି ବୁକୁ ।

କରିଥିଲି ମୋ ମନରେ କି ମନୋରଥ

କୁଶକେତୁ ବଳେ ସବୁ ହେଲା ବିଅର୍ଥ ।

 

କି ଅପୂର୍ବ ଆଦର ସେ କରଇ ମୋତେ

କେତେ ରୂପେ କେତେ ଚାର ପେଷେ ଗୁପତେ ।

କାଳଯାକ ଚିନ୍ତଇ ମୋ ଅପୂର୍ବ ଶୁଭ

କିଛି ନ ପାଇଲା ମୋହଠାରୁ ସେ ଲାଭ ।

କର୍ମରେ ତାହାର ନାହିଁ ନାହିଁ ମୋ ଯଶ,

କହି ଏମନ୍ତ ମାଇଁକି କଲେ ସନ୍ତୋଷ ।

ରସ ।

 

ଏହି ପଦ୍ୟମାନଙ୍କରେ କଂସର ସ୍ତୁତି କରାଯାଇଅଛି । ତହିଁରୁ ଯଥାର୍ଥରେ ନିନ୍ଦାହିଁ ବ୍ୟକ୍ତ ହେଉଅଛି ।

ନିନ୍ଦାରୁ ସ୍ତୁତିର ପ୍ରତୀତ ଯଥା-

କେ ବୋଲେ ନବଘନ ଶ୍ୟାମଳିଆ

କୁଟିଳନୀଳ ଚୂର୍ଣ୍ଣ କୁନ୍ତଳିଆ ।

କଣ୍ଠର ଅମୂଲ୍ୟ ମର୍କତ ମାଳୀ

କୋଟି ଦୁଃଖହରା ମୁଖ ସଙ୍ଖାଳି ।

କପଟି ଧାଈ ପରାଣ ଖିଆ

କୂଟ ମନ୍ଦିର ଏ ବାଘ ନଖିଆ ।

ରସ ।

 

ଏ ପଦ୍ୟରେ ଗୋପିକା କୃଷ୍ଣଙ୍କର ନିନ୍ଦା କରିଅଛି । ସେହି ନିନ୍ଦାରୁ ଯଥାର୍ଥରେ କୃଷ୍ଣଙ୍କର ସ୍ତୁତି ପ୍ରତୀତ ହେଉଅଛି ।

 

ଏପରି ଏକର ନିନ୍ଦାରୁ ଅପରର ସ୍ତୁତି, ଏକଚ ସ୍ତୁତିରୁ ଅନ୍ୟର ନିନ୍ଦା ମଧ୍ୟ ପ୍ରତୀତ ହୋଇଥାଏ । ସେଠାରେ ମଧ୍ୟ ବ୍ୟାଜସ୍ତୁତି । ଏକର ନିନ୍ଦାରୁ ଅନ୍ୟର ସ୍ତୁତି ଯଥା-

 

କେଉଁ ସୁଖ ନାହିଁ ନନ୍ଦ ଘରେ ଏହି ପୁଅଯାଏ ବୃନ୍ଦାବନକୁ

କରୁଣା ହୃଦୟ ନୁହନ୍ତି ନିର୍ଦୟ ଧିକ ଏହାଙ୍କର ଧନକୁ

କେଉଁ ବିଧାତା କଲା ଏମନ୍ତ ଅବିଚାର

କୋଟି ଲକ୍ଷ୍ମୀ ସାହା ହେବାକୁ ଉତ୍ସାହ ସେ କରେ ବନକୁ ସଂଚାର ।

ରସ ।

ଏଠାରେ ବର୍ଣ୍ଣିତ ନନ୍ଦ ଓ ବିଧାତାଙ୍କ ନିନ୍ଦାରୁ ଶ୍ରୀକୃଷ୍ଣଙ୍କର ସ୍ତୁତି ପ୍ରତୀତ ହୁଏ ।

 

ଏକର ସ୍ତୁତିରୁ ଅନ୍ୟର ନିନ୍ଦା ଯଥା :-

ନଦେଖ ବାରମ୍ୱାର ଧନି ବଦନ

ନ କହ ତାଙ୍କ ଆଗେ ଚାଟୁ ବଚନ

ନ ଶୁଣ ବାରେ ଗର୍ବସ୍ଫିତ ବଚନ

ନ କର ଆଶାଭରେ ତାଙ୍କୁ ବନ୍ଦନ ।

ସେବୁଛ ଇଚ୍ଛା ହେଲେ ତୃଣ ଅଙ୍କୁର

ସ୍ୱଚ୍ଛନ୍ଦେ ନିଦ୍ରା ଯାଅ ହେଲେ ଆକୁଳ ।

କେଉଁ ପ୍ରଦେଶେ ଅବା କେଉଁ ତପସ୍ୟା

ସାଧି ଲଭିଛ ସଖେ ମୃଗ ଏ ଦଶା ।

 

ଏହିଠାରେ ମୃଗର ପ୍ରଶଂସା କରାଯାଇଅଛି । ସେହି ପ୍ରଶଂସାରୁ ରାଜସେବାନିର୍ବିର୍ଣ୍ଣ ବକ୍ତାଙ୍କର ନିନ୍ଦା ବ୍ୟକ୍ତ ହେଉଅଛି । ଅପ୍ରସ୍ତୁତ ପ୍ରଶଂସାରେ ଅପ୍ରସ୍ତୁତ ବୃତ୍ତାନ୍ତରୁ ପ୍ରସ୍ତୁତ ବୃତ୍ତାନ୍ତର ପ୍ରତୀତ ହୋଇଥାଏ । ବ୍ୟାଜସ୍ତୁତିରେ ସ୍ଥଳ ବିଶେଷରେ ଅପ୍ରସ୍ତୁତରୁ ପ୍ରସ୍ତୁତ ପ୍ରତୀତ ହେଉ ଥିଲେ ମଧ୍ୟ ସ୍ତୁତିରୁ ନିନ୍ଦା, ନିନ୍ଦାରୁ ସ୍ତୁତି ବା ସ୍ତୁତିରୁ ସ୍ତୁତି ପ୍ରତୀତ ହୋଇଥାଏ । ଏହି ଅପ୍ରସ୍ତୁତ ପ୍ରଶଂସା ଓ ବ୍ୟାଜସ୍ତୁତିର ବିଶେଷତ୍ୱ । ଏକର ସ୍ତୁତିରୁ ଅନ୍ୟର ସ୍ତୁତି ଯାଥା :-

 

ନର ହେଲେ ଧନ୍ୟ                   ସେ ଭୂମି, ଯେ ଭୂମି

ଏ ଯୁବା ଜନମେ ପୁତ,

ଧନ୍ୟ ସେ ଦମ୍ପତି                   ଏ ନନ୍ଦନେ ଯାର

ଅଙ୍କ ହେଲା ଅଂଳକୃତ ।       ଯଯାତି ।

 

ଏଠାରେ ଭୂମି ଓ ଦମ୍ପତିଙ୍କ ସ୍ତୁତିରୁ ବିମଳାରୂପ ନରଙ୍କର ପ୍ରଶଂସା ପ୍ରତୀତ ହୁଏ । ଅତଏବ ବ୍ୟାଜସ୍ତୁତି ।

 

ବ୍ୟାଜନିନ୍ଦା

 

ଏକର ନିନ୍ଦାରୁ ଯେବେ ଅପରର ନିନ୍ଦା

ବ୍ୟକ୍ତ ହୁଏ ତେବେ ଅଳଙ୍କାର ବ୍ୟାଜନିନ୍ଦା ।୩୨।

 

ଯଦି ଏକର ନିନ୍ଦାରୁ ଅନ୍ୟର ନିନ୍ଦା ପ୍ରତୀତ ହୁଏ, ତେବେ ବ୍ୟାଜ ନିନ୍ଦା । ଯଥା :-

କାକ, ଇଚ୍ଛାମତ ଉଚ୍ଚେ ଦିଅ ରାବ

ନାହିଁଟି ତୁମ୍ଭର ଅପରାଧ ଲଦ ।

ବିଧାତା କେବଳ ନିନ୍ଦାର ଭାଜନ

ବିଶ୍ୱେ ଅଘଟନ ଘରେ ସେ ଘଟନ ।

ରସାଳେ ସରଳ ପିକ ସହବାସ

ରଚିଛି ନ ଗଣି ଲୋକ ଉପହାସ ।

 

ଏଠାରେ ବ୍ରହ୍ମାଙ୍କର ନିନ୍ଦାରୁ କାକର ନିନ୍ଦା ଓ ଅପ୍ରସ୍ତୁତ ପ୍ରଶଂସା ବଳରେ ରାଜାଙ୍କ ନିନ୍ଦାରୁ ତଦାଶ୍ରିତ ଦୁର୍ଜନର ନିନ୍ଦା ପ୍ରତୀତ ହୁଏ ।

 

ଲାଗିଲେ କିପାଁ ବ୍ୟଥିତ ନକରିବୁ କାଳେ ବୋଲାଉ ଖଣ୍ଡଭୂତ

ଏତେକ ବିବେକ ଇନ୍ଦ୍ରର ନୋହିଲା ଦେହରୁ ହେବ ବଳବନ୍ତ

ଜଳ ପବନ, ଏକ ସିନା ସ୍ତୁତି ନ ଘେନ

ରାମଠାରୁ ଜଣା ଯାଇଛି ନିସତ ହେବ ଗଲା ବେଳେ ଜୀବନ ।

ରସ ।

 

ଏହି ପଦ୍ୟରେ ଇନ୍ଦ୍ରଙ୍କର ନିନ୍ଦାରୁ ପବନର ନିନ୍ଦା ପ୍ରତୀତ ହୁଏ । ଅତଏବ ବ୍ୟାଜ ନିନ୍ଦା ।

 

ଆକ୍ଷେପ ଅଳଙ୍କାର

 

ପ୍ରଥମରେ କହିଥିବା ବିଷୟ, ବିଚାର

କରି ନିଷେଧିଲେ ହୁଏ ଆକ୍ଷେପାଳଙ୍କାର । ୩୩ ।

 

ପ୍ରଥମରେ ଉକ୍ତ ବିଷୟ ବିଚାର ପୂର୍ବକ ଯଦି ନିଷିଦ୍ଧ କରାଯାଏ, ତେବେ ଆକ୍ଷେପାଳଙ୍କାର-। ଅର୍ଥାତ୍ ବକ୍ତା ପ୍ରଥମରେ କୌଣସି ବିଷୟ କହି ବିଚାର ପୂର୍ବକ ନିଷେଧ କଲେ ଆକ୍ଷେପ ହୁଏ । ଯଥା :-

 

ଏଥଅନନ୍ତରେ ରସିକ ସାର କର୍ଣ୍ଣମୁଖରେ ସୁଧାପାନ କର

ନ ପସୁତା ଆଗେ ପେଢ଼ୀ ଫେଡ଼ିଲା,

ସେ ରୂପ ଉପରେ ନେତ୍ର ପଡ଼ିଲା

କି ପଡ଼ିଲା ନାହିଁ ଜଡ଼ିଲା ମନ,

ଜଡ଼ିଲା ନାହିଁଟି ବୁଡ଼ିଲା ଜ୍ଞାନ ।

ଲାବଣ୍ୟ ।

 

ଏ ପଦ୍ୟରେ କବି ପ୍ରଥମରେ ‘‘ନେତ୍ର ପଡ଼ିଲା’’ ବୋଲି କହି ପୁଣି ନିଷେଧପୂର୍ବକ ‘ଜଡ଼ିଲା ମନ’ ବୋଲି ପ୍ରତିପାଦନ କରି ଶେଷରେ ନିଷେଧ ପୂର୍ବକ ‘ବୁଡ଼ିଲା ଜ୍ଞାନ’ ବୋଲି କହିଅଛନ୍ତି । ପୂର୍ବ ପୂର୍ବ ଅର୍ଥ ଆକ୍ଷିପ୍ତ ହେଉଅଛି । ଅତଏବ ଆକ୍ଷେପ । ଅଥବା,

 

କହିଲେ ଘନିଷ୍ଠ ମୋ ପ୍ରେମ ମାଧବ

ଅବଶ୍ୟ ପ୍ରକଟିବ ସ୍ନେହ ଲାଘବ ।

କହିଲେ ବରଜିବି ନାଥ ଜୀବିତ,

ପ୍ରଣୟ ଗରିମାହିଁ ହେବ ଦ୍ୟୋତିତ ।

 

କାହିଁକି ଆସ ନାହିଁ ଏହି ବଚନ

ପ୍ରକଟ କରୁଅଛି ମମ ସ୍ମରଣ

ସନ୍ଦେଶ କେଉଁ ମତେ କରେ ପ୍ରେରଣ

ନସ୍ପୁରେ ହୃଦେ ଅନୁରୂପ ବଚନ ।

ହଂସଦୂତ ।

 

ଏହି ପଦ୍ୟ ଗୁଡ଼ିକରେ ଗୋଟିଏ ଗୋଟିଏ ବିଷୟ ବିବକ୍ଷିତ ହୋଇ ବିଚାରପୂର୍ବକ ନିଷିଦ୍ଧ ବା ଆକ୍ଷିପ୍ତ ହୋଇଅଛି । ଅତଏବ ଆକ୍ଷେପ ।

 

କେତେକ ଆଳଙ୍କାରିକ ନିଷେଧ ବାଧିତ ହୋଇ ଅର୍ଥାନ୍ତର ପ୍ରକାଶ ପୂର୍ବକ କୌଣସି ବିଶେଷ ପ୍ରକାଶ କଲେ ଆକ୍ଷେପ ହୁଏ ବୋଲି ସ୍ୱୀକାର କରନ୍ତି ।

 

ଦୂତ କବି ଭାଟ ତିନିଜଣୁଁ ଜଣେ

ନୋହୁ ଅଧିକ କହିବୁ କି କାରଣେ,

ଯାହା ସମେ ବ୍ରହ୍ମାଣ୍ଡ ଉଦରେ ବର

ନାହିଁ ଜଳିଗଲା ଦିନୁ ପଞ୍ଚଶର ।

ଲାବଣ୍ୟ ।

 

ଏହି ପଦରେ ବକ୍ତା ନିଜକୁ ଦୂତାଦିଭିନ୍ନ ବୋଲି ନିର୍ଦ୍ଦେଶ କରି ଯଥାର୍ଥବାଦିତା ପ୍ରକାଶ ପୂର୍ବକ ଲାବଣ୍ୟବତୀର ଅସାଧାରଣ ସୌନ୍ଦର୍ଯ୍ୟ ପ୍ରକାଶ କରିଅଛନ୍ତି । ବକ୍ତାଙ୍କ ଠାରେ ଦୂତାଦି ନିଷେଧ ବାଧିତ ହୋଇ ଯଥାର୍ଥ ବାଦିତାରୂପ ଅର୍ଥ ପ୍ରକାଶ ପୂର୍ବକ ନାୟିକାର ଅସୀମ ରୂପ ଲାବଣ୍ୟ ବତ୍ତା ପ୍ରକାଶ କରୁଅଛି ।

 

ବିଧି ପ୍ରକାଶ ପାଉଥିଲେ ଓ ନିଷେଧ ଗର୍ଭିତ ହୋଇଥିଲେ ମଧ୍ୟ ଆକ୍ଷେପ ହୁଏ ବୋଲି କେତେକ ସ୍ୱୀକାର କରନ୍ତି ।

କେ ବୋଇଲା ମୋହ ପାଇଁ ନ ଭାଳିବ

ସାରିବ ବେଳକାଳେ ମାତି

ତୁମ୍ଭେ ସର୍ବ ଶୁଭେ ଥିଲେ ସବୁ ଅଛି

ନ ମିଳିବେ କେତେ ଯୁବତି

କେ ସଖୀ ଦ୍ୱାରାରେ ଏମନ୍ତ କୁହାଇ,

ବାହୁଡ଼ି ଆସି ଯାହାକୁ ବିଭା ହେବ,

ଏ ରୂପେ ନୋହିବ ଅସ୍ନେହୀ ।

ଲାବଣ୍ୟ ।

 

ଏହି ପଦ୍ୟର ପ୍ରଥମ ଅଂଶରେ ବିଧି ସ୍ପଷ୍ଟ ହେଉଅଛି । ତୁମ୍ଭେ ଯାଅ, ତୁମ୍ଭର ସମସ୍ତ ମଙ୍ଗଳ ହେଉ, ବେଳକାଳ ଉଣ୍ଡି ସକଳ କାର୍ଯ୍ୟ କରିବ, ତୁମ୍ଭେ ସୁଖରେ ଥିଲେ ସମସ୍ତ ସୁଖ, ମୋ ଭଳିଆ ଅନେକ ଯୁବତୀ ମିଳିବେ ଏହି ଅର୍ଥ ପ୍ରକାଶ ପାଏ । ତୁମ୍ଭେ ଗଲେ ଆଉ ମେତେ ପାଇବ ନାହିଁ, ଅତଏବ ଯାଅ ନାହିଁ - ଏହିପରି ନିଷେଧ ଗର୍ଭିତ ହୋଇଅଛି । ଶେଷ ଅଂଶରେ ମଧ୍ୟ ତୁମ୍ଭେ ଯାଅ, ମାତ୍ର ବାହୁଡ଼ି ଆସି ଯାହାକୁ ବିବାହ କରିବ, ତାହାଠାରେ ମୋପରି ଅସ୍ନେହୀ ହେବ ନାହିଁ- ଏହି ଅର୍ଥ ପ୍ରକାଶ ପାଏ । ତୂମ୍ଭେ ଗଲେ ନିଶ୍ଚୟ ମୋର ପ୍ରାଣ ଯିବ, ଅତଏବ ଯାଅ ନାହିଁ-ଏହି ନିଷେଧ ତହିଁରେ ଗର୍ଭିତ ହୋଇଅଛି । ଅତଏବ ଆକ୍ଷେପ ।

 

ବିରୋଧାଭାସ ଅଳଙ୍କାର

 

ଆପାତତଃ ଯଦି ହୁଏ ବିରୋଧ ପ୍ରକାଶ

ବିଚାରେ ନଥାଏ ତେବେ ବିରୋଧ ଆଭାସ । ୩୪ ।

 

ଆପାତତଃ ବିରୋଧ ଥିଲା ପରି ବୋଧହୁଏ, ବିଚାର କଲେ ବିରୋଧ ଯଦି ଲକ୍ଷିତ ହୁଏ ନାହିଁ, ପରିହୃତ ହୋଇଥାଏ, ତେବେ ବିରୋଧାଭାସ ।

 

ବିବର୍ଜିତ ପଳାଶୀରେ ପଲାଶୀରେ ଘନ

ବିନା ତପପ୍ରଭା ତପ ପ୍ରଭାରେ ପ୍ରଧାନ ଯେ,

ବିଭୂତି ବାଞ୍ଛକ ନୋହି ବିଭୂତି ବାଞ୍ଛକ

ବର୍ଜିତ କାମ-ଉଦୟ କାମ-ଉଦୟକ ଯେ ।

ବୈଦେହୀ ।

 

ଏହି ପଦ୍ୟ ଦ୍ୱୟରେ ଯେ ପଳାଶୀରେ ବିବର୍ଜିତ, ସେ ପଲାଶୀରେ ଘନ, ଯେ ତପପ୍ରଭା ରହିତ, ସେ ତପ ପଭ୍ରାରେ ପ୍ରଧାନ, ଯେ ବିଭୂତି ବାଞ୍ଛକ ନୁହେଁ, ସେ ବିଭୂତି ବାଞ୍ଛକ, ଯେ କାମ ଉଦୟ ରହିତ ସେ କାମ ଉଦୟକ, ଏପରି ବିରୋଧ ଆପାତତଃ ପ୍ରତୀତ ହୁଏ । ଏକ ପଳାଶୀର ଅର୍ଥ ମାଂସାଶୀ, ଅପରର ଅର୍ଥ ବୃଷ । ଏକ (ଆ) ତପପ୍ରଭାର ଅର୍ଥ ସୂର୍ଯ୍ୟ କିରଣ କାନ୍ତି, ଅନ୍ୟର ତପସ୍ୟାର କାନ୍ତି । ବିଭୂତି ଶଦ୍ଦର ଅର୍ଥ ଐଶ୍ୱର୍ଯ୍ୟ ଓ ଭସ୍ମ । କାମ ଉଦୟ ରହିତ କହିଲେ ନିଷ୍କାମ, କାମ-ଉଦୟକ କହିଲେ କାମ ଉଦ୍ଦୀପକ ବା ଅଭୀଷ୍ଟ ସଂପାଦକ ଏପରି ଅର୍ଥ ଭେଦ ଥିବାରୁ ବିରୋଧ ପରିହୃତ ହୁଏ । ଅତଏବ ବିରୋଧାଭାସ। ଅଥବା,

 

ମଧୁସୂଦନ ଗଉରୀ ପଦ୍ମ ଆନନର

ଘନରସ ପାନ କରିବ ଶୁଭ କର୍ମରୁ ହେ ।

ପ୍ରେମ ।

 

ଏଠାରେ ମଧ୍ୟ ହଠାତ୍‌ ବିଷ୍ଣୁ ପାର୍ବତୀଙ୍କ ମୁଖକମଳର ଘନରସ ପାନ କରିବେ, ଏହିପରି ବିରୁଦ୍ଧ ଅର୍ଥ ପ୍ରକାଶ ପାଏ । ପ୍ରକରଣ ପର୍ଯ୍ୟାଲୋଚନା କଲେ ଭମର ସଦୃଶ ତୁମ୍ଭ ଶୁଭ କର୍ମ ବଳରୁ ଗୌରାଙ୍ଗ ମୁଖ ପଦ୍ମରୁ ଅଧରାମୃତ ରୂପ ଘନରସ ପାନ କରିବ-ଏହି ଅର୍ଥ ସ୍ଫୁରିତ ହୁଏ । ସୁରତାଂ ବିରୋଧାଭାସ ।

 

ଆବର ଦେଖିଲି            ଶୋଇ ଅଛି ଅହି

ନୀଳକଣ୍ଠ ପୂଚ୍ଛ ତଳେ,

କୁରଙ୍ଗ ଶିଶୁକୁ            ପିଆାଉଛି ସ୍ତନ୍ୟ

ଶାର୍ଦ୍ଦୁଳୀ ସ୍ନେହ ବତ୍ସଳେ ।

ଯତାତି ।

 

ଏହି ପଦ୍ୟରେ ମୟୂରପୁଚ୍ଛ ତଳେ ସର୍ପର ସ୍ଥିତି ଓ ଶାର୍ଦ୍ଦୂଳୀର କୁରଙ୍ଗ ଶିଶୁକୁ ସ୍ତନ୍ୟ ପିଆଇବା ବର୍ଣ୍ଣିତ ହୋଇଅଛି । ଆଶ୍ରମର ସ୍ୱାଭାବିକ ଶାନ୍ତିମୟତା ଯୋଗୁଁ ସେହି ବିରୋଧ ପରିହୃତ ହେଉଅଛି । ଏଠାରେ ଶଦ୍ଦର ବିଭିନ୍ନାର୍ଥତା ନାହିଁ ।

 

ବିଭାବନା ଅଳଙ୍କାର

 

କାରଣର ବ୍ୟତିରେକେ କାର୍ଯ୍ୟର ଉତ୍ପତ୍ତି

ଉକ୍ତ ହେଲେ ବିଭାବନା ନାମେ ଅଳଂକୃତି ।୩୫।

 

କାରଣ ବିନା କାର୍ଯ୍ୟର ଉତ୍ପତ୍ତି ବର୍ଣ୍ଣିତ ହେଲେ ବିଭାଜନ ଅଳଙ୍କାର ହୁଏ । ଏହି ବିଭାଜନ ପାଞ୍ଚ ପ୍ରକାର । ପ୍ରସିଦ୍ଧ କାରଣର ଅଭାବରେ କାର୍ଯ୍ୟର ଉତ୍ପତ୍ତି ବର୍ଣ୍ଣିତ ହେଲେ ବିଭାବନା ଅଳଙ୍କାର ହୁଏ । ଯଥା-

 

ସେହି ଦିନୁଁ ବାଳା ଚିନ୍ତାନିମଗନ

ରୋଗ ବିନା ତନୁ ହୁଏ ଅବସନ୍ନ,

ନିଦ୍ରା ବିନା ନେତ୍ର କରେ ନିମୀଳିତ

ଜଗତ ମଣଇ ସତତ ଅହିତ ।

 

ଏହି ପଦ୍ୟରେ ରୋଗ ରୂପ କାରଣ ଅଭାବରେ ତନୁର ଅବସାଦ ରୂପ କାର୍ଯ୍ୟ ଓ ନିଦ୍ରାରୂପ କାରଣ ଅଭାବରେ ନେତ୍ରର ନିମୀଳନରୂପ କାର୍ଯ୍ୟ ବର୍ଣ୍ଣିତ ହୋଇଅଛି । ଅଥବା,

 

ଖଳର ଅସାଧ୍ୟ            କି ଅଛି ସେ ସର୍ବ

ଅବିଗୁଣର ଆଧାର,

ପଣ୍ୟ ବିନା ସୁଦ୍ଧା            ଖୋଲି ପାରେ ସେହୁ

ସହସ୍ର ଶତ ବେପାର ।

କଲୁଲତା ।

 

ଏ ପଦ୍ୟରେ ଖଳ କାରଣ ପଣ୍ୟ ବିନା କାର୍ଯ୍ୟ ଶତବେଦାର କରିପାରେ ବୋଲି ବର୍ଣ୍ଣିତ ହୋଇଅଛି ।

 

କାରଣ ଅସମଗ୍ର ଭାବେ ଥିଲେ ମଧ୍ୟ ଯଦି କାର୍ଯ୍ୟ ଉତ୍ପନ୍ନ ହୁଏ, ତେବେ ଦ୍ୱିତୀୟ ବିଭାବନା । ଯଥା-

 

ନୁହଇ କଠିନ ନୁହଇ ପ୍ରଖର ସ୍ୱଭାବେ ତାପୁଣି କୁସୁମ କୋମଳ

ସେହିବାଣେ ତିଳ ମାତ୍ରକେ ଭୁବନ ବଶ କରିପାରେ ଦୁର୍ଜୟ ମଦନ

 

ଏହି ପଦ୍ୟରେ ବାଣ ଦ୍ୱାରା ଦୁର୍ଜୟ ମଦନର ଭୁବନବିଜୟ ବର୍ଣ୍ଣିତ ହୋଇଅଛି । ମାତ୍ର ବାଣର ସକଳଗୁଣ ତୀକ୍ଷ୍‌ଣତ୍ୱାଦି ନାହିଁ ।

 

ପ୍ରତିବନ୍ଧକ ସତ୍ତ୍ୱେ କାର୍ଯ୍ୟର ଉତ୍ପତ୍ତି ବର୍ଣ୍ଣିତ ହୋଇଥିଲେ ତୃତୀୟ ବିଭାବନା ହୁଏ । ଯଥା-

କୁରଙ୍ଗ ଚଞ୍ଚଳ କୁରଙ୍ଗ ଛଡ଼ାଇ ଦିନୁ ଦିନୁ ଅତି ଗର୍ବିତ

ଏବେ ସେ ପୁରୁଷ ଶାର୍ଦୂଳ ଧଇର୍ଯ୍ୟ ଗ୍ରାସକୁ ହୋଇଛି ତ୍ୱରିତ

ମହା ଆଶ୍ଚର୍ଯ୍ୟ-ମନ୍ଦିର ନବୀନ କାମିନୀ,

ଗରୁଡ଼ ଉପରେ ବଡ଼ ଉଲ୍ଲାସରେ ଭୂଜଙ୍ଗ କ୍ରୀଡ଼ା ରଲାଣି ।

ପ୍ରେମ ।

 

ଏହି ପଦ୍ୟରେ ପୁରୁଷ ଶାର୍ଦୂଳରୂପ ପ୍ରତିବନ୍ଧକ ସତ୍ତ୍ୱେ ନେତ୍ର ହରିଣର ଧୈର୍ଯ୍ୟଗ୍ରାସ ଓ ଗରୁଡ଼ରୂପ ପ୍ରତିବନ୍ଧକ ସତ୍ତ୍ୱେ ଭ୍ରୂଲତାରୂପ କୃଷ୍ଣସର୍ପର କ୍ରୀଡ଼ା ବର୍ଣ୍ଣିତ ହୋଇଅଛି । ଅତଏବ ତୃତୀୟ ବିଭାବନା ।

 

କାରଣ ନହେବା ବସ୍ତୁକୁ କାରଣ ରୂପେ କଳ୍ପନା କରି ତହିଁରୁ କାର୍ଯ୍ୟର ଉତ୍ପତ୍ତି ବର୍ଣ୍ଣିତ ହୋଇଥିଲେ ଚତୁର୍ଥ ବିଭାବନା ହୁଏ । ଯଥା-

 

ଚନ୍ଦ୍ରମାରୁ ପଦ୍ମ ଜନମ କରିଣ ସ୍ୱଭାବେ ବହିଛି ସୁ ମା

କ୍ଷଣେ କ୍ଷଣେ କଥା ପ୍ରସଙ୍ଗେ ପଦ୍ମରୁ ଜାତ କରେ ଏବେ ଚନ୍ଦ୍ରମା

ଘେନ ଏକଥା ମାନତ ଅଦୃଷ୍ଟି ଅଶ୍ରୁତି

ଚନ୍ଦ୍ର କମଳ ଜଳୁଁ ଜାତ ବୋଲିଣ ପୁରାଣମାନେ କହିଛନ୍ତି ।

ପ୍ରେମ ।

 

ଏହି ପଦ୍ୟରେ ଚନ୍ଦ୍ରମାରୁ ପଦ୍ମ ଓ ପଦ୍ମରୁ ଚନ୍ଦ୍ରମାର ଉତ୍ପତ୍ତି ବର୍ଣ୍ଣିତ । ଚନ୍ଦ୍ର ପଦ୍ମର କାରଣ ନୁହେଁ ବା ପଦ୍ମ ଚନ୍ଦ୍ରର କାରଣ ନୁହେଁ । କିନ୍ତୁ କାରଣ ରୂପେ କଳ୍ପିତ ।

 

କାର୍ଯ୍ୟରୁ କାରଣର ଜନ୍ମ ବର୍ଣ୍ଣିତ ହୋଇଥିଲେ ପଞ୍ଚମ ବିଭାବନା ଯେକି ପ୍ରକୃତରେ କାର୍ଯ୍ୟ ସେ କାରଣ ହେଲେ (ଯେ ପ୍ରକୃତରେ କାରଣ ସେ କାର୍ଯ୍ୟ ହେଲେ) ଏହି ପଞ୍ଚମ ବିଭାବନା ହୁଏ ।

 

ସର୍ବମତରେ ସନମ ତଏମନ୍ତ ପର୍ବତ ପରେ ଜାତ ଲତା

ଲତାରୁ ଏବେ ପର୍ବତ ଜାତ ହେଲା, ଚାହିଁ କମ୍ପିବେ ଊର୍ଦ୍ଧ୍ୱ ରେତା,

ହାହା ଶୋଭିତା, ଦେଖିକେ ନୋହିବ ଲୋଭିତା,

କରି ପରେ ହରି ହରି ପରେ କରି ଚଢ଼ାଇଲା ଏବେ ବନିତା ।

ପ୍ରେମ ।

 

ଏହି ପଦ୍ୟରେ ଅଙ୍ଗଲତିକାରୁ ସ୍ତନପର୍ବତର ଉତ୍ପତ୍ତି ବର୍ଣ୍ଣିତ । ପ୍ରକୃତରେ ଲତା କାର୍ଯ୍ୟ ଓ ପର୍ବତ କାରଣ । ଅତଏବ ପଞ୍ଚମ ପ୍ରତୀପ । ଉଦାହୃତ ପଦ୍ୟମାନଙ୍କରେ ରୂପକାତିଶୟୋକ୍ତି ମଧ୍ୟ ବିରାଜମାନ । ରୂପ କାତିଶୟୋକ୍ତି ଓ ବିଭାବନାରେ ପଦ୍ୟମାନଙ୍କର ଶୋଭା ବର୍ଦ୍ଧିତ ହୋଇଅଛି ।

 

ବିଶେଷୋକ୍ତି ଅଳଙ୍କାର

 

କାରଣ ସାମଗ୍ରୀ ସତ୍ତ୍ୱେ କାର୍ଯ୍ୟ ଅନୁତ୍ପତ୍ତି

ଅଭିହିତ ହୋଇଥିଲେ ହୁଏ ବିଶେଷୋକ୍ତି ।୩୬।

 

ପୁରାଳ କାରଣ ଥାଇ ମଧ୍ୟ ଯଦି କାର୍ଯ୍ୟ ଉତ୍ପନ୍ନ ହୁଏ ନାହିଁ ତେବେ ବିଶେଷୋକ୍ତି । ଯଥା-

 

ଏକେ ନବ ଯୁବା ଦୁଜେ ଯେ କୁମାର

ସମ୍ମୁଖେ କିଶୋରୀ ବିଶ୍ୱ ଶୋଭା ସାର ;

ନିର୍ଜନେ ବେନିଙ୍କ ଭେଟ ହେଲା ପୁଣି

କାହିଁଅଛି କୁସୁମଶର ହୋଇ ତୁନି,

 

ଚୋର ପାଶେ ଆଣି କନକ ଗୋରୀ କି

ସ୍ୱକାର୍ଯ୍ୟ ମନୋଜ ଗଲା ପାସୋରିକି,

ନାହିଁ ଦେଖ ଚାହିଁ ଛକି ସେ ଗୋପନେ

ବାଳା ନେତ୍ରେ ବାଣ ଶାଣେ ନେତ୍ରାଞ୍ଜନେ ।

 

ମାତ୍ର ଚୋର ପାଶେ ପ୍ରୟାସ ବିଫଳ,

ଅନିଳେ କଦାପି ଟଳେ କି ଅଚଳ ।

ନନ୍ଦିକା ।

 

ଏଠାରେ ଚିତ୍ତହରଣର ସକଳ କାରଣ ଥିଲେ ମଧ୍ୟ ଚିତ୍ତହରଣ ରୂପ କାର୍ଯ୍ୟର ଅଭାବ ବର୍ଣ୍ଣିତ । ସୁତରାଂ ବିଶେଷୋକ୍ତି ।

 

ଅସମ୍ଭବ ଅଳଙ୍କାର

 

ଯହିଁ ଅସମ୍ଭବ ରୂପ ଅର୍ଥର ସାଧନ

ବର୍ଣ୍ଣିତ ହୁଅଇ ତହିଁ ଅସମ୍ଭବମାନ ।୩୭।

 

ଯଦି ବସ୍ତୁର ସିଦ୍ଧି ଅସମ୍ଭବ ରୂପେ ବର୍ଣ୍ଣିତ, ଅଥବା ଅସମ୍ଭବ ପରି ପ୍ରତୀୟମାନ ଅର୍ଥର ସିଦ୍ଧି ବର୍ଣ୍ଣିତ, ତେବେ ଅସମ୍ଭବ ନାମକ ଅଳଙ୍କାର ।

 

ଚିକୁର ଶୋଭା ମୁକୁର ପ୍ରତିବିମ୍ବ ଅଲିଙ୍ଗନେ ଯେବେ ଆସିବ

ମୃଗତୃଷ୍ଣା ଜଳ ତୃଷାକୁ ନାଶିବ ସ୍ୱପ୍ନ ତେବେସତ ଦିଶିବ ।

କହେ ସଚିବ-ସୁତା ସବୁ ବଡ଼ ଦଇବ

କାହା ମନେ ଥିଲା ଅଗାଧ ସମୁଦ୍ର ଚଳୁ ଭିତରେ ସମ୍ଭାଇବ ।

ଲାବଣ୍ୟ ।

 

ଏଠାରେ ଅଗାଧ ସମୁଦ୍ରର ଚଳୁ ଭିତରେ ଅବସ୍ଥାନ ରୂପ ଅର୍ଥର ବର୍ଣ୍ଣନା ଦେଖାଯାଏ । ଅତଏବ ଅସମ୍ଭବ ।

ଯାହା ପଢ଼ିଥିଲେ            ତାହା ଲେଖାଅଛି

ପୁନଶ୍ଚ ବିଚାର କଲେ,

ନିଶ୍ଚୟେ ଦଇବୀ             ମାୟା ଏହା ମୋତେ

ଠକିବାକୁ କଉଶଳେ ।

 

ନ ହେଲେ ଏପରି            ସୁନ୍ଦରୀ ହୁଏକି

ଅବନୀ ତଳେ ସମ୍ଭବ,

ପୁଣି ବୃଦ୍ଧ କଣ୍ୱ-            ମୁନିଙ୍କ ଦୁହିତା

ହେବା ତହୁଁ ଅସମ୍ଭବ ।

ପ୍ରଣୟ ।

 

ଏହି ପଦ୍ୟରେ ଅସାଧାରଣ ରୂପବତୀ ଶକୁନ୍ତଳାଙ୍କାର ଅବନୀ ତଳେ ସମ୍ଭବ ଓ ବୃଦ୍ଧମୁନି କଣ୍ୱଙ୍କ ଦୁହିତୃତ୍ୱ ଅସମ୍ଭବ ରୂପେ ବର୍ଣ୍ଣିତ ସୁତରାଂ ଅସମ୍ଭବ ।

 

ବୋଇଲା ଆଳୀ କିପାଇଁ ଭାଳୁ            ନୋହିଲା ହୁଏ କରମ ବଳୁଁ

କରିଅଛିଟି ସମୁଦ୍ର ଚଳୁ କେବଳ ନରେ ଯେ,

ନରେ ସମୟେ ଇନ୍ଦ୍ର ହୋଇଛି       ନରେ ଧରଣୀ ଟେକି ଧରିଛି

ଏ ସ୍ୱୟମ୍ୱରେ ସୁଯୋଗ ଅଛି, କୁମର ବରେ ଯେ,

ସୀତାରାମ କଲେଟି ପୂର୍ବ କାଳରେ ଯେ

ଜଳେ ଗିରିବନ୍ଧନ କୀର୍ତ୍ତି ବାନରେ ଯେ

ବିଷୟ ହୋଇଛି ତ ଅନ୍ତର ଚିନ୍ତ ସେ ବେନି ପଦ୍ମ ପୟର

ଉପେନ୍ଦ୍ର ବୀରବର ଭ୍ରମର ସଦା ତିଥିରେ ଯେ ।

 

ଏହି ପଦ୍ୟରେ ଅନେକ ଗୁଡ଼ିଏ ଅସମ୍ଭବ ଅର୍ଥର ସିଦ୍ଧି ବର୍ଣ୍ଣିତ ହୋଇଅଛି । ଅସମ୍ଭାବ୍ୟ ଅର୍ଥ ସମ୍ମାବ୍ୟ ରୂପେ ବର୍ଣ୍ଣିତ ହୋଇଥିବାରୁ ଏଠାରେ ମଧ୍ୟ ଅସମ୍ଭବ ।

 

ଅସଙ୍ଗତି ଅଳଙ୍କାର

 

ଯଦି ରହେ ଭିନ୍ନ ଦେଶେ କାର୍ଯ୍ୟ ଓ କାରଣ

ଅସଙ୍ଗତି ଅଳଙ୍କାର ବୋଲି ତେବେ ଗଣ । ୩୮।

 

ସଚରାଚର କାର୍ଯ୍ୟ ଓ କାରଣ ଏକ ସ୍ଥାନରେ ରହନ୍ତି । ଯେଉଁ ସ୍ଥଳରେ କାରଣ, ସେ ସ୍ଥଳରେ କାର୍ଯ୍ୟ ଉତ୍ପନ୍ନ ହୁଏ । ମହାନ ସରେ ଅଗ୍ନିଥିଲେ ପର୍ବତରେ ଧୂମ ନଥାଏ । କିନ୍ତୁ କବି ଯଦି ପ୍ରୌତୋକ୍ତି ବଶତଃ ବା ଚମତ୍କାର ପ୍ରତିପାଦନ କରିବା ଇଚ୍ଛାରେ ଏକ ସ୍ଥାନରେ କାରଣ ଓ ଅନ୍ୟ ସ୍ଥାନରେ କାର୍ଯ୍ୟ ଉତ୍ପତ୍ତି ବର୍ଣ୍ଣନା କରନ୍ତି, ତେବେ ଅସଙ୍ଗତି ଅଳଙ୍କାର ହୁଏ । ଯଥା-

 

ଜୀବନ ହରିଲେ ତଟିନୀ ଦେହରୁ

ଦିନମଣି ଶୂନ୍ୟେ ଥାଇ,

ଫାଶି ଦେଉଛନ୍ତି ଧୀବରେ ମୀନକୁ

ବଡ଼ିଶ ରଜ୍ଜୁ ପକାଇ ।

ଚିତ୍ରୋତ୍ପଳା ।

 

ଜୀବନ ହରଣ କଲେ ଫାଶି ଦିଆଯାଏ । ଫାଶ ପ୍ରତି ଜୀବନ ହରଣ କାରଣ । ସେ ଜୀବନ ହରଣ କରେ, ସେ ଫାଶି ପାଏ । ଏ ପଦ୍ୟରେ ସୂର୍ଯ୍ୟ ଜୀବନହରଣ କରିବା ଓ ମୀନକୁ ଫାଶି ଦିଆଯିବା ବର୍ଣ୍ଣିତ । କାରଣ ସୂର୍ଯ୍ୟଙ୍କଠାରେ କାର୍ଯ୍ୟ ମୀନଙ୍କ ଠାରେ ବର୍ଣ୍ଣିତ । ଅତଏବ ଅସଙ୍ଗତି ।

 

ଗର୍ହିତ କାର୍ଯ୍ୟ କରେ ଖଳ            ସାଧୁ ଲଭଇ ତାର ଫଳ

ସୀତାଙ୍କୁ ହରିଲା ରାବଣ            ଲଭିଲା ସମୁଦ୍ର ବନ୍ଧନ ।

 

ଏଠାରେ ମଧ୍ୟ ଅସଙ୍ଗତି । ସେ ଗର୍ହିତ କାର୍ଯ୍ୟ କରେ, ସେ ତାର ଫଳ ପାଏ । କିନ୍ତୁ ଖଳ ଗର୍ହିତ କାର୍ଯ୍ୟ କରେ, ସାଧୁ ତାର ଫଳ ପାଏ; ରାବଣ ଗର୍ହିତ କାର୍ଯ୍ୟ (ସୀତାହରଣ) କଲା, ସାଧୁ ସମୁଦ୍ର ବନ୍ଧନ ଲାଭ କଲା । ଗର୍ହିତ କାର୍ଯ୍ୟ କରିବା କାରଣ ଖଳନିଷ୍ଠ, ଫଳ ରୂପ କାର୍ଯ୍ୟ ସାଧୁନିଷ୍ଠା ବା କାରଣ ରାବଣଗତ କାର୍ଯ୍ୟ ସମୁଦ୍ରଗତ । ସୁତରାଂ ଅସଙ୍ଗତି ।

 

ଯେଉଁ ସ୍ଥଳରେ କାର୍ଯ୍ୟ ଓ କାରଣର ସ୍ଥିତି ବିରୋଧୀ ନୁହେଁ, ସ୍ୱାଭାବିକ ବା କବି ସମ୍ମତ, ସେଠାରେ ଅସଙ୍ଗତି ହୁଏ ନାହିଁ ।

 

ସୁନେତ୍ରା ଏକାଳେ            ଯଯାତି ଆଡ଼କୁ

ଅଜ୍ଞାତେ ଢାଳି ଚାହାଣି,

ସଂହାରି ନେଲାତା            କି ଛାଟରେ ଖେଳା

ଖଞ୍ଜନ ଲେଉଟା ଆଣି ।

X X X X X

 

କାମକାଣ୍ଡ ସଙ୍ଗେ            ସେ କଟାକ୍ଷ ଗଲା

ଯଯାତି ମରମେ ପଶି

ନବ ପ୍ରେମ ସ୍ରୋତ-            ଉଚ୍ଛ୍ୱାସେ ପଡ଼ିଲା

ଧୈର୍ଯ୍ୟ ତଟ ମୂଳ ଧସି ।

ଯଯାତି ।

 

ଏ ପଦ୍ୟରେ କାରଣ କଟାକ୍ଷ ଲଳିତା ନିଷ୍ଟ, କାର୍ଯ୍ୟ ଯଯାତିନିଷ୍ଠ । କିନ୍ତୁ ଏହି କାର୍ଯ୍ୟ କାରଣ ଭାବ ଭିନ୍ନ ଦେଶରେ ରହେ । ଏଠାରେ ଅସଙ୍ଗତି ଅଳଙ୍କାର ହେବ ନାହିଁ ।

 

ବିଷମ ଅଳଙ୍କାର

 

ଅନରୂପ ନୋହିଥିବା ପଦାର୍ଥ ଦ୍ୱୟର

ସମ୍ବନ୍ଧ ବର୍ଣ୍ଣନେ ହୁଏ ବିଷମାଳଙ୍କାର ।୩୯।

 

ଯେଉଁ ପଦାର୍ଥ ଯାହାର ଅନୁରୂପ ନୁହେଁ, ସେହି ପଦାର୍ଥ ସହିତ ତାର ସମ୍ବନ୍ଧ ବର୍ଣ୍ଣିତ ହେଲେ ବିଷମାଳଙ୍କାର ହୁଏ । ଏଠାରେ ସମ୍ବନ୍ଧ କହିଲେ ସଂଯୋଗ ବା କାର୍ଯ୍ୟକାରଣ ଭାବ । ଅନୁରୂପ ନ ହେବା ଦୁଇଟି ପଦାର୍ଥର ସଂଯୋଗ ବା କାର୍ଯ୍ୟକାରଣ ଭାବ । ଅନୁରୂପ ନ ହେବା ଦୁଇଟି ପଦାର୍ଥର ସଂଯୋଗ ବା କାର୍ଯ୍ୟକାରଣ ଭାବ ଯଦି ବର୍ଣ୍ଣିତ ହୁଏ, ତେବେ ବିଷମ । ଯଥା-

 

ଶୁକ ଏ ଦଶାକୁ ତାର ଅନାଇ ବିଚାରେ,

ଧାତାରୁ ଦାରୁଣ ହୋଇ ନାହିଁ ତ ସଂସାରେ

ଏତେ ଦୁଃଖତ ଏହାର

ଏତେ ଏତେ ବିଧି କଲା କେବଣ ବୁଦ୍ଧିର ।

 

ଭୋଗି ଭୋଗକୁ ଯୋଖିଲା ମଳୟ ଅନିଳ

ଶିବ ଭାଗେ କଲା ସିନ୍ଧୁ ମନ୍ଥନେ ଗରଳ

ଦେଲା ରାହୁକୁ ଅମୃତ

କଳାନିଧି ପରା ଦ୍ରବ୍ୟେ କଳଙ୍କ ଅଙ୍କିତ ।

 

ତୀର୍ଥରାଜ ଜଳ କଲା ଲବଣ ସହିତ

ଧର୍ମେ ନୀଚ ପରାଭବ ବିହିଲା ଯେମନ୍ତ

ତଥା କୋମଳ ପିଣ୍ଡକୁ,

ବିହିଲା ଉଦ୍ଦଣ୍ଡ ଫୁଲ କୋଦଣ୍ଡ ଦଣ୍ଡକୁ ।

ଲାବଣ୍ୟ ।

 

ଉକ୍ତ ପଦ୍ୟମାନଙ୍କରେ ସର୍ପ ମଳୟର, ଶିବ-ଗରଳର, ରାହୁ-ଅମୃତର, ଚନ୍ଦ୍ର-କଳଙ୍କର, ତୀର୍ଥରାଜ-ଲବଣର, ଧର୍ମ-ନୀଚ ପ୍ରଭାବର ଓ କୋମଳପିଣ୍ଡ ଫୁଲଚାପ ଦଣ୍ଡର ସମାବେଶ ବର୍ଣ୍ଣିତ କିନ୍ତୁ ସର୍ପ ମଳୟର ଅନୂରୁପ ନୁହେଁ, ଗରଳ ଶିବଙ୍କର ଅନୁରୂପ ନୁହେଁ, ରାହୁ ଅମୃତର ନୁହେଁ, କଳଙ୍କ ଚନ୍ଦ୍ରର ଅନୁରୂପ ନୁହେଁ ଓ କୋମଳ ଶରୀର ଉଦ୍ଦଣ୍ଡ ଫୁଲଚାପଦଣ୍ଡର ଅନୁରୂପ ନୁହେଁ । ଅତଏବ ପ୍ରଥମ ବିଷମାଳଙ୍କାର ।

 

ରଣାଙ୍ଗନେ ଯାର             କର ପଦ୍ମ ସ୍ଥିତ

ତମାଳ ଶ୍ୟାମଳ ଅସି

ଶାରଦ ଚନ୍ଦ୍ରିକା             ଧବଳ କୀରତି

ଜନମାଏ ରିପୁ ନାଶି ।

 

ଏଠାରେ ତମାଳ ଶ୍ୟାମଳ ଖଡ଼ଗଧାରରୁ ଶାରଦୀୟ ଚନ୍ଦ୍ରିକା ଧବଳ କୀର୍ତ୍ତି ଉତ୍ପତ୍ତି ବର୍ଣ୍ଣିତ ହୋଇଅଛି । ଶ୍ୟାମଳରୁ ଧବଳର ଉତ୍ପତ୍ତି ଅନୁରୂପ ନୁହେଁ । ଅନୁରୂପ ନହେବା ତମାଳଶ୍ୟାମଳ ଅସି ଓ ଶାରଦ ଚନ୍ଦ୍ରିକା ଧବଳ କୀର୍ତ୍ତିର କାର୍ଯ୍ୟକାରଣ ଭାବ ବର୍ଣ୍ଣିତ । ସୁତରାଂ ଦ୍ୱିତୀୟ ବିଷମାଳଙ୍କାର ।

 

ସମ ଅଳଙ୍କାର

 

ଅନୁରୂପ ବସ୍ତୁସହ ଯୋଗ୍ୟ ପଦାର୍ଥର

ସମ୍ୱନ୍ଧ ବର୍ଣ୍ଣନେ ହୁଏ ସମ ଅଳଙ୍କାର ।୪୦।

 

ଯୋଗ୍ୟବସ୍ତୁ ସହ ଯୋଗ୍ୟବସ୍ତୁର ସମ୍ୱନ୍ଧ ବର୍ଣ୍ଣିତ ହୋଇଥିଲେ ସମାଳାଙ୍କାର ହୁଏ ।

ଉତ୍କଳେଶ ଜେମା                  ରତି ସ୍ୱରୂପିଣୀ

ଯୁବା ମନ ରତିନାଥ,

ପ୍ରଫୁଲ୍ଲ ପଦ୍ମିନୀ                  ଜେନା ଯୁବାମଣି

ପଦ୍ମିନୀ ପ୍ରାଣ ସଂଘାତ ।

 

ବାସନ୍ତୀ ଲତିକା                   ସେ ନବ ମାଳିକା

ଯୁବା କାନ୍ତ ସହକାର,

ପ୍ରେମ ତରଙ୍ଗିଣୀ                   ସେ ନବ ରଙ୍ଗିଣୀ

ଯୁବା ପ୍ରେମ ପାରାବାର ।

 

ଯୌବନ କାନନେ                   ପୁଷ୍ପ ଲକ୍ଷ୍ମୀ ଜେମା

ଯୁବାମଣି ୠତୁ ରାଜ,

ଚନ୍ଦ୍ରିକା ରୂପିଣୀ                  ସେ ଚନ୍ଦ୍ର ବଦନୀ

ଚନ୍ଦ୍ର ଯୁବାମଣି ତାଜ ।

 

ଚପଳା ରୂପିଣୀ                   ପ୍ରେମାକାଶେ ଜେମା

ଯୁବା ନବ ଜଳଧର,

କୁସୁମ ମଞ୍ଜରୀ                   ପ୍ରେମ କୁଞ୍ଜେ ଜେମା

ଯୁବା ମତ୍ତ ମଧୁକର ।

 

ଶୋଭା ରାଜ୍ୟେ ଜେମା             ରାଣୀର ଭିଆଇ

ଏ ମିଳନ ଅଭିରାମ,

ବିଶ୍ୱ ଶିଳ୍ପି ଶିଳ୍ପ                   ବିଳସିଲା ପୁଷ୍ପ

କାର୍ମୁକ ହେଲା ସକାମ ।

ଯଯାତି ।

 

ଏଠାରେ ଲଳିତା ସହ ଯଯାତିଙ୍କର ସମ୍ୱନ୍ଧ ବର୍ଣ୍ଣିତ । କବି ଲଳିତା ଓ ଯଯାତିଙ୍କର ଅନୁରୂପତା ରତି ରତିନାଥ ଇତ୍ୟାଦି ଆରୋପଣରେ ସ୍ପଷ୍ଟ ରୂପେ ବୁଝାଇ ଅଛନ୍ତି । ଏହି ଅଳଙ୍କାର ବିଷମ ଅଳଙ୍କାରର ଠିକ୍‌ ବିପରୀତ । ବିଷମ ଅଳଙ୍କାର ପରି କାର୍ଯ୍ୟକାରଣ ଭାବ ମଧ୍ୟ ଅନୁରୂପ ହୋଇଥିଲେ ସମାଳଙ୍କାର ହୁଏ । ଯଥା-

 

କେ ବୋଲେ ଗରଳ ଭାଇ କିପାଁ ପ୍ରାଣ ନେବ ନାହିଁ

କେ ଛାଡ଼େ କାହା ବଡ଼ାଇ କୁଟିଳ ହୋଇ ସଦନି ।

ରସ ।

 

ଚନ୍ଦ୍ର ଗରଳ ସହୋଦର ବିଶେଷତଃ କୁଟିଳ, ସେ ପ୍ରାଣ ନେବା ଅନରୂପ ବୋଲି ବର୍ଣ୍ଣିତ । ଅତଏବ ସମାଳଙ୍କାର ।

 

ବିଷାଦନ ଅଳଙ୍କାର

 

ଇଷ୍ଟ ପ୍ରାପ୍ତି ସମୁଦ୍ଦେଶେ ଅନିଷ୍ଟର ପ୍ରାପ୍ତି

ସମ୍ଭବିଲେ ବିଷାଦନ ନାମେ ଅଳଂକୃତି ।୪୧।

 

ଅଭିପ୍ରେତ ବସ୍ତୁ ଲାଭ କରିବା ପ୍ରଯତ୍ନରୁ ଯଦି ଅନିଷ୍ଟର ପ୍ରାପ୍ତି ହୁଏ, ତେବେ ବିଷାଦନ ନାମକ ଅଳଙ୍କାର । ଏହି ଅଳଙ୍କାରକୁ କେତେକ ଆଳଙ୍କାରିକ ବିଷମ ଭେଦରୂପେ ଗଣନା କରିଅଛନ୍ତି । ବିରୂପ ବସ୍ତୁଦ୍ୱୟର ଘଟଣା ଏ ଅଳଙ୍କାରରେ ଦେଖାଯାଏ ନାହିଁ । ବିଶେଷତଃ ଅଭୀଷ୍ଟାର୍ଥର ଅପ୍ରାପ୍ତି ଓ ଅନର୍ଥର ପ୍ରାପ୍ତି ବର୍ଣ୍ଣିତ ହୋଇଥାଏ । ଅତଏବ ସ୍ୱତନ୍ତ୍ର ଅଳଙ୍କାର ରୂପେ ପରିଗଣିତ ହେବା ଉଚିତ ।

 

ଉହାହରଣ-

ସ୍ୱୟମ୍ୱରେ ଲୋଡ଼ି ତହିଁ ସେ ଅବନୀ କୁସୁମ ଝରା

ଦକ୍ଷିଣ ମଶାଣ ରାଜପୁତେ କଲେ ଲେହେ ଉର୍ବରା

ଉଷା ।

 

ଏଠାରେ ରାଜପୁତମାନଙ୍କର ଅଭିପ୍ରେତ ଉଷାର ପ୍ରାପ୍ତି ଉଦ୍ୟମରେ ଅନିଷ୍ଟ ମୃତ୍ୟୁର ବର୍ଣ୍ଣନା କରାଯାଇଅଛି ।

ପାହିବ ଅଚିରେ ତାମସୀ ରଜନୀ

ପ୍ରକାଶିବ ଉଷା ମାନସ ରଞ୍ଜନୀ

ଉଇଁବେ ତପନ ପୂର୍ବାଦ୍ରିଶିଖରେ

ହସିବ ନଳିନ ସଉରଭ ଭରେ ।

ଫୁଟିବ ମରନ୍ଦ ଭଣ୍ଡାର ଦୁଆର

ଆନନ୍ଦେ ନାଚିବ ଏମର ସଂସାର ।

ଏହା ଭାବୁ ଭାବୁ କୋଷଗତ ଅଳି

ଆହା ପଦ୍ମିନୀକୁ ଗିଳି ଦେଲା କରୀ ।

 

ଏଠାରେ ମଧ୍ୟ ଭ୍ରମରର ଇଷ୍ଟପ୍ରାପ୍ତି ଅଭାବ ଓ ଅନର୍ଥ ପ୍ରାପ୍ତି ବର୍ଣ୍ଣିତ । ଅତଏବ ବିଷାଦନ ଅଳଙ୍କାର ।

 

ବିଚିତ୍ର ଅଳଙ୍କାର

 

ଇଷ୍ଟ ସିଦ୍ଧି ଅର୍ଥେ ଇଷ୍ଟ ବିରୁଦ୍ଧାଚରଣ,

ଥିଲେ ବିଚିତ୍ର ନାମକ ଅଳଙ୍କାର ଗଣ । ୪୨।

 

ଯାହା ଅଭିପ୍ରେତ, ତାର ସିଦ୍ଧି ସକାଶେ ସେହି ଅଭିପ୍ରେତ ବସ୍ତୁର ବିରୁଦ୍ଧାଚରଣ ବର୍ଣ୍ଣିତ ହୋଇଥିଲେ ବିଚିତ୍ରାଳଙ୍କାର ହୁଏ । ଯଥା-

କରଇ ପ୍ରଣତି ଉନ୍ନତି କାରଣେ

ତେଜଇ ଜୀବିତ ଜୀବିକା ଅର୍ଜନେ

ସୁଖ ଆଶେ ଦୁଃଖ କରେ ଅନୁଭବ

ସେବକ ବିହୁନେ କେ ମୂଢ଼ ମାନବ ।

 

ଏଠାରେ ସେବକ ଉନ୍ନତି ଆଶରେ ପ୍ରତୀତ କରେ, ଜୀବିକା ଆଶାରେ ଜୀବନ ତ୍ୟାଗ କରେ, ସୁଖ ଆଶାରେ ଦୁଃଖ ଅନୁଭବ କରେ ବୋଲି ବର୍ଣ୍ଣିତ । ଉନ୍ନତିର ବିରୁଦ୍ଧ ପ୍ରଣତି, ଜୀବିକାର ବିରୁଦ୍ଧ ଜୀବନ ତ୍ୟାଗ ଓ ସୁଖ ବିରୁଦ୍ଧ ଦୁଃଖ । ଇଷ୍ଟପ୍ରାପ୍ତି ଉଦ୍ଦେଶ୍ୟରେ ତାର ବିରୁଦ୍ଧ ଆଚରଣ ବର୍ଣ୍ଣିତ । ଅତଏବ ବିଚିତ୍ର ।

 

ଅଧିକ ଅଳଙ୍କାର

 

ଆଧାର ଆଧେୟ ମଧ୍ୟୁଁ ଆଧିକ୍ୟ ଏକର

ଅଭିହିତ ହେଲେ ହୁଏ ଅଧିକାଳଙ୍କାର ।୪୩ ।

 

ଯେଉଁଠାରେ ବସ୍ତୁ ରହେ, ସେ ଆଧାର । ଯାହା ରହେ, ସେ ଆଧେୟ ଆଧେୟ ଅପେକ୍ଷା ଆଧାରର ଆଧିକ୍ୟ ବା ଆଧାରର ଅପେକ୍ଷା ଆଧେୟର ଆଧିକ୍ୟ ବର୍ଣ୍ଣିତ ହୋଇଥିଲେ ଅଧିକାଳଙ୍କାର ହୁଏ ।

ଆଧାର ଅପେକ୍ଷା ଆଧେୟର ଆଧିକ୍ୟ-

 

ପ୍ରଳୟ ସମୟେ ସ୍ୱଚ୍ଛନ୍ଦେ ଯହିଁରେ

ସମସ୍ତ ଭୁବନ ଅବସ୍ଥାନ କରେ ।

ସେହି କଳେବରେ ମୁନି ଆଗମନ-

ଜନିତ ଆନନ୍ଦ ନପାଇଲା ସ୍ଥାନ ।

 

ଏହିଠାରେ ଆନନ୍ଦ ଆଧେୟ, ଶ୍ରୀକୃଷ୍ଣଙ୍କର ଶରୀର ଆଧାର । ଆଧାର ଶ୍ରୀକୃଷ୍ଣଙ୍କ ଶରୀର ଅପେକ୍ଷା ଆଧେୟ ଆନନ୍ଦର ଆଧିକ୍ୟ ବର୍ଣ୍ଣିତ । ଅତଏବ ଅଧିକାଳଙ୍କାର ।

 

ଆଧେୟ ଅପେକ୍ଷା ଆଧାରର ଆଧିକ୍ୟ-

 

କିଏ ସେ କଳିବ ଏ ତିନି ଜଗତେ

କେଡ଼େ ସୁବିସ୍ତୃତ କେଡ଼େ ବା ଆୟତ ।

ଯହିଁ ଅଂସଖ୍ୟେୟ ହେଲେ ବି ନୃପତି

କୀରତି ସ୍ୱଚ୍ଛନ୍ଦେ କରେ ଅବସ୍ଥିତି ।

 

ଏଠାରେ ନୃପତି କୀର୍ତ୍ତି ଆଧେୟ, ତିନି ଭୂତନ ଆଧାର ଆଧେୟ କୀର୍ତ୍ତି ଅପେକ୍ଷା ଆଧାର ତିନି ଭୁବନରେ ଆଧିକ୍ୟ ବର୍ଣ୍ଣିତ ଅତଏବ ଅଧିକ । ସାଧାରଣତଃ ଆଧେୟ ଅପେକ୍ଷା ଆଧାରର ଆଧିକ୍ୟ ଦେଖାଯାଏ । ଯେଉଁଠାରେ ବିଚିତ୍ରତାସହ ଆଧାରର ଆଧିକ୍ୟ ବର୍ଣ୍ଣିତ, ସେଠାରେ କେବଳ ଅଧିକ ହୁଏ ।

 

ଅଳ୍ପ ଅଳଙ୍କାର

 

ସୂକ୍ଷ୍ମ ଆଧେୟରୁ ଯେବେ ପୁଣି ଆଧାରର

ସୂକ୍ଷ୍ମତା ପ୍ରକାଶେ ତେବେ ଅଳ୍ପ ଅଳଙ୍କାର ।୪୪।

 

ଆଧେୟ ସୂକ୍ଷ୍ମ । ସେହି ସୂକ୍ଷ୍ମ ଆଧେୟ ଅପେକ୍ଷା ସୁଦ୍ଧା ଆଧାରର ସୂକ୍ଷ୍ମତା ବର୍ଣ୍ଣିତ ହେଲେ ଅଳ୍ପାଳଙ୍କାର । ଯଥା-

କାହା କଙ୍କଣ ହୋଇଛି କେୟୂର

କେ ଉରେ କରିଛି କଙ୍କଣ ହାର

କେ କଣ୍ଠେ ବସାଇ ତୁମ୍ଭ ନାମକୁ

କଳେବର ଦେଇ କାମ କାଣ୍ଡକୁ

କରିଛି ଶୟନ,

କିଞ୍ଚିତ କରି ଫେଡ଼ିଛି ନୟନ ।

ରସ ।

 

ଏଠାରେ କଙ୍କଣ ହସ୍ତର ଆଧେୟ । ସେ କେୟୂର ପାଦ ଅଳଙ୍କାର ହୋଇଛି ବୋଲି ବର୍ଣ୍ଣିତ । ସେହି କଙ୍କଣ ଅପେକ୍ଷା ସୁଦ୍ଧା ଆଧାର ପାଦର ସୂକ୍ଷ୍ମତା ପ୍ରକାଶ ପାଏ । କଙ୍କଣ ହାର ହୋଇଛି ବୋଲି ବର୍ଣ୍ଣିତ । ସୁତରାଂ କଙ୍କଣ ଅପେକ୍ଷା ସୁଦ୍ଧା ହୃଦୟରୂପ ଆଧାରର ସୂକ୍ଷ୍ମତା ପ୍ରତୀତ ହୁଏ । ଅତଏବ ଏଠାରେ ଅଳ୍ପଅଳଙ୍କାର ।

 

ଅନ୍ୟୋନ୍ୟ ଅଳଙ୍କାର

 

ପରସ୍ପର କାର୍ଯ୍ୟେ ପର-ସ୍ପର ଉପକାର

ପ୍ରକାଶ ପାଇଲେ ହୁଏ ଅନ୍ୟୋନ୍ୟାଳଙ୍କାର ।୪୫।

 

ଯଦି ପରସ୍ପର କାର୍ଯ୍ୟରେ ପରସ୍ପରର ଉପକାର ସାଧିତ ହୁଏ, ତେବେ ଅନ୍ୟୋନ୍ୟାଳଙ୍କାର । ଯଥା :-

ତଥାପି ଭୂଷଣ ନୋହେ ଦୂଷଣ ତୁହି ଚନ୍ଦ୍ରମାସେ ରଜନୀ ଜାଣ

ପରସ୍ପରେ କରେ ଶୋଭା ଅଧିକା ସୁକୁମାରୀ ବୋଲି ନକର ଶଙ୍କା ।

ଏଥୁଁ ହେବ ଭାରା, ପୟୋଧରତ ଧରାଧର ପରା ।

କୋହ ।

 

ଏ ପଦ୍ୟରେ ଅଳଙ୍କାର ଦ୍ୱାରା କୋଟି ବ୍ରହ୍ମାଣ୍ଡ ସୁନ୍ଦରୀର ଶୋଭା କୋଟି ବ୍ରହ୍ମାଣ୍ଡ ସୁନ୍ଦରୀ ଦ୍ୱାରା ଅଳଙ୍କାରର ଶୋଭା ଅଧିକ ହୁଏ ବୋଲି କବି ‘‘ଚନ୍ଦ୍ରମା ରଜନୀ’’ ଆରୋପରେ ସ୍ପଷ୍ଟ ଭାବେ ବୁଝାଇ ଦେଇ ଅଛନ୍ତି । ଶୋଭା ସପାଂଦନ ରୂପ ପରସ୍ପର କାର୍ଯ୍ୟରେ ଉଭୟର ଉପକାରିତା ବର୍ଣ୍ଣିତ-। ଅତଏବ ଅନ୍ୟୋନ୍ୟ ।

 

ପୁର କମଳା ତହିଁ ସ୍ମିତ ବଦନେ

କୃଷ୍ଣାଙ୍କୁ ଅଭ୍ୟର୍ଥିଲା ସ୍ନେହାଲିଙ୍ଗନେ

ହେଲେ ସେ ପରସ୍ପରେ ଶୋଭାବର୍ଦ୍ଧନୀ

ପ୍ରୟାଗେ ଯଥା ଗଙ୍ଗା ଭାନୁନନ୍ଦିନୀ ।

କୀଚକ ।

 

ଏ ପଦ୍ୟରେ ଦ୍ରୌପଦୀ ଦ୍ୱାରା ପୁରକମଳାର ଶୋଭାଧିକ୍ୟ ଓ ପୁରକମଳା ଦ୍ୱାରା ଦ୍ରୌପଦୀଙ୍କର ଶୋଭାଧିକ୍ୟ ବର୍ଣ୍ଣିତ ।

 

ଫଳ ଭ୍ରମର ବାଞ୍ଛଇ ଭ୍ରମର ଫୁଲ-

ଇଛଇ ମଧୁ ଦେଇ ଫୁଲ ତୋଷ କରେ,

ଅନୁସରଇ ଭ୍ରମର, ତୋର ମୋର

ଏ ପ୍ରକାର ସ୍ନେହ ନତୁଟିବ ଜୀଇଁ ବାରେ ରେ

ଜୀବେଶ୍ୱରି, ନିଷ୍ଠା କରି ଜାଣେ ମୁଁ ଏକଥା,

ମାଜିଲା ମୁକୁର ପରି ନିର୍ମଳ ତୋ

ହୃଦ ଗୋରି ପ୍ରତିବିମ୍ବେ ମୋର ହୃଦ ବ୍ୟଥାରେ ।

ଲାବଣ୍ୟ ।

 

ଏଠାରେ ଭ୍ରମର ଓ ଫୁଲର ପରସ୍ପର କାର୍ଯ୍ୟରେ ପରସ୍ପରର ଉପକାରିତା ବର୍ଣ୍ଣିତ । ଅତଏବ ଅନ୍ୟୋନ୍ୟ ଅଳଙ୍କାର ।

 

ବିଶେଷ ଅଳଙ୍କାର

 

ଅନେକ ଆଧାର କିମ୍ବା ଆଧାର ନଥାଇ

ଆଧେୟ ବର୍ଣ୍ଣିତ ହେଲେ ବିଶେଷ ବୋଲାଇ । ୪୬ ।

 

ପ୍ରସିଦ୍ଧ ଆଧାର ବିନା ଆଧେୟ ବର୍ଣ୍ଣନାରେ ଅଥବା ଯେଉଁ ବସ୍ତୁ ଗୋଟିଏ ନିୟତ ଆଧାରରେ ଥାଏ, ସେହି ଆଧେୟର ଅନେକ ଆଧାର କଳ୍ପନାରେ ବିଶେଷାଳଙ୍କାର ହୁଏ । ପ୍ରଥମ ବିଶେଷ ଦୁଇପ୍ରକାର, ଆଧାର ବିନା ଆଧେୟ ବର୍ଣ୍ଣନରେ, ପ୍ରସିଦ୍ଧ ଆଧାର ବିନା ଅନ୍ୟଧାରରେ ଆଧେୟ ବର୍ଣ୍ଣନରେ ।

 

ପ୍ରଥମ ଯଥା-

କାଳ ଧର୍ମେ ତେଜିଛନ୍ତି ଏମର ଭୁବନ

କାଳିଦାସ ଭବଭୁତି ଆଦି କବିଗଣ ।

ମାତ୍ର ଶାରଦୀୟ ଜ୍ୟୋତ୍ସ୍ନା ବିମଳ କୀରତି

ଆଶ୍ରୟ ଅଭାବେ ମଧ୍ୟ ବିରାଜେ ସଂପ୍ରତି ।

ଏଠାରେ କୀର୍ତ୍ତିର ଆଶ୍ରୟ ଅଭାବରେ ମଧ୍ୟ ସ୍ଥିତି ବର୍ଣ୍ଣିତ ।

 

ଦ୍ୱିତୀୟ ଯଥା-

ଅର୍ଦ୍ଧଚନ୍ଦ୍ର କୋଳେ ସେ ପୂର୍ଣ୍ଣଚନ୍ଦ୍ରମା

ତାହା କୋଳେ ବାଳ ମିହିର

ଏକା ବେଳକେ ସେ ଉଦୟ କରଇ

ଅନଙ୍ଗ ଅମଙ୍ଗଳ କର

ବିପରୀତ ଏ, ସମସ୍ତ ଲୋକେ ଦେଖିବାର,

ପୟୋଧର ସିନା ଘୋଡ଼ାଏ ଅମ୍ବର ଅମ୍ବର ଢାଙ୍କେ ପୟୋଧର ।

ପ୍ରେମ ।

 

ଏହି ପଦ୍ୟରେ ଅର୍ଦ୍ଧଚନ୍ଦ୍ର କୋଳେ ପୂର୍ଣ୍ଣଚନ୍ଦ୍ରର ଓ ପୂର୍ଣ୍ଣଚନ୍ଦ୍ର କୋଳରେ ବାଳ ସୂର୍ଯ୍ୟର ସ୍ଥିତି ବର୍ଣ୍ଣିତ ହୋଇଅଛି । ଅର୍ଦ୍ଧ ଚନ୍ଦ୍ର ପୂର୍ଣ୍ଣଚନ୍ଦ୍ର ଓ ବାଳମିହିର ପଦରେ ଯଥାକ୍ରମେ ଲଲାଟ ମୁଖ ଓ ଅଧର ବା ଲଲାଟ ଚନ୍ଦନ ବିନ୍ଦୁ ଓ ସିନ୍ଦୁର ବିନ୍ଦୁ ଅଭିହିତ ହେଉଅଛି । ଚନ୍ଦ୍ର ଓ ସୂର୍ଯ୍ୟର ପ୍ରସିଦ୍ଧ ଆଧାର ଛଡ଼ା ଅର୍ଦ୍ଧଚନ୍ଦ୍ର ଓ ପୂର୍ଣ୍ଣଚନ୍ଦ୍ର ଆଧାର ରୂପେ କଳ୍ପିତ । ଅତଏବ ବିଶେଷାଳଙ୍କାର । ଏଠାରେ ରୂପକାତିଶୟୋକ୍ତି ମଧ୍ୟ ବିଦ୍ୟମାନ ।

 

ଦ୍ୱିତୀୟ ବିଶେଷ ଯଥା-

ଦିଶିଲା ସକଳ ଦିଗ ରାମଚନ୍ଦ୍ରମୟ

ବସିଛନ୍ତି ପ୍ରଭୁ ହୋଇ ବିଷଣ୍ଣ ହୃଦୟ ।

ଯୁଗ୍ମ କରେ ଆଗେ ଉଭା ସୁଧୀର ଲକ୍ଷ୍ମଣ

ପୂରିଛି ଦୁହିଁଙ୍କ ନେତ୍ରେ ଲୋତକ ଝରଣ ।

ନପାରନ୍ତି ପୁଛି ରାମ ସୀତାଙ୍କ ଖବର

କହିବାକୁ ବାକ୍ୟ ସ୍ଫୁରୁ ନାହିଁ ଲକ୍ଷ୍ମଣର ।

ରବିଙ୍କି ଚାହାନ୍ତେ ରବି କୋଳେ ରଘୁନାଥ

ନତମୁଖେ ବସିଛନ୍ତି ଶିରେ ଦେଇ ହାତ ।

ଦିଶିଲା ପଡ଼ନ୍ତେ ନେତ୍ର ଭାଗୀରଥୀ ପ୍ରତି

ଚାଲିଛନ୍ତି ଭଗୀରଥୀ ପଛେ ରଘୁପତି ।

ଗଙ୍ଗାଧର ସମ ରାମ ନେତ୍ର ଜଳରାଶି

ତହିଁ ଯାନ୍ତି ରାମ ଥରେ ମଜ୍ଜି ଥରେ ଭାସି ।

ତପସ୍ୱିନୀ ।

 

ଏଠାରେ ଏକ ରାମଚନ୍ଦ୍ରଙ୍କର ଅନେକ ସ୍ଥାନରେ ସ୍ଥିତି ବିରହ ଭାବନା ବଶତଃ ସୀତାଙ୍କ ଦ୍ୱାରା ବର୍ଣ୍ଣିତ । ଅତଏବ ଦ୍ୱିତୀୟ ବିଶେଷ ଅଳଙ୍କାର ।

 

ବ୍ୟାଘାତ ଅଳଙ୍କାର

 

ଯାହା ଦ୍ୱାରା ଯେଉଁ କାର୍ଯ୍ୟ ହୁଏ ସଂଘଟିତ

ତଦ୍ୱାରା ବିରୁଦ୍ଧ କାର୍ଯ୍ୟ ହେଲେଟି ବ୍ୟାଘାତ ।୪୭।

 

ଯେଉଁ କାରଣ ଦ୍ୱାରା ଯେଉଁ କାର୍ଯ୍ୟ ସିଦ୍ଧି ଲୋକ ସମ୍ମତ । ସେହି କାରଣ ଦ୍ୱାରାହିଁ ଯଦି ସେ କାର୍ଯ୍ୟର ବିରୁଦ୍ଧ କାର୍ଯ୍ୟ ସିଦ୍ଧି ବର୍ଣ୍ଣିତ ହୁଏ, ତେବେ ବ୍ୟାଘାତ ଅଳଙ୍କାର । ଯଥା-

ଯେଉଁ ପୁଷ୍ପାୟୁଧ            ବିନ୍ଧିଲା ମୋହୃଦ

ବିନ୍ଧୁଛି ସେହି ତା ହୃଦ

ମଣିଥିଲି ଯାକୁ             ଅରି କରି ଏବେ

ସେ ମୋର ଇଷ୍ଟ ସୁହୃଦ ।

ଯଯାତି ।

 

ଏହି ପଦ୍ୟରେ କନ୍ଦର୍ପର ଶରବେ ଧନ ରୂପ କାରଣରେ ଶତ୍ରୁତା ରୂପ ପ୍ରକୃତ କାର୍ଯ୍ୟ ଓ ସେହି କାରଣରେ ଶତ୍ରୁତା ବିରୋଧୀ ମିତ୍ରତା ରୁପ କାର୍ଯ୍ୟ ସୁଦ୍ଧା ବର୍ଣ୍ଣିତ । ଏହି ଅଳଙ୍କାରରେ କାରଣର ଅନୁରୂପ କାର୍ଯ୍ୟ ଓ କାର୍ଯ୍ୟର ବିରୁଦ୍ଧ କାର୍ଯ୍ୟ ସୁଦ୍ଧା ବର୍ଣ୍ଣିତ ହୋଇଥାଏ । ବିଷମରେ କେବଳ କାରଣର ବିରୁଦ୍ଧ କାର୍ଯ୍ୟ ବର୍ଣ୍ଣିତ ହୋଇଥାଏ ।

 

ଯେଉଁ କାରଣ ଏକ କାର୍ଯ୍ୟ ସାଧନ ଉଦ୍ଦେଶ୍ୟରେ ପ୍ରଯୁକ୍ତ ସେହି କାରଣ (ଅନ୍ୟ ବକ୍ତା ଦ୍ୱାରା) ତଦ୍ଦିରୁଦ୍ଧ କାର୍ଯ୍ୟ ସାଧନର ଉପଯୋଗୀ ହେଲେ ମଧ୍ୟ ଏହି ବ୍ୟାଘାତ ହୁଏ । ଯଥା-

 

ତୁମ୍ଭେ ଯେ ଦୋଇଲା            ସର୍ବ ହୃଦରେ ବ୍ରହ୍ମରଠାବ

ତେବେ ଆଉ ଭଜୁଛ କାହାକୁ ;

ତୁମ୍ଭର ଶରୀରେ ଅଛି            ବୋଲାଇ ପରମପକ୍ଷୀ

କେଉଁ ଜଣ ପେଷିଛି ତୁମ୍ଭଙ୍କୁ ହେ,

ହରିଦୂତ,

କାହା ବୋଲେ ଗୋପକୁ ଅଇଲ

କାହା ଆଜ୍ଞା ଆମ୍ଭଙ୍କୁ କହିଲ ହେ ।

ମଥୁରା ।

 

ଉଦ୍ଧବ ଗୋପିକାମାନଙ୍କୁ ସାନ୍ତ୍ୱନା କରିବାକୁ ଯାଇ ଶ୍ରୀକୃଷ୍ଣଙ୍କର କଳହୃଦୟାବସ୍ଥିତ ରୂପେ ଯେଉଁ କାରଣ ନିର୍ଦ୍ଦେଶ କରିଥିଲେ, ସେହି କାରଣ ଦ୍ୱାରା ଗୋପିକାମାନେ ଉଦ୍ଧବଙ୍କର ବଚନ ଖଣ୍ଡନ କରୁଅଛନ୍ତି - ଅତଏବ ବ୍ୟାଘାତ । ଯଥା –

 

ଯେବେ ପ୍ରିୟତମା ବୋଲି ଭାବି ପ୍ରାଣେଶ୍ୱର

ଆଦେଶୁଛ ରହିବାକୁ ଚାହେ ନିରନ୍ତର ।

କିପରି ସହିବ ତେବେ ପ୍ରଣୟ ଯନ୍ତ୍ରଣା

ସଙ୍ଗେ ନିଅ ଶ୍ରୀଚରଣେ କରୁଛି ପ୍ରାର୍ଥନା ।

ଏ ଭୀରୁ ଅବଳା ବୋଲି ଯଦି ଭାବ ମନେ,

ନକର ଅନ୍ତର ତାକୁ ଭୁଜଦଳୁଁ କ୍ଷଣେ ।

 

ଏହା ରାମଚନ୍ଦ୍ରଙ୍କ ପ୍ରତି ସୀତାଙ୍କର ଉକ୍ତି । ସୀତା ଗୃହରେ ରହିବାକୁ ରାମଚନ୍ଦ୍ର ପ୍ରିୟତମାତ୍ୱ ଭୀରୁତ୍ୱ ଓ ଅବଳାତ୍ୱ ରୂପ ତିନୋଟି କାରଣ ଦେଖାଇ ପାରନ୍ତି । ସୀତା ପ୍ରିୟତମା, ବନରେ ବିଶେଷ କଷ୍ଟ ହେବ । ପ୍ରିୟତମାଙ୍କୁ କଷ୍ଟ ଦେବାକୁ ସେ ଚାହାନ୍ତି ନାହିଁ । ସୀତା ଭୀରୁ, ବନ ଦେଖିଲେ ଭୟ କରିବେ, ହିଂସ୍ର ଜନ୍ତୁ ମୁଖରେ ପଡ଼ିବେ, ସୀତା ପୁଣି ଅବଳା, ବନରେ ଯାତାୟାତ କରିପାରିବେ ନାହିଁ । ଅତଏବ ସୀତା ଗୃହେ ରହିବା ଉଚିତ, କିନ୍ତୁ ସୀତା ଏହି ତିନୋଟି କାରଣ ଯୋଗୁଁ ତାଙ୍କୁ ନେବାକୁ ହେବ ବୋଲି କହିଅଛନ୍ତି । ସୀତା ପ୍ରିୟତମା, ତାଙ୍କର ବିରହ ଶ୍ରୀରାମଙ୍କ ପକ୍ଷେ ଅସହ୍ୟ ହେବ, ସେ ଅବଳା ଓ ଭୀରୁ, ଭୀରୁ ଓ ଅବଳାକୁ ଛାଡ଼ିଯିବା ବୀରର କର୍ତ୍ତବ୍ୟ ନୁହେଁ, ତାକୁ ସ୍ୱଭୂଜବଳେ ରଖିବା ଉଚିତ । ସୁତରାଂ ତାଙ୍କୁ ନେବା ଉଚିତ । ଗୃହରେ ରହିବା ରୂପ କାର୍ଯ୍ୟ-ସାଧନ-ଉଦ୍ଦେଶ୍ୟରେ ପ୍ରବୃତ୍ତ କାରଣ ବିରୁଦ୍ଧ କାର୍ଯ୍ୟର ସାଧନ ହେଲା । ଅତଏବ ବ୍ୟାଘାତ ।

 

କାରଣମାଳା ଅଳଙ୍କାର

 

ପୂର୍ବ ପୂର୍ବ କାର୍ଯ୍ୟ ପ୍ରତି ଉତ୍ତର ଉତ୍ତର

କାରଣ ହେଲେ କାରଣ-ମାଳା ଅଳଙ୍କାର ।୪୮।

ପୂର୍ବ ପୂର୍ବ ହେତୁ ପ୍ରତି ଉତ୍ତର ଉତ୍ତର

କାର୍ଯ୍ୟ ହେଲେ ବି କାରଣ-ମାଳା ଅଳଙ୍କାର ।୪୯।

 

ପୂର୍ବ ପୂର୍ବ ପ୍ରତି ଉତ୍ତର ଉତ୍ତର କାରଣ ହେଲେ ଅଥବା ପୂର୍ବ ପୂର୍ବ କାରଣ ପ୍ରତି ଉତ୍ତର ଉତ୍ତର କାର୍ଯ୍ୟ ହେଲେ କାରଣ ମାଳା ନାମକ ଅଳଙ୍କାର ହୁଏ । ଯେଉଁଠାରେ ପ୍ରଥମେ ପ୍ରଥମେ କାର୍ଯ୍ୟ ରୂପେ ଉକ୍ତ ବସ୍ତୁ ପରେ ପରେ କାରଣ ରୂପେ ବର୍ଣ୍ଣିତ ଅଥବା ଯେଉଁ ଠାରେ ପ୍ରଥମେ ପ୍ରଥମେ କାରଣ ରୂପେ ନିର୍ଦ୍ଦିଷ୍ଟ ବସ୍ତୁ ପରେ ପରେ କାର୍ଯ୍ୟ ରୂପେ ବର୍ଣ୍ଣିତ, ସେଠାରେ କାରଣମାଳା ।

 

କାର୍ଯ୍ୟର କାରଣ ଭାବ ଯଥା –

 

ସ୍ୱର୍ଗ ଅପବର୍ଗ ଦାନର ଫଳ, ଦାନ ହୁଏ ଦେଲେ ସଂପଦ ବିପୁଳ

ସଂପଦ ସମ୍ଭବେ ଥିଲେ ବହୁଭାଗ୍ୟ ଭାଗ୍ୟଶିବ ଭକ୍ତି କରଇ ସଂଯୋଗ

 

ପ୍ରଥମ ବାକ୍ୟରେ ଦାନ କାର୍ଯ୍ୟ, ଦ୍ୱିତୀୟ ବାକ୍ୟରେ ଦାନ କାରଣ, ଦ୍ୱିତୀୟ ବାକ୍ୟରେ ବିପୁଳ ସଂପଦ କାର୍ଯ୍ୟ, ତୃତୀୟ ବାକ୍ୟରେ ବିପୁଳ ସଂପଦ କାରଣ, ତୃତୀୟ ବାକ୍ୟରେ ବହୁଭାଗ୍ୟ କାର୍ଯ୍ୟ, ଚତୁର୍ଥ ବାକ୍ୟରେ ବହୁଭାଗ୍ୟ କାରଣ । ଅର୍ଥାତ୍‌ ଶିବଭକ୍ତି ଥିଲେ ଭାଗ୍ୟ, ଭାଗ୍ୟ ଥିଲେ ବିପୁଳ ସଂପତ୍ତି, ବିପୁଳ ସଂପତ୍ତି ଥିଲେ ଦାନ, ଦାନ ଥିଲେ ସ୍ୱର୍ଗ ଅପବର୍ଗ ହୁଏ । ଏପରି ପୂର୍ବ ପୂର୍ବ ବାକ୍ୟର କାର୍ଯ୍ୟ ଗୁଡ଼ିକ ଉତ୍ତର ଉତ୍ତର ବାକ୍ୟରେ କାରଣ ହୋଇଅଛି । ଅତଏବ କାରଣାମାଳା ।

 

କାରଣର କାର୍ଯ୍ୟଭାବ ଯଥା -

ସେ ମଦନ ପୁଣି ସୁରତି ବଶ

ସୁରତି ହୁଏ ପ୍ରୀତିରୁ ପ୍ରକାଶ

ଭାବ ସମ୍ୱନ୍ଧ ପ୍ରୀତି ଆଲମ୍ୱନ

ନାନା କ୍ରୀଡ଼ାରୁ ପ୍ରୀତି ଉତପନ୍ନ

ତହୁଁ ସୁଖ ଜାତ

ତହୁଁ ଆନନ୍ଦ ହୁଅଇ ସମ୍ଭୂତ ।

ତହୁଁ ମୋହନ ସାଗର ସରିତ

ମାଦକ ଲହରୀ ତହିଁରୁ ଜାତ

ଆହ୍‌ଲଦାମୃତ ତହିଁରୁ ଜନମ

ତହୁଁ ମୋହନ ବିଧି ଉତପନ୍ନ

ତାହା ଯେ ଲଭଇ

କିଛି ନଗଣେ ଗର୍ବେଶ୍ୱର ହୋଇ ।

ଚିନ୍ତାମଣି ।

 

ଏଠାରେ ମଦନରୁ ସୁରତି, ସୁରତିରୁ ପ୍ରୀତି, ପ୍ରୀତିରୁ ସୁଖ, ସୁଖରୁ ଆନନ୍ଦ, ଆନନ୍ଦରୁ ମୋହନ ସରିତ, ମୋହନ ସରିତରୁ ମାଦକ ଲହରୀ, ମାଦକ ଲହରୀରୁ ଆହ୍‌ଲାଦାମୃତ ଓ ଆହ୍‌ଲାଦାମୃତରୁ ମୋହନ ବିଧି ଜାତ ବୋଲି ବର୍ଣ୍ଣିତ । ପୂର୍ବ ପୂର୍ବ କାରଣ ଉତ୍ତର ବାକ୍ୟରେ କାର୍ଯ୍ୟ ରୂପେ ବର୍ଣ୍ଣିତ । ଅତଏବ କାରଣ ମାଳା । ଏ ଅଳଙ୍କାର ଶୃଙ୍ଖଳାମୂଳକ । ଶିଙ୍କୁଳୀ ଭଳିଆ କାର୍ଯ୍ୟକାରଣ ଉତ୍ତରୋତ୍ତର ବାକ୍ୟରେ ପରସ୍ପର ଆବଦ୍ଧ ଥିଲେ ଏ ଅଳଙ୍କାର ହୁଏ ।

 

Unknown

ଏକାବଳୀ ଅଳଙ୍କାର

 

ପୂର୍ବ ପୂର୍ବ ବାକ୍ୟେ ଯେବେ ଉତ୍ତର ଉତ୍ତର

ବିଶେଷଣ, ତେବେ ଏକାବଳୀ ଅଳଙ୍କାର ।୫୦।

ପୂର୍ବ ପୂର୍ବ ପରେ ପରେ ହେଲେ ବିଶେଷଣ

ତେବେ ମଧ୍ୟ ଏକାବଳୀ ଅଳଙ୍କାର ମାନ ।୫୧।

 

ପୂର୍ବ ପୂର୍ବ ବାକ୍ୟରେ ଉତ୍ତର ଉତ୍ତର ବାକ୍ୟର ବିଶେଷ୍ୟ ଯଦି ବିଶେଷଣ ରୂପେ ବ୍ୟବହୃତ ହୋଇଥାଏ, ଅଥବା ପୂର୍ବ ପୂର୍ବ ବାକ୍ୟର ବିଶେଷ୍ୟ ଉତ୍ତର ଉତ୍ତର ବାକ୍ୟରେ ଯଦି ବିଶେଷଣ ହୋଇ ଥାଏ, ତେବେ ଏକାବଳୀ ନାମକ ଅଳଙ୍କାର ।

 

ଉତ୍ତର ଉତ୍ତରର ପୂର୍ବ ପୂର୍ବରେ ବିଶେଷଣତା ଯଥା –

 

ସଂସାରେ ଏଦେହ ମନ ଆୟତ୍ତ

ସେ ମନ ପୁଣି ଗୋ ଇନ୍ଦ୍ରିୟଗତ

ଇନ୍ଦ୍ରିୟ ପୁଣି ଗୋ ପ୍ରକୃତି ବଶ

ପ୍ରକୃତି ସ୍ୱଭାବ ବଳେ ପ୍ରକାଶ

ମଦନ ଅଧୀନ

ଏମାନେ ସବୁଁ ହୁଅନ୍ତିଟି ଘେନ ।

ଚିନ୍ତାମଣି ।

 

ଏ ପଦ୍ୟରେ ଉତ୍ତର-ଉତ୍ତର ବାକ୍ୟରେ ଥିବା ମନ, ଇନ୍ଦ୍ରିୟ ଓ ପ୍ରକୃତି ପୂର୍ବ ପୂର୍ବ ବାକ୍ୟରେ ବିଶେଷଣ ରୂପେ ପ୍ରଯୁକ୍ତ ହୋଇଅଛି ।

 

ପୂର୍ବ ପୂର୍ବର ଉତ୍ତରୋତ୍ତର ବାକ୍ୟରେ ବିଶେଷଣତା ଯଥା –

 

ବାପୀ ଦେଖାଯାଏ ବିମଳ ସୁନ୍ଦର

ବାପୀରେ ବିରାଜେ ବିକଚ କମଳ,

କମଳେ ଜଡ଼ିତ ସଦା ଅଳିଶ୍ରେଣୀ

ଅଳିର ସଙ୍ଗୀତ ନିଏ ମନ ଟାଣି ।

 

ଏହି ପଦ୍ୟର ପୂର୍ବ ପୂର୍ବ ବାକ୍ୟରେ ଥିବା ବାପୀ କମଳ ଓ ଅଳିପଦ ଉତ୍ତର-ଉତ୍ତର ବାକ୍ୟରେ ବିଶେଷଣ ହୋଇଅଛି । ଏମଧ୍ୟ ଶୃଙ୍ଖଳାଗର୍ଭକ ଅଳଙ୍କାର, ପୂର୍ବ ଓ ପର ପରସ୍ପର ସମ୍ୱନ୍ଧ ହୋଇ ରହିଥାନ୍ତି ।

 

ମାଳାଦୀପକ ଅଳଙ୍କାର

 

ଦୀପକ ଓ ଏକାବଳୀ-ଛାୟା ଯହିଁ ସ୍ଥିତି

କରେ ତହିଁ ହୁଏ ମାଳା-ଦୀପକାଳଙ୍କୃତି ।୫୨।

 

ଯେଉଁଠାରେ ଦୀପକ ଓ ଏକାବଳୀର ଛାୟା ରହେ, ଅର୍ଥାତ୍‌ ଗୋଟିଏ କ୍ରିୟା ଅନେକ ବାକ୍ୟରେ ଅନ୍ୱିତ ହୁଏ ଓ ଗୃହୀତ ମୁକ୍ତରୀତି ଥାଏ, ସେଠାରେ ମାଳାଦୀପକାଳଙ୍କାର । ଯଥା -

 

ତୁମ୍ଭ ଆଗମନେ ପବିତ୍ର ଉତ୍କଳ

ଜାହ୍ନବୀ ପରଶେ ଯେହ୍ନେ ଧରାତଳ

ଶୋଭିବ ଉତ୍କଳ ସଦ୍ମେ ସଦାଶୟା

ସରେ ଯଥା ପଦ୍ମ, ପଦ୍ମେ ପଦ୍ମାଳୟା ।

ଚିଲିକା ।

 

ଏଠାରେ ଶୋଭିବ-ଏହି କ୍ରିୟାଟି ‘‘ଯଥା ସରେ ପଦ୍ମ’’ ଏହା ସହିତ ଓ ‘ଯଥା ପଦ୍ମେ ପଦ୍ମାଳୟା’ ଏହା ସହିତ ଅନ୍ୱିତ ହୁଏ । ଅର୍ଥାତ୍‌ ପଦ୍ମ ଓ ପଦ୍ମାଳୟାର ଏକ ଶୋଭିବ-କ୍ରିୟା ସହିତ ଅନ୍ୱୟ ହେଉଅଛି । ପ୍ରଥମ-ଉପାତ୍ତ ସର ଓ ପଦ୍ମ ମଧ୍ୟରୁ ଦ୍ୱିତୀୟ ବାକ୍ୟରେ ପଦ୍ମ ଗୃହୀତ ହୋଇଅଛି । ଅତଏବ ମାଳାଦୀପକ ।

 

କ୍ରମେ ଦେହେ ହେଲା ଯୌବନ ପ୍ରକାଶ

ବସନ୍ତେ ଆସଇ ଯଥା ମଧୁ ମାସ,

କିମ୍ବା ମଧୁମାସେ ନବ କିଶଳୟ,

କିଶଳୟେ ଅବା କୁସୁମ ନିଚୟ ।

ନନ୍ଦିକା ।

 

ଏହି ପଦ୍ୟରେ ମଧ୍ୟ ଆସଇ କ୍ରିୟା ପରବର୍ତ୍ତୀ ବାକ୍ୟମାନଙ୍କରେ ଅନ୍ୱିତ ହୁଏ ଓ ଗୃହୀତ ମୁକ୍ତରୀତି ଦେଖାଯାଏ । ସୁତରାଂ ମାଳାଦୀପକାଳଙ୍କାର ।

 

ସାର ଅଳଙ୍କାର

 

ପୂର୍ବ ପୂର୍ବ ପ୍ରତି ଯେହ୍ନେ ଉତ୍ତର-ଉତ୍ତର

ଉତ୍କର୍ଷ ପ୍ରକାଶେ ତେବେ ସାର ଅଳଙ୍କାର । ୫୩ ।

 

ପୂର୍ବ ପୂର୍ବ ଅପେକ୍ଷା ଉତ୍ତରୋତ୍ତର ଉତ୍କର୍ଷ ପ୍ରତୀତ ହେଉଥିଲେ ସାର ଅଳଙ୍କାର ହୁଏ । ଉତ୍କର୍ଷ ଶ୍ଳାଘ୍ୟ ଗୁଣ ବିଷୟକ ବା ଅଶ୍ଳାଘ୍ୟ ଗୁଣ ବିଷୟକ ହୋଇଥାଏ ।

 

ଶ୍ଳାଘ୍ୟ ଗୁଣର ଉତ୍ତରୋତ୍ତର ଉତ୍କର୍ଷ ଯଥା-

 

ହୋଇ ନଥିବଟି            କେଡ଼େ ଭଗ୍ୟବତୀ

ଜନନୀ ଯୁବାମଣିର,

ଏ ଲଳିତ ବିପୁ            ବଢ଼ାଇଲା ଯେହୁ

ନିଜ ସ୍ତନୁ ଦେଇ କ୍ଷୀର ।

 

ତହୁଁ ଶତ ଗୁଣେ            ଭାଗ୍ୟବତୀ ପୁଣି

ଭବେ ସେ ମତ୍ତକାଶିନୀ

ତପ ଫଳେ ଯେହୁଁ            ହୋଇଛି ଏ ବିଶ୍ୱ-

ମୋହନ-ମନ-ମୋହିନୀ

ଯଯାତି ।

 

ଏ ପଦ୍ୟରେ ଭାଗ୍ୟବତୀର ରୂପ ଗୁଣର ଉତ୍ତରୋତ୍ତର ଉତ୍କର୍ଷ ପ୍ରତୀତ ହୁଏ । ଅଥବା-

 

ଅଖିଳ ଭାରତେ

ପର୍ଣ୍ଣଦଳେ ଶ୍ରେଷ୍ଠ ଯେହ୍ନେ ପ୍ରସୂନ ଲଳିତ

ଶ୍ରେଷ୍ଠ ଏ ଉତ୍କଳ ଭୂମି ଗୁଣେ ଗରୀୟସୀ,

ଯାମ୍ୟେ ଯାର ଋଷିକୁଲ୍ୟା କପିଶା ଉତ୍ତରେ

ପଶ୍ଚିମେ ଭାର୍ଗବାଶ୍ରମ ମହେନ୍ଦ୍ର ଶିଖରୀ

ଚିରକୋଳାହଳମୟ ପୂର୍ବେ ପୟୋନିଧି

ପୁଷ୍ପକୁଳେ ଶ୍ରେଷ୍ଠ ତାର କେଶର ଯେସନେ

ଶ୍ରେଷ୍ଠ ଏ ନୀଳାଦ୍ରିଧାମ ସମଗ୍ରେ ଉତ୍କଳେ ।

ମହାଯାତ୍ରା ।

 

ଏଠାରେ ଭାରତ ଅପେକ୍ଷା ଉତ୍କଳ ଓ ଉତ୍କଳ ଅପେକ୍ଷା ନୀଳାଦ୍ରି ଧାମର ଉତ୍କର୍ଷ ବର୍ଣ୍ଣିତ । ଅତଏବ ସାର ।

 

ଅଶ୍ଳାଘ୍ୟ ଗୁଣର ଉତ୍ତରୋତ୍ତର ଉତ୍କର୍ଷ ଯଥା-

 

ତୁଳା ତୃଣ ଠାରୁ ଅଟେ ଲଘୁତର

ତାଠାରୁ ଯାଚକ ବୋଲି ମନେ କର ।

 

ଏଠାରେ ଲଘୁତ୍ୱରୂପ ଅଶ୍ଳାଘ୍ୟ ଗୁଣର କ୍ରମିକ ଉତ୍କର୍ଷ ଦେଖାଯାଏ । ଅତଏବ ସାର ।

 

ଯଥାସଂଖ୍ୟ ଅଳଙ୍କାର

 

ପ୍ରଥମ ନିର୍ଦ୍ଦେଶ କ୍ରମେ ବସ୍ତୁମାନଙ୍କର

ଅନ୍ୱୟ ଘଟିଲେ ଯଥା-ସଂଖ୍ୟ ଅଳଙ୍କାର । ୫୪ ।

 

ଅନେକ ବସ୍ତୁ ପ୍ରଥମରେ ଯେଉଁ କ୍ରମରେ ଉକ୍ତ, ସେହି କ୍ରମରେ ଯଦି ସେମାନଙ୍କର ଅନ୍ୟ ବସ୍ତୁମାନଙ୍କ ସହ ଅନ୍ୱୟ ଘଟେ ତେବେ ଯଥାସଂଖ୍ୟ ଅଳଙ୍କାର ।

ମଗଧ ନିବାସୀ            କ୍ଷତ୍ର ବଂଶ ଜାତ

ଯାମଳ ଭାଇ ଭଗିନୀ,

ଯଯାତି ବିମଳା            ପ୍ରବେଶିଲେ ଆସି

ବହେ ଯହିଁ ପ୍ରବାହିନୀ ।

ଯଯାତି ।

 

ଏଠାରେ ପ୍ରଥମୋକ୍ତ ଭାଇ ଶବ୍ଦ ପ୍ରଥମୋକ୍ତ ଯଯାତିସହ । ଦ୍ୱତୀୟୋକ୍ତ ଭଗିନୀ ଶବ୍ଦ ବିମଳାସହ ଅନ୍ୱିତ ହୁଏ । କିନ୍ତୁ ବୈଚିତ୍ର୍ୟ ନାହିଁ-। ଅତଏବ ଯଥା ସଂଖ୍ୟ ହେବନାହିଁ । ବୈଚିତ୍ର୍ୟ ନଥିଲେ ଯଥା ସଂଖ୍ୟ ହୁଏ ନାହିଁ । ଉଦାହରଣ ଯଥା-

 

ବୈଦେହୀ ଶ୍ରୀରାମ କିସେ କରିଣୀ କରୀ

ବିନୋଦ ନଦୀରେ କୁଞ୍ଜ କୁଟୀରେ କରି ।

ବୈଦେହୀ ।

 

ଏହି ପଦ୍ୟରେ ବୈଦେହୀ ପଦ କରିଣୀ ସହ, ଶ୍ରୀରାମ ପଦ କରି ସହିତ ଅନ୍ୱିତ ହୁଏ । ସମ୍ଭାବନା ଗତ ବୈଚିତ୍ର୍ୟରେ ଯଥା ସଂଖ୍ୟାର ମଧ୍ୟ ବୈଚିତ୍ର୍ୟ ଦେଖାଯାଏ । ଅତଏବ ଯଥା

ସଂଖ୍ୟ ।

 

ପର୍ଯ୍ୟାୟ ଅଳଙ୍କାର

 

ପର୍ଯ୍ୟାୟ କରମେ ଏକ ଅନେକ ଆଧାର

ଆଶ୍ରେ କରିଥିଲେ ହୁଏ ପର୍ଯ୍ୟାୟାଳଙ୍କାର । ୫୫ ।

ଅବା ଏକଧାରେ ବହୁ ଆଧୋୟର ସ୍ଥିତି

ପର୍ଯ୍ୟାୟ କରମେ ଥିଲେ ପର୍ଯ୍ୟାୟାଳକୃଂତି । ୫୬ ।

 

ଯଦି ଏକ ଆଧେୟ ପର୍ଯ୍ୟାୟରେ ଅନେକ ଆଧାରରେ ରହେ ଅଥବା ଏକ ଆଧାରରେ ପର୍ଯ୍ୟାୟରେ ଅନେକ ଆଧେୟ ରହେ, ତେବେ ପର୍ଯ୍ୟାୟାଳଙ୍କାର ହୁଏ ।

 

ଏକ ଆଧେୟର ଅନେକ ଆଧାରରେ ସ୍ଥିତି ଯଥା-

 

ସୁମତି ଗତିରୁ ଅତି ଚଞ୍ଚଳତା ଦୁର୍ଗଞ୍ଚଳକୁ ଆଶ୍ରେ କଲା

କଟି ଉନ୍ନତି ପ୍ରକଟି ଭୀରୁ ଚାରୁ ଉରୁ ଗୁରୁତା ବଢ଼ାଇଲା

ଅତୁଳା, ପିତୁଳା ଲୀଳା ସ୍ନେହ ତେଜି,

ସମ୍ବନ୍ଧ ବନ୍ଧ ପଟଳରେ ନିର୍ବନ୍ଧ ସେ କାନ୍ତେ ଏକାନ୍ତେ ନିମଜ୍ଜି ।

ଚିନ୍ତାମଣି ।

 

ଏଠାରେ ଶ୍ରୀମତୀଙ୍କର ବୟଃସନ୍ଦି ବର୍ଣ୍ଣିତ । ବାଲ୍ୟ ସମୟରେ ଚଞ୍ଚଳତା ଗତିରେ ଥିଲା, ଯୌବନରେ ନେତ୍ରାଞ୍ଚଳକୁ ଆଶ୍ରେ କଲା । ଗୁରୁତା କଟିରେ ଥିଲା, ଯୌବନରେ ଉରୁକୁ ଆଶ୍ରେ କଲା । ପିତୁଳାର ସ୍ନେହବନ୍ଧ ପଟଳରେ ରହିଲା । ଏକାନ୍ତରେ ରହୁ ନଥିଲେ, ଯୌବନରେ ଏକାନ୍ତରେ ପତି ବିଷୟ ଭାବିଲେ--ଏହି ଭାବ ପଦ୍ୟରେ ପ୍ରକାଶ ପାଏ । ଚଞ୍ଚଳତା ଗୁରୁତା ଓ ସ୍ନେହର ଯଥାକ୍ରମେ ଗତି ନେତ୍ର, କଟି-ଉରୁ ଓ ପିତୁଳାବନ୍ଧ ପଟଳରୂପ ଆଧାରମାନ ବର୍ଣ୍ଣିତ । ଅତଏବ ପର୍ଯ୍ୟାୟ ।

 

ଏକ ଆଧାରରେ ପର୍ଯ୍ୟାୟରେ ଅନେକାଧାରର ସ୍ଥିତି---

ଏବେ ଯା ନଗରୀ            ଥିଲା ଆଗେ ତାହା

ମହା ନିକାଞ୍ଚନ ସ୍ଥାନ,

ବିହଙ୍ଗ ସଙ୍ଗୀତେ            ପୂର୍ଣ୍ଣ ନାନା ଜାତି

ତରୁଲତାର ଗହନ ।

ଯଯାତି ।

 

ଏଠାରେ ଏକ ସ୍ଥଳରେ ଅରଣ୍ୟାନୀ ଓ ନଗରୀର ସ୍ଥିତି ବର୍ଣ୍ଣିତ । ସୁତରାଂ ଦ୍ୱିତୀୟ ପର୍ଯ୍ୟାୟ ।

 

ପରିବୃତ୍ତି ଅଳଙ୍କାର

 

ସମେ ବା ବିଷମେ ସମ ଅବା ବିଷମର

ବିନିମୟ ହେଲେ ପରି-ବୃତ୍ତି ଅଳଙ୍କାର । ୫୭ ।

 

ସମାନ ବସ୍ତୁ ଦ୍ୱାରା ସମାନ ବସ୍ତୁର ବିନିମୟ ଘଟିଲେ ଅଥବା ବିଷମ ବସ୍ତୁ ଦ୍ୱାରା ବିଷମ ବସ୍ତୁର ବିନିମୟ ଘଟିଲେ ପରିବୃତ୍ତି ଅଳଙ୍କାର ହୁଏ ।

 

ସମବସ୍ତୁ ଦ୍ୱାରା ସମାନ ବସ୍ତୁର ବିନିମୟ ଯଥା-

ନଲଭି ଲଭିଛି            ବଲ୍ଲଭୀର ପ୍ରେମ

ଏଥିରେ ନାହିଁ ସଂଶୟ,

ଅଜ୍ଞାତେ ଚୋରାଇ            ନେଇ ମୋ ହୃଦୟ

ଦେଇଛି ନିଜ ହୃଦୟ ।

ଯଯାତି ।

 

ଏହି ପଦ୍ୟରେ ଲଳିତା ଯଯାତିଙ୍କର ହୃଦୟ ଅପହରଣ କରି ବିନିମୟରେ ନିଜ ହୃଦୟ ଦେଇଛି ବୋଲି ବର୍ଣ୍ଣିତ । ହୃଦୟ ଦ୍ୱାରା ହୃଦୟର ବିନିମୟ । ଅତଏବ ସମପରିବୃତ୍ତି ।

 

ଗୋଡ଼ାନ୍ତି ଏଦଳ ସଙ୍ଗେ ଧନଲୋଭୀ ମୂଡ଼େ

ଧନଯଙ୍କ ପିତା ମାତା ଅଭୀଷ୍ଟ ଦେବତା,

ଅକାତରେ କନ୍ୟା କିମ୍ବା ବନିତା ଭଗିନୀ

ଦେବାକୁ ଧନିକେ ତୁଚ୍ଛ ଧନ ବିନିମୟେ

ମହାଯାତ୍ରା ।

 

ଏଠାରେ ତୁଚ୍ଛ ଧନ ବିନିମୟରେ କନ୍ୟା ବନିତା ଓ ଭଗିନୀର ଦାନ ବର୍ଣ୍ଣିତ । ଅତଏବ ବିଷମ ପରିବୃତ୍ତି ।

 

କେ ବୋଲଇ ଦେଇଥିଲା ଦ୍ରବ୍ୟ ପାଇ,

ତାକୁ ଦେଲୁ ଆମ୍ଭେ ମନ,

କମଳ ନୟନ କରୁଣା ନିଧାନ କଷ୍ଟ କଲେ ଅବଧାନ ସେ,

କାହିଁ ରହିଲା ଋଷିଙ୍କ ବୋଲ, କହ ସମସ୍ତେ ପୁରୁଷ ଭଲ ସେ

ରସ ।

 

ଏଠାରେ ମନ ପରିବର୍ତ୍ତରେ କଷ୍ଟଦାନ ବର୍ଣ୍ଣିତ । ଅତଏବ ବିଷମ ପରିବୃତ୍ତି ।

 

ପରିସଂଖ୍ୟା ଅଳଙ୍କାର

 

ଏକର ନିଷେଧ ତଥା ଦୃଢ଼ତା ଅନ୍ୟର

ପ୍ରକାଶ ପାଇଲେ ପରିସଂଖ୍ୟା ଅଳଙ୍କାର । ୫୮ ।

 

ସାଧାରଣତଃ ପ୍ରାପ୍ତ ବସ୍ତୁମାନଙ୍କ ମଧ୍ୟରୁ ଗୋଟାକର ନିଷେଧ କରାଗଲେ ଅନ୍ୟଟିର ଦୃଢ଼ତା ସଂପାଦିତ ହୋଇଥାଏ । ସେପରି ସ୍ଥଳରେ ପରିସଂଖ୍ୟା ଅଳଙ୍କାର । ନିଷେଧ ଶବ୍ଦତଃ ଉକ୍ତ ହୋଇଥାଏ ବା ଅର୍ଥରୁ ଆକ୍ଷିପ୍ତ ହୋଇଥାଏ ।

 

ଯଥା-

ବଜ୍ର ଜାତି ବିନା ଗଜ ନ ଆଣନ୍ତି ବନୁଁ,

ଅଶ୍ୱଶାଳେ ବନ୍ଧା ନୋହେ ସିନ୍ଧୁ ଜାତିବିନୁଁ

ମୂଷିକରେ ନେପାଳୀ ପାଳନା ସଆଦରେ

ଗନ୍ଧମାର୍ଜାର ପୋଷିତ ବିଡ଼ାଳ ପଦରେ ।

 

ମାଳିଆଳୀ ଦକ୍ଷିଣାବର୍ତ୍ତକ ବିନା କମ୍ବୁ,

ନ ଘେନନ୍ତି ଦେବାକୁ ହରଚରଣେ ଅମ୍ବୁ ।

ଏକ ମୁଖୀ ରୁଦ୍ରାକ୍ଷ ଗ୍ରହଣ ଯୋଗି କରେ

ବାଳକେ କିଣନ୍ତି ଦ୍ରାକ୍ଷା କେବଳ କୋଳିରେ ।

ଲାବଣ୍ୟ

 

ଉକ୍ତ ପଦ୍ୟମାନଙ୍କରେ ପରିସଂଖ୍ୟା ଅଳଙ୍କାର । ବଜ୍ର ଜାତି ବିନା ଅନ୍ୟ ଗଜ ଆଣନ୍ତି ନାହିଁ-ଏଠାରେ ଅନ୍ୟଗଜ ଆନୟନ ନିଷିଦ୍ଧ ହୋଇଅଛି, କେବଳ ବଜ୍ରଜାତି ଗଜ ଆନୟନ ଦୃଢ଼ତର କରାଯାଇଅଛି । ସେପରି ଅଶ୍ୱଶାଳରେ ଅନ୍ୟ ଅଶ୍ୱମାନଙ୍କର ବନ୍ଧନ ନିଷେଧ ଓ ସିନ୍ଧୁ ଜାତି ଅଶ୍ୱମାନଙ୍କର କେବଳ ବନ୍ଧନ ପ୍ରତିପାଦିତ ହୋଇଅଛି; ଏହି ପଦ୍ୟରେ ନିଷେଧ ଶବ୍ଦତଃ ଉକ୍ତ ହୋଇଅଛି । ଦ୍ୱିତୀୟ ପଦ୍ୟରେ ନିଷେଧ ସୂଚକ ଶବ୍ଦ ନାହିଁ, ତଥାପି ନିଷେଧ ଅର୍ଥରୁ ଆକ୍ଷିପ୍ତ ହୁଏ । ଶେଷ ପାଦରେ କେବଳ ପଦ ସାହାଯ୍ୟରେ ଅନ୍ୟ ଦ୍ୱାରା କିଣନ୍ତି ନାହିଁ ବୋଲି ନିଷେଧ ଆକ୍ଷିପ୍ତ । ସର୍ବତ୍ର ପରିସଂଖ୍ୟା ଅଳଙ୍କାର ।

 

ବିକଳ୍ପ ଅଳଙ୍କାର

 

ତୁଲ୍ୟ ବଳ ବିରୋଧରେ ଏକ ପକ୍ଷେ ପ୍ରାପ୍ତି

ଜଣାଯାଉ ଥିଲେ ହୁଏ ବିକଳ୍ପାଳକୃଂତି । ୫୯ ।

 

ଯେଉଁଠାରେ ସମାନସ୍କନ୍ଦ ଦୁଇଟି ବିଷୟର ଏକକାଳରେ ସଂଘର୍ଷ ବା ବିରୋଧ ଦେଖାଯାଏ, ମାତ୍ର ଦୁଇଟି ମଧ୍ୟରୁ ଗୋଟିକର ପ୍ରାପ୍ତି ନିଶ୍ଚିତ, ସେଠାରେ ବିକଳ୍ପାଳଙ୍କାର । ଯଥା-

 

ମହା ଚିନ୍ତାକୁଳେ ଯାପିଲା ଜୟନ୍ତ ସେହି ରଜନୀ

ମଣି ଲାଭ ହେବ କି ଅବା ପଡ଼ିବ ମୁଣ୍ଡେ ଅଶନି ।

ଭାଗ୍ୟେ ଥିଲେ ମୋର ପ୍ରାଣ ସଙ୍ଗୀ ହେବ ସେ ମଦାଳାସା

ନତୁବା ଭଜିବି ପୂର୍ବପ୍ରାର୍ଥି-ରାଜ-ସୁତଙ୍କ ଦଶା ।

ଊଷା ।

 

ଏଠାରେ ଜୟନ୍ତର ଭାଷା ପ୍ରାପ୍ତି ବା ଜୟନ୍ତ ପ୍ରାପ୍ତି ଅନିଶ୍ଚିତ ଦୁଇଟିର ଦଳ ସମାନ । କିନ୍ତୁ ଦୁଇଟି ମଧ୍ୟରୁ ଗୋଟିଏ ଅବଶ୍ୟ ଲବ୍‌ଧ ହେବ । ଅତଏବ ବିକଳ୍ପ । ଯେଉଁଠାରେ ଏକକାଳ ପ୍ରାପ୍ତ ଦୁଇଟି ବିଷୟର ପରସ୍ପର ବିରୋଧ ନଥାଏ, ସେଠାରେ ଏ ଅଳଙ୍କାର ହୁଏ ନାହିଁ । ପରସ୍ପର ବିରୁଦ୍ଧ ଏକକାଳପ୍ରାପ୍ତ ଦୁଇଟିରୁ ଗୋଟିକର ପ୍ରାପ୍ତି ନିଶ୍ଚିତ ଥିଲେ ଏ ଅଳଙ୍କାର ହୁଏ ।

 

 

ଅଙ୍ଗକ୍ଷୟ ଅବା            ଜେମା ଅଙ୍ଗ ସଙ୍ଗ

ଲଲାଟ ଲିପି ମୋହର,

ବଜ୍ର ପଡ଼ୁ ମୁଣ୍ଡେ             ବାରି ଅବା ତୁଣ୍ଡେ

ମେଘଗତି ଚାତକରୁ ।

 

ଅନଳର ଶିଖା-            ରୂପିଣୀ ଲଳିତା

ଉତ୍କଳ ଲାବଣ୍ୟ ରାଣୀ,

ପତଙ୍ଗର କିବା            ଚକୋରର ଦଶା

କି ଅଛି ଭାଗ୍ୟେ ନଜାଣି ।

ଯଯାତି ।

 

ଏଠାରେ ଅଙ୍ଗକ୍ଷୟ ଓ ଜେମା-ଅଙ୍ଗ-ସଙ୍ଗ, ବଜ୍ରପାତ ନା ଜଳପାତ ପତଙ୍ଗ ଦଶା ବା ଚକୋର ଦଶାର ପାକ୍ଷିକ ପ୍ରାପ୍ତି ବର୍ଣ୍ଣିତ । ଅତଏବ ବିକଳ୍ପ । ସନ୍ଦେହ ଓ ବିକଳ୍ପ ଅଳଙ୍କାରରେ ଉଭୟ ଗୋଟି ବିଷୟକ ଜ୍ଞାନ ନିହିତ ଅଛି । ମାତ୍ର ସନ୍ଦେହାଳଙ୍କାରରେ ଉପମାନ ଉପମେୟ ଭାବ ଥାଏ, ବିକଳ୍ପାଳଙ୍କାରରେ ସେ ଭାବ ବା ସେ ବିଷୟକ ଜ୍ଞାନ ନାହିଁ । ଆଉ ଗୋଟିଏ କଥା, ସନ୍ଦେହାଳଙ୍କାରରେ ପାକ୍ଷିକ ପ୍ରାପ୍ତି ନିଶ୍ଚିତ ନୁହେଁ । ବିକଳ୍ପରେ ପାକ୍ଷିକ ପ୍ରାପ୍ତି ନିଶ୍ଚିତ ।

 

ସମୁଚ୍ଚୟ ଅଳଙ୍କାର

 

ଏକକାଳେ କ୍ରମ ବିନା ଅନେକ କ୍ରିୟାର

ସମ୍ବନ୍ଧ ବର୍ଣ୍ଣନେ ସମୁ-ଚ୍ଚୟ ଅଳଙ୍କାର । ୬ ।

ଅବା ଅହଂପ୍ରାଥମିକ-ନ୍ୟାୟେ ହେତୁଚୟ,

ଏକ କ୍ରିୟାର ସାଧକ ହେଲେ ସମୁଚ୍ଚୟ । ୬୧।

 

ଯଦି ଏକ ସମୟରେ କ୍ରମ ବିନା ଅନେକ କ୍ରିୟାର ସମାବେଶ ବର୍ଣ୍ଣିତ ହୁଏ ଅଥବା ପ୍ରଧାନ ପ୍ରଧାନ ଅନେକ କାରଣ ଏକ କ୍ରିୟାର ସାଧକ ରୂପେ ବର୍ଣ୍ଣିତ ହୋଇଥାନ୍ତି, ତେବେ ସମୁଚ୍ଚୟ ଅଳଙ୍କାର ହୁଏ । ପ୍ରଥମ ସମୁଚ୍ଚୟର ଉଦାହରଣ-

 

କେବେ କୃଷ୍ଣ କାହାପୁରେ ପଶନ୍ତି

ଯେଉଁ ଗୋପୀ କେଉଁଠାରୁ ଆସନ୍ତି

କେ କାହାର ଗୁଣଗଣ ଘୋଷନ୍ତି,

କେ କାହାଠାକୁ ଦୂତୀ ପେଷନ୍ତି ସେ

କେ କଣ୍ଟ ଜଗି ବସନ୍ତି,

ଆସନ୍ତି ରସନ୍ତି ମିଶନ୍ତି ହସନ୍ତି ଭାଷନ୍ତି ରସେ ରସନ୍ତି ଯେ,

ରସ ।

 

ଏହି ପଦ୍ୟର ଶେଷ ପାଦରେ ଅନେକ କ୍ରିୟାର ସମାବେଶ । ସାମାନ୍ୟ କ୍ରମଭେଦ ଥିଲେ ମଧ୍ୟ, ଏକ ସମୟରେ ଶତ ଶତ ପଦ୍ମପତ୍ରର ଭେଦ ହେଲେ ଯେପରି କ୍ରମ ଜଣାଯାଏ ନାହିଁ, ସେପରି ଲକ୍ଷିତ ହୁଏ ନାହିଁ ।

ଦ୍ୱତୀୟ ସମୁଚ୍ଚୟ—

 

ସଂସର୍ଗ ଲାଳସୀ            ବେନି ଏ, ହୋଇଛି,

ବେନିଙ୍କ ଭେଟ ନିର୍ଜନେ

ଜର୍ଜର କରଇ            ବେନିଙ୍କର ତନୁ

ଅତନୁ ପୁଷ୍ପ ମାର୍ଗଣେ ।

 

ସ୍ୱରୂପ, ଯୌବନ            ପ୍ରେମ ଏ ତିନିହେ

ବିବେକ ବୈରୀ ସର୍ବଥା,

ତିନିହେଁ ମିଳିଲେ            ବିବେକର ବେକ

ମୋଡ଼ି ଦେବା କେତେ କଥା ।

 

ସ୍ୱରୂପ, ଯୌବନ, ପ୍ରେମ ମଧ୍ୟରୁ ଗୋଟିଏ ସୁଦ୍ଧା ବିବେକ ଧ୍ୱଂସ କରିପାରେ । ତଥାପି ତିନୋଟି ବିବେକ ଧ୍ୱଂସର କାରଣ ରୂପେ ବର୍ଣ୍ଣିତ । ଅତଏବ ସମୁଚ୍ଚୟ ।

 

ସମାଧି ଅଳଙ୍କାର

 

ଆକସ୍ମିକ ହେତୁ ଯୋଗେ ଯେବେ କାର୍ଯ୍ୟ ସିଦ୍ଧି

ସହଜେ ସମ୍ଭବେ ତେବେ ହୁଅଇ ସମାଧି ।୬୨ ।

 

କାରଣ ଯୋଗେ ସିଦ୍ଧ ପ୍ରାୟ କାର୍ଯ୍ୟ ଆକସ୍ମିକ ଅନ୍ୟ କାରଣ ବଶତଃ ଯଦି ସହଜରେ ସାଧିତ ହୁଏ, ତେବେ ସମାଧି ନାମକ ଅଳଙ୍କାର । ସମୁଚ୍ଚୟରେ ଗୋଟିଏ କାର୍ଯ୍ୟ ସମାଧାନରେ ଅନେକ କାରଣ ଖଳେ-କପୋତନ୍ୟାୟରେ ଆବିର୍ଭୂତ ହୋଇଥାନ୍ତି, ଏହି ଅଳଙ୍କାରରେ ଏକ କାରଣ ଦ୍ୱାରା ଯେଉଁ କାର୍ଯ୍ୟ ସାଧିତ ହୋଇପାରନ୍ତା, ସେହି କାର୍ଯ୍ୟ ଅନ୍ୟ ଏକ ଆକସ୍ମିକ କାରଣ ବଶତଃ ସହଜରେ ସାଧିତ ହୋଇଥାଏ । ସମାଧିରେ ଆକସ୍ମିକ କାରଣ କାର୍ଯ୍ୟର ସୌନ୍ଦର୍ଯ୍ୟ ସାଧନ କରେ, ସମୁଚ୍ଚୟର କାରଣ କାର୍ଯ୍ୟ ସାଧନା କରେ ।

 

ଯଥା--

ମାନବଶେ ପ୍ରିୟା

 

ନବସିଲା ପାଶେ

ପଦେ ପଢ଼ିବାକୁ

 

ଗଲି ମୁଁ ରଭସେ,

ଏ ସମୟେ ଭାଗ୍ୟେ

 

ଗରଜିଲା ଘନ

ଗାଢ଼େ ମଦାଳସା

 

କଲା ଆଲିଙ୍ଗନ ।

 

ଏଠାରେ ପାଦପଦନ ମାନ ନିରାକରଣ ବିଷୟରେ ପ୍ରଧାନ କାରଣ । ଆକସ୍ମିକ ଘନଗର୍ଜନ ତାହାର ସୌନ୍ଦର୍ଯ୍ୟ ମାତ୍ର ସାଧନ କରୁଅଛି । ଅତଏବ ସମାଧି ।

 

ଗାଢ଼ ଅନ୍ଧକାରେ ଆବୃତ ସଂସାର

ମନସିଜ ବାଣେ ହୃଦ ଜରଜର ।

ମନେ କଲା ବାଳା ଯିବ ପ୍ରିୟ ପାଶେ

ଶରୀର ଥରିଲା ବାରମ୍ବାର ତ୍ରାସେ

ପାଦେ ପାଦେ ଚାଲି ଭାବଇ ସୁଶୀଳା

ଏକାଳେ ଗଗନେ ସ୍ଫୁରିଲା ଚଞ୍ଚଳା ।

 

ଏଠାରେ ପତି ଗୃହ ଗମନ ରୂପେ କାର୍ଯ୍ୟ ବିଦ୍ୟୁତ ବରଣରେ ସୁକର ହୋଇଅଛି । ଅତଏବ ସମାଧି ।

 

ପ୍ରତ୍ୟନୀକ ଅଳଙ୍କାର

 

ଶତ୍ରୁ ଛାଡ଼ି ପରାଜିତ ତାର ସପକ୍ଷର

ଅପକାର କଲେ ପ୍ରତ୍ୟ-ନୀକ ଅଳଙ୍କାର । ୬୩ ।

 

ଯେ ଯାହା ଦ୍ୱାରା ପରାଜିତ ବା ଯାହାର ବୈରୀ, ସେ ତାହାର କୌଣସି ଅପକାର କରି ନପାରି ଯଦି ତାର ସପକ୍ଷର ଅପକାର ସାଧନ କରେ, ତେବେ ପ୍ରତ୍ୟନୀକ ଅଳଙ୍କାର ।

 

ଲାବଣ୍ୟ ବିଭବେ ଜିଣିଛି ମଦନ

ତୁମ୍ଭଠାରେ ବାଳା ବଳାଇଛି ମନ

ଏହି ହେତୁ ଗରା ଏଞ୍ଚ ଶରେସ୍ମର

ତାହାର ହୃଦୟ କରେ ଜର ଜର ।

 

ଏହିଠାରେ ପରାଜିତ କନ୍ଦର୍ପ ନାୟକର ଅପକାର କରି ନପାରି ତାଠାରେ ଅନୁରକ୍ତ ନାୟିକାର ଅପକାର କରୁଅଛି ବୋଲି ବର୍ଣ୍ଣିତ । ଅତଏବ ପ୍ରତ୍ୟନୀକ ।

 

ଅର୍ଥାପତ୍ତି ଅଳଙ୍କାର

 

କୌମୁତି କନ୍ୟାୟ ବଳେ ଅର୍ଥର ସାଧନ

ହେଉଥିଲେ ଅର୍ଥାପତ୍ତି ଅଳଙ୍କାରମାନ । ୬୪।

 

ବିଶିଷ୍ଟ ଗୋଟିଏ ବିଷୟର ଉଲ୍ଲେଖ ଦ୍ୱାରା ସର୍ବସାଧାରଣ ବିଷୟ ପ୍ରତିପାଦିତ କରିବାର ନାମ କୌମୁତିକ ନ୍ୟାୟ । କୌମୁତିକ ନ୍ୟାୟରେ ‘କିମୁତ ଅନ୍ୟେ’ ( ଅନ୍ୟ କଥା ଛାଡ଼) ଏହି ଭାବ ଅନ୍ତର୍ନିହିତ ଥାଏ । ଯଦି ତାଙ୍କର ସେପରି ଅବସ୍ଥା, ତେବେ ଅନ୍ୟମାନଙ୍କର କଥା ଆଉ କଣ କହିବା-। ଏହିପରି କହିବା ଦ୍ୱାରା ସମସ୍ତଙ୍କର ସେହିପରି ଅବସ୍ଥା ବୋଲି ପ୍ରମାଣିତ ହୁଏ । ଏହାକୁ ‘ଦଣ୍ଡାପୂପିକ’ ନ୍ୟାୟ ବୋଲି ମଧ୍ୟ କହନ୍ତି । ମୂଷିକ ଯଦି ପିଷ୍ଟକ ଲାଗି ଥିବା ଦଣ୍ଡ ସୁଦ୍ଧା ଭକ୍ଷଣ କରେ, ତେବେ ପିଷ୍ଟକ ନଖାଇବା ବୋଲି ଆଉ କଣ କହିବା, ଏହାର ଛାୟା ଯେଉଁ ଠାରେ ଥାଏ, ସେଠାରେ ଦଣ୍ଡାପୂପିକ ନ୍ୟାୟ । ଏହି ନ୍ୟାୟ ବଳରେ କାର୍ଯ୍ୟ ସିଦ୍ଧି ହେଉଥିଲେ ଅର୍ଥାପତ୍ତି ଅଳଙ୍କାର ହୁଏ ।

 

କନ୍ଦର୍ପ ପ୍ରତାପେ ମାନ ଆପେ ଆପେ ମାନବତୀ ମାନ ଛାଡ଼ିଲେ

କାମୀ ସେହି ଭୟେ ଅତ୍ୟନ୍ତ ତୋରାଏ ଯୁବତୀଙ୍କ ପାଦେ ପଡ଼ିଲେ

କେତେକ ବଦନ ମହିମାକୁ ଅବା

କଳେବର ଜାଳି ଦେଲେହେଁ କପାଳୀ

ଅର୍ଦ୍ଧାଙ୍ଗେ ବନ୍ଦାଇଲେ ଶିବା ।

ରସ ।

 

ଏହି ପଦ୍ୟରେ ଯେଉଁ କନ୍ଦର୍ପ ନିଜକୁ ଦଗ୍‌ଧ କରି ଦେଇଥିଲେ ମଧ୍ୟ ମହାଦେବଙ୍କୁ ସ୍ୱାୟତ୍ତ କରି ପାର୍ବତୀଙ୍କର ଦାସ କରିଅଛି । ତାର ପକ୍ଷରେ ଏ ସମସ୍ତ ମାନବତୀ ମାନ ଛାଡ଼ିବା, କାମୀ ଯୁବତୀ ପାଦେ ପଡ଼ିବା କିଛି ନୁହେଁ ବୋଲି ବର୍ଣ୍ଣିତ ହୋଇଅଛି। ଏଥିରୁ କନ୍ଦର୍ପ ଦାହକ ମହାଦେବ ସୁଦ୍ଧା ଯାର ଅଧୀନ, ତା ପକ୍ଷରେ ଅନ୍ୟ-ମାନେ ବଶ ନହେବେ ବୋଲି କଣ କହିବା-ଏହି ଭାବ ପ୍ରତୀତ ହୁଏ । ତଦ୍ଦ୍ୱାରା ସମସ୍ତେ କନ୍ଦର୍ପର ବଶ ହୋଇ ଥିଲେ ବୋଲି ଜଣାଯାଏ । ଅତଏବ ଅର୍ଥାପତ୍ତି ।

 

ଯେଉଁ ପୁରେ ପଢ଼େ ଶୁକ-ବି-ଯାକ,

ଶୁକ ବିରଚିତ ଚରିତ ଶ୍ଳୋକ,

ସୁକବିମାନେ ତା ଅର୍ଥ କରିବା

ବିଚିତ୍ର କରି କାହିଁକି ଘେନିବା

କୋଟି ।

 

ଏଠାରେ ମଧ୍ୟ ଅର୍ଥାପତ୍ତି ଅଳଙ୍କାର । ପକ୍ଷୀ ସୁଦ୍ଧା ଶୁକ-ବିରଚିତ ଶ୍ଳୋକ ପଢ଼ୁଥିବା ସମୟରେ ଅନ୍ୟ ବିଷୟ କଣ କହିବା, ଏହି ଭାବ ସ୍ପଷ୍ଟ । ତାହା ଦ୍ୱାରା ସେ ପୁରରେ ସମସ୍ତେ ପଣ୍ଡିତ, ଏହି କାର୍ଯ୍ୟସିଦ୍ଧ ହୋଇଅଛି ।

 

ଅନୁମାନ ଅଳଙ୍କାର

 

ସାଧନ ବଳରେ ଯହିଁ

 

ସାଧ୍ୟର ପ୍ରତୀତି

ଅନୁମାନ ଅଳଙ୍କାର

 

ତହିଁ କରେ ସ୍ଥିତି ।୬୫।

 

ଯେଉଁଠାରେ ସାଧନ ବଳରେ ସାଧ୍ୟର ପ୍ରତୀତି ହୁଏ, ସେଠାରେ ଅନୁମାନାଳଙ୍କାର । ଅନୁମାନରେ ଚାରି ଗୋଟି ବିଷୟ ଥାଏ, ସାଧ୍ୟ, ସାଧନ, ପକ୍ଷ ଓ ବ୍ୟାପ୍ତି ( ଅବିନାଭାବ) । ଯାହାକି ସାଧନ ବଳରେ ନିରୂପଣ କରାଯାଏ, ତାକୁ ସାଧ୍ୟ କହନ୍ତି । ସାଧ୍ୟ ନିରୂପଣରେ ଯେକି ନିମିତ୍ତ, ସେ ସାଧନ । ସାଧ୍ୟ ଯେଉଁଠାରେ ରହେ, ସେ ପକ୍ଷ । ସାଧ୍ୟ ସାଧନର ଅବିନାଭାବ ବ୍ୟାପ୍ତି, ଅର୍ଥାତ୍ ସାଧ୍ୟ ବ୍ୟତିରେକରେ ସାଧନ ରହେ ନାହିଁ, ସାଧନ ଥିଲେ ସାଧ୍ୟ ଥାଏ-ଏହି ଭାବ । ଯେଉଁ ସାଧନ ଥିଲେ ସାଧ୍ୟ ଥାଏ ବୋଲି ଲୋକରେ ପ୍ରସିଦ୍ଧ ବା ଅନେକବାର ଅନୁଭୂତ, ସେହିପରି ସାଧନ ଅନ୍ୟ କୌଣସିଠାରେ ଦେଖାଗଲେ, ତାହା ଦ୍ୱାରା ସାଧ୍ୟର ଅନୁମାନ କରାଯାଏ । ଯେଉଁଠାରେ ଧୂମ ଥାଏ, ସେଠାରେ ଅଗ୍ନି ଅଛି--ଏହି ରନ୍ଧନଶାଳା-ଇତ୍ୟାଦିରେ ବାରମ୍ବାର ପ୍ରତ୍ୟକ୍ଷ ହୋଇଅଛି । ଯେତେବେଳେ ପର୍ବତରେ ଧୂମ ଦେଖାଯାଏ, ସେତେବେଳେ ଅନୁମାତା ଏ ପର୍ବତରେ ବହ୍ନିଦ୍ୟାଦ୍ୟ ( ବହ୍ନି ବିନା ଅନ୍ୟସ୍ଥାନରେ ନ ରହିବା) ଧୂମ ଦେଖାଯାଏ, ଅତଏବ ଏ ପର୍ବତ ବହ୍ନିମାନ୍ ବୋଲି ଅନୁମାନ କରେ । ଧୂମ ସାଧନ, ବହ୍ନି ସାଧ୍ୟ, ପର୍ବତ ପକ୍ଷ, ଧୂମ ଓ ବହ୍ନିର ଅବିନାଭାବ ବ୍ୟାପ୍ତି । ସାଧନ ବ୍ୟଭିଚାରୀ ହେଲେ ସାଧ୍ୟର ଅନୁମାନ ହୋଇପାରେ ନାହିଁ । କାବ୍ୟରେ ଏହିପରି ସାଧନବଳରେ ସାଧ୍ୟର ପ୍ରତୀତି ଚମତ୍କାର ଜନକ ହେଲେ ଅନୁମାନ ଅଳଙ୍କାର ହୁଏ । ଯଥା-

 

 

ପୂଣ୍ୟ ଭୂମୀ ନୋହି-            ଥିଲେ କି ଏବାଳା

ଜନମି ଥାନ୍ତା ଉତ୍କଳେ,

ତ୍ରିଦଶ-ସୁନ୍ଦରୀ            ସୌଦାମିନୀ କେବେ

ସ୍ଫୁରେକି ବସୁଧା ତଳେ ।

ଯଯାତି ।

 

ଏ ପଦ୍ୟରେ ଲଳିତା ଜନ୍ମରୂପ ସାଧନରେ ଉତ୍କଳର ପୂଣ୍ୟ ଭୂମିତ୍ୱ ସାଧିତ ହେଉଅଛି । ପ୍ରତି ବସ୍ତୁପମା ଦ୍ୱାରା ଅନୁମାନ ବିଶେଷ ଚମତ୍କାରାଧାୟକ ହୋଇଅଛି । ଏହି ଅନୁମାନ ଅଳଙ୍କାର ଦ୍ୱାରା ଲଳିତାଙ୍କର ଅସାଧାରଣ ସୌନ୍ଦର୍ଯ୍ୟ ପ୍ରଭୃତି ଗୁଣ ପ୍ରକାଶ ପାଉଅଛି ।

 

କାବ୍ୟଲିଙ୍ଗ ଅଳଙ୍କାର

 

ପଦାର୍ଥ ବା ବାକ୍ୟାର୍ଥର ଗମ୍ୟ ହେତୁଭାବ,

ପ୍ରକୃତୋପଯୋଗୀ ହେଲେ କାବ୍ୟଲିଙ୍ଗ ଭାବ । ୬୫।

 

ଯେଉଁ ଠାରେ ପଦାର୍ଥ ବା ବାକ୍ୟାର୍ଥ ହେତୁ ରୂପେ ପ୍ରକୃତର ଉପଯୋଗୀ ହୁଏ, ସେଠାରେ କାବ୍ୟଲିଙ୍ଗ ଅଳଙ୍କାର । ପଦାର୍ଥ ବା ବାକ୍ୟାର୍ଥର ହେତୁ ଭାବ ବ୍ୟଞ୍ଜନାବଳରେ ଗମ୍ୟ ହେଉଥିଲେ କେବଳ କାବ୍ୟଲିଙ୍ଗ ହୁଏ, କଣ୍ଠତଃ ଉକ୍ତ ହୋଇଥିଲେ ହୁଏ ନାହିଁ ।

 

ଅବଗାହନ୍ତି ବନ-ବାରଣେ ତହିଁ

ଗଣ୍ଡରୁ ମଦ ଶ୍ରବି ଜଳେ ମିଶଇ

ତେଣୁ ନର୍ମଦାତୀର ନିତ୍ୟବ୍ୟାସିତ

ଆଦରେ ସେ ସଲିଳ ନେବ ଚରିତ ।

ମେଘଦୂତ ।

 

ଏହି ପଦ୍ୟରେ ପ୍ରଥମ ଦୁଇପାଦ ହେତୁ ରୂପେ ‘‘ନିତ୍ୟ ବା-ସିତ’’ ପ୍ରତି ଅନ୍ୱିତ ହୁଏ । ତେଣୁ ପଦ ଦ୍ୱାରା ଏହି ଦୁଇ ବାକ୍ୟର ହେତୁତା ଉକ୍ତ ହୋଇଅଛି । ଅତଏବ କାବ୍ୟଲିଙ୍ଗ ହେବ ନାହିଁ । ପଦାର୍ଥ ହେତୁକ କାବ୍ୟଲିଙ୍ଗ ଯଥା-

 

 

ସୁରଭି ନିଶ୍ୱାସ            ବାସେ ଲୁବ୍‌ଧଚିତ୍ତ

ପ୍ରସୂନ ଛାଡ଼ି ମଧୁପେ,

ଯୂଥେ ଯୂଥେ ଉଡ଼ି            ପଡ଼ୁଥିଲେ ଆସି

ସେ ରୁଦ୍ର ସୁନ୍ଦର ରୂପେ ।

ଯଯାତି ।

 

ଏହି ପଦ୍ୟରେ ଭ୍ରମରମାନେ ଲଳିତାଙ୍କର ରୁଦ୍ର ସୁନ୍ଦର ରୂପରେ ପଡ଼ୁଥିଲେ ବୋଲି ବର୍ଣ୍ଣିତ ହୋଇଅଛି । ‘‘ସୁରଭି ନିଶ୍ୱାସ ବାସେ ଲୁବ୍‌ଧଚିତ୍ତ’’ ଏହି ବିଶେଷଣଟି ହେତୁରୂପେ ପ୍ରକୃତ କାର୍ଯ୍ୟ ସାଧନ କରୁଅଛି । ସେମାନେ ସୁରଭି ନିଶ୍ୱାସବାସ ଲୁବ୍ଧଚିତ୍ତ ହେବା ହେତୁ ଯୂଥେ ଯୂଥେ ଆସି ପଡ଼ୁଥିଲେ । ଏଠାରେ ପଦାର୍ଥ ହେତୁବାଦ ଗମ୍ୟ । ଅତଏବ ପଦାର୍ଥ ହେତୁକ କାବ୍ୟଲିଙ୍ଗ ।

 

ବାକ୍ୟାର୍ଥ ହେତୁକ କାବ୍ୟଲିଙ୍ଗରେ ବାକ୍ୟାର୍ଥ ପଦାର୍ଥ ବା ବାକ୍ୟାର୍ଥ ପ୍ରତି ହେତୁ ହୋଇଥାଏ-। ପଦାର୍ଥ ପ୍ରତି ବାକ୍ୟର୍ଥର ହେତୁ ଭାବ ଯଥା-

 

ତହିଁ କୁବେର ଶାପେ ହୋଇ ପ୍ରେରିତ

ରହିଲା ଯକ୍ଷ ଦୁଃଖେ ଆତୁର ଚିତ୍ତ ।

ବତ୍ସର ଅନ୍ତେ ହେବ ଶାପ ମୋଚନ

ବତ୍ସର ଅନ୍ତେ କାନ୍ତା ସଙ୍ଗେ ମିଳନ ।

ମେଘଦୂତ ।

 

ଏଠାରେ ଶେଷ ଦୁଇ କାବ୍ୟ ‘‘ଆତୁରଚିତ୍ତ’’ ଏହି ପଦାର୍ଥ ପ୍ରତି ହେତୁ । ଯେହେତୁ ଏକ ବର୍ଷ ପରେ ଶାପମୁକ୍ତି ହେବ ଓ କାନ୍ତ ସଙ୍ଗେ ମିଳନ ହେବ, ସେହେତୁ ଆତୁରଚିତ୍ତ ଯକ୍ଷ ଦୁଃଖରେ ରହିଲା । ଏହି ଅର୍ଥ ପ୍ରତୀତ ହୁଏ । ଏଠାରେ ପଦାର୍ଥ ପ୍ରତି ବାକ୍ୟାର୍ଥ ହେତୁ । ବାକ୍ୟାର୍ଥ ପ୍ରତି ବାକ୍ୟାର୍ଥ ହେତୁ ଯଥା-

 

ବାନ୍ଧବୀ ପରା ମୋ ନାହିଁ ସୁନ୍ଦରୀ

ବାସେ ଦେହ ସଜ ସରୋଜ ପରି

କାମ ଦେବାରି ହୃଦେ ଯୋଖିଶର

ବିନ୍ଧଁ ମୋହୀ ହୋଇ ଥରିବ କର

ବାଜିବ କି ଲାଖ, ବିଶୀର୍ଣ୍ଣ ହେବ ଗୁଣଶିଳୀ ମୁଖ ।

ବୈଦେହୀ ।

 

କନ୍ଦର୍ପ ସୀତାଙ୍କ ପ୍ରତି ଶର ବିନ୍ଧି ପାରିବ ନାହିଁ । କାରଣ, ସୀତା ଅଲୌକିକ ସୁନ୍ଦରୀ ଦର୍ଶନରେ ସେ ମୋହୀ ହୋଇଯିବ, ତାର ହାତ ଥରିବ । ବିଶେଷତଃ ତାର ଧନୁର ଗୁଣ ଶିଳୀମୁଖମୟ । ସୀତାଙ୍କର ଶରୀର ସଜ ସରୋଜ ବାସେ, ଶିଳୀ ମୁଖଗଣ ସେହି ବାସରେ ମୁଗ୍‌ଧ ହୋଇ ବିଶୀର୍ଣ୍ଣ ହୋଇଯିବେ । ଏହା ଏହି ପଦ୍ୟର ଭାବ । ‘‘ବାନ୍ଧବୀ ପରା ମୋ ନାହିଁ ସୁନ୍ଦରୀ’’ ଏ ବାକ୍ୟ ‘‘ବନ୍ଧୁ ମୋହୀ ହୋଇ ଥରିବ କର’’ ଏ ବାକ୍ୟ ପ୍ରତି ହେତୁ ଏବଂ ‘‘ବାସେ ଦେହ ସଜ ସରୋଜ ପରି’’ ଏହି ବାକ୍ୟ ‘‘ବିଶୀର୍ଣ୍ଣ ହେବ ଗୁଣଶିଳୀ ମୁଖ’’ ଏ ବାକ୍ୟ ପ୍ରତି ହେତୁ । ସମସ୍ତ ବାକ୍ୟ ‘‘ବାଜିବ କି ଲାଖ’’ ଏହି ବାକ୍ୟ ପ୍ରତି ହେତୁ । ସୁତରାଂ ବାକ୍ୟାର୍ଥ ହେତୁକ କାବ୍ୟଲିଙ୍ଗ ।

 

ପରିକର ଅଳଙ୍କାରରେ ସାଭିପ୍ରାୟ ବିଶେଷଣଚଳରୁ ପ୍ରତୀୟମାନ ଅର୍ଥ ହେତୁରୂପେ ପ୍ରକୃତୋପଯୋଗୀ ହୋଇଥାଏ, ପଦାର୍ଥ ହେତୁକ କାବ୍ୟଲିଙ୍ଗରେ ପଦାର୍ଥ ସାକ୍ଷାତ୍‌ ହେତୁ ରୂପେ ପ୍ରକୃତ କାର୍ଯ୍ୟର ଉପଯୋଗୀ ହୋଇଥାଏ । ମାତ୍ର ହେତୁ ଭାବ ଗମ୍ୟ।

 

ଅର୍ଥାନ୍ତର ନ୍ୟାସ ଅଳଂକାର

 

ବିଶେଷେ ସାମାନ୍ୟ ଅବା ସାମାନ୍ୟେ ବିଶେଷ,

ସମର୍ଥିତ ହେଲେ ହୁଏ ଅର୍ଥାନ୍ତର ନ୍ୟାସ । ୬୭।

 

ଯେଉଁଠାରେ ସାମାନ୍ୟ ଦ୍ୱାରା ବିଶେଷର ଅଥବା ବିଶେଷ ଦ୍ୱାରା ସାମାନ୍ୟର ସମର୍ଥନ ହୁଏ, ସେଠାରେ ଅର୍ଥାନ୍ତର ନ୍ୟାସ ।

 

ସାମାନ୍ୟ ଦ୍ୱାରା ବିଶେଷର ସମର୍ଥନ ଯଥା-

 

କଂସ ମଥନେ ତଦା ପ୍ରଣୟବଶେ

ଜନମିଥିଲା ମାନ ତାଙ୍କ ସାନସେ,

ସ୍ୱକୀୟ ଅଭିଳାଷ ଅତି ଆଦରେ

ଜଣାଇଲେ ସୁଦତୀ ପତତ୍ରି ବରେ ।

 

ଭକତି ରସେ ମାତି କଲେ ପ୍ରାର୍ଥନା

ନ କରି ଯୋଗ୍ୟାଯୋଗ୍ୟ-ରୂପ ଭାବନା ।

ମାନବ ହୃଦେ ହରି-ଭକ୍ତି ବିଳାସ

ସର୍ବତ୍ର ଜନମାଏ ସମ ବିଶ୍ୱାସ ।

ହଂସଦୂତ ।

 

ଲଳିତା ଭକ୍ତି ରସେ ମାତି ପକ୍ଷୀ ହେଲେ ମଧ୍ୟ ହଂସକୁ ପ୍ରାର୍ଥନା କଲେ । ଏହି ଅର୍ଥର ସମର୍ଥନ ସକାଶେ ‘‘ମାନବ ହୃଦେ ହରିଭକ୍ତି ବିଳାସ, ସର୍ବତ୍ର ଜନମାଏ ସମ ବିଶ୍ୱାସ’’ ଏହି ଦୁଇ ବାକ୍ୟ ପ୍ରଯୁକ୍ତ ହୋଇଅଛି । ଲଳିତାଙ୍କର ହଂସ ପ୍ରତି ପ୍ରାର୍ଥନା ଶେଷ ଦୁଇ ପାଦ ଦ୍ୱାରା ସମର୍ଥିତ ହୋଇଅଛି । ଶେଷ ଦୁଇ ପାଦର ବିଷୟ ସାମାନ୍ୟ (ସାଧାରଣ), ଲଳିତାଙ୍କର ହଂସ ପ୍ରାର୍ଥନା ବିଶେଷ । ଅତଏବ ଏଠାରେ ସାମାନ୍ୟ ଦ୍ୱାରା ବିଶେଷ ସମର୍ଥନ ରୂପ ଅର୍ଥାନ୍ତର ନ୍ୟାସ ।

 

ଧୂମ-ଜ୍ୟୋତି ସଲିଳ ବାୟୁ ରଚିତ

କାହିଁ ଜୀମୃତ ସେହୁ ? ଜୀବ ବର୍ଜିତ ।

ମାନବ ବହନୀୟ କାହିଁ ସନ୍ଦେଶ ?

ଯକ୍ଷ ନ ବିଚାରିଲା ଏଥି ବିଶେଷ ।

 

ଉତ୍କଣ୍ଠାକୁଳ ହୋଇ ଘନକୁ ଭାଷେ

ସଜୀବ ମଣି ହୃଦ କଥା ପ୍ରକାଶେ ।

ଅଙ୍ଗ ଘାରଇ ଯାର ଅନଙ୍ଗବାଣ

ଚେତନ ଅଚେତନ ତାର ସମାନ ।

ମେଘଦୂତ ।

 

ଏହି ପଦ୍ୟରେ ‘‘ଅଙ୍ଗ ଘାରଇ ଯାର ଅନଙ୍ଗ ବାଣ, ଚେତନ ଅଚେତନ ତାର ସମାନ’’ ଏହି ସାମାନ୍ୟ ଦ୍ୱାରା ଯକ୍ଷର ଅଚେତନ ଘନ-ପ୍ରାର୍ଥନା ସମର୍ଥିତ ହୋଇଅଛି ।

 

ବିଶେଷ ଦ୍ୱାରା ସାମାନ୍ୟର ସମର୍ଥନ ଯଥା—

 

ଦୂରେ ଥିଲେ ପାଶେ ଅଛି ଏହା ଥିବୁ ଘେନି

କେତେଦୂରେ ଚନ୍ଦ୍ର କେତେଦୂରେ କୁମୁଦିନୀ ।

ପ୍ରୀତି ଅଭେଦ ତାଙ୍କର,

ଯେତେ ଦୂରେ ଥିଲେ ଯେ ଯାହାର ସେ ତାହାର ।

ପ୍ରେମ ।

 

ଏହି ପଦ୍ୟରେ ‘ଯେତେଦୂରେ ଥିଲେ ଯେ ଯାହାର ସେ ତାହାର’ ଏହି ସାମାନ୍ୟ ବିଶେଷରୂପ ଦୂରସ୍ଥ ଚନ୍ଦ୍ର କୁମୁଦିନୀ ବୃତ୍ତାନ୍ତ ଦ୍ୱାରା ସମର୍ଥିତ । ଅତଏବ ବିଶେଷରେ ସାମାନ୍ୟ ସମର୍ଥନ ରୂପ ଅର୍ଥାନ୍ତର ନ୍ୟାସ ।

 

ତଥବା-

ମହତ ଜନର            ଦୟା ସବୁଠାରେ

ସମେ ହୁଏ ବିତରିତ,

କର୍ତ୍ତକ ମସ୍ତକୁଁ            ନ କରଇ ତରୁ

ସ୍ୱଚ୍ଛାୟା ଅପସାରିତ ।

ଇନ୍ଦୁ ।

 

ଏଠାରେ ମହତ ଜନର ଦୟା ସବୁଠାରେ ସର୍ମେହୁଏ ବିତରିତ ଏହି ଅଂଶଟି ସାମାନ୍ୟ । ଏହା ତରୁ କର୍ତ୍ତକ ମସ୍ତକରୁ ଛାୟା ଅପସାରିତ ନକରିବା ରୂପ ବିଶେଷ ଦ୍ୱାରା ସମର୍ଥିତ ହୋଇଅଛି । ଅତଏବ ବିଶେଷରେ ସାମାନ୍ୟ ସମର୍ଥନ ରୂପ ଅର୍ଥାନ୍ତର ନ୍ୟାସ ।

 

ଉଦାହରଣ ଅଳଙ୍କାରରେ ସାମାନ୍ୟର ସୁଖବୋଧ ସକାଶେ ବିଶେଷର ଉପାଦାନ ହୋଇଥାଏ । ସେଠାରେ ସାମାନ୍ୟ ଅଂଶ ପ୍ରକ୍ଷ୍ୟାତ ତାହାର ସମର୍ଥନର ଅପେକ୍ଷା ନଥାଏ । କେବଳ ଦୃଷ୍ଟାନ୍ତ ସ୍ୱରୂପ ଗୋଟିଏ ବିଶେଷ ଉଲ୍ଲିଖିତ ହୋଇଥାଏ, ଖୋଜିଲେ ଅନେକ ଦୃଷ୍ଟାନ୍ତ ମିଳିପାରିବ, ଅର୍ଥାତ୍ ସାମାନ୍ୟର ସମର୍ଥନ ଆବଶ୍ୟକ ନଥାଏ । ସୁତରାଂ ସମର୍ଥ୍ୟ ସମର୍ଥକ ଭାବ ମଧ୍ୟ ନଥାଏ । ଯେପରି ଇ ବର୍ଣ୍ଣକୁ ଇ ଭିନ୍ନ ସ୍ୱର ପର ଥିଲେ ଇ ସ୍ଥାନରେ ଯ ହୁଏ । ଏହି ସାମାନ୍ୟ ବିଧିର ଉଦାହରଣ ସ୍ୱରୁପ ଅତି×ଅନ୍ତ=ଅତ୍ୟନ୍ତ ବ୍ୟବହୃତ ହୁଏ, ସେପରି ଉଦାହରଣରେ ବିଶେଷ ବ୍ୟବହୃତ । ଅର୍ଥାନ୍ତର ନ୍ୟାସରେ ସମର୍ଥନ ବିନା ସାମାନ୍ୟ ଅଂଶ ଅସଙ୍ଗତ ବୋଧ ହୁଏ ।

 

କରିଥାଇ ପୂର୍ବରେ ଯେ ଯେଉଁ କର୍ମ,

କାଳେ ତାକୁ ତା ଭୋଗ କରାଏ ଧର୍ମ,

କରାଇ ଯେ ଥିଲେ ଶିବଙ୍କୁ ବିଷପାନ,

କେତେବେଳେ ସେ କଥା ନୋହିଲା ଆନ

ରସ ।

 

ବିଷ୍ଣୁ ଶିବଙ୍କୁ ବିଷପାନ କରାଇଥିଲେ, ଅତଏବ ନିଜେ ବିଷପାନ କଲେ, ଏହି ବିଶେଷ ଦ୍ୱାରା ପ୍ରଥମୋକ୍ତ ସାମାନ୍ୟ ସମର୍ଥିତ ଓ ଦୃଢ଼ ହେଉଅଛି । ଏଠାରେ ଉଦାହରଣାଳଙ୍କାରର ଛାୟା ମୋଟେ ନାହିଁ ।

 

ଦୃଷ୍ଟାନ୍ତ ଅଳଙ୍କାରରେ ବିମ୍ବ ପ୍ରତିବିମ୍ବ ଭାବ, ପ୍ରତିବସ୍ତୁପମାରେ ବସ୍ତୁ ପ୍ରତି ବସ୍ତୁଭାବ ଥାଏ-। ଅର୍ଥାନ୍ତର ନ୍ୟାସରେ ତାହା ସ୍ପଷ୍ଟରୂପେ ନ ଥାଏ । ସରଳରେ କହିବାକୁ ଗଲେ ଦୃଷ୍ଟାନ୍ତ ଓ ପ୍ରତିବସ୍ତୁପମାରେ ସାମାନ୍ୟଦ୍ୱାରା ସାମାନ୍ୟ ବା ବିଶେଷଦ୍ୱାରା ବିଶେଷ ସମର୍ଥିତ ହୋଇଥାଏ, ଅର୍ଥାନ୍ତରନ୍ୟାସରେ ସାମାନ୍ୟ ଦ୍ୱାରା ବିଶେଷ ବା ବିଶେଷ ଦ୍ୱାରା ସାମାନ୍ୟ ସମର୍ଥିତ ହୋଇଥାଏ ।

 

ବିମଳା ଗଲାରୁ             ବିରହ ସନ୍ତାପେ

ବିବର୍ଣ୍ଣ ହେଲା ସେ ରାମା,

ଚନ୍ଦ୍ରିକା ସଜନୀ             ଛାଡ଼ି ଗଲେ ଭଜେ

କାଳିମା ସିନା ତ୍ରିଯାମା ।

ଯଯାତି ।

 

ଏଠାରେ ଲଳିତାଙ୍କର ବିବର୍ଣ୍ଣିବ ସମର୍ଥିତ ହୋଇଅଛି । କିନ୍ତୁ ସାମାନ୍ୟ ବିଶେଷଭାବ ନାହିଁ-। ଚନ୍ଦ୍ରିକା ବିଶେଷ, ବିମଳା ବି ବିଶେଷ, ରାମା ବିଶେଷ, ତ୍ରିଯାମା ମଧ୍ୟ ବିଶେଷ । ପ୍ରତ୍ୟେକର ବସ୍ତୁ ପ୍ରତିବସ୍ତୁ ଭାବ ଅଛି । ଅତଏବ ପ୍ରତିବସ୍ତୁପମାଳଙ୍କାର ସିନା, ଅର୍ଥାନ୍ତରନ୍ୟାସ ନୁହେଁ । ଅର୍ଥାନ୍ତରନ୍ୟାସରେ ସମର୍ଥ୍ୟ ସମର୍ଥନ ଭାବ ସ୍ପଷ୍ଟରୂପେ ଥାଏ, ଦୃଷ୍ଟାନ୍ତ ଓ ପ୍ରତିବସ୍ତୁପମାରେ ତାହା ଗର୍ଭିତ ଥାଏ ।

 

ଅନୁମାନ କାବ୍ୟଲିଙ୍ଗ ଓ ଅର୍ଥାନ୍ତର ନ୍ୟାସ ଏକ ପରି ବୋଧ ହୁଅନ୍ତି । କିନ୍ତୁ ଦେଖିବାକୁ ଗଲେ ସେମାନଙ୍କ ମଧ୍ୟରେ ଢେର ପ୍ରଭେଦ ଅଛି । ନିମିତ୍ତ ତିନି ପ୍ରକାର-ଜ୍ଞାପକ, ନିଷ୍ପାଦକ ଓ ସମର୍ଥକ । ଯେଉଁ ହେତୁ ଏକ ପ୍ରକାର-ଜ୍ଞାନର ସାଧକ, ସେ ଜ୍ଞାପକ, ଯେପରି ଧୂମ ରୂପ ହେତୁ ବହ୍ନିର ଜ୍ଞାପକ ଅର୍ଥାତ୍ ବହ୍ନି ଜ୍ଞାନ କରାଏ । ଏହି ଜ୍ଞାପକ ହେତୁ ଅନୁମାନ ଅଳଙ୍କାର ଥାଏ ଯେଉଁ ହେତୁ କାର୍ଯ୍ୟ ନିଷ୍ପାଦନ କରେ, ସେ ନିଷ୍ପାଦକ, ଯେପରି ମୃତ୍ତିକା ଘଟର ନିଷ୍ପାଦକ ହେତୁ ଏହି ହେତୁ କାବ୍ୟଲିଙ୍ଗ ଅଳଙ୍କାର ଥାଏ । ଅର୍ଥାତ୍ କାବ୍ୟଲିଙ୍ଗରେ କାର୍ଯ୍ୟ ଦ୍ୱାରା କାରଣର ବା କାରଣ ଦ୍ୱାରା କାର୍ଯ୍ୟର ନିଷ୍ପତ୍ତି ବର୍ଣ୍ଣିତ ହୋଇଥାଏ । ଅତଏବ ହେତୁ-ହେତୁ ମଦ୍-ଭାବ ନିୟତ ହୋଇଥାଏ, ଯେକି ସମର୍ଥନ କରେ, ସେ ସମର୍ଥକ । ଏହି ହେତୁ କୌଣସି କାର୍ଯ୍ୟ ନୂଆ କରି କରିପାରେ ନାହିଁ, ମାତ୍ର ନିଷ୍ପନ୍ନ କାର୍ଯ୍ୟର ସମର୍ଥନ କରେ । ସେ ସମର୍ଥନ ପୁଣି ସାମାନ୍ୟ ବିଶେଷ ଭାବରେ । ଯେଉଁଠାରେ ସାମାନ୍ୟ ବିଶେଷ ସମର୍ଥନ, ସେଠାରେ ଅର୍ଥାନ୍ତର ନ୍ୟାସ । ଯେଉଁଠାରେ ହେତୁ ହେତୁ ମଦ୍‌ଭାବରେ ନିଷ୍ପତ୍ତି, ସେଠାରେ କାବ୍ୟଲିଙ୍ଗ, ଯେଉଁଠାରେ ସାଧନ ଦ୍ୱାରା ସାଧ୍ୟର ନିଶ୍ଚୟ, ସେଠାରେ ଅନୁମାନ ।

 

ଅର୍ଥାନ୍ତର ନ୍ୟାସରେ ପ୍ରଥମୋକ୍ତ ବିଷୟ ଦ୍ୱାରା ପରୋକ୍ତ ବିଷୟର କେବଳ ସମର୍ଥନ ହୁଏ, ଏପରି ନିୟମ ନାହିଁ । ପ୍ରଥମୋକ୍ତ ସାମାନ୍ୟ ପରୋକ୍ତ ବିଶେଷ ଦ୍ୱାରା ମଧ୍ୟ ସମର୍ଥିତ ହୋଇଥାଏ । କରି ଥାଇ ପୂର୍ବରେ ଏ ପଦ୍ୟରେ ପ୍ରଥମୋକ୍ତ ସାମାନ୍ୟ ପରୋକ୍ତ ବିଶେଷ ଦ୍ୱାରା ସମର୍ଥିତ ହୋଇଅଛି । ପ୍ରଥମୋକ୍ତ ବିଶେଷ ଦ୍ୱାରା ମଧ୍ୟ ପରୋକ୍ତ ସାମାନ୍ୟର ସମର୍ଥନ ହୋଇଥାଏ-। ‘‘ଦୂରେ ଥିଲେ ପାଶେ ଅଛି’’ ଏ ପଦ୍ୟରେ ପ୍ରଥମୋକ୍ତ ବିଶେଷ ଦ୍ୱାରା ଶେଷୋକ୍ତ ସାମାନ୍ୟ ସମର୍ଥିତ ହୋଇଅଛି । ସୁତରାଂ ଅର୍ଥାନ୍ତର ନ୍ୟାସରେ, ପ୍ରଥମୋକ୍ତ ବିଶେଷ ଦ୍ୱାରା ପରୋକ୍ତ ସାମାନ୍ୟର, ପରୋକ୍ତ ବିଶେଷ ଦ୍ୱାରା ପ୍ରଥମୋକ୍ତ ସାମାନ୍ୟର, ପ୍ରଥମୋକ୍ତ ସାମାନ୍ୟ ଦ୍ୱାରା ପ୍ରଥମୋକ୍ତ ବିଶେଷରେ ସମର୍ଥନ ହୋଇଥାଏ ।

 

ବିକସ୍ୱର ଅଳଙ୍କାର

 

ବିଶେଷର ସମର୍ଥନେ ସାମାନ୍ୟ ଆବର

ତା ସମର୍ଥନେ ବିଶେଷ ଥିଲେ ବିକସ୍ୱର । ୬୮ ।

 

ଯେଉଁଠାରେ ବିଶେଷର ସମର୍ଥନ ସକାଶେ ସାମାନ୍ୟ ଓ ସେହି ସାମାନ୍ୟର ସମର୍ଥନ ସକାଶେ ପୁଣି ଅନ୍ୟ ଏକ ବିଶେଷର ଉଲ୍ଲେଖ ଥାଏ, ସେଠାରେ ବିକସ୍ୱରାଳଂକାର ହୁଏ; ଅର୍ଥାତ୍ ଶୃଙ୍ଖଳ କ୍ରମରେ ସାମାନ୍ୟରେ ସମର୍ଥନ ରୂପ ଅର୍ଥାନ୍ତର ନ୍ୟାସ ଥାଏ, ସେଠାରେ ବିକସ୍ୱର । ଅର୍ଥାନ୍ତର ନ୍ୟାସ ଅପେକ୍ଷା ଟିକିଏ ବୈଚିତ୍ର୍ୟ ଥିବା ଯୋଗୁଁ ଏହାକୁ ପୃଥକ ଅଳଙ୍କାର ରୂପେ ସ୍ୱୀକାର କରନ୍ତି ।

ଉଦାହରଣ---

ନୃପ ତାରକିତ            ସଭା ଗଗନକୁ

ଘୋଟିଲା ବିଷାଦ ଘନ,

ଆଜ ହୃଦ କ୍ଷେତ୍ର            ଅବିରଳଧାରେ

ହେଲା ସୁଧା ଦରଷଣ ।

 

ଭାଗ୍ୟବାନ ସଦା            ଭାଗ୍ୟ ଫଳ ଲଭେ

ଅଭାଗା ଲଭେ ଅଶିବ,

ସାଗର ମନ୍ଥନେ             କେଶବ କମଳା

ଗରଳ ଲଭିଲେ ଶିବ ।

ଇନ୍ଦୂମତୀ ।

 

ଏହି ପଦ୍ୟମାନଙ୍କରେ ରାଜାମାନଙ୍କର ବିଷାଦ ପ୍ରାପ୍ତି ଓ ଅଜଙ୍କର ଆନନ୍ଦ ପ୍ରାପ୍ତି ବର୍ଣ୍ଣିତ । ଏହି ବିଶେଷ ବିଷୟ । ଭାଗ୍ୟବାନ ସଦା ଭାଗ୍ୟ ଫଳ ଲଭେ, ଅଭାଗା ଲଭେ ଅଶିବ ଏହି ସାମାନ୍ୟ ବିଷୟ ଦ୍ୱାରା ତାହା ସମର୍ଥିତ । ଏହି ସାମାନ୍ୟ ବିଷୟ ପୁଣି ସାଗର ମନ୍ଥନେ କେଶବ କମଳା, ଗରଳ ଲଭିଲେ ଶିବ, ଏହି ବିଶେଷ ବିଷୟ ଦ୍ୱାରା ସମର୍ଥିତ । ଅତଏବ ବିଶେଷର ସମର୍ଥନେ ସାମାନ୍ୟ ଓ ତାର ସମର୍ଥନେ ବିଶେଷ ଥିବାରୁ ବିକସ୍ୱର ଅଳଙ୍କାର ।

 

ଅଥବା,

ପର ଦୁଃଖ ଦେଖି                   ଦୟାଳୁ ହୃଦୟ

ସହଜରେ ହୁଏ ଦୁଃଖୀ,

ତେଣୁ ରଣ କ୍ଳାନ୍ତ                   ବିପକ୍ଷ ଦଳକୁ

ସୁପ୍ତି ଦେଇ କଲେ ସୁଖୀ ।

ପରେ ପ୍ରପୀଡ଼ିତ                   ହେଲେହେଁ ମହତ

ଭାବ ସଦା ଅକର୍କଶ,

ନ ହେଲେ କି ଇକ୍ଷୁ                   ନିଷ୍ପେଷିତ ହୋଇ

ଦିଅନ୍ତା ମଧୁର ରସ ।

ଇନ୍ଦୁ ।

 

ଏଠାରେ ମଧ୍ୟ ବିକସ୍ୱର ଅଳଙ୍କାର । ଅଜ ରଣ କ୍ଳାନ୍ତ ବିପକ୍ଷ ରାଜାମାନଙ୍କୁ ସୁପ୍ତି ଦେଇ ସୁଖୀ କରିବା ବିଶେଷ ପରେ ପ୍ରପୀଡ଼ିତ ହେଲେହେଁ ମହତ ଭାବ ସଦା ଅକର୍କଶ ଏହି ସାମାନ୍ୟ ବିଷୟ ଦ୍ୱାରା ସମର୍ଥିତ । ପୁଣି ଏହି ସାମାନ୍ୟ ବିଷୟ ‘‘ନହେଲେ କି ଇକ୍ଷୁ ନିଷ୍ପେଷିତ ହୋଇ ଦିଅନ୍ତା ମଧୁର ରସ’’ ଏହି ବିଶେଷ ବିଷୟ ଦ୍ୱାରା ସମର୍ଥିତ ହୋଇଅଛି ।

 

ପ୍ରୌଢ଼ୋକ୍ତି ଅଳଙ୍କାର

 

ବର୍ଣ୍ଣ୍ୟର ଉତ୍କର୍ଷ ସିଦ୍ଧି-ଆଶେ ଅହେତୁର,

ହେତୁତ୍ୱ କଳ୍ପିତ ହେଲେ ପ୍ରୌଢ଼ୋକ୍ତ୍ୟଳଙ୍କାର । ୬୯ ।

 

ଯେବେ ବର୍ଣ୍ଣ୍ୟବସ୍ତୁର ଉତ୍କର୍ଷ ସାଧନ ଉଦ୍ଦେଶ୍ୟରେ ଯେକି ପ୍ରକୃତରେ କାରଣ ନୁହେଁ, ତାହାକୁ କାରଣ କରି ବର୍ଣ୍ଣନା କରାଯାଇ ଥାଏ । ଅର୍ଥାତ୍ ଯେ ଯାହାର କାରଣ ନୁହେଁ, ସେ ତାହା ଦ୍ୱାରା ନିର୍ମିତ ବୋଲି ଯେବେ ବର୍ଣ୍ଣିତ ହୁଏ, ତେବେ ପ୍ରୌଢ଼ୋକ୍ତି ଅଳଙ୍କାର ଯଥା—

 

ମୁଖ ହେବ ଏମନ୍ତ ବିଚାରି ପଦ୍ମ ବିଧୂ

ହସ୍ତ ବଳା କରି ଆଗୁଁ ଗତି ଥିଲା ସାଧୁ ଯେ,

ତହୁଁ ବାସ ଆହାଲାଦ ଦର୍ପଣରୁ ଝଳ

ଲହରୀରୁ କୁଟିଳ ଅଞ୍ଜନ ପୁଞ୍ଜ କାଳୀ ଯେ,

 

କୁରଙ୍ଗରୁ ତରଙ୍ଗ ବିଦ୍ରୁମ ରଙ୍ଗ ହରି

ଲବଣୀ ଶିରୀଷରୁ କୋମଳ ବଳେ ତୁଳି ଯେ,

ସୁବର୍ଣ୍ଣରୁ ବର୍ଣ୍ଣ, ରାଜ-ହଂସ ଠାରୁ ଗତି

ଏ ରୂପେ ଉପମାବର୍ଗ ଯେତେକ ଅଛନ୍ତି ଯେ,

 

ବିହି ସବୁଠାରୁ ସାର ସାର ଭାଗ ଆଣି

ପୁରଟ ପ୍ରତିମା ପରି ରଚିଲା ତରୁଣୀ ଯେ ।

ଲାବଣ୍ୟ ।

 

ପ୍ରତ୍ୟେକ ଉପମାବର୍ଗର ସାର ସାର ଅଂଶ ଲାବଣ୍ୟବତୀ ଶରୀରର କାରଣ ନୁହେଁ । କବି ଲାବଣ୍ୟବତୀର ଲୋକାତିଶାୟୀ ଲାବଣ୍ୟ ଦେଖାଇବା ଉଦ୍ଦେଶ୍ୟରେ ପଦ୍ମ ବା ଚନ୍ଦ୍ରର ଆହ୍‌ଲାଦରେ ଦର୍ପଣର ଝଳିରେ, ଲହରୀର କୌଟିଲ୍ୟରେ, ଅଞ୍ଜନର କାଳିମାରେ, ସୁବର୍ଣ୍ଣର ବର୍ଣ୍ଣରେ, ରାଜହଂସର ଗମନରେ ଏବଂ ପ୍ରତ୍ୟେକ ଉପମାର୍ଗର ସାର ସାର ଅଂଶରେ ଲାବଣ୍ୟବତୀର ଶରୀର ନିର୍ମିତ ବୋଲି ବର୍ଣ୍ଣନା କରି ଅଛନ୍ତି । ଅତଏବ ପ୍ରୌଢ଼ୋକ୍ତି ।

 

ସମ୍ଭାବନା ଅଳଙ୍କାର

 

ଅନ୍ୟର ସାଧନ ଅର୍ଥେ ଯଦ୍ୟର୍ଥ କଳ୍ପନା,

ଆଦୃତ ହୋଇଛି ଯହିଁ, ତହିଁ ସମ୍ଭାବନା । ୭୦ ।

 

ଯେଉଁଠାରେ ଏକ ବସ୍ତୁର ସିଦ୍ଧି ଉଦ୍ଦେଶରେ ‘ଯଥାର୍ଥର’ କଳ୍ପନା ଅର୍ଥାତ୍‌ ଯଦି ଏହିପରି ହୁଏ, ତେବେ ସେପରି ହେବ, ଏହି ପରି ତର୍କ ଥାଏ, ସେଠାରେ ସମ୍ଭାବନା ଅଳଙ୍କାର । ଅନେକ ଆଳଙ୍କାରିକ ଅତିଶୟୋକ୍ତି ଭେଦ ରୂପେ ସ୍ୱୀକାର କରିଅଛନ୍ତି, ମାତ୍ର ଅତିଶୟୋକ୍ତିର ଛାୟା ଦେଖାଯାଏ ନାହିଁ । ସୁତରାଂ ପୃଥକ୍ ଅଳଙ୍କାର ରୂପେ ସ୍ୱୀକାର କରାଯିବା ଉଚିତ । ଯଥା –

 

ଦିଶୁ ଥିଲା ଶିଶୁ-            ହରିଣାକ୍ଷୀ ରତ୍ନ

ଭୂଷଣେ କିବା ମଞ୍ଜୂଳ ।

ତୁଳ ତାରି ସିନା             ହୁଅନ୍ତା ତଡ଼ିତ

ଲତାରେ ଫୁଟିଲେ ଫୁଲ ।

ଯଯାତି ।

 

ଏଠାରେ କବି ଲଳିତାଙ୍କର (ଶରୀରଗତ ରତ୍ନାଳଙ୍କାରର) ଅନୁପମତା ସାଧନ କରିବା ଉଦ୍ଦେଶ୍ୟରେ ତୁଳ ତାର ସିନା ହୁଅନ୍ତା ତଡ଼ିତ-ଲତାରେ ଫୁଟିଲେ ଫୁଲ ବୋଲି ଯଦ୍ୟର୍ଥରେ ଅବତରଣ କରି ଅଛନ୍ତି । ଯଦି ତଡ଼ିତ ଲତାରେ ଫୁଲ ଫୁଟିବ, ତେବେ ସେହି ତଡ଼ିତ ଲତା ରତ୍ନଭୂଷଣାଳଂକୃତା ଲଳିତାଙ୍କର ସମାନ ହେବ-ଏହି ଭାବ ପ୍ରକାଶ ପାଏ । ଅତଏବ ସମ୍ଭାବନା ।

 

ଚିକୁର ଶୋଭୀ ମୁକୁର ପ୍ରତିବିମ୍ବ ଆଲିଙ୍ଗନେ ଯେବେ ଆସିବ

ମୃଗ ତୃଷ୍ଣାଜଳ ତୃଷାକୁ ନାଶିବ ସ୍ୱପ୍ନ ତେବେ ସତ ଦିଶିବ ।

କହେ ସଚିବସ୍ମତା ସବୁ ବଡ଼ ଦଇବ,

କାହା ମନେ ଥିଲା ଅଗାଧ ସମୁଦ୍ର ଚଳୁ ଭିତରେ ସମ୍ଭାଇବ ।

ଲାବଣ୍ୟ ।

 

ଏଠାରେ ମଧ୍ୟ ସମ୍ଭାବନା ଅଳଙ୍କାର । ସ୍ୱପ୍ନର ଅସତ୍ୟତା ସିଦ୍ଧି ଉଦ୍ଦେଶ୍ୟରେ ଯେବେ ମୁକୁର ପ୍ରତିବିମ୍ବ ଆଲିଙ୍ଗନେ ଆସିବ, ଯେବେ ମୃଗତୃଷ୍ଣା ଜଳ ତୃଷା ନାଶିବ, ଏହି ଯଦ୍ୟର୍ଥର କଳ୍ପନା କରାଯାଇଅଛି ।

କର୍ପୂର-ଭୂମିରେ କୁଙ୍କୁମାଳବାଳ ରଚି ମଧୁପୟଃ ସେଚନ

ମନମଥମାଳୀ ସ୍ୱର୍ଣ୍ଣନବବଲ୍ଲୀ କରାଇବ ଯେବେ ଉତ୍ପନ୍ନ

ତେବେ ସେ ସୁକୁମାର ତାକୁ ଜେମାର

ଅଣୁ ପ୍ରମାଣରେ ସମାନ ହୋଇଲେ ହୋଇବ ହୁଏ ଏ ବିଚାର ।

ପ୍ରେମ ମଞ୍ଜରୀ ।

 

ଏଠାରେ କବି ଯଦ୍ୟର୍ଥର କଳ୍ପନା କରି ଆହୁରି ବୈଚିତ୍ର୍ୟ ଦେଖାଇ ଅଛନ୍ତି । ‘‘ଅଣୁପ୍ରମାଣରେ ସମାନ ହୋଇଲେ ହୋଇବ ଏ ଅଂଶ ମଧ୍ୟ ଚମତ୍କାରାଧାୟକ । ଅତଏବ ସମ୍ଭାବନା ।

 

ମିଥ୍ୟାଧ୍ୟବସିତି ଅଳଙ୍କାର

 

ଏକ ମଥ୍ୟା ସାଧନାର୍ଥ ମିଥ୍ୟାନ୍ତର ଉକ୍ତି

ଯହିଁ ଥାଏ, ତହିଁ ହୁଏ, ମିଥ୍ୟାଧ୍ୟ ବସିତି । ୭୧ ।

 

ଯେଉଁଠାରେ ଏକ ବସ୍ତୁର ମିଥ୍ୟାତ୍ୱ ସାଧନ ଉଦ୍ଦେଶ୍ୟରେ ଅନ୍ୟ ଏକ ମିଥ୍ୟାଭୂତ ବସ୍ତୁର କଳ୍ପନା କରାଯାଇଥାଏ, ସେଠାରେ ମିଥ୍ୟାଧ୍ୟବସିତି ଅଳଙ୍କାର । ଯଥା—

 

କହଇ ସେ ଯାଇଥିଲା ମାନ ସରୋବରେ,

ଦେଖିଲା ସେ ଗଣ୍ଡ ଭୈରବ ବିହଙ୍ଗ ।

ଉର୍ଦ୍ଧ୍ୱୁ ଚିଲା ମାରି ସରଶ୍ଚାରୀ କରିପଳୁଁ

ତିନିଗୋଟା କରୀ ନେଇଗଲା ଚଞ୍ଚୂମୁଖେ ।

 

କେହି କେହି କିସ୍କିନ୍ଦାର ମର୍କଟ ନଗରେ

ଶୁଣିଛି ସେ ନିଜକର୍ଣ୍ଣେ କର୍ଣ୍ଣରସାୟନ-

ମର୍କଟ ସୁନ୍ଦରୀଙ୍କର ସଙ୍ଗୀତ ମାଧୁରୀ;

କେହି କହେ ବିଭୀଷଣ-ପାଳିତ ସିଂହଳେ

 

ଦେଖି ଆସିଛି ସେ ରକ୍ଷ ଅଦ୍ଭୁତ ମୂରତି,

ଚତୁର୍ମୁଖ, ଅଷ୍ଟଭୁଜ, ଅଷ୍ଟପାଦ ଆଦି,

କେହି କହେ କାଶ୍ମୀରେ ମୁଁ ଦେଖିଲି ମାନବ

ଲମ୍ବ କର୍ଣ୍ଣ, ଏକ କର୍ଣ୍ଣ ଶେଜ ରୂପେ ପାରି

 

ଆନ କର୍ଣ୍ଣେ ଘୋଡ଼ି ହୋଇ ଶୁଅନ୍ତି, ସେ ଶେଷେ;

ଅବିଶ୍ୱାସ-ବ୍ୟଞ୍ଜୀ-ସ୍ମିତ ଶ୍ରୋତା ମୁଖେ ଦେଖି

ସଦର୍ପେ ପକାଇ ରାଣ କହଇ ସେ ପୁଣି,

ଆଜନ୍ମ ମୁଁ କହି ନାହିଁ ମିଥ୍ୟା କେଉଁ କାଳେ,

 

ମିଥ୍ୟାଠାରୁ ପାପ ଆଉ ନାହିଁ ତ୍ରିଜଗତେ ।

ମହାଯାତ୍ରା

 

ଏହି ପଦ୍ୟମାନଙ୍କରେ କିପରି ଗୋଟିଏ ମିଥ୍ୟାର ସିଦ୍ଧି ପାଇଁ ଅନ୍ୟଟିର ଅବତରଣ, ତାହା ପାଠମାତ୍ରେ ବୋଧହୁଏ ପୂର୍ବୋକ୍ତ ସମ୍ଭାବନା ଅଳଙ୍କାରର ଉଦାହରଣ ଚିକୁର ଶୋଭୀ ଏ ପଦ୍ୟରେ ମଧ୍ୟ ସ୍ୱପ୍ନର ଅସତ୍ୟତାରୂପ ମିଥ୍ୟାର ସାଧନ ନିମିତ୍ତ ଅନ୍ୟ ମିଥ୍ୟାର ଅବତରଣ ହୋଇଅଛି ।

 

ସେଠାରେ ସମ୍ଭାବନାର ଛାୟା ମଧ୍ୟ ଚମତ୍କାର ଜାତ କରେ । ଅତଏବ ସେଠାରେ ସମ୍ଭାବନା ଓ ମିଥ୍ୟାଧ୍ୟବସିତି ହେବ । ଅନ୍ୟାନ୍ୟ ସ୍ଥଳରେ ସମ୍ଭାବନା ଓ ମିଥ୍ୟାଧ୍ୟବସିତିର ଭେଦ ସ୍ପଷ୍ଟ ରୂପେ ଦେଖାଯାଏ ।

 

କି ଶ୍ରେୟେ ଗୁନ୍ଥିବି             ଦୁରାଶା ସୁତ୍ରରେ

ଆକାଶ କୁସୁମ-ମାଳା ।

 

ଏଠାରେ ସମ୍ଭାବନାର ଛାୟା ନାହିଁ, ମିଥ୍ୟାଧ୍ୟବସିତି ନିର୍ବାଧ ଦିଶୁଥିଲା । ଏ ପଦ୍ୟାରେ ମିଥ୍ୟାଧ୍ୟାବସିତର ପ୍ରସକ୍ତି ନାହିଁ ।

 

ଲଳିତ ଅଳଙ୍କାର

 

ପ୍ରସ୍ତୁତରେ ତାର ପ୍ରତି ରୂପ ଅପ୍ରସ୍ତୁତ

ବୃତ୍ତାନ୍ତ ବର୍ଣ୍ଣିତ ହେଲେ ହୁଅଇ ଲଳିତ । ୭୨ ।

 

ପ୍ରସ୍ତୁତ ଧର୍ମୀରେ ବର୍ଣ୍ଣନୀୟ ପ୍ରସ୍ତୁତ ଧର୍ମ ଗୁଡ଼ିକ ନକହି ଯେଉଁଠାରେ ଅପ୍ରସ୍ତୁତ ଧର୍ମ ବର୍ଣ୍ଣିତ ହୋଇଥାଏ, ସେଠାରେ ଲଳିତଳଙ୍କାର ଅପ୍ରସ୍ତୁତ ପ୍ରଶଂସାରେ କେବଳ ଅପ୍ରସ୍ତୁତ ବୃତ୍ତାନ୍ତରୁ ପ୍ରସ୍ତୁତ ବୃତ୍ତାନ୍ତର ପ୍ରତୀତି, ପ୍ରସ୍ତୁତ ବୃତ୍ତାନ୍ତର ବା ପ୍ରସ୍ତୁତ ଧର୍ମୀର ଉଲ୍ଲେଖ ନଥାଏ । ସମାସୋକ୍ତିରେ ପ୍ରସ୍ତୁତ ବୃତ୍ତାନ୍ତରୁ ଅପ୍ରସ୍ତୁତ ବୃତ୍ତାନ୍ତ ପ୍ରତୀତ ହୋଇଥାଏ, ଅପ୍ରସ୍ତୁତ ବୃତ୍ତାନ୍ତର ଉଲ୍ଲେଖ ନଥାଏ । ନିଦର୍ଶନା ଅଳଙ୍କାରରେ ପ୍ରସ୍ତୁତ ଓ ଅପ୍ରସ୍ତୁତ ବୃତ୍ତାନ୍ତ ଶଦ୍ଦତଃ ଉକ୍ତ ହୋଇଥାଏ; ଦୁଇଟିର ଭେଦ ମଧ୍ୟ ଆରୋପିତ ହୋଇଥାଏ । ଏ ଅଳଙ୍କାରରେ ପ୍ରସ୍ତୁତ ଧର୍ମୀର ଉଲ୍ଲେଖ ପୂର୍ବକ ପ୍ରସ୍ତୁତରେ ଅପ୍ରସ୍ତୁତ ବୃତ୍ତାନ୍ତ ବର୍ଣ୍ଣିତ ହୋଇଥାଏ । ଅପ୍ରସ୍ତୁତରୁ ପ୍ରସ୍ତୁତ ବୃତ୍ତାନ୍ତର ପ୍ରତୀତି ହେଉଅଛି । ଅତଏବ ପୃଥକ ଅଳଙ୍କାର ରୂପେ ଗଣନା କରାଯାଏ ।

ଉଦାହରଣ--

ଆନ ବୋଲେ ମୁହିଁ ଅଟଇ ପୁଲିସ

ବିନା ମେଘେ ସୃଜି ପାରଇ କୁଳିଶ ।

କି ଦୋଷୀ କି ଅବା ଦୋଷହୀନ ନର

ମୋ ପ୍ରତାପେ ରାଜ୍ୟେ ସର୍ବେ ଥରହର ।

ଦରବାର ।

 

ଏହି ପଦ୍ୟରେ ପୁଲିଶ ପ୍ରସ୍ତୁତ ଧର୍ମୀ । ଦୋଷ ନଥାଉଣୁ ଦଣ୍ଡ ଦେବାରୂପ ପୁଲିସର ଧର୍ମ । ବିନା ମେଘ ସୃଜି ପାରଇ କୁଳିଶ ଏହି ବାକ୍ୟ ଦ୍ୱାରା ପ୍ରତିପାଦିତ ହୋଇଅଛି । ବିନା ମେଘେ ସୃଜି ପାରଇ କୁଳିଶ, ଏହା ପ୍ରସ୍ତୁତ ଧର୍ମ ନୁହେଁ, ମାତ୍ର ପ୍ରସ୍ତୁତ ଧର୍ମର ପ୍ରତି ରୂପ ଅପ୍ରସ୍ତୁତ ଧର୍ମ । ଅତଏବ ଲଳିତ ଅଥବା,

 

ପୁଣି ବୋଲଇ ହେ ଜାଣି ମୁଁ ନଥିଲି ଦଇବ ତୁ ଏଡ଼େ ଦାରୁଣ

କ୍ଷୁଧାତୁରକୁ ସୁଧାତୁଲ୍ୟ ଭୋଜନ ପରଶିଲୁ କେଉଁ କାରଣ,

ଭୁଞ୍ଜି ବସିବା ବେଳେ କୁଳିଶ ବୃଷ୍ଟି କଲୁ,

ଯେବେ କଲୁ ତେବେ ପରାଣ ନନେଲୁ ଏଡ଼େ ବ୍ୟାକୁଳ କିପାଁକଲୁ

ଲାବଣ୍ୟ ।

 

ଏହି ପଦ୍ୟରେ ମଧ୍ୟ ଲଳିତାଳଙ୍କାର । ମୋତେ କାହିଁକି ସେ ପୁରୁଷକୁ ଦେଖାଇଲୁ, ପୁଣି ତାକୁ ଆଲିଙ୍ଗନ କଲାବେଳେ କାହିଁକି ଅନ୍ତର୍ହିତ କରି ଦେଲୁ, ଯେବେ ଅନ୍ତର୍ହିତ କଲୁ, ତେବେ କାହିଁକି ପ୍ରାଣ ନନେଇ ବ୍ୟାକୁଳ କରୁଅଛୁ, ଏହି ପ୍ରସ୍ତୁତ ବୃତ୍ତାନ୍ତ ନ କହି କବି ତାର ପ୍ରତିରୂପ ‘କ୍ଷୁଧାତୁରକୁ x x x x କିପାଁ କଲୁ’ ଏହି ଅପ୍ରସ୍ତୁତ ବୃତ୍ତାନ୍ତ ବର୍ଣ୍ଣନା କରିଅଛନ୍ତି ।

 

ପ୍ରହର୍ଷଣ ଅଳଙ୍କାର

 

ଆବଶ୍ୟକ ଯତ୍ନ ବିନା ଯଦି ଅଭିମତ

ବସ୍ତୁଲବ୍‌ଧ ହୁଏ ତେବେ ପ୍ରହର୍ଷଣ ମତ । ୭୩ ।

 

ଅଭିପ୍ରେତ ବସ୍ତୁ ଯଦି ସେହି ବସ୍ତୁ ଲାଭର ସମୁଚିତ ଯତ୍ନ ବିନା ଲବ୍‌ଧ ହୁଏ, ତେବେ ପ୍ରହର୍ଷଣ ଅଳଙ୍କାର । ଏହି ପ୍ରହର୍ଷଣ ଅଳଙ୍କାର ତିନି ପ୍ରକାର-ବିନା ଯତ୍ନରେ ଅଭିପ୍ରେତ ବସ୍ତୁର ଲାଭରେ ପ୍ରଥମ ପ୍ରହର୍ଷଣ । ଅଭିପ୍ରେତ ବସ୍ତୁ ଅପେକ୍ଷା ଅଧିକ ବସ୍ତୁର ଲାଭରେ ଦ୍ୱିତୀୟ ପ୍ରହର୍ଷଣ । ଫଳ ଲାଭ ସମ୍ବନ୍ଧେ ଉପାୟ କରୁ କରୁ ସାକ୍ଷାତ୍ ଫଳ ଲାଭରେ ତୃତୀୟ ପ୍ରହର୍ଷଣ । ତୃତୀୟ ପ୍ରହର୍ଷଣରେ ସାମାନ୍ୟ ଯତ୍ନ ଥିଲେ ମଧ୍ୟ ଫଳଲାଭ ଉଦ୍ଦେଶ୍ୟକ ଯତ୍ନ ନାହିଁ । ଅତଏବ ଲକ୍ଷଣରେ ଆବଶ୍ୟକ ପଦ ଦିଆ ହୋଇଅଛି ।

 

ପ୍ରଥମ ପ୍ରହର୍ଷଣ ଯଥା—

 

କି ବର ମାଗିବୁ ମାଗି ଥାଅ ଏକେ ଯେ ଯାହାର ଦୁଃଖ ଜଣାଇ

କେ ବୋଲେ କୃଷ୍ଣକୁ ଏକାଳରେ ଯେବେ

ଦେବେ ଆତ୍ମା ପାଶେ ଅଣାଇ

କରିବା ତାଙ୍କୁ ଘେନି ଜଳବିହାର

କହୁ କହୁ ଏହା କମଳ ନୟନ ବୃନ୍ଦାବନୁଁ ହେଲେ ବାହାର ।

ରସ ।

 

ଗୋପିକାମାନେ ଶ୍ରୀକୃଷ୍ଣଙ୍କର ଉପସ୍ଥିତି ଚାହୁଁ ଥିଲେ, ସେମାନଙ୍କର ଯତ୍ନ ବିନା ମନୋରଥ ପୂର୍ଣ୍ଣ ହେଲା । ଶ୍ରୀକୃଷ୍ଣ ବୃନ୍ଦାବନରୁ ସେଠାରେ ଉପସ୍ଥିତ ହେଲେ--ଏହା ବର୍ଣ୍ଣିତ ହୋଇଅଛି । ଅତଏବ ପ୍ରଥମ ପ୍ରହର୍ଷଣ ।

 

ଦ୍ୱିତୀୟ ପ୍ରହର୍ଷଣ ଯଥା--

ମୃଗ ବଧ ଆଶେ            ଆସି ଏ ପ୍ରଦେଶେ

ଲଭିଲା ସଖ୍ୟ ତୁମ୍ଭର,

ଉପଳ ଚୟନ-      ବ୍ୟଗ୍ର ଭାଗ୍ୟବାନ

ଲଭିଲା ମୌକ୍ତିକୋତ୍କର ।

ସହୃଦୟାନନ୍ଦ ।

 

ଏଠାରେ ନଳଙ୍କର ମୃଗବଧ ଅପେକ୍ଷା ଅଧିକ ହଂସ ସଖ୍ୟର ଓ ଅଭିପ୍ରେତ ଉପଳ ଅପେକ୍ଷା ଅଧିକ ମୌକ୍ତିକ ସମୁହର ଲାଭ ବର୍ଣ୍ଣିତ ହୋଇ ଅଛି । ଅତଏବ ଦ୍ୱିତୀୟ ପ୍ରହର୍ଷଣ ।

 

ତୃତୀୟ ପ୍ରହର୍ଷଣ ଯଥା--

ବୁଝାଇ କହିବ ବୋଲି ତାର ସଖୀ

ଖୋଜୁଁ ଖୋଜଁ ଉଭା ହେଲା ଚନ୍ଦ୍ରମୁଖୀ,

ନିଧ୍ୟଞ୍ଜନ ମୂଳ ଖୋଜୁ ଖୋଜୁ ଜବେ

ନିଧି ଲାଭ କଲି ଭାଗ୍ୟର ବିଭବେ ।

 

ଏଠାରେ ପ୍ରେୟସୀ ଲାଭର ଉପାୟ ସଖୀ ଅନ୍ୱେଷଣ ରୂପ ପ୍ରୟତ୍ନ କରୁ କରୁ ସାକ୍ଷାତ୍‌ ପ୍ରେୟସୀର ଲାଭ ଓ ନିଧି ପ୍ରାପ୍ତିର ଊପାୟ ନିଧ୍ୟଞ୍ଜନ ମୂଳ ଖନନ ରୂପ ପ୍ରୟତ୍ନ କରୁ କରୁ ନିଧିର ଲାଭ ବର୍ଣ୍ଣିତ । ଅତଏବ ତୃତୀୟ ପ୍ରହର୍ଷଣ ।

 

ଉଲ୍ଲାସ ଅଳଙ୍କାର

 

ଜଣକର ଗୁଣ-ଦୋଷେ ଅନ୍ୟ ପୁଣ ଦୋଷ,

ଯହିଁ ପରକାଶେ ତହିଁ ହୁଅଇ ଉଲ୍ଲାସ । ୭୪।

 

ଯେଉଁ ଠାରେ ଏକର ଗୁଣ ବା ଦୋଷ ଦ୍ୱାରା ଅପରର ଗୁଣ ବା ଦୋଷ ପ୍ରକାଶ ପାଏ, ସେଠାରେ ଉଲ୍ଲାସ ଅଳଙ୍କାର । ଏକର ଗୁଣରେ ଅନ୍ୟର ଗୁଣ ପ୍ରକାଶିତ ହେଲେ ପ୍ରଥମ ଉଲ୍ଲାସ, ଏକର ଦୋଷ ଦ୍ୱାରା ଅନ୍ୟର ଦୋଷ ପ୍ରକାଶିତ ହେଲେ ଦ୍ୱିତୀୟ ଉଲ୍ଲାସ, ଏକର ଗୁଣ ଦ୍ୱାରା ଅନ୍ୟର ଦୋଷ ପ୍ରକାଶିତ ହେଲେ ତୃତୀୟ ଊଲ୍ଲାସ ଓ ଏକର ଦୋଷ ଦ୍ୱାରା ଅନ୍ୟର ଗୁଣ ପ୍ରକାଶିତ ହେଲେ ଚତୁର୍ଥ ଉଲ୍ଲାସ ହୁଏ । ଏପରି ଉଲ୍ଲାସାଳଙ୍କାର ଚାରିପ୍ରକାର ।

 

ପ୍ରଥମ ଉଲ୍ଲାସ ଯଥା—

 

ଶରୀର ଗନ୍ଧ ପାଇ ଆନନ୍ଦ,

 

ହୋଇବ ନାସା ଦ୍ୱାର,

କରନ୍ତେ କୋଳ ଅଙ୍ଗ ନିର୍ମଳ,

 

ହୋଇବ ଆଜ ମୋର ।

ବିଶ୍ୱାସମାନ ପଚାରି ରାମ-

 

କୃଷ୍ଣ କରିବେ ପୂଜା,

ସଦୟ ଚିତ୍ତେ ପେଷିଲା ମୋତେ

 

ଧନ୍ୟ ସେ କଂସରାଜା ।

ମଥୁରା ମଙ୍ଗଳ ।

 

ଏଠାରେ ଶ୍ରୀକୃଷ୍ଣଙ୍କର ଶରୀର ଗୁଣରେ ଅକ୍ରୁରଙ୍କର ଗୁଣ ବର୍ଣ୍ଣିତ, ଅତଏବ ପ୍ରଥମ ଉଲ୍ଲାସ ।

 

ଲୋକାନନ୍ଦ ଦାୟି            ହେ ଚନ୍ଦନ ଦ୍ରୁମ !

ରହ ନାହିଁ ଏହି ବନେ,

ପୁରୁଷ-ଆକୃତି            ଅସାର-ହୃଦୟ

ଦୁଷ୍ଟ ବଂଶେ ଛନ୍ତି ଘନେ ।

 

ଅନ୍ୟୋନ୍ୟ ସଂଘର୍ଷେ            ଜାତ କରି ମହା

ପ୍ରଖରତର ଅନଳ,

ତାଙ୍କ କଥା ଛାଡ଼;            ସମସ୍ତ କାନନ

କରି ଦେବେ ଛାରଖାର ।

 

ଏଠାରେ ଦୁଷ୍ଟ ବଂଶମାନଙ୍କର ଦୋଷରେ କାନନ ନାଶ ରୂପ ଦୋଷର ବର୍ଣ୍ଣନା କରାଯାଇଅଛି । ଅତଏବ ଦ୍ୱିତୀୟ ଉଲ୍ଲାସ ।

 

ମନେ ଅନ୍ଧ ହୋଇ            କରୀ କର୍ଣ୍ଣ ତାଳେ

ତଡ଼ି ଦେଲେ ଅଳିଗଣେ,

ଯଦି ଗଣ୍ଡ ଶୋଭା            ମାତର ତାହାର,

ଅଳି ଯିବ ପଦ୍ମ ବନେ ।

 

ଏଠାରେ ଭ୍ରମରମାନଙ୍କର ଗଣ୍ଡସ୍ଥଳ ଶୋଭା ରୂପଗୁଣରେ ହସ୍ତୀର ତିରସ୍କାର ରୁପ ଦୋଷର ବର୍ଣ୍ଣନା କରାଯାଇଅଛି, ଅତଏବ ତୃତୀୟ ଉଲ୍ଲାସ ।

 

ସଖେ ରତ୍ନବର !            ଏ ଦୁଷ୍ଟ ବାନର

ତୁମ୍ଭ ପ୍ରତି ଅନାଦାର

କରି, ଚୁମ୍ବି ଛାଡ଼ି            ଦେଲା ବୋଲି ମନେ

ନକର ତିଳେ ବିଚାର ।

 

ତୁମର ସୁଭାଗ୍ୟ            ବୋଲି ମନେକର

ଯାହା ସେ ଆଦର କରି

ଭିତର ଦେଖିବା            ଆଶେ ପଥରରେ

ନିଗାଡ଼ି ନଦେଲା ଚୂରି ।

 

ଏଠାରେ ବାନରର ଚାପଳତ୍ୱ ରୂପ ଦୋଷରେ ରତ୍ନର ଚୂର୍ଣ୍ଣନା ଭାବ ରୂପ ଗୁଣର ବର୍ଣ୍ଣନା କରାଯାଇଅଛି । ଅତଏବ ଚତୁର୍ଥ ଉଲ୍ଲାସ । ଉପରୋକ୍ତ ତିନୋଟି ଉଦାହରଣରେ ଅପ୍ରସ୍ତୁତ ପ୍ରଶଂସା ବଳରେ ପ୍ରତୀୟମାନ ପ୍ରସ୍ତୁତ ବୃତ୍ତାନ୍ତ ମଧ୍ୟ ଚମତ୍କାର ପୋଷଣ କରେ ।

 

ଅବଜ୍ଞା ଅଳଙ୍କାର

 

ଯଦି ଜଣକର ଗୁଣେ ଦୋଷେ ବା ଅନ୍ୟର

ଗୁଣ ଦୋଷ ନୋହେ, ତେବେ ଅବଜ୍ଞାଳଙ୍କାର । ୭୫ ।

 

ଯଦି ଏକର ଗୁଣରେ ଅପରର ଗୁଣ ବା ଏକର ଦୋଷରେ ଅନ୍ୟର ଦୋଷ ହୁଏ ନାହିଁ, ତେବେ ଅବଜ୍ଞାଳଙ୍କାର । ଏହି ଅଳଙ୍କାର ଉଲ୍ଲାସାଳଙ୍କାରର ପ୍ରତିରୂପ ।

 

ଏକର ଗୁଣରେ ଅନ୍ୟର ଗୁଣାଭାବ ଯଥା---

 

କୃଷ୍ଣ ଗୋପୀଙ୍କର ଯେଉଁ ଘେନା ଘେନି ବାଣୀ

କହି ଶେଷ କରିବାକୁ କେ ଅଛି କାରଣୀ,

କଠୋର ରସିକେ ଏଥି ଭାବ ନବୁଝନ୍ତି

କୋମଳ ମଣ୍ଡୁକ ପ୍ରାୟେ ତାହାଙ୍କର ଗତି ।

କଳାକର ଉଦେ ହେଲେ ଚନ୍ଦ୍ରାମଣି ଦ୍ରବେ

କେତେବେଳେ ଅକର୍ମ ଶିଳାରୁ ନାରୀ ସ୍ରଦେ ?

କୋମଳ କରି ଗାଇଲେ ପଦ୍ମ ତୋଳା ଗୀତ

କରେ କି ମାଟି ମାର୍ଜାର ଫଣି ଫଣନୃତ୍ୟ ?

ରସ ।

 

ଏଠାରେ କୃଷ୍ଣ ଗୋପୀମାନଙ୍କର ଘେନା ଘେନି ବାଣୀରୂପ ଗୁଣରେ କଠୋର ରସିକମାନଙ୍କର ଆନନ୍ଦରୂପ ଗୁଣର ଅଭାବ, ଚନ୍ଦ୍ରୋଦୟରେ ଅକର୍ମଶିଳାର, ନୀରସ୍ରାଦ ରୂପ ଗୁଣର ଅଭାବ ଓ ପଦ୍ମ ତୋଳା ଗୀତରେ ମାଟି ମାର୍ଜାର ଓ ଫଣି ଫଣାର ନୃତ୍ୟ ରୂପ ଗୁଣର ଅଭାବ ବର୍ଣ୍ଣିତ, ଅତଏବ ଅବଜ୍ଞା ।

 

ଅଥବା -

କୃପଣ ଚିତ୍ତ ନୋହେ ଚକିତ             ଦେଖିଲେ ନାନାରୂପ ଅଦ୍ଭୁତ

ବାଳୀଶମନ ଦ୍ରବଇ ନାହିଁ ଶୁଣିଲେ ଗୀତ ହେ,

କେବଳ ହଳାହଳ ଅନଳ             ସନ୍ତାପକୁ ଏ କ୍ଷମା ମଣ୍ଡଳ

ମଣ୍ଡନମାନଙ୍କର ଏ ଘେନି ନୁହନ୍ତି ହାତ ଯେ,

କଲେ ନିନ୍ଦା ଏ ଘେନି ବାସିତ ଜନ ଯେ

କରିଛି ତାକୁ ବିହି ବିଧାନ             ପର ନିନ୍ଦାରେ ନେବାକୁ ଦିନ

ମୋହ କହିଲେ ନିକି ହୋଇବ ଆନ ହେ ।

ରସ ।

 

ଏ ପଦ୍ୟରେ ଅଦ୍ଭୁତ ରୂପ ଓ ଗୀତରୂପ-ଗୁଣ ଦ୍ୱାରା ଚକିତର ଦ୍ରବ୍ୟ ରୂପ ଗୁଣର ଅଭାବ ବର୍ଣ୍ଣିତ ହୋଇଅଛି ।

 

ଏକର ଦୋଷରେ ଅନ୍ୟର ଦୋଷାଭାବ ଯଥା—

 

 

ମଳିନ ଆଶୟ            ଦୃଷ୍ଟ ମଧୁକର

କରଇ ନାହିଁ ଆଦର,

ଏହା ବୋଲି ସଖେ            ଚମ୍ପକ ମନରେ

ନକର ତିଳେ ବିଚାର ।

 

ଅତି ମନୋହର             ଜଳଦ ଶ୍ୟାମଳ

ବିଳାସିନୀ-କେଶପାଶ,

ବିରାଜୁ କୁଶଳେ            ଜଗତେ, ତହିଁରେ

ଲଭିବ ଅକଶ୍ୟ ବାସ ।

 

ଏଠାରେ ଦୁଷ୍ଟ ମଧୁକରର ଅନାଦରରୂପ ଦୋଷରେ ଚମ୍ପକର ଦୋଷାଭାବ ବର୍ଣ୍ଣିତ । ଅତଏବ ତୃତୀୟ ଅବଜ୍ଞା ।

 

ଲେଶ ଅଳଂକାର

 

ଲେଶ ଅଳଙ୍କାର ତହିଁ କରନ୍ତି ଗଣନ,

ଗୁଣ ଅବା ଦୋଷ ଯହିଁ ହୁଏ ଦୋଷ ଗୁଣ । ୭୬ ।

 

ଯେଉଁଠାରେ ଗୁଣ ଦୋଷ ରୂପେ ବର୍ଣ୍ଣିତ ବା ଦୋଷ ଗୁଣରୂପେ ବର୍ଣ୍ଣିତ ଅର୍ଥାତ୍‌ ଗୁଣର ଦୋଷତ୍ୱ କଳ୍ପନା ବା ଦୋଷର ଗୁଣର କଳ୍ପନା, ସେଠାରେ ଲେଶାଳଙ୍କାର । ବ୍ୟାଜ ସ୍ତୁତିରେ ନିନ୍ଦାବ୍ୟାଜରେ ସ୍ତୁତି ବା ସ୍ତୁତି ବ୍ୟାଜରେ ନିନ୍ଦା କରାଯାଇଥାଏ । ସୁତରାଂ ନିନ୍ଦା ଓ ସ୍ତୁତିର ପ୍ରତିପାଦନ ବ୍ୟାଜସ୍ତୁତିର ଲକ୍ଷ୍ୟ । ଗୁଣର ଦୋଷତ୍ୱ କଳ୍ପନା ବା ଦୋଷର ଗୁଣତ୍ୱ କଳ୍ପନା ଲେଶର ଲକ୍ଷ୍ୟ । ଯେଉଁଠାରେ ଗୁଣର ଦୋଷତ୍ୱ କଳ୍ପନା ବା ଦୋଷର ଗୁଣତ୍ୱ କଳ୍ପନା ଓ ନିନ୍ଦା ବା ସ୍ତୁତିର ତାତ୍ପର୍ଯ୍ୟ ଥାଏ, ସେଠାରେ ବ୍ୟାଜସ୍ତୁତି ଓ ଲେଶ ଅଳଙ୍କାର ହେବ । ଯେଉଁଠାରେ ଏକ ସ୍ତୁତିରେ ଅନ୍ୟର ସ୍ତୁତି ବା ଏକର ନିନ୍ଦାରେ ଅନ୍ୟର ନିନ୍ଦା, ସେହି ବ୍ୟାଜସ୍ତୁତିରେ ଲେଶାଳଙ୍କାରର ମୋଟେ ପ୍ରସକ୍ତି ନାହିଁ ।

 

ଗୁଣର ଦୋଷତ୍ୱ କଳ୍ପନା ଯଥା--

ଦୁଃଖ ଫେଡ଼ ମୋର ଜନନି,

ହର ଏ ରୂପ ମୋର,

ବିଭୁଷଣ ହୋଇ ହେଲା ଏ

ସିନା ଦୂଷଣ ଘୋର ।

ଚନ୍ଦ୍ରଭାଗା ।

ଏଠାରେ ରୂପର ଦୋଷତ୍ୱ କଳ୍ପିତ ହୋଇଅଛି । ଅତଏବ ଲେଶ ।

 

ଦୋଷର ଗୁଣତ୍ୱ କଳ୍ପନା ଯଥା-

ହେ ପ୍ରିୟ ମୃତ୍ୟୁ ଆସ       ଆସ ମୋହର ପାଶ

ଘେନି ବିନୟ ନିମନ୍ତ୍ରଣ,

ତବ କରୁଣା ବିନା       ବହୁ କଷ୍ଟ ଅଧୁନା

ଭୋଗୁଛି କର ଉଦ୍ଧାରଣ ହେ ମିତ୍ରବର !

ପ୍ରାଣିଙ୍କ ସନ୍ତାପ ହାରକ       ଭବବନ୍ଧ ମୋକ୍ଷ କାରକ

ତୁମ୍ଭେ ସିନା ହେ ମୃତ୍ୟୁ      ଭାବୀ ଜନ୍ମକୁ ହେତୁ

ତୁମ୍ଭ ଅଧୀନ ସର୍ବ ଲୋକ ହେ ।

ପ୍ରକ୍ରମ ପଦ୍ୟାବଳୀ ।

 

ଏଠାରେ ମୃତ୍ୟୁର ପ୍ରାଣହରଣ କରିବା ରୂପ ଦୋଷ ଗୁଣରୂପରେ ବର୍ଣ୍ଣିତ । ଏଠାରେ ମୃତ୍ୟୁର ସ୍ତୁତି ବା ନିନ୍ଦାରେ ବକ୍ତାଙ୍କର ତାତ୍ପର୍ଯ୍ୟ ନାହିଁ ।

 

ସଜ୍ଜନ ମନୁଷ୍ୟ       ସୁଚରିତ ଲାଭ

କରି ଜୀବନର ବ୍ରତ,

ଜନ-ଅପବାଦ      ଭୟରେ ସର୍ବଦା

ରହେ ଦୁଃଖେ ନିୟନ୍ତ୍ରିତ ।

ଯୁକ୍ତାଯୁକ୍ତ-କାର୍ଯ୍ୟ-      ବିଚାରେ-ବିମୂଢ଼

ମୁର୍ଖ ଜନ ନିର୍ବଚାରେ

ସତ ବା ଅସତ       କାର୍ଯ୍ୟ କରିଯାଏ

ଦୁଃଖ ନଥାଏ ମନରେ ।

 

ଏହି ପଦ୍ୟରେ ସଜ୍ଜନ ଗୁଣର ଦୋଷତ୍ୱ କଳ୍ପନା ଓ ଦୁର୍ଜନ ଦୋଷର ଗୁଣତ୍ୱ କଳ୍ପନା ଦେଖାଯାଏ । ବାଚକ ପଦ ନଥିଲେ ମଧ୍ୟ ଗୁଣର ଦୋଷତ୍ୱ ଓ ଦୋଷର ଗୁଣତ୍ୱ ଅର୍ଥତଃ ଆକ୍ଷିପ୍ତ । ସଜ୍ଜନ ଓ ଦୁର୍ଜନର ସ୍ତୁତି ବା ନିନ୍ଦାରେ ବକ୍ତାର ତାତ୍ପର୍ଯ୍ୟ ଥିଲା ପରି ପ୍ରତିୟମାନ ହୁଏ ନାହିଁ । ଅତଏବ ଲେଶ ଅଳଙ୍କାର ।

 

ମୁଦ୍ରା ଅଳଙ୍କାର

 

ପଦ ଅର୍ଥ କଉଶଳେ ସୂଚନୀୟ ଅର୍ଥ

ସୂଚିତ ହୋଇଲେ ମୁଦ୍ରାଳଙ୍କାର କଥିତ । ୭୭ ।

 

ଯେଉଁଠାରେ ସୂଚନୀୟ ଅର୍ଥ ପଦଯୋଜନା ବା ଅର୍ଥ ସଂଘଟନାର କୌଶଳରେ ସୂଚିତ ହେଉଥାଏ, ସେଠାରେ ମୁଦ୍ରା ନାମକ ଅଳଙ୍କାର ହୁଏ ।

 

ପଦର କୌଶଳରେ ଅର୍ଥର ସୂଚନା ଯଥା-

ଅବନୀ ଶିରୀ ସୁନ୍ଦରୀ ଈଶ୍ୱରୀ ନବ କିଶୋରୀ,

ଲୀଳା ବିଳାସୀ ଭୃତ୍ୟଚିତ୍ତ ଉଲ୍ଲାସୀ ନଗରୀ ରସ ସାଗରୀ ।

ଆନନ୍ଦ ଦାୟିନୀ କାମେ ଜ୍ଞାନହାରିଣୀ ତା ବାମେ,

କୁନ୍ଦ ସୁନ୍ଦର ରଦନାକୁ ଚଉଦ ବ୍ରହ୍ମାଣ୍ଡରେ ନାହିଁ ସମେ ।

 

ତୋଷ ରାଜହଂସ ଚିତ୍ତ ରହିଥିଲେ ଯହିଁ ସତ,

ଜାଣୁ ଜାଣୁ ମଣି ମାନସରୋବରେ ବରଷାରେ ଉପଗତ ।

ହାଟକ ଝଟକ ଦେହା ଇନ୍ଦୁହାସୀ ଗୁରୁସ୍ନେହା,

ଛାଡ଼ିବ ଗୁମାନ ମାନସୁଁ ମଦନ ତୁ ହୋଇଲାକ୍ଷଣି ସାହା ।

 

ତାରକା ଶୋଭା ବାଳାକୁ ହାର କରିବି ଗଳାକୁ,

କରିଛି ମନେ ଗୁଣବନ୍ତ ମାଳିକା ରତନ ରସ କଳାକୁ ।

ରଘୁନାଥଙ୍କୁ ଜଣାଇ ଏତେ ପତି ଦେଲା ଦେଲା ଚାହିଁ,

ଅନ୍ତର ଲିପିରେ କିମନ୍ତର ଏଥି ରସିକ ଅଛିକି ଲିହି ।

ଲାବଣ୍ୟ ।

 

ଏହି ପଦ୍ୟ ଗୁଡ଼ିକରେ ପ୍ରକୃତ ଅର୍ଥ ପ୍ରତୀତ ହେଲା ପରେ ପ୍ରତ୍ୟେକ ପାଦର ଆଦ୍ୟ ଅକ୍ଷରମାନଙ୍କର ସଂଯୋଗରେ ‘‘ଅଇଲି ଆଜ୍ଞାକୁ ତୋର ଯାହା ଇଚ୍ଛା ତାହା କର’’ ବୋଲି ପ୍ରତୀତ ହୁଏ । ଅତଏବ ମୁଦ୍ରାଳଙ୍କାର । ଏଠାରେ ଅନ୍ତର୍ଲିପି ଦ୍ୱାରା ବିଲକ୍ଷିତ ଅର୍ଥ ସୂଚିତ ହେଉଅଛି । ବହିର୍ଲିପି ଦ୍ୱାରା ମଧ୍ୟ ଅର୍ଥ ସୂଚିତ ହେଉଥିଲେ ଏ ଅଳଙ୍କାର ହୁଏ ।

 

ଜାଣ ଦୁଇ ବର୍ଣ୍ଣେ ରାତ୍ରି ନାମକୁ ଉଚିତ-ନିଶା

ସୁନ୍ଦରୀର ପ୍ରଭୁ ବେନି ଅକ୍ଷରୁ ବିଦିତ ।-ପତି

ପ୍ରକାଶିତ ଦ୍ୱି-ଅକ୍ଷରେ ରାଜା ତହିଁ ରତ,-ନୀତି

ଋଷି କ୍ରୋଧବାଣୀ ବେନି କର୍ଣ୍ଣେ ହେବ ଖ୍ୟାତ-ଶାପ

 

ଖେଳ ଗୋଟିଏ ହୋଇବ ବିଲୋମ ବାହାର,-ପଶା

ବାର୍ଷିକ ପୁଷ୍ପ ଦ୍ୱିବର୍ଣ୍ଣେ ଯେ ଗୋବିନ୍ଦହାର-ନୀପ

ମୁସୁଜ୍ୱର କଟୁ ଦ୍ରବ୍ୟ ଦ୍ୱିବର୍ଣ୍ଣରୁ ହେବ?

ପୁର ସଂଖ୍ୟା ପୁଣି ଆଦ୍ୟପ୍ରାନ୍ତେ ବାହାରିବ ।-ତିନି

 

ରାତ୍ରି କି ଶ୍ଳେଷେ ଭାବିଲେ ହରିଦ୍ରା ପ୍ରଶସ୍ତ,

ଚନ୍ଦ୍ରମା ହେବ ମିଶାଇ ପଢ଼ିଲେ ସମସ୍ତ ।

ଏ ବହିର୍ଲିପିକା ବେଦ ଅକ୍ଷରେ ବିଚାର,

ଚିତ୍ତ ରଚିତ ଅତ୍ୟନ୍ତ ପଣ୍ଡିତ ବୃନ୍ଦର ।

ଚିତ୍ରକାବ୍ୟ ।

 

ଏ ପଦ୍ୟରେ ମଧ୍ୟ ‘‘ନିଶାପତି’’ ରୂପ ଅର୍ଥ ସୂଚିତ ହୋଉଅଛି । ସେହି ଅର୍ଥ ପ୍ରକରଣୋପଯୋଗୀ ହେଲେ ମୁଦ୍ରାଳଙ୍କାର ।

 

ନାଟକମାନଙ୍କର ନାନ୍ଦୀ ପଦ୍ୟରେ ମଧ୍ୟ ନାଟକୀୟ ବିଷୟ ସୂଚିତ ହୋଇଥାଏ । ସେଠାରେ ଅର୍ଥର ବୈଚିତ୍ର୍ୟରେ ବିଲକ୍ଷିତ ଅର୍ଥର ସୂଚନା । ସେ ସ୍ଥଳରେ ମଧ୍ୟ ଏହି ଅଳଙ୍କାର । ଯଥା—

 

ବାଲ୍ମିକି ଆଦି ପୂର୍ବ କବି,

 

ତାହାଙ୍କୁ ଗୁରୁ ଅନୁଭବି

ପ୍ରଣମି ତାଙ୍କୁ ଭକ୍ତିଭରେ,

 

ମାଗଇ ଏହି ମହାବରେ

ଅମୃତ ଭାବ ରସେ ଢଳା,

 

ବାଗ୍‌ଦେବୀ ବାଣୀ ବ୍ରହ୍ମକଳା

କରୁଣା କର ମୋର ହୃଦେ

 

ସନ୍ତତ ବିରାଜନ୍ତୁ ମୁଦେ ।

ଉତ୍ତମ ରାମ ଚରିତ ।

 

ଏହି ପଦ୍ୟମାନଙ୍କରୁ ଗ୍ରନ୍ଥରେ ଅନେକ ମହର୍ଷିମାନଙ୍କର ଓ ଲକ୍ଷ୍ମୀରୂପିଣୀ ସୀତାଙ୍କର ବିଷୟ ବର୍ଣ୍ଣିତ ହେବ ବୋଲି ସୂଚିତ ହେଉଅଛି । ଅତଏବ ମୁଦ୍ରାଳଙ୍କାର ।

 

ରତ୍ନାବଳୀ ଅଳଙ୍କାର

 

ସୁପ୍ରସିଦ୍ଧ ଅଟେ ସହ ପାଠ ଯାହାଙ୍କର

ସେମାନଙ୍କ ନ୍ୟାସେ ରତ୍ନାବଳୀ ଅଳଙ୍କାର । ୭୮ ।

 

ଯେଉଁ ବସ୍ତୁମାନ ଲୋକରେ ଯେଉଁ କ୍ରମରେ ବ୍ୟବହୃତ, ସେହି କ୍ରମରେ ସେମାନେ କାବ୍ୟରେ ଯଦି ବିନ୍ୟସ୍ତ ହୁଅନ୍ତି, ତେବେ ରତ୍ନାବଳୀ ଅଳଙ୍କାର ହୁଏ । ଯେଉଁମାନଙ୍କର କ୍ରମ ବିଖ୍ୟାତ, ସେମାନଙ୍କର କ୍ରମିକ ନ୍ୟାସରେ ରତ୍ନାବଳୀ ହୁଏ । ଯଥା:-

 

ମେଷ ବୃଷ ପରତାପକୁ ଅବଳା ସହି ରହିବ କି କରି

ଥିଥୁନ ଘନରସ ବିନା କିଞ୍ଚିତ କବଡ଼ା ପାରିବ ତରି ହେ, ଶୂର

ସିଂହଘାତ ତୁମ୍ଭେ ସହି ପାର ହେ, ଆନ ନୁହଇ ସେ ସହିବାର ହେ

କନ୍ୟା ତୁଳରାଶି ପରାଏ ଉଡ଼ିଲା ଲୋକେ ତୁମ୍ଭ ଅପବାଦେ,

ଅଳିଭାବ ବିନା ନାନା ସୁମନାରେ

ସିନା ତୁମ୍ଭେ କର ଅନୁମୋଦନ ହେ ସତ,

ଚାପେବାଳୀ ଭାବ ବାମତଳ ହେ,

ମକରର ଆଘାତ ଅପ୍ରମିତ ହେ,

ଘଟ-ବିଘଟନ ହେଲେ ଯୋଷାମୀନ

ସୁଶୋଭନ ହେବ କେହି,

ହରିଗ୍ରଲ ଅଛି ପଦ୍ମିନୀକି ପ୍ରେମ-ଚନ୍ଦ୍ର

ଦେଇଅଛି ଦହି ହେ ଖରେ,

ଗୁରୁ-ଶୁଭ ଦାନୀ ହୁଅ ଥରେ ହେ,

କବିବାକ୍ୟେ ତା ଦଶା ନସରେ ହେ ।

ବିଂ ଚିନ୍ତାମଣି ।

 

ଏହି ପଦ୍ୟମାନଙ୍କରେ ମେଷାଦି ଦ୍ୱାଦଶ ରାଶି ଶାସ୍ତ୍ରରେ ଯେଉଁ କ୍ରମରେ ଅବସ୍ଥିତ ସେହି କ୍ରମରେ ବିନ୍ୟସ୍ତ ହୋଇଅଛନ୍ତି । କିଶୋରୀଙ୍କର ବିରହାବସ୍ଥା ବର୍ଣ୍ଣନା ପଦ୍ୟମାନଙ୍କର ଲକ୍ଷ୍ୟ, ସେହି ପ୍ରସଙ୍ଗରେ କୌଶଳରେ ପ୍ରତିପାଦିତ ଦ୍ୱାଦଶ ରାଶି ଚମତ୍କାର ଜାତ କରନ୍ତି ।

 

ଅଥବା,

ବହୁ କୃପାଣ ସାଧନ କରେ ଛେଦନ ଶଙ୍କା ଦନ୍ଦୁ ପ୍ଳକ୍ଷରେ

ଆରମ୍ଭୁ ହୋମ କର୍ମ କୁଶରେ ବହନ ଭୀତି ଯେ,

ବାଟୁଳୀ ଧରୁ କ୍ରୌଞ୍ଚ ଚମକେ, ଭୋଜନ କାଳେ ଭୟଦଶାକେ,

ଶୟନେ ତୁଳୀ କରଣେ ଶଙ୍କେ ଶାଳ୍ମଳୀ ନିତି ଯେ

ବିହୁଁ ଦେବ ପୂଜନେ ପୁଷ୍କରେ ଭୟ ଯେ,

ବଳେ ଉପାଡ଼ି ଦେବ ହୁଏ ଉଦୟ ଯେ,

ବିଭୋଗ କର ପ୍ରତାପେ କର କରଇ ହେଳେ ପ୍ରଜା ଆକର

ପୃଥିବୀ ମଣ୍ଡଳ ରାଜ ନିକର ମହା ଦୁର୍ଜୟ ଯେ ।

ବୈଦେହୀ ।

 

ଏହି ପଦ୍ୟରେ ସପ୍ତ ଦ୍ୱୀପର ଉଲ୍ଲେଖ ଶ୍ଳେଷ ଗର୍ଭକ । ଅତଏବ ଅତିଶୟ ଚମତ୍କାରାଦାୟକ ହୋଇଅଛି । ଯେଉଁଠାରେ ଚମତ୍କାରର ଆଭାସ ନାହିଁ, ସେଠାରେ ଏ ଅଳଙ୍କାର ହୁଏ ନାହିଁ ।

 

କେତେକ ସମଷ୍ଟି ରୂପେ ବିଖ୍ୟାତ ବସ୍ତୁମାନଙ୍କର କ୍ରମ ବିନା ସମଷ୍ଟି ରୂପେ ଉଲ୍ଲେଖରେ ମଧ୍ୟ ଏ ଅଳଙ୍କାର ହୁଏ ବୋଲି କହନ୍ତି ।

 

ହରିଗ୍ରହ ଅଛି ପଦ୍ମିନୀ କି ପ୍ରେମ ଚନ୍ଦ୍ର ଦେଇଅଛି ଦହି ହେ ଖରେ

ଗୁରୁ ଶୁଭଦାନୀ ହୁଅ ଥରେ ହେ, କବିବାକ୍ୟେ ତା ଦଶା ନସରେ ହେ,

ବୁଧ କେଶରୀକି ବୋଧ କେ କରିବ ମଙ୍ଗଳ ଖାତ ପାଇଁକି

ଶଉରି ବିପକ୍ଷ ହେଲେ କାମ-ତମ ଛେଦନ ହେବ ନାହିଁ କି ହେ ଭାବ,

କେତୁ ବୋଇଲେ ସବୁ ସରିବ ହେ,

ଗତି ଆନ କେବା ଦେବ ଦେବ ହେ ।

ଚିନ୍ତାମଣି ।

 

ଏହି ପଦ୍ୟରେ ନବଗ୍ରହର ଉଲ୍ଲେଖ ଅଛି । ମାତ୍ର ଶାସ୍ତ୍ର ସମ୍ମତ କ୍ରମ ନାହିଁ, ତଥାପି ଏଠାରେ ରତ୍ନାବଳୀ ହେବ ।

 

ତଦ୍‌ଗୁଣ ଅଳଙ୍କାର

 

ବସ୍ତୁ ନିଜ ଗୁଣ ଛାଡ଼ି ଯେବେ ଅନ୍ୟ ଗୁଣ,

ଗ୍ରହଣ କରଇ ତେବେ ହୁଅଇ ତଦ୍‌ଗୁଣ । ୭୯ ।

 

ଏକ ବସ୍ତୁ ଯଦି ନିଜର ସ୍ୱାଭାବିକ ଗୁଣ ଛାଡ଼ି ଅନ୍ୟ ଏକ ଗୁଣ ବା ଅନ୍ୟ ବସ୍ତୁର ଗୁଣ ଗ୍ରହଣ କରେ, ତେବେ ତଦ୍‌ଗୁଣ ଅଳଙ୍କାର । ଏଠାରେ ଗୁଣ ପଦରେ ରୂପରସ ଓ ଗନ୍ଧ କେବଳ ଗୃହୀତ ।

 

ଅନ୍ୟ ଗୁଣ ଗ୍ରହଣ ଯଥା--

ଶୁଣି କ୍ରୋଧେ ଥର ଥର ବୃକୋଦର ଅଙ୍ଗ;

ସହସା ତା ଗୌର ମୁଖ ହୋଇଗଲା ରଙ୍ଗ ।

କୀଚକ ବଧ ।

 

ଏଠାରେ ଭୀମ ମୁଖର ସ୍ୱାଭାବିକ ଗୌରବ ତ୍ୟାଗ ଓ ରକ୍ତର ଗ୍ରହଣ ଉକ୍ତ ହୋଇଅଛି । ଗୌରବ ତ୍ୟାଗ କଣ୍ଠତଃ ଉକ୍ତ ନହୋଇଥଲେ ମଧ୍ୟ ଅର୍ଥରୁ ପ୍ରତୀତ ହୁଏ ।

 

ଅନ୍ୟର ଗୁଣ ଗ୍ରହଣ ଯଥା-

ଦଳିତାଞ୍ଜନକୁ ହସୁଛି ଯା କାନ୍ତି ସେ ଶ୍ୟାମ ପାଶରେ ଥିଲେ,

ହରିତାଳ ବୋଳି ହେଲା ପ୍ରାୟ ଦିଶେ କାନ୍ତିରେ କେତାହା ତୁଲେ

ଗୋପାଳକୃଷ୍ଣ ।

 

ଏଠାରେ ଦଳିତାଞ୍ଜନ ଶ୍ୟାମଳ ଶ୍ୟାମ ସୁଦ୍ଧା ରାଧାଙ୍କ ପାଶରେ ଥିଲେ ହରିତାଳ ବୋଳି ହେଲା ପ୍ରାୟ ଦିଶନ୍ତି, ଅତଏବ କାନ୍ତିରେ ରାଧା ସମାନ ଅନ୍ୟ କେହି ନାହିଁ ବୋଲି ବର୍ଣ୍ଣିତ । ଶ୍ୟାମଙ୍କର ସ୍ୱାଭାବିକ ଶ୍ୟାମର ତ୍ୟାଗ ଓ ରାଧାଙ୍କର ପୀତବସ୍ତ୍ର ଗ୍ରହଣ ପ୍ରତିପାଦିତ, ଅତଏବ ତଦ୍‌ଗୁଣାଳଙ୍କାର ।

 

ଅତଦ୍‌ଗୁଣ ଅଳଂକାର

 

ଅନ୍ୟର ସଂପର୍କେ ମଧ୍ୟ ଯେବେ ତାର ଗୁଣ,

ସ୍ୱୀକାର ନକରେ ବସ୍ତୁ, ତେବେ ଅତଦ୍‌ଗୁଣ । ୮୦ ।

 

ସାଧରଣତଃ ଅନ୍ୟ ଏକ ବିସଦୃଶ ବସ୍ତୁର ସଂସର୍ଗରେ ତାର ଗୁଣ ପ୍ରକୃତ ବସ୍ତୁରେ ସଂକ୍ରାମି ଥାଏ । କିନ୍ତୁ, ଯଦି ଅନ୍ୟ ବସ୍ତୁର ସଂପର୍କରେ ସୁଦ୍ଧା ପ୍ରକୃତ ବସ୍ତୁରେ ସେହି ବସ୍ତୁଗୁଣର ସଂକ୍ରମଣ ଦେଖା ଯାଏ ନାହିଁ, ତେବେ ଅତଦ୍‌ଗୁଣ ଅଳଙ୍କାର ହୁଏ । ଯଥା-

 

କେବେ ହେ ନିମ୍ବ ନୋହେ ମଧୁର

ସଂଯୋଗ କଲେ ଦେଇ ଶାକର

କଳାକୁ ନଛାଡ଼ଇ ଅଙ୍ଗାର ଦୁଧେ ଧୋଇଲେ ଯେ,

କର୍ପୂର ଗନ୍ଧ ଚନ୍ଦନ ଦେଇ ଲଶୁନ ଗନ୍ଧ ନୋହେ ଛଡ଼ାଇ,

କୁବୁଦ୍ଧି ନୋହେ ସୁବୁଦ୍ଧି ଯେତେ ରୂପେ କହିଲେ ଯେ,

କଥା ଏତେହେଁ ଯେବେ ଧାତା କରନ୍ତି ଯେ,

କସ୍ତୁରୀ କି ଖଳ ଜିଭେ ରଖନ୍ତି ଯେ ।

କଟାଯାଆନ୍ତା ସମୂଳ ହୋଇ କାହାକୁ କିଛି କହନ୍ତେ ନାହିଁ,

ଉତ୍ତମ କଥାମାନ କେବେହେଁ ନିନ୍ଦା ନୁହନ୍ତା ଯେ ।

ରସ ।

 

ଏହି ପଦ୍ୟରେ ଶର୍କରା ଦୁଗ୍‌ଧ-ଚନ୍ଦନାଦି ସଂପର୍କରେ ସୁଦ୍ଧା ନିମ୍ବାଦିରେ ସେମାନଙ୍କର ମାଧୁର୍ଯ୍ୟ ଧାବଲ୍ୟ- ସୌରଭାଦି ଗୁଣର ସଂକ୍ରାମକ ଦେଖାଯାଏ ନାହିଁ । ଅତଏବ ଅତଦ୍‌ଗୁଣ ଅଳଙ୍କାର । ଉଲ୍ଲାସ ଅଳଙ୍କାରରେ ଅନ୍ୟର ଗୁଣରେ ଅନ୍ୟର ଗୁଣୋଦୟ ଅବଜ୍ଞାର ଅନ୍ୟଗୁଣରେ ଅନ୍ୟର ଗୁଣୋଦୟ ଭାବ ପ୍ରତିପାଦିତ ହୋଇଥାଏ । ସେଠାରେ ଗୁଣ ଶଦ୍ଦ ଦୋଷ ବିପରୀତାର୍ଥ ବାଚକ । କିନ୍ତୁ ତଦ୍‌ଗୁଣ ଓ ଅତଦ୍‌ଗୁଣ ଅଳଙ୍କାରରେ ଗୁଣ ଶଦ୍ଦ ରୂପ ରସାଦିବାଚୀ । ଏହି ରୂପ ରସାଦି ଅନ୍ୟ ବସ୍ତୁରେ ସଂକ୍ରାମି ଥାଏ କାରଣ ସବୁ କାର୍ଯ୍ୟର ଅନୁତ୍ପତ୍ତି ବର୍ଣ୍ଣିତ ହୋଇଥିଲେ ବିଶେଷୋକ୍ତି ଅଳଙ୍କାର । ଅବଜ୍ଞା ଓ ଅତଦ୍‌ଗୁଣ ଅଳଙ୍କାର ବିଶେଷୋକ୍ତି ବିଶେଷ କହିଲେ ଚଳେ। ତଥାପି ବୈଚିତ୍ର୍ୟ ଥିବା ହେତୁ ପୃଥକ ଅଳଙ୍କାର ରୂପେ ସ୍ୱୀକାର କରାଯାଏ ।

 

ଅନୁଜ୍ଞା ଅଳଙ୍କାର

 

ଗୁଣ ଦେଖି ଯଦି ହୁଏ ଦୋଷର ଆଦର,

ହୁଅଇ ତେବେ ଅନୁଜ୍ଞା ନାମ ଅଳଙ୍କାର ।୮୧।

 

ଯାହା ମନୁଷ୍ୟର ଇପ୍‌ସିତ ନୁହେଁ, ତହିଁରେ ସୁଦ୍ଧା ଯେ କୌଣସି ଗୁଣ ଦେଖି ଯଦି ମନୁଷ୍ୟର ଅଭିଳାଷ ବଢ଼େ, ତେବେ ଅନୁଜ୍ଞା ନାମକ ଅଳଙ୍କାର ।

 

ଉଦାହରଣ-

ପ୍ରାଣେ ପ୍ରାୟେ କରି ଘେନି ଥାଇଟି ଯାହାକୁ

ଛାଡ଼ିନିକି ପ୍ରଭାତ-ବସନ ପ୍ରାୟେ ତାକୁ,

କେବେ ନଛାଡ଼ିବି ଆଶ,

ଅନଳେ ପତଙ୍ଗ ପ୍ରାୟେ ହେଲେ ହେବି ନାଶ ।

ପ୍ରେମ ।

 

ଆଶା ବିଶେଷ ଯନ୍ତ୍ରଣାଦାୟୀ । ତଥାପି ସେ ପ୍ରିୟତମା ବିଷୟ ସୁତରାଂ ପରିତ୍ୟାଜ୍ୟ ନୁହେଁ । ଉପାଦେୟ-ଏଭାବ ଏହି ପଦ୍ୟରେ ପ୍ରତୀତ ହୁଏ, ଅତଏବ ଅନୁଜ୍ଞା ।

 

ଅଥବା,

ପ୍ରେମ ବଶ ହୋଇ କେତେ ରସବତୀ

ଅକାତରେ ଜଳେ ଅନଳେ ପଶନ୍ତି,

ପଶିଲେ ହୁଅନ୍ତେ ଯେବେ ଚୋର ବର

ଜଳ-ଅନଳକୁ ନଥିଲା ମୋ ଡର ।

ନନ୍ଦିକା ।

 

ଏହି ପଦ୍ୟରେ ମଧ୍ୟ ଚୋରଗଙ୍ଗଙ୍କ ଲାଭ ଉଦ୍ଦେଶ୍ୟରେ ଜଳା-ନଳ ପ୍ରବେଶ ମଧ୍ୟ ସ୍ୱୀକାର୍ଯ୍ୟ ରୂପେ ବର୍ଣ୍ଣିତ । ଅତଏବ ଅନୁଜ୍ଞା ।

 

ଅନୁଗୁଣ ଅଳଙ୍କାର

 

ଅନ୍ୟ ସନ୍ନିଧାନେ ଯେବେ ସ୍ୱତଃସିଦ୍ଧ ଗୁଣ,

ଉତ୍କର୍ଷ ଲଭଇ ତେବେ ହୁଏ ଅନୁଗୁଣ ।୮୨ ।

 

ସ୍ୱତଃ ସିଦ୍ଧ ଗୁଣ ଅନ୍ୟାନ୍ୟ କାରଣ ଯୋଗେ ଯେବେ ଉତ୍କର୍ଷ ଲାଭ କରେ, ତେବେ ଅନୁଗୁଣ ଅଳଙ୍କାର ହୁଏ । ସାର ଅଳଙ୍କାରରେ ପୂର୍ବ ପୂର୍ବ ଅପେକ୍ଷା ପରର କ୍ରମିକ ଊତ୍କର୍ଷ ପ୍ରକାଶ ପାଏ, ଏହି ଅଳଙ୍କାରର କ୍ରମିକ ଉତ୍କର୍ଷ ନାହିଁ । କେବଳ ପ୍ରଥମ ବସ୍ତୁର ଉତ୍କର୍ଷ ସାଧିତ ହୁଏ ।

 

ଉଦାହରଣ ଯଥା-

ସନ୍ତତି ମଧ୍ୟରେ ଏକ ମାତ୍ର କନ୍ୟା

ରୂପେ ଗୁଣେ ଲୋକେ ହୋଇଅଛି ଧନ୍ୟା,

ଶତ ମହିଷୀର ଉତ୍ସଙ୍ଗେ ଲାତିତା

ଶଶିକଳା ପ୍ରାଏ ବଡ଼ିଲା ଲତିତା

ଭ୍ରମିଲା ସୋହାବେ ଶୈଶବ ନବୀନା

କୋଳୁଁ କୋଳେ ଯେହ୍ନେ କଳନାଦୀ ବୀଣା

କ୍ରମେ ଦେହେ ହେଲା ଯୌବନ ପ୍ରକାଶ,

ବସନ୍ତେ ଆସଇ ଯଥା ମଧୁମାସ ।

ନନ୍ଦିକା ।

 

ଏହି ପଦ୍ୟରେ ନନ୍ଦିକା ସମସ୍ତଙ୍କର ସ୍ନେହର ପାତ୍ର-ଏହା ବର୍ଣ୍ଣନା କରିବା କବିଙ୍କର ଲକ୍ଷ୍ୟ । ତାହା ସନ୍ତତି ମଧ୍ୟରେ ଏକମାତ୍ର କନ୍ୟା ଏହା ଦ୍ୱାରା ସାଧିତ । ସେହି ଆଦର ପାତ୍ରର ରୂପ ଗୁଣ ରୂପ ଗୁଣ, ବାତ୍ସଲ୍ୟ ଓ ଯୌବନ ସନ୍ନିଧାନରୁ ଉତ୍କର୍ଷ ଲାଭ କରିଅଛି, ଅତଏବ ଅନୁଗୁଣ ।

 

ମୀଳିତ ଅଳଙ୍କାର

 

ପରସ୍ପର ଭେଦ ଯେବେ ସାଦୃଶ୍ୟ ବଶତଃ,

ବାରି ହୁଏ ନାହିଁ ତେବେ ହୁଅଇ ମୀଳିତ । ୮୩ ।

 

ଦୁଇଟି ବସ୍ତୁ ସମାନ ଗୁଣ ବିଶିଷ୍ଟ । ଯଦି ଗୋଟିକରେ ଅନ୍ୟଟି ମିଶି ଯାଏ, ସେ ଦୁହିଁଙ୍କର ଭେଦ ସେତେ ଲକ୍ଷିତ ହୁଏ ନାହିଁ ତେବେ ମୀଳିତାଳଙ୍କାର ହୁଏ । ଯଥା—

 

କୋକନଦ ଜିତ ଚରଣେ ଲାକ୍ଷା ରସ ବିଜିତ

ଦେଖି ପ୍ରସାଧିକା ବିସ୍ମୟେ ହେଲା ବିମୁଗ୍ଧ ଚିତ୍ତ ।

ସହୃଦୟାନନ୍ଦ ।

 

ଏଠାରେ ଲାକ୍ଷାରସ ଓ ଚରଣ ସମାନ ବର୍ଣ୍ଣ । ଚରଣରେ ଲାକ୍ଷାରସ ମିଶିଗଲା, ଚରଣ ଓ ଲାକ୍ଷା ରସର ଭେଦ ବାରି ହେଲା ନାହିଁ ବୋଲି ବର୍ଣ୍ଣିତ । ଅତଏବ ମୀଳିତ ଅଳଙ୍କାର ।

 

ସାମାନ୍ୟ ଅଳଂକାର

 

ସାଦୃଶଂ ବଶତଃ ସମ ଦୁଇଟି ବସ୍ତୁର

ବିଶେଷ ଅଲକ୍ଷ୍ୟ ହେଲେ ସାମାନ୍ୟାଳଙ୍କାର । ୮୫ ।

 

ଦୁଇଟି ବସ୍ତୁ ବିଭିନ୍ନ । କିନ୍ତୁ ଦୁଇଟିର କେତେକ ସାଧାରଣ ଗୁଣ ଅଛି, ସେହେତୁ ସେ ଦୁଇଟି ସଦୃଶ ଦେଖାଯାନ୍ତି ଅଥଚ ସେ ଏହା ଅପେକ୍ଷା ଭିନ୍ନ ବୋଲି କୌଣସି ବ୍ୟାବର୍ତ୍ତକ ମିଳେ ନାହିଁ । ତେବେ ସାମାନ୍ୟାଳଙ୍କାର ହୁଏ ।

 

ନାରୀ ବାରି ବାରି ନୋହିଲେ ତହିଁ ଘଡ଼ିଏ ଯାଏଁ

ହାସ କୁମୁଦ ନେତ୍ର ମୀନ ମୁଖ କମଳ ପ୍ରାୟେ ।

ଜଘନ ପୁଲିନ ଉରଜ ଚକ୍ରବାକ ମିଥୁନ,

ରୋମାବଳୀ ଅଳିଆବଳୀ ଗତି ହଂସ ସମାନ ।

ଲାବଣ୍ୟ ।

 

ଏଠାରେ ନାରୀ ଓ ଜଳ ବିଭିନ୍ନ । ନାରୀଠାରେ ଥିବା ହାସ ନେତ୍ର, ମୁଖ ଜଘନ, ଉରଜ, ରୋମାବଳୀ ଓ ଗତି ଜଳରେ ଥିବା କୁମୁଦ, ମୀନ, କମଳ, ପୁଲିନ, ଚକ୍ରବାକ ମିଥୁନ, ଅଳି ଆବଳୀ ଓ ହଂସର ସମାନ । ଜଳରେ ଥିବା କୁମୁଦାଦି ନାରୀଙ୍କର ହାସାଦି ସମାନ ସୁତରାଂ ସାଧାରଣ ଧର୍ମ ଉଭୟତ୍ର ଥିବାରୁ ଜଳ ଓ ନାରୀର ବ୍ୟାବର୍ତ୍ତକ କିଛି ଦେଖାଯାଏ ନାହିଁ । ଅତଏବ ସାମାନ୍ୟାଳଙ୍କାର ।

 

ତଦ୍‌ଗୁଣ- ଅଳଙ୍କାରରେ ବସ୍ତୁ ନିଜଗୁଣ (ବର୍ଣ୍ଣାଦି) ତ୍ୟାଗ କରି ଅନ୍ୟ ଏକ ଗୁଣ ଆଶ୍ରୟ କରିଥାଏ । ମୀଳିତ ଅଳଙ୍କାରରେ ଦୁଇଟି ସମାନ ଗୁଣବସ୍ତୁ ମିଶି ଯାଆନ୍ତି, ସେ ଦୁହିଁଟିର ଭେଦ ବାରି ହୁଏ ନାହିଁ । ସାମାନ୍ୟ ଅଳଙ୍କାରରେ ବିଭିନ୍ନ ବସ୍ତୁରେ ସାଦୃଶ୍ୟ ଉପଲବ୍‌ଧ ହୁଏ, ଭେଦ ସାଧକ କାରଣ ନଥାଏ । ଅର୍ଥାତ୍ ମୀଳିତରେ ଦୁଇଟି ବସ୍ତୁ ଭିନ୍ନ ରୂପେ ପ୍ରତିଭାତ ହୁଅନ୍ତି ନାହିଁ; ସାମାନ୍ୟରେ ବିଭିନ୍ନ ବୋଲି ଜଣାଗଲେ ମଧ୍ୟ ସାଦୃଶ୍ୟ ବଶତଃ ଭିନ୍ନ ବୋଲି ପ୍ରମାଣିତ କରି ହୁଏ ନାହିଁ--ଏହି ମାତ୍ର ଭେଦ ।

 

ଉନ୍ମୀଳିତ ଅଳଙ୍କାର

 

ସାଦୃଶ୍ୟେ ଅଭିନ୍ନ ବସ୍ତୁ-ଦ୍ୱୟେ ଭେଦଜ୍ଞାନ

ପ୍ରକାଶିଲେ ଉନ୍ମୀଳିତ ଅଳଙ୍କାର ମାନ । ୫୮ ।

 

ମୀଳିତ ଅଳଙ୍କାରରେ ଦୁଇଟି ବସ୍ତୁ ସାଦୃଶ୍ୟାତିଶୟରୁ କ୍ଷୀର-ନୀର ନ୍ୟାୟରେ ମିଶି ଯାଇଥାନ୍ତି । ସେପରି ମିଶି ଯାଇଥିଲେ ମଧ୍ୟ କୌଣସି କାରଣରୁ ଯଦି ସେ ଦୁଇଟିର ପାରସ୍ପରିକ ଭେଦ ପ୍ରସ୍ଫୁରିତ ହୁଏ, ତେବେ ଉନ୍ନୀଳିତ ଅଳଙ୍କାର । ଏହି ମୀଳିତ ଅଳଙ୍କାରର ପ୍ରତିରୂପ । ଯଥା –

 

ଉସ୍ଥି ଦେଲେ ପୀତାମ୍ବରକୁ ଉରୁସନ୍ଧିକି ରୂନ୍ଦି,

ପିନ୍ଧ ନିତମ୍ବିନୀ ନିବିଡ଼େ ନୀବୀବନ୍ଧକୁ ବାନ୍ଧି ।

ତୋରା ହୋଇଛି ଗୋରା ଦେହ ଆଲିଙ୍ଗନକୁ ପାଇ,

ଧଡ଼ି ନଥିଲେ ଶାଢ଼ୀ ଥିଲା ପରି ଦିଶନ୍ତା ନାହିଁ ।

ଲାବଣ୍ୟବତୀ ।

 

ଏହିଠାରେ ଲାବଣ୍ୟବତୀର ଶରୀରରେ ପୀତବର୍ଣ୍ଣ ଶାଢ଼ୀ ମିଶି ଯାଇଥିଲା, କିନ୍ତୁ ଧାଢ଼ୀ ଥିବାରୁ ଜଣା ଯାଉଥିଲା ବୋଲି ବର୍ଣ୍ଣିତ । ଅତଏବ ଉନ୍ମୀଳିତ ।

 

ଅଥବା,

ଅଧିବାସେ ଅଙ୍ଗେ ଲେପିତ ଅଙ୍ଗରାଜ ସକଳ

ହେମମୟ ତନୁନରଣେ ନୋହୁଥିଲା ଗୋଚର ।

କେବଳ ଚୌଦିଗେ ମହକି ଶୀରୀ ଅଙ୍ଗ ସୌରଭ,

କହି ଦେଉଥିଲା ସୁନ୍ଦରୀ ଅଧିବାସ ବିଭବ ।

ସହୃଦୟାନନ୍ଦ ।

 

ଏହିଠାରେ ଦମୟନ୍ତ୍ରୀ ଅଙ୍ଗରେ ଅଙ୍ଗରାଗର ମିଶ୍ରଣ ସବେ ସୌରଭ ବଶତଃ ଅଙ୍ଗରାଗର ଭେଦ ବର୍ଣ୍ଣିତ । ଅତଏବ ଉନ୍ନୀଳିତ ।

 

ବିଶେଷ ଆଳଂକାର

 

ସାଦୃଶ୍ୟେ ଅଭିନ୍ନ ବସ୍ତୁ ଦ୍ୱୟେ ବିଶେଷର

ପ୍ରତୀତି ଘଟିଲେ ହୁଏ ବିଶେଷାଳଙ୍କାର ।୮୬।

 

ଯେଉଁଠାରେ ସାଦୃଶ୍ୟ ବଶତଃ ମିଶି ଯାଇଥିବା ଦୁଇଟି ବସ୍ତୁ ବା ମଧ୍ୟରେ ପାରସ୍ପରିକ – ଭେଦ ସୂଚକ ବିଶେଷତ୍ୱ ଦେଖା ଯାଏ, ସେଠାରେ ବିଶେଷାଳଙ୍କାର । ଏ ଅଳଙ୍କାରରେ ପାରସ୍ପରିକ ଭେଦ ଥିଲେ ମଧ୍ୟ ସମରୂପେ ବର୍ଣ୍ଣିତ ହୋଇଥିବା ବସ୍ତୁ ଦ୍ୱୟରେ ବିଶେଷତ୍ୱ ପ୍ରଦର୍ଶିତ ହୋଇଥାଏ । ଏ ଅଳଙ୍କାର ଠିକ ସାମାନ୍ୟ ଅଳଙ୍କାରର ପ୍ରତିରୂପ । ଯଥା-

 

ଛଦ୍ମ ନୁହଇ ଏ ପୁଣ ସଦ୍ମ ରତନେ ନିର୍ମାଣ,

ପଦ୍ମ ପ୍ରକାଶରୁ ଜାଣି ଦିବା ରଜନୀ ଯେ ।

କୋଟି ।

 

ଗୃହ ଗୁଡ଼ିକ ରତ୍ନରେ ନିର୍ମିତ ହୋଇଥିବା ହେତୁ ଏକାକାର ଦିବା ଓ ରଜନୀର ବ୍ୟାବର୍ତ୍ତକ ପଦ୍ମ ପ୍ରକାଶ ବର୍ଣ୍ଣିତ । ଅତଏବ ବିଶେଷାଳଙ୍କାର ।

 

ଉତ୍ତର ଅଳଙ୍କାର

 

ଭାବଗର୍ଭ ସମୁତ୍ତର ଅଥବା ପ୍ରଶ୍ନର

ଅଭିନ୍ନ ଉତ୍ତର ହେଲେ ଉତ୍ତରାଳଙ୍କାର । ୮୭ ।

 

ଯେଉଁଠାରେ ପ୍ରଶ୍ନର ଉତ୍ତର ଭାବଗର୍ଭକ ହୋଇଥାଏ । ଗୋଟିଏ ବିଶିଷ୍ଟ ଅଭିପ୍ରାୟରେ ଦିଆ ଯାଇଥାଏ ଅଥବା ପ୍ରଶ୍ନହିଁ ଉତ୍ତର ରୂପେ ଅବସ୍ଥିତ, ସେଠାରେ ଉତ୍ତରାଳଙ୍କାର । ପ୍ରଶ୍ନ ଉକ୍ତ ବା ଆକ୍ଷିପ୍ତ ହୋଇଥାଏ । ଯଥା –

 

କୁମ୍ଭ ମେଳାରେ ହୁଅନ୍ତି ପାରି ତାହିତ ଏଥି ନାହାନ୍ତି କରି

ମୋହ ନାୟକ ନାହାନ୍ତି ଯାଇଛନ୍ତି ସେପାରି ଯେ,

କରନ୍ତେ ଅବା ଥିଲେ ଉପାୟେ, ଏବେ ଯାଅଯା ନଗରୀ ଯାଏ

ଦେଖୁତ ଅଛ ଆସୁଛି ଅନ୍ଧକାର ଶର୍ବରୀ ଯେ,

କହେ ଚତୁର ବର ପ୍ରତିଉତ୍ତର ଯେ,

କଲି ମୋଠାରେ ତୁମ୍ଭେ କି ଉପକାର ଯେ,

କହିଲ ଯେଉଁ କୋମଳ ବାଣୀ, କୃତାର୍ଥ ହେଲି କର୍ଣ୍ଣରେ ଶୁଣି

କେବଳ ଆଗୁଁ କିଣିଲା ପ୍ରାଣୀ ହେଲି ତୁମ୍ଭର ଯେ ।

ରସ ।

 

ଏଠାରେ ପଥିକ ନଦୀ ପାର ହେବାର ଉପାୟ ପଚାରନ୍ତେ ନାୟିକା ‘‘କୁମ୍ଭଭେଳା’’ ଇତ୍ୟାଦି ଉତ୍ତର ଦେଇଅଛି । ସେ ଉତ୍ତର ଭାବଗର୍ଭକ ବର୍ତ୍ତମାନ ମୋର ପତି ଏଠାରେ ନାହାନ୍ତି । ଅନ୍ଧକାର ରାତ୍ରି ଆସନ୍ନ ପ୍ରାୟ । କେହି ଜାଣି ପାରିବେ ନାହିଁ । ଅତଏବ ତୁମ୍ଭେ ଯାଅ ନାହିଁ, ମୋ ସହିତ ରାତ୍ରି ଯାପନ କର-ଏହି ଭାବ ଉତ୍ତରରୁ ପ୍ରତୀତ ହୁଏ । ପଥିକର ଉତ୍ତର ମଧ୍ୟ ଭାବଗର୍ଭକ । ସେ ତାର ପ୍ରଶଂସା ଛଳରେ ନିଜର ଅନୁରାଗ ବ୍ୟକ୍ତ କରିବାକୁ ଛାଡ଼ି ନାହିଁ ଅତଏବ ଉତ୍ତରାଳଙ୍କାର-। ଏଠାରେ ପ୍ରଶ୍ନ ଉକ୍ତ ହୋଇନାହିଁ । କେତେକ ସ୍ଥଳରେ ପ୍ରଶ୍ନର ଏକ ଦେଶରେ ଉତ୍ତର ନିହିତ ଥାଏ, ଆଉ କେତେକ ସ୍ଥଳରେ ସମସ୍ତ ପ୍ରଶ୍ନ ଉତ୍ତର ରୂପେ ଅବସ୍ଥିତ ଥାଏ । ପ୍ରଶ୍ନର ଏକ ଦେଶରେ ଉତ୍ତର ଯଥା –

 

କର୍ଣ୍ଣ ସୁଖ ଦୃୟିନିକେ ଆଦିତ୍ୟ ନନ୍ଦନ,

ରତି-ଲାଳସି କେ ସୁଖ କରଇ ବର୍ଦ୍ଧନ ।

ହରିଣ –ନୟନା କେହୁ ସଂସାର ସର୍ଜଇ,

ରହସ୍ୟ ବର୍ଦ୍ଧିନି କାହିଁ ରସ ପ୍ରବର୍ତ୍ତଇ ।

ସଖି କେହୁ ଅଟଇ ନାରୀଙ୍କ ପ୍ରିୟକର

ମାନିନୀର କିସ ଛଡ଼ାଏ ନାଗର ର ।

ନର ଇନ୍ଦ୍ରଜା ବିଷ୍ଣୁର କେହୁ ଆବତାର

ଶଶି-ହାସି କେ ଭୂଷଣ ମହାଦେବଙ୍କର ।

ଅନ୍ତର୍ଲିପି ଆଦ୍ୟେ ବହିର୍ଲିପି ପ୍ରାନ୍ତେ ଭାଷା

ବୁଝିଣ ସୁଦୟା କର ସରସିଜ ଦୃଶା ।

ଚିତ୍ରକାବ୍ୟ ।

 

ଏହି ପଦ୍ୟ ଗୁଡ଼ିକରେ ରେଖାଙ୍କିତ ଅଂଶ ସେହି ସେହି ପ୍ରଶ୍ନର ଉତ୍ତର ରୂପେ ଅବସ୍ଥିତ । ଅତଏବ ଉତ୍ତରାଳଙ୍କାର । ଏହି ପଦ୍ୟ ଗୁଡ଼ିକରେ ମୁଦ୍ରାଳଙ୍କାର ମଧ୍ୟ ଚମତ୍କାର ଜାତ କରେ । ପ୍ରତ୍ୟେକ ପାଦର ଆଦି ଅକ୍ଷରମାନଙ୍କର ସଂଯୋଗରେ ‘‘କାର ହରଷ ମାନସ’’ ବୋଲି ଜଣାଯାଏ ।

 

ସମସ୍ତ ଅଂଶ ଉତ୍ତର ଯଥା-

 

କା’ କରେ ସମର୍ପି                  ଗଲେ ପ୍ରିୟ ସଖି

ମଧୁକାଳେ ପ୍ରିୟବର

କହେ କୁନ୍ଦଦନ୍ତୀ                   ଲଜେ ମଥା ପୋତି

ପ୍ରଶ୍ନହିଁ ଏଥି ଉତ୍ତର ।

 

ଏଠାରେ ‘‘କା କରେ ଓ କାକରରେ’’ ଏପରି ଅର୍ଥ ହେବାରୁ ପ୍ରଶ୍ନ ଉତ୍ତର ହେଉଅଛି । ଅତଏବ ଉତ୍ତରାଳଙ୍କାର ।

 

ଅଥବା, -

କୃଷ୍ଣ କେସେ ? କେ ଦାର –ପୋଷଣେ ରତ ?

କେ ଚପଳ ? ଉତ୍ସବେ ବାଜେ ତୁରିତ ?

 

ଏଠାରେ ଚାରୋଟି ପ୍ରଶ୍ନ ଉତ୍ତର ରୂପେ ଅବସ୍ଥିତ । ପ୍ର. କୃଷ୍ଣ କିଏସେ ? ଉ. କେଶମାନେ କୃଷ୍ଣ । ପ୍ର. ଦାର ପୋଷଣରେ ରତ କିଏ ? ଉ. କେଦାର ପୋଷଣରତ (ଭୂକର୍ଷକ) ପ୍ର. ଚପଳ କିଏ ? ଉ. ଜଳ ଚପଳ, ପ୍ର. ଉତ୍ସବରେ କେ ବାଜେ ? ଉ. ଉତ୍ସବରେ ତୁରୀ ବାଜେ । ଅତଏବ ଏଠାରେ ଉତ୍ତରାଳଙ୍କାର ।

 

ସୂକ୍ଷ୍ମ ଅଳଙ୍କାର

 

ବିଦଗ୍ଧ ଇଙ୍ଗିତେ ମନୋଭାବ ବିଜ୍ଞାପିତ

ହେଲେ ସୂକ୍ଷ୍ମ ଅଳଙ୍କାର ହୁଅଇ କଥିତ ।୮୮।

 

ଯେଉଁଠାରେ ଏକର ଅଭିପ୍ରାୟ ଜାଣି ଅପର ବ୍ୟକ୍ତି ବିଦଗ୍ଧ ଚେଷ୍ଟା ଦ୍ୱାରା ନିଜର ଅଭିପ୍ରାୟ ବିକୃତ କରେ, ସେଠାରେ ସୂକ୍ଷ୍ମ ଅଳଙ୍କାର ହୁଏ । ଯଥା –

 

ଅସତର୍କେ କେବେ             ଦେଖିଲେ ସିହାଣି

କାନ୍ତକୁ ରାଗ ତରଳ,

ବୋଧୁ ଥାଇ ତାକୁ             କ୍ଷଣେ କ୍ଷଣେ କରେ

ମୁଦି ଲୀଳା ଶତଦଳ ।

ଯଯାତି ।

 

ଲଳିତା ପତିଙ୍କର ରାଗ ତରଳାଦି ଦେଖି ସେସବୁ ଗୁପ୍ତ ରଖିବାକୁ ଲୀଳା ଶତଦଳ ମୁଦ୍ରଣ ଦ୍ୱାରା ଜଣାଏ । ଅଥବା କାନ୍ତକୁ ଆଲିଙ୍ଗନାଦି ଉଦ୍ୟତ ଠଉରାଇ, ରାତ୍ରରେ ତାହା କର୍ତ୍ତବ୍ୟ ବୋଲି ପଦ୍ମ ନିମୀଳନ ରୂପ କାର୍ଯ୍ୟ ଦ୍ୱାରା ଜଣାଏ ଏହିଭାବ ବର୍ଣ୍ଣିତ ।

 

ଅତଏବ ସୂକ୍ଷ୍ମ ଅଳଙ୍କାର ।

ନାଗର ସାଗର ଲୀଳା ଲହରୀ ଗୋବିନ୍ଦ

ପ୍ରୀତି ରୀତି ବିଚକ୍ଷଣ ନାମ ରସାନନ୍ଦ ।

ଦୀନବନ୍ଧୁ ଭାବଗ୍ରାହୀ,

ଅନୁ ଗତ ଜନ ବଶ କୃପାସିନ୍ଧୁ ସ୍ନେହି,

ଏହା ଶୁଣି ଗଣ୍ତପାଳି ରୋମାନ୍ଧ ପୁଲକ

ମୁଖ ମୋହେ ଉଷାକାଳ ପଙ୍କଜ ପ୍ରାୟକ ।

କଣ୍ଟି ହୋଇଲା କପୋଳ,

ଭ୍ରୂସନ୍ଧିକି ଲୁଚି ଲୁଚି ଯାଏ ବେନି ଡୋଳ ।

ଚିନ୍ତାମଣି ।

 

ଏଠାରେ ଦୂତିକା ଶ୍ରୀମତୀଙ୍କର ମନର ଭାବ ଜାଣିବା ଉଦ୍ଦେଶରେ ଶ୍ରୀକୃଷ୍ଣଙ୍କର ଗୁଣଗାନ କଲା, ଶ୍ରୀମତୀ ପୁଲକ, ମୁଖର ପ୍ରଫୁଲ୍ଲତା ଓ ଚପଲ ଚାହାଣି ଦ୍ୱାରା ନିଜର ଅଭିପ୍ରାୟ ବ୍ୟକ୍ତ କଲେ ବୋଲି ବର୍ଣ୍ଣିତ, ଅତଏବ ସୂକ୍ଷ୍ମ ଅଳଙ୍କାର ।

 

ବିନତିଗର୍ଭ ରସଭାରତୀ ଶ୍ରବଣେ ମୁଦ ଗୋକୁଳ ପତି

ନାଗ କେଶର ପାଦତଳକୁ ପକାଇ ଦେଲେ ଯେ,

ମୁକି ବିନତି ଯୋଗ୍ୟ ଭାରତୀ କହି ଯୁବତୀ ପୁଷ୍ପ ସେବତୀ

ପାଦେ ଝଟତି ଦେଇ ଏକ୍ଷିତି କରିବ ବୋଲେ ଯେ

ଆନନ୍ଦରେ ଗୋବିନ୍ଦ ସେଠାରୁ ଗଲେ ଯେ,

ତାମ୍ବୁଳୀ ବାମା ପସରା ପାଶେ ହେଲେ ଯେ,

ବୋଇଲେ ପରା ଏ ନାଗବଲ୍ଲୀ ବିଳାସିନୀକି ହୋଇଲେ ଭୁଲି

ସୁଧାଂଶ ଯୋଗ ରାଗ ଜନ୍ମାଇ ମହିଲା ଛଳେ ଯେ

ଚିନ୍ତାମଣି ।

 

ଏହି ପଦ୍ୟରେ ଶ୍ରୀକୃଷ୍ଣ ଯେପରି ନାଗକେଶର ପାତରେ ନିଜର ଅଭିପ୍ରାୟ ବ୍ୟକ୍ତି କଲେ, ମାଳିନୀ ମଧ୍ୟ ସେବତୀ ପୁଷ୍ପ ପତନରେ ନିଜର ଅଭିପ୍ରାୟ ବ୍ୟକ୍ତ କରିଅଛି । ଅତଏବ ପୂର୍ବ ଅପେକ୍ଷା ଟିକିଏ ବିଶେଷତ୍ୱ ଅଛି ।

 

୧ ପରର ବୃତ୍ତାନ୍ତ ଜାଣି ସାକୂତ ଚେଷ୍ଟା ଦ୍ୱାରା ତାହା ପ୍ରକାଶିତ କଲେ ‘‘ପିହିତ’’ ଅଳଙ୍କାର ହୁଏ ବୋଲି କେତେକ ଆଳଙ୍କାରିକ କହିନ୍ତି । ସେହି ପିହତାଳଙ୍କାର ସୂକ୍ଷ୍ମାଳଙ୍କାରରେ ଅନ୍ତର୍ଭୂକ୍ତ । ବିଦଗ୍ଧ ଚେଷ୍ଟା ଦ୍ୱାରା ମନୋଭାବ ପ୍ରକାଶ କରିବା ଉଭୟତ୍ର ସମାନ । ଅତଏବ ପିହିତାଳଙ୍କାର ପୃଥକ ରୂପେ ପ୍ରଦର୍ଶିତ ହେଲା ନାହିଁ ।

 

୧ ପିହିତଂ ପରବତ୍ତାନଜ୍ଞାତଃ ସାକାତ ଚେଷ୍ଟିତମ୍‌      

 

ବ୍ୟାଜୋକ୍ତି ଅଳଙ୍କାର

 

ଅନ୍ୟ ହେତୁ ପ୍ରଦର୍ଶନେ ପ୍ରକୃତ ଗୋପନ,

ହେଲେ ବ୍ୟାଜ –ଉକ୍ତି ନାମେ ଅଳଙ୍କାର ମାନ ।୮୯।

 

ଯେଉଁଠୋରେ ଅନ୍ୟ ଏକ କାରଣର ପ୍ରଦର୍ଶନ ପୂର୍ବକ ପ୍ରକୃତ ବିଷୟର ଗୋପନ ବର୍ଣ୍ଣିତ, ସେଠାରେ ବ୍ୟାଜୋକ୍ତି ଅଳଙ୍କାର ।

 

ସୌରୀନ୍ଧ୍ରୀ ବଲ୍ଲଭର ଦେଖି ହାତୀ ଯୁଦ୍ଧ

କାହିଁ ପାଇଁ ହେଉଅଛନ୍ତି ଅବୋଧ ।

ଏହି ସକାଶରୁ ତରକୁ ଅଛି ମୁହିଁ,

ବଲ୍ଲଭ ସଙ୍ଗେ ପ୍ରୀତି କରେ କି ଲୁଚାଇ ।

 

ସ୍ତିରୀମାନଙ୍କର ଚରିତ ଦୂର୍ଣ୍ଣେୟ ।

ବଲ୍ଲଭକୁ ଅବା ଏ କରିଥିବ ପ୍ରିୟ ।

ଏମାନ ଶୁଣି ମୁହିଁ ତାହାକୁ ଭଣ୍ତାଇ,

କହେ, ପାପକଥା ନ ଜାଣଇ ମୁହିଁ ।

 

ବ୍ରାହ୍ମଣ ବଧ କଥାକୁ କରି ଦେଇ ପଛ,

ବ୍ରାହ୍ମଣଙ୍କୁ ହାତୀ ସଙ୍ଗତେ ଯୁଝାଉଛ ।

ଏହି ସକାଶରୁ ସିନା ମୁହିଁ ଦୁଃଖୀ ହୋଇ

ଧର୍ମକୁ ଚାହିଁ କରି ବିକଳ ହୁଅଇ ।

ମହାଭାରତ ।

 

ଏଠାରେ ବଲ୍ଲଭ (ଭୀମ)ଙ୍କର ହାତୀ ଯୁଦ୍ଧ ଦର୍ଶନରେ ଦ୍ରୌପଦୀଙ୍କର ବ୍ୟାକୁଳତା ବ୍ରାହ୍ମଣର ହାତୀ ସହିତ ଯୁଦ୍ଧ ରୂପ ଅନ୍ୟାୟ-ଦର୍ଶନ ପ୍ରସୂତ ବୋଲି ବର୍ଣ୍ଣିତ । ଅତଏବ ବ୍ୟାଜୋକ୍ତି ।

 

ଅଥବା,

ସୁମନ ତୋଳୁଁ ଭୁଜଙ୍ଗ ମୁଖେ ପଡ଼ିଥିଲି କି ଦଶାରେ

ଶ୍ୱାସ ପ୍ରଖର, ଚମକେ ଉର, ଢରିବି ପରା ନିଶାରେ ।

ରସ ପଞ୍ଚକ ।

 

ଏଠାରେ ନାୟିକା ନିଜର କ୍ରୀଡ଼ା ବିବଶତା ଫୁଲ ତୋଳିବା ଶ୍ରମ ଓ ଭୁଜଙ୍ଗ ଦର୍ଶନରୁ ଜାତ ବିବଶତା ବୋଲି ଗୋପନ କରୁଅଛି । ଅତଏବ ବ୍ୟାଜୋକ୍ତି ।

 

କଣ୍ଠୁ ହାର ଉପହାର ଦେଲି ସେଦିନକ ବୋଧି ରଖାଇଲି

ମାଗିଲା ସେ ପୁଣି ଦେଲି ନାସାମଣି

ଦେଉ ଦେଉ ଭୂଷା ହୀନ ହେଲି ଗୋ,

ଶାଶୁ ଡରେ ଚୋର ଗୋଳମାଳ କଲି ଅଧ୍ୟାହାରେ ଗୋ ।

ଚିନ୍ତାମଣି ।

 

ଏଠାରେ ମଧ୍ୟ ବ୍ୟାଜୋକ୍ତି ଅଳଙ୍କାର । ରାଧା ରଜକରୂପୀ ଶ୍ରୀକୃଷ୍ଣଙ୍କୁ ଅଳଙ୍କାର ଦେବା ବିଷୟ ଚୋରି ଦ୍ୱାରା ଗୋପନ କରିଅଛନ୍ତି ।

 

*କାର୍ଯ୍ୟ ଦ୍ୱାରା ତବ କଥା ଗୋପନ କଲେ ‘‘ଯୁକ୍ତି’’ ଅଳଙ୍କାର ହୁଏ ବୋଲିତ କେତେକ ଆଳଙ୍କାରିକ କହନ୍ତି । ପ୍ରକୃତ ବିଷୟର ଗୋପନ ଉଭୟତ୍ର ସମାନ । ତାହା କାର୍ଯ୍ୟ ଦ୍ୱାରା ହେଉ କାରଣ ଦ୍ୱାରା ହେଉ, ବା ଭକ୍ତିରେ ହେଉ, କିଛି ଯାଏ ଆସେ ନାହିଁ । ଅତଏବ ବ୍ୟାଜୋକ୍ତିରେ ଅନ୍ତର୍ଭୃତ । ପୃଥକ୍‌ କରି ମାନିବା ସମୁଚିତ ବୋଧ ହୁଏ ନାହିଁ ।

 

× ଯୁକ୍ତିଃ ପରାଭିସନ୍ଧାନଂ କ୍ରିୟୟା ମର୍ମଗୁପ୍ତୟେ ।

 

ଗୁଢ଼ୋକ୍ତି ଅଳଙ୍କାର

 

ଅନ୍ୟ ସହ କଥାଛଳେ ଯହିଁ ଅନ୍ୟ ପ୍ରତି,

ଭାବ ବ୍ୟକ୍ତି ହୁଏ ତହିଁ ହୁଅଇ ଗୁଢ଼ୋକ୍ତି । ୯୦ ।

 

ଯେଉଁଠାରେ ନିଳର ଅଭିପ୍ରେତ ପୁରୁଷକୁ ଅନ୍ୟସହ କଥୋପକଥନ ଛଳରେ କୌଣସି ଭାବ ବ୍ୟକ୍ତି କରାଯାଇ ଥାଏ, ସେଠାରେ ଗୂଢ଼ୋକ୍ତି ନାମକ ଅଳଙ୍କାର ହୁଏ । ଯଥା-

 

ନାଗର କତିକି ନାଗରୀଦୂତୀ ଯାଇ ଦେଖିଲା ମାନ୍ୟ ଲୋକେ ସ୍ଥିତି,

ତାକୁ ଶୁଣାଇ ଆନେ ବୋଲେ ଇତି ପରବାସୀ ପରା ତୁମର ପତି,

ନିଷ୍ଠୁର ବଡ଼ ପୁରୁଷ ଜାତି ପାଳନ୍ତି ନାହିଁତ ପୁରୁଷ ପ୍ରୀତି ।

ଚିନ୍ତାମଣି ।

 

ଏଠାରେ ମାନ୍ୟଲୋକ ମଧ୍ୟରେ ଥିବା ନାୟକ ଅଭିପ୍ରେତ ପୁରୁଷ । ଦୂତୀ ଅନ୍ୟ ଏକ ସ୍ତ୍ରୀସହ କଥୋପକଥନ ଛଳରେ ‘‘ତୁମ୍ଭେ ଅତ୍ୟନ୍ତ ନିଷ୍ଠୁର, ପ୍ରିୟତମାର ପ୍ରୀତି ଭୁଲି ଯାଇ ଏଠାରେ ଅଛ, ସେ ଅତ୍ୟନ୍ତ ଦୁଃଖିତା’’ ଏହି ଭାବ ବ୍ୟକ୍ତି କରୁଅଛି, ଅତଏବ ଗୂଢ଼ୋକ୍ତି ।

 

ଅପ୍ରସ୍ତୁତ ପ୍ରଶଂସାରେ ଅପ୍ରସ୍ତୁତରୁ ପ୍ରସ୍ତୁତର ପ୍ରତୀତ ହୋଇଥାଏ, ଏ ଅଳଙ୍କାରରେ ଅନ୍ୟ ସହ କଥୋପକଥନ ଅବଶ୍ୟ ଅପ୍ରସ୍ତୁତ ନହୋଇ ପାରେ । ଏ ଅଳଙ୍କାରରେ ଅନ୍ୟମାନଙ୍କୁ ପ୍ରତାରିତ କରିବା ଉଦ୍ଦେଶ୍ୟରେ ଅନ୍ୟ ବୃତ୍ତାନ୍ତ ଛଳରେ ନିଜ ମତ ବ୍ୟକ୍ତ କରାଯାଇଥାଏ, ଅପ୍ରସ୍ତୁତ ପ୍ରଶଂସାରେ ପ୍ରାୟ ସେହି ଭାବ ନଥାଏ । ଆଉ ଗୋଟିଏ କଥା ଅପ୍ରସ୍ତୁତ ପ୍ରଶଂସାରେ ପ୍ରସ୍ତୁତ ବୃତ୍ତାନ୍ତର ପ୍ରତୀତ କାର୍ଯ୍ୟ କାରଣ ଭାବ, ସାମାନ୍ୟ ବିଶେଷ ଭାବ ବା ସାରୂପ୍ୟ ସମ୍ବନ୍ଧରେ ସାଧ୍ୱତ ହୋଇଥାଏ, ଗୂଢ଼ୋକ୍ତିରେ ତାହା ନାହିଁ ।

 

ବିବୃତୋକ୍ତି ଅଳଙ୍କାର

 

ଶ୍ଲେଷେ ପ୍ରତିପାଦ୍ୟ ଅର୍ଥ କବି ବାକ୍ୟେ ଯହିଁ,

ପ୍ରକାଶ ହୁଅଇ, ତହିଁ ବିବୃତୋକ୍ତି କହି ।୯୦ ।

 

ଯେଉଁଠାରେ ଶ୍ଲେଷରେ ନିଗୂଢ଼ ଅର୍ଥ କବି ନିଜ ବାକ୍ୟରେ ପ୍ରକାଶ କରିଥାନ୍ତି, ସେଠାରେ ବିବୃତୋକ୍ତି ଅଳଙ୍କାର ।

 

ଯଥା-

ମଣି ନାଗହାରୀ ଅବ୍ଜ କରମାଳ ଧରେ,

ଯେ ଅପୂର୍ବ ଶୁଚିଭା ଲେଖନୀ ଲାଭ କରେ ।

ସେ ପଞ୍ଚ ଦୈବତ ଭେଦେ ଯେ ପ୍ରଭୃ ପ୍ରକାଶ,

ତାପଦେ ବନ୍ଦେ ରାଜେନ୍ଦ୍ର ଚିତ୍କିଟୀ ନରେଶ ।

ପ୍ରେମମଞ୍ଜରୀ ।

 

ଏହି ପଦ୍ୟରେ ସୂର୍ଯ୍ୟ, ଅମ୍ବିକା, ବିଷ୍ଣ, ଗଣେଶ ଓ ମହାଦେବଙ୍କ ପକ୍ଷରେ ଏକ ଏକ ଅର୍ଥ ପ୍ରକାଶ ପାଏ । ତାହା କବି ‘‘ସେ ପଞ୍ଚ ଦୈବତ ଭେଦେ’’ ବୋଲି ପ୍ରକାଶ କରିଅଛନ୍ତି । ଅତଏବ ବିବୃତୋକ୍ତି ଅଳଙ୍କାର । ପ୍ରତ୍ୟକଙ୍କ ପକ୍ଷରେ ଅର୍ଥ ଯଥା –

 

ସୂର୍ଯ୍ୟଙ୍କ ପକ୍ଷେ –ମଣି ନାଗ ମଣିଶ୍ରେଷ୍ଠ ପରିହାରୀ ମନୋହର । ଯେ ଅବ୍ଜ ପଦ୍ମ,କରମାଳ କିରଣ ଜାଳ ଧରେ । ଅବାସୁଦେବ ସ୍ୱରୂପୀ, ପୂର୍ବ ପୂର୍ବ ଦିଗ୍‌ବର୍ତ୍ତୀ । ଶୁଚିଭାଲେ ଶୁକ୍ଲ କାନ୍ତିରେ (ରଳୟୋର ଭେଦଃ) ଖ ଆକାଶକୁ ନୀଳାଉ ନୀଳ ନାମକ ନିଧି ତୁଲ୍ୟ କରେ ।

 

ଅମ୍ବିକା ପକ୍ଷେ – ମଣିମୁକ୍ତାଦି, ନାଗସର୍ପ ଏମାନଙ୍କ ଦ୍ୱାରା ଦାରବନ୍ତ । ଯେ ଅବ୍ଜ ଚନ୍ଦ୍ର, କରମାଳ ମୁଣ୍ତର ମାଳ ଧରେ, ଲେଖନିକାଭ, ସୁର ନୀଳମଣି ତୁଲ୍ୟ । ଅପୂର୍ବ ଶୁଚିଭା ଅଶଚିକାନ୍ତି (ଆଶିତ କାନ୍ତି) କରେ ।

 

ବିଷ୍ଣୁ ପକ୍ଷେ-ମଣିନାଗ ରତ୍ନଶ୍ରେଷ୍ଠ (କୌସ୍ତୁଭ) ତାହା ଦ୍ୱାରା ହାରୀ । ଅବ୍ଜକର ଶଙ୍ଖ ହସ୍ତା ମାଳ ବନମାଳୀ ତାହାକୁ ଧରେ । ଯେ ଅପୂର୍ବ ଶୁଚି ଅଶ୍ୱେତ ହେବା, ଭାଲେ ଭରେ ଖ ଦେବଲେକ (ବୈକୁଣ୍ଠ)କୁ ନୀଳାଭ କରେ ନୀଳକାନ୍ତି ଯୁକ୍ତ କରେ ।

 

ଗଣେଶଙ୍କ ପକ୍ଷରେ – ମଣିନାଗ ଶ୍ରେଷ୍ଠ ଗଜପରି ହାରୀ ମନୋହର । ଅବ୍ଜ ଚନ୍ଦ୍ର, କରମାଳ ଜପମାଳା ଧରେ । ଯେ ଅପୂର୍ବ ଅନୁପମ । ଶୁଚିଭା ଅଗ୍ନିତୁଲ୍ୟ କାନ୍ତିଯୁକ୍ତ । ଲେଖନୀ ଲାଭ କରେ ।

 

ମହାଦେବଙ୍କ ପକ୍ଷେ –ମଣିନାଗ ଶ୍ରେଷ୍ଠ ସର୍ପ, ତାହା ଦ୍ୱାରା ହାରବନ୍ତ । ଚନ୍ଦ୍ର କିରଣ ତୁଲ୍ୟ (ଶୁକ୍ମ) କାନ୍ତିଯୁକ୍ତ । ଧରେ ପର୍ବତରେ ଅଳ ପର୍ଯ୍ୟାପ୍ତ ଅଟନ୍ତି । ଯେ ଅପୂର୍ବ ସର୍ବାଦିମ । ଶୁଚି ଅଗ୍ନି ଭାଲେ ଲଲାଟେ ଖନି ଲାଭ କରେ । ଖନିରେ ଥିବା ପରି ନେତ୍ରରେ ଥାଏ ।

 

ଶୁଣି ମଧୁମଙ୍ଗଳ ପ୍ରକାଶ କଲା ଛଳ ଭୋ ମାତ ଶୁଣ ସୁତ ରୀତି,

ବନରେ ହଟ ନଟ କେତେ କରେ ପ୍ରକଟ

ମାନଇ ନାହିଁ ମୋ ଭାରତୀ ସେ

ଗୋବର୍ଦ୍ଧନ ଆରୋହି କେଣେ ଚାହୁଁଥାଇ,

ଗୋବର୍ଦ୍ଧନ ଚଞ୍ଚଳା ଖେଳାରେ ମାତଇ,

ନୃତ ବ୍ରତତୀମାନ କରଇ ବିକଳନ ରସାଳ ବିଟପୀ ମଣ୍ତଇ ଯେ ।

ବିଶାଖା ଆଶ୍ରିତ ସେ ବର ସୁମନା ଆଶେ ହେବାର ପ୍ରଚାର ପଚାର

ପଦ୍ମିନୀ ଲଭିବାରେ ପ୍ଲବେ ଘନ ରସରେ ରସେ କୁମୁଦିନୀ ବିହାର ସେ

ଗୋରସକୁ, ଏଠାରେ ନକରେ ଆହାର

ଗୋରସକୁ, ସେଠାରେ କି ଜାତି ଆଦର,

ଅଙ୍ଗନା ସହିତେରେ ପଶେ ବନଭିତରେ କହିଲି ଆକଟକୁ କର ଗୋ ।

ଚିନ୍ତାମଣି ।

 

ଏଠାରେ ମଧ୍ୟ ‘‘ମଧୁମଙ୍ଗଳ ପ୍ରକାଶ କଲା ଛଳ’’ ବୋଲି ଶ୍ଲେଷ ସଂପାଦିତ ଅର୍ଥ କବି ପ୍ରକାଶ କରି ଦେଇଅଛନ୍ତି ଅତଏବ ବିବୃତୋକ୍ତି ।

 

ବକ୍ରୋକ୍ତି ଅଳଂକାର

 

ଶ୍ଲେଷ ଅବା କାକୁଯୋଗେ ଯେବେ ଅର୍ଥାନ୍ତର,

କଳ୍ପିତ ହୁଅଇ ତେବେ ବକ୍ରୋକ୍ତ୍ୟଳଙ୍କାର ।୯୧ ।

 

ବକ୍ତା ଏକ ଅଭିପ୍ରାୟରେ ଏକ ବାକ୍ୟ କହିଥାଏ । ଶ୍ରୋତା ଶ୍ଲେଷ ଯୋଗେ କାକୁ ଯୋଗରେ ଯଦି ସେ ବାକ୍ୟର ଅନ୍ୟ ଏକ ଅର୍ଥ କଳ୍ପନା କରି ଉତ୍ତର ଦିଏ, ତେବେ ସେଠାରେ ବକ୍ରୋକ୍ତି ଅଳଙ୍କାର । ଏହି ବକ୍ରୋକ୍ତି ତିନି ପ୍ରକାର – ଶବ୍ଦ ମୂଳକ, ଅର୍ଥ ମୂଳକ ଓ କାକୁ ମୂଳକ । ଏହି ଅଳଙ୍କାର କେବଳ ସାହିତ୍ୟରେ ଚମତ୍କାର ଜାତ କରେ ଏବଂ ଅନେକ ଅଳଙ୍କାର ଅତିଶୟୋକ୍ତି ଉପମା ପରି ଗର୍ଭିତ ହୋଇ ରହିଥାଏ ।

 

ଶବ୍ଦମୂଳକ ବକ୍ରୋକ୍ତି ଯଥା-

 

ପୁନ୍ମଗ ନାଗରି ଦେଖରେ ତୋଲି କେ ଦେଖାଉ ଅଙ୍ଗୁଳିରେ କରି

ଏହିତ ତରୁ ତରୁଣ ଶ୍ରେଷ୍ଠ ନୋହେଁ ତରୁଣୀ ରତନ ପଚାରି,

ମଲ୍ଲୀ ବୋଲିନ୍ତେ କାହିଁକି ସେ ବୋଲି ହସଇ,

ମାଧବୀକି ଚାହିଁ ମାଧବୀ ବୋଇଲେ ଏକି ମଧୁପୁର ଭାଷଇ ।

କୋଟି ବ୍ରହ୍ମାଣ୍ତ ।

 

ଏଠାରେ ବକ୍ରୋକ୍ତି ଅଳଙ୍କାର । ସଖୀ ପୁନ୍ନାଗ ବୃକ୍ଷକୁ ଦେଖନ୍ତେ କୋଟି ବ୍ରହ୍ମାଣ୍ତ ସୁନ୍ଦରୀ ପୁନ୍ନଗ ପଦର ପୁରୁଷ ଶ୍ରେଷ୍ଠ ରୂପ ଅର୍ଥାନ୍ତର କଳ୍ପନା କରି ଉତ୍ତର ଦେବା ବର୍ଣ୍ଣିତ । ସେପରି ‘‘ମଲ୍ଲୀ’’ ଶବ୍ଦର ‘‘ମଲି’’ ରୂପ ଅର୍ଥାନ୍ତର କଳ୍ପନା ଓ ‘‘ମାଧବୀ’’ ଶବ୍ଦର ‘‘ଲକ୍ଷ୍ମୀ’’ ରୂପ ବା ‘‘ମାଧବ-ସହିତ’’ ରୂପ ଅର୍ଥାନ୍ତର କଳ୍ପନା ମଧ୍ୟ ଦେଖାଯାଏ ।

ଅର୍ଥମୂଳକ ବକ୍ରୋକ୍ତି ଯଥା-

 

ଶକୁନ୍ତଳା-

ସୁଧା କଣ କାହୁଁ             ପାଇବି ତା ପରା

ଥାଏ ପୂର୍ଣ୍ଣ ଶଶଧରେ ।

 

ରାଜା –

ସେତ ସକଳଙ୍କ             ପୂର୍ଣ୍ଣ ଅଛି ସୁଧା

ଅକଳଙ୍କ ତୋ ଅଧରେ ।

ପ୍ରଣୟବଲ୍ଲରୀ ।

 

ଏହିଠାରେ ଶକୁନ୍ତଳା ସୁଧା ଚନ୍ଦ୍ରଙ୍କ ଠାରେ ଥାଏ, ମୁଁ କାହିଁ ପାଇବି ବୋଲି କହିଲା କ୍ଷଣି ରାଜା ଅକଳଙ୍କ ତୋ ମୁଖଚନ୍ଦ୍ର ଅଧରରେ ତାହା ପୂର୍ଣ୍ଣ ଅଛି ବୋଲି କହିଅଛନ୍ତି । ପୂର୍ବ ବାକ୍ୟରେ ଶବ୍ଦ ପରିବର୍ତ୍ତନ କଲେ ମଧ୍ୟ ଅର୍ଥାନ୍ତର ପ୍ରତୀତିରେ ବ୍ୟାଘାତ ଘଟେ ନାହିଁ, ଅତଏବ ଏହି ବକ୍ରୋକ୍ତି ଅର୍ଥ ମୂଳକ ।

 

କାକୁ ମୂଳକ ବକ୍ରୋକ୍ତି ଯଥା –

ଶକୁନ୍ତଳା-

ନଜାଣଇଁ ମୁହିଁ             କାନନ ଦାସିନୀ

ରଚନାଟି ସୁଦ୍ଧା କଣ ?

ରାଜା –

ସତ କହିଲ ଗୋ             ସୁଧା ସୁଭାଷିଣୀ

ରଚନା ତ ସୁଧା କଣ ।

            ପ୍ରଣୟବଲ୍ଲରୀ ।

ଏହି ପଦ୍ୟରେ ରାଜା ଶକୁନ୍ତଳାଙ୍କର କାକୁ ତ୍ୟାଗ କରି ଅନ୍ୟ ଏକ ଅର୍ଥ କଳ୍ପନା କରିଅଛନ୍ତି ।

 

କେତେକ ସ୍ଥଳରେ କାକୁ କଳ୍ପିତ କରି ସୁଦ୍ଧା ଅର୍ଥାନ୍ତୀ କଳ୍ପିତ ହୋଇଥାଏ । ଯଥା –

ବିନା କାରଣରେ             ଉଚିତ ନୁହଇ

ତୁମ୍ଭର ଇଦୃଷ ମାନ,

‘ନୁହଇ ଉଚିତ ?’             ବୋଲି ବାଳା କାନ୍ତେ

ମାଳାରେ କଲା ତାଡ଼ନ

 

ଏହିଠାରେ ପତିଙ୍କର ‘ଉଚିତ ନୁହେଁ ।’ ଏହି ବାକ୍ୟର କାକୁ ଯୋଗେ ଅବଶ୍ୟ ଉଚିତ – ଏହି ଅର୍ଥାନ୍ତର କଳ୍ପିତ ହୋଇଅଛି; ଅତଏବ ବକ୍ରୋକ୍ତି ।

 

ଲୋକୋକ୍ତି ଅଳଙ୍କାର

 

ଲୌକିକ ପ୍ରବାଦ ଯହିଁ ଚମତ୍କାର ସହ,

ଚିତ୍ରିତ ହୁଅଇ ତହିଁ ଲୋକଉକ୍ତି କହ । ୯୨ ।

 

ଯେଉଁଠାରେ ପ୍ରଚଳିତ ପ୍ରବାଦ ଚମତ୍କାର ସହ ଅନୁକୃତ ହୋଇଥାଏ,ସେଠାରେ ଲୋକୋକ୍ତି ନାମକ ଅଳଙ୍କାର ହୁଏ । ଏହି ଲୋକ ପ୍ରଦାନ ସ୍ୱାଭାବିକ ରୂପେ, ଦୃଷ୍ଟାନ୍ତ ରୂପେ ବା ଅର୍ଥାନ୍ତର ନ୍ୟାସ ରୀତିରେ ସନ୍ନିବେଶିତ ହୋଇଥାଏ ।

 

ସ୍ୱାଭାବିକ ରୂପେ ଲୋକ ପ୍ରବାଦର ବିନ୍ୟାସ ଯଥା –

 

ଭୁଜଗ ଶେଜୁଁ ଯେବେ ଉଠିବେ ହରି,

ଲଭିବି ବାସେ ତୋତେ ପୁଣି ସୁନ୍ଦରୀ ।

ଗମ ଏ ଚାରିମାସ ମୁଦି ଲୋଚନ

ଏ ଅନ୍ତେ ନିଶ୍ଚେ ମୋର ଶାପ ମୋଚନ ।

ମେଘଦୂତ ।

 

ଏଠାରେ ‘‘ଗମ ଏ ଚାରିମାସ ମୁଦି ଲୋଚନ’’ ଏହା ଆଖି ବୁଜି ସମୟତକ କଟାଅ ଏହି ପ୍ରବାଦର ଛାୟା । ଅତଏବ ଲେକୋକ୍ତି ।

 

ଦୃଷ୍ଟାନ୍ତରୂପେ ପ୍ରବାଦର ବିନ୍ୟାସ ଯଥା –

 

କେଉଁ ଲୋକ ଆମ୍ଭେ ଗୋପନାରୀ,

କଲେ ସେହି ସିନା ଏତେ ସରି,

କେବେହେ ବିନାଶ ନକରିତ

ବିଷ ବୃକ୍ଷ କରରେ ଲଗାଇ କରି ହେ ଉଦ୍ଧବ ।

ରସ ।

 

ଏଠାରେ ‘‘କେବେହେ ବିନାଶ ନ କରିତ ବିଷବୃକ୍ଷ କରରେ ଲଗାଇ କରି ଏହି ପ୍ରବାଦ ଦୃଷ୍ଟାନ୍ତ ରୂପେ ସନ୍ନିବେଶିତ ।

 

ଅର୍ଥାନ୍ତର ନ୍ୟାସ ରୂପରେ ପ୍ରବାଦ ବିନ୍ୟାସ ଯଥା-

ଚିତ୍ରେ ଶୁଣି ବୋଇଲେ ଜୀବନ ରଖ,

ଜୀବନରୁ ଅଧିକ କେହି ନ ଲେଖ ।

ଜୀବନ ଥିଲେ ହୁଏ ସବୁ ପ୍ରାପତ,

ହୁଅଇ ସମ୍ଭାବିତ ଅସମ୍ଭାବିତ ହେ ।

ରସ ।

 

ଏହି ପଦ୍ୟରେ ‘‘ଜୀବନ ଥିଲେ ହୋଏ ସବୁ ପ୍ରାପତ’’ ଏହି ପ୍ରବାଦ ଜୀବନ ରଖିବା ରୂପ ବସ୍ତୁର ଉଦ୍ଦେଶ୍ୟରେ ସନ୍ନିବେଶିତ ଅତଏବ ଲୋକୋକ୍ତି ।

 

ସ୍ୱଭାବୋକ୍ତି ଅଳଙ୍କାର

 

ପ୍ରାକୃତିକ ରୂପେ ବ୍ରବ୍ୟ କ୍ରିୟା ଗୁଣ ଜାତି,

ଚିତ୍ରିତ ହୁଅଇ ଯହିଁ, ତହିଁ ସ୍ୱଭାବୋକ୍ତି । ୯୩ ।

 

ଯେଉଁଠାରେ ଜାତି ଦ୍ରବ୍ୟ କ୍ରିୟା ଓ ଗୁଣ ଯଥାସ୍ଥିତ ରୂପେ ଚମତ୍କାର ସହ ବର୍ଣ୍ଣିତ ହୋଇଥାଏ, ସେଠାରେ ସ୍ୱଭାବୋକ୍ତି ଅଳଙ୍କାର । ପ୍ରକୃତି ଚିତ୍ରଣ ଏ ଅଳଙ୍କାରର ମୃଖ୍ୟ ଉଦ୍ଦେଶ୍ୟ । ଅନେକ ଅଳଙ୍କାରରେ ଏ ଅଳଙ୍କାରର ଛାୟା ଦେଖାଯାଏ ।

 

ଜାତିଗତ ସ୍ୱଭାବୋକ୍ତି ଯଥା-

 

ଦାରି ବୋଲି ଯାହା କଲା ଦଇବ, ତା’ ରୀତି ବଚନେ କିସ କହିବ

ଭାରି ହେଉ ପଛେ ଉରୋଜ ଶ୍ରେଣି, ନାରୀରେ ତିନି ତାକୁ ଗଣି

କାହାରି ସେ ନୋହେ, ଜୁହାରି ଗେଲାଇ ପରାଣ ଦହେ ।

କି କାର୍ଯ୍ୟ ତାଠାରୁ ସେ କି ନାୟିକା ଦକାବିକା ଏକାଯାର ଜୀବିକା

ରଙ୍ଗରେ ସଙ୍ଗରେ ରସଇ ସେହି ରସ ଖାଇ ଖାଇ ପରାଣ ଯାଇ ।

କହିବି କାହାକୁ, ଫନ୍ଦା କରେ ସେ ଜନାପବାଦକୁ ।

ଖଟକୁ ଘେନିଯାଏ ଅତି ସ୍ୱେହେ ନଟକୂଟ କଥା ହଜାରେ କହେ

ବାବୁ ଭାଇ ମାମୁ ପିଉସୀ ପତି ଲଣ୍ତଭଣ୍ତ ମାମଲତ କରନ୍ତି ।

କିଛି ନୁହେଁ ଭଲ, ଛିଛି ତା’ ମୁହେଁ ପଡ଼ୁ ନିଆଁ ଝୁଲ ।

କବିସୂର୍ଯ୍ୟ ।

 

ଏହି ପଦ୍ୟମାନଙ୍କରେ ବେଶ୍ୟା ଜାତିର ସ୍ୱଭାବ ସୁନ୍ଦର ରୂପେ ବର୍ଣ୍ଣିତ ହୋଇଅଛି । ଅତଏବ ଜାତିଗତ ସ୍ୱଭାବୋକ୍ତି ।

 

ଦ୍ରବ୍ୟ କହିଲେ ବ୍ୟକ୍ତି ବା ବସ୍ତୁକୁ ବୁଝାଏ । ବ୍ୟକ୍ତିଗତ ସ୍ୱଭାବୋକ୍ତି ଯଥା-

କଳା କଳେବର ଧୂଳି ଧୂସର, କଟିରେ କିଙ୍କିଣୀ ନାହିଁ ଅମ୍ବର,

କାକର ପ୍ରାୟଝାଳ ବିନ୍ଦୁ ବିନ୍ଦୁ କଳିତା କରିଛି ଶ୍ରୀମୁଖ ଇନ୍ଦୁ,

କମଳେ ଭୃଙ୍ଗ ଖେଳିଲା ପ୍ରାଏ, କଳାଡୋଳା ଚଳେ ଅପାଙ୍ଗଯାଏ ।

ରସ ।

 

ଏଠାରେ ଶ୍ରୀକୃଷ୍ଣଙ୍କର ବାଲ୍ୟ ବିଗ୍ରହ ସୁନ୍ଦର ରୂପେ ବର୍ଣ୍ଣିତ, ଅତଏବ ବ୍ୟକ୍ତିଗତ ସ୍ୱଭାବୋକ୍ତି । ବସ୍ତୁଗତ ସ୍ୱଭାବୋକ୍ତି ଯଥା-

 

ଉଡ଼ଇ ପତାକା ଶ୍ରେଣୀ ଅମ୍ବରେ

ମଙ୍ଗଳ ବାଜଣା ବାଜେ ସୁସ୍ୱରେ

ଶୁଭଇ ଚୌଦିଗେ ଶୁଭ ସଙ୍ଗୀତ

ଧୂପ ଗନ୍ଧ ମୋଦେ ପୁର ବାସିତ

ମହା ନନ୍ଦେ ପୁରବାସୀ,

ବିବିଧ ବିଧାନେ             ରତ ନରନାରୀ

ଶ୍ରୀରାମ ସୁଖ ମନାସି ।

ସୀତାବନବାସ ।

 

ଏଠାରେ ଅଭିଷେକ ଉତ୍ସବାୟୋଜନରେ ଅଯୋଧ୍ୟାର ପ୍ରାକୃତିକ ଶୋଭା ବର୍ଣ୍ଣିତ । ଅତଏବ ଦ୍ରବ୍ୟଗତ ସ୍ୱଭାବୋକ୍ତି ।

 

କ୍ରିୟାଗତ ସ୍ୱଭାବୋକ୍ତି ଯଥା-

 

କେ କେକୀ ପରାଏ ନାଚି ନାଚି ଯାଏ କେ ବକ ପରାଏ ବସନ୍ତି

କେ ଭୃଙ୍ଗ ଝଙ୍କାର ଶୁଣି ଅହଙ୍କାର କରି ହୁଙ୍କାର ବିସ୍ତାରନ୍ତି

କେହି ସାଦରେ କେକି ଶିଶୁ ପଛେ ଗୋଡ଼ାନ୍ତି,

କେ କାହା କରରେ କରାମାରି ଖରେ ପଳାଇ ପ୍ରତିଜ୍ଞା କରନ୍ତି ।

ରସ ।

 

ଏହି ପଦ୍ୟରେ ଗୋପବାଳକମାନଙ୍କର ବାଲ୍ୟକ୍ରୀଡ଼ା ମନୋହର ଭାବରେ ବର୍ଣ୍ଣିତ । ଅତଏବ କ୍ରିୟାଗତ ସ୍ୱଭାବୋକ୍ତି ।

 

ଗୁଣଗତ ସ୍ୱଭାବୋକ୍ତି ଯଥା-

ଜାତିରେ ହାଡ଼ୀ ହୋଇଥିଲେ ହେଲେ

କାତିରେ ରୂପା ଚାରି ଚିନା ଥିଲେ

ରାତିରେ ତାକୁ ତଳପକୁ ଡାକି

ଛାତିରେ ଭିଡ଼ି ଶୁଆଇ ସେ ଜାକି,

କାତିଟି ଛଡ଼ାଇ, ରାତି ଶେଷରେ ଦିଏ ଘଉଡ଼ାଇ

କନ୍ଦର୍ପ ପରି ହେଉ ରୂପବନ୍ତ ଗଣେଶ ସମାନ ହେଉ ପଣ୍ତିତ,

ଜନ୍ମ ଲଭିଥାଉ ଦ୍ୱିଜକୁଳରେ ମାତଙ୍ଗକୁ ଜିଣି ଥାଉ ବଳରେ,

ଧନ ନାହିଁ ଯେବେ, ମନ ନାହିଁ ବାରଙ୍ଗନାର ତେବେ ।

କବିସୂର୍ଯ୍ୟ ।

 

ଏହି ପଦ୍ୟମାନଳଙ୍କରେ ବେଶ୍ୟାର ଧନଗ୍ରାହିତା ରୂପ ଗୁଣ ସୁନ୍ଦର ରୂପେ ଚିତ୍ରିତ, ଅତଏବ ଗୁଣଗତ ସ୍ୱଭାବୋକ୍ତି ।

 

ଭାବିକାଳଙ୍କାର

 

ଯଦି ଥାଏ ଭାବୀ ଅବା ଅତୀତ ଅର୍ଥର

ସାକ୍ଷାତ୍କାର-ଉକ୍ତି ତେବେ ଭାବିକାଳଙ୍କାର ।୯୪ ।

 

ଯଦି ଅତୀତ ବା ଭାବୀ କାର୍ଯ୍ୟ ପ୍ରତ୍ୟକ୍ଷ ହେଲାପରି ବର୍ଣ୍ଣିତ ହୁଏ, ତେବେ ଭାବିକାଳଙ୍କାର-

 

ଅତୀତ କାର୍ଯ୍ୟର ସାକ୍ଷାତ୍କାର ଯଥା –

 

ଦେଖିଲି ଦୃଶ୍ୟ ମୁଁ ବସି ତୋର ତଟେ

ଲାଖି ରହିଛି ଯା ସଦା ସ୍ମୃତି ପଟେ ।

ସମୀରେ ଅଝାଲମାଳା ସ୍ଫୀତ କରି

ଦକ୍ଷିଣୁଁ ଆସିଲା ଶତ ଶତ ତରୀ ।

ଚିଲିକା ।

 

ଏହି ପଦ୍ୟରେ ଅତୀତ ଶତ ଶତ ତରୀର ଆଗମନ କବି ଦେଖିଲା ଭଳିଆ ବର୍ଣ୍ଣନା କରିଅଛନ୍ତି, ଅତଏବ ଭାବିକାଳଙ୍କାର ଭାବୀ କାର୍ଯ୍ୟର ସାକ୍ଷାତ୍କାର ଯଥା-

 

ଅଗ୍ନି ସଙ୍ଗେ ସହ୍ୟ ଶୈଳ ନିକାଞ୍ଚନେ ବସି

କହନ୍ତେ ଏସନ ରାଜା, ଫିଟିଲା ସହସା

ଇନ୍ଦ୍ରଧୁନ ତୋରା ଦିଲ୍ଲୀତୋରଣ ଅଗ୍ରତେ

ବଜ୍ରନାଦେ ସିଂହନାଦେ କଂପାଇ ମେଦିନୀ,

ବାହାରିଲେ ଦଳେ ଦଳେ ସେ ତୋରଣ ମୁଖୁ

ଅସଂଖ୍ୟ ପଦାତି, ସାଦୀ, ଆଧୋରଣ, ରଥୀ ।

ମହାଯାତ୍ରା ।

 

ଏଠାରେ କବି ଦିଲ୍ଲୀର ଭାବୀ ଅବସ୍ଥା ପାଣ୍ତବମାନେ ପକ୍ଷାତ୍‌ କଲା ପରି ବର୍ଣ୍ଣି ଅଛନ୍ତି । ପାଣ୍ତବମାନଙ୍କ ସମୟରେ ଦିଲ୍ଲୀର ଅବସ୍ଥା ଭବିଷ୍ୟତ୍‌ । ଅତଏବ ଭାବିକ ।

 

ଉଦାତ୍ତ ଅଳଙ୍କାର

 

ସମୃଦ୍ଧି ବର୍ଣ୍ଣନା ଅଦା ସୁଶ୍ଲାଘ୍ୟ ଚରିତ,

ଅନ୍ୟ ଅଙ୍ଗରୂପେ ଥିଲେ ହୁଅଇ ଭଦାତ୍ତ । ୯୫।

 

ଯେଉଁଠାରେ ସମୃଦ୍ଧ୍ୟତିଶୟ ବର୍ଣ୍ଣିତ ହୋଇଥାଏ ଅଥବା ଶ୍ଲାଘନୀୟ କୌଣସି ଚରିତ ପ୍ରକୃତ ବସ୍ତୁର ସ୍ତୁତି ପ୍ରସଙ୍ଗରେ କୀର୍ତ୍ତିତ ହୋଇଥାଏ, ସେଠାରେ ଉଦାତ୍ତା ଅଳଙ୍କାର ।

 

ସମୃଦ୍ଧ୍ୟତିଶୟର ବର୍ଣ୍ଣନ ଯଥା-

ଅନ୍ତଃପୁର ଭିତ୍ତି ଅତି ରମ୍ୟ ଚିତ୍ରମୟ

ରତ୍ନଉବା ପ୍ରଭାବରେ କରେ ତମକ୍ଷୟ,

ଭିତ୍ତିରେ ଜଡ଼ିତ ସ୍ୱର୍ଣ୍ଣ ପାଦପ ପତର

ମାଣିକ୍ୟ କୁସୁମ ଇନ୍ଦ୍ର ନୀଳର ଭ୍ରମର ।

ନବରତ୍ନ ପୁଷ୍ପ କେଉଁ ସ୍ୱର୍ଣ୍ଣବଲ୍ଲୀପରେ

ହୀରକ କୋରକ କାହିଁ ଜକ ଜକ କରେ ।

କୀଚକବଧ ।

 

ଏହି ପଦ୍ୟମାନଙ୍କରେ ଅସାଧାରଣ ସମୃଦ୍ଧି ବର୍ଣ୍ଣିତ, ଅତଏବ ଉଦାତ୍ତ । ଅନ୍ୟାନ୍ୟ ସ୍ଥଳରେ ମଧ୍ୟ ଅସାଧାରଣ ସମୃଦ୍ଧି ବର୍ଣ୍ଣିତ ହୋଇ ଥିଲେ ଉଦାତ୍ତ ହୁଏ ।

 

ସ୍ମଶ୍ଲାଘ୍ୟ ଚରିତ ଯଥା-

ଇତିହାସ ରଙ୍ଗସ୍ଥଳୀ ତୁ ଚିଲିକା

ତୋର ତୀରେ ପରା ଶ୍ରୀମତୀ ମାଣିକା

ହସ୍ତେ ଭୃଞ୍ଜି ଥିଲେ ସାଦରେ ଲବଣୀ

ଭାବଗ୍ରାହୀ ପ୍ରଭୃ ଭକ୍ତ ଚିନ୍ତାମଣି ।

ଚିଲିକା ।

 

ଏହି ପଦ୍ୟରେ ଚିଲିକାର ମହାତ୍ମ୍ୟ ପ୍ରତିପାଦନ କରିବା ଉଦ୍ଦେଶରେ ତାର ତୀରରେ ଜଗନ୍ନାଥ ମାଣିକା ହସ୍ତରେ ଲବଣୀ ଖାଇ ଥିବା କଥା ଉଲ୍ଲିଖିତ, ଅର୍ଥାତ୍‌ ଜଗନ୍ନାଥଙ୍କ ଚରିତ ଚିଲିକାର ଅଙ୍ଗ ରୂପେ କଥିତ, ଅତଏବ ଉଦାତ୍ତ-ଅଳଙ୍କାର ।

 

ଅତ୍ୟୁକ୍ତି ଅଳଙ୍କାର

 

ଲେକୋତ୍ତର ଅଯଥାର୍ଥ ବିଷୟ ବର୍ଣ୍ଣନ,

ଥିଲେ ଅତ୍ୟୁକ୍ତି ନାମକ ଅଳଙ୍କାରମାନ ।୯୬।

 

ଯେଉଁଠାରେ ଲୋକାତିଶାୟ ଅଯଥାର୍ଥ ବିଷୟ ବର୍ଣ୍ଣିତ, ସେଠାରେ ଅତ୍ୟୁକ୍ତି ଅଳଙ୍କାର ହୁଏ-। ଅତିଶୟୋକ୍ତିରେ ଅଭେଦରେ ଭେଦ, ଅସମ୍ବନ୍ଧିରେ ସମ୍ବନ୍ଧ, ସମ୍ବନ୍ଧରେ ଅସମ୍ବନ୍ଧ ଓ କାର୍ଯ୍ୟକାରଣ ପୌର୍ବାପର୍ଯ୍ୟବ୍ୟତ୍ୟୟ ଏପରି ଚାରୋଟି ପ୍ରଭେଦର ଉଦାହରଣ ଦିଆ ହୋଇଅଛି । ସେ ସମସ୍ତ ଏହାର ଉଦାହରଣ ।

 

ବିଶ୍ୱକାନ୍ତି ସାର ପୀୟୂଷେ ଗୋଳି,

ବିଧି ବନାଇଛି ଶୋଭା ପିତୁଳୀ,

ବରଦୀପ୍ତ ଟାଙ୍ଗଣାରେ ଝାଳିଲା

ବିଚିତ୍ର ହେମ ରସାଣେ ଶାଣିଲାସେ,

ବିଗ୍ରହ ଲାବଣ୍ୟନୀରେ ଯେ,

ବୁଡ଼ାଇ ଥୋଇ ଜୀବନ୍ୟାସ କରିଛି ପରା ମୋହନ ମନ୍ତରେ ଯେ

ଚିନ୍ତାମଣି ।

 

ଏଠାରେ ବର୍ଣ୍ଣିତ ବିଷୟ ଲୋକାତିଶାୟୀ ଓ ଅଯଥାର୍ଥ, ଅତଏବ ଅତ୍ୟୁକ୍ତି ।

ଗୋରୋଚନା ପ୍ରକାରେ ଯହିଁରେ ମୃଗସଦ

ନିତି ଜୀର୍ଣ୍ଣ ବସନକୁ ବିକନ୍ତି ପୁଲିନ୍ଦ,

କୁଙ୍କୁମ ଉକୁଟାଇ ହୁଅନ୍ତି ନାରୀ ଯହିଁ

ଦରିଦ୍ରାରେ ଆଦର କରିବେ କାହିଁ ପାଇଁ ।

ଲାବଣ୍ୟବତୀ ।

 

ଏହି ପଦ୍ୟରେ ମଧ୍ୟ ବର୍ଣ୍ଣିତ ବିଷୟ ସାଧାରଣ ନୁହେଁ ଲେକୋତ୍ତର । ଅତଏବ ଅତ୍ୟୁକ୍ତି ଅଳଙ୍କାର ହେବ ।

 

ନିରକ୍ତି ଅଳଙ୍କାର

 

ରୂଢ଼ ପଦେ ଯୋଗଦଶେ ଅନ୍ୟାର୍ଥ କଳ୍ପନ,

ଥିଲେ ନିରୁକ୍ତି ନାମକ ଅଳଙ୍କାର ମାନ ।୯୭।

 

ପଦ ତିନି ପ୍ରକାର- ଯୌଗିକ, ରୂଢ଼ ଓ ଯୋଗାରୂଢ଼ । ଯେଉଁ ପଦ ପ୍ରକୃତି ପ୍ରତ୍ୟୟ ସାହାଯ୍ୟରେ ଅର୍ଥ ପ୍ରକାଶ କରେ, ସେ ଯୌଗିକ । ଯଥା ପାଚକ, ହର୍ତ୍ତା କର୍ତ୍ତା ଇତ୍ୟାଦି । ଯେଉଁ ପଦ ପ୍ରକୃତି ପ୍ରତ୍ୟୟଗତ ଅର୍ଥ ତ୍ୟାଗ କରି ଅନ୍ୟ ଏକ ଅର୍ଥକୁ ବୁଝାଏ ସେ ରୂଢ଼ । ଯଥା ମଣ୍ଡପ କୁଶଳ ଇତ୍ୟାଦି । ଯେଉଁ ପଦ ପ୍ରକୃତି ପ୍ରତ୍ୟୟ ସାହାଯ୍ୟଲବ୍‌ଧ ଏକ ନିର୍ଦ୍ଦଷ୍ଟ ଅର୍ଥକୁ ବୁଝାଏ ସେ ଯୋଗରୂଢ଼ । ଯଥା ପଙ୍କଜ । ଯେଉଁଠାରେ ରୂଢ଼ ବା ଯୋଗରୂଢ଼ ପଦର ପ୍ରକୃତି ପ୍ରତ୍ୟୟ ସାହାଯ୍ୟରେ ଅନ୍ୟାର୍ଥ କଳ୍ପନା ବର୍ଣ୍ଣିତ, ସେଠାରେ ନିରୁକ୍ତି ଅଳଙ୍କାର ଯଥା-

 

କନ୍ଦର୍ପରେ ହୋଇ ବଶ କଲେ ଗୁରୁପତ୍ନୀ ନାଶ

କହିକେ ପାରିବ ଶେଷ ଏହାଙ୍କ ଦୋଷ । ସଜନି ।

କେ ବୋଲଇ ଦୋଷାକର କରେ ସିଦ୍ଧ ନାମ ଯାର ।

କେଉଁ କଥାକୁ ବିଚାର ହେବ ତାହାର । ସଜନି ।      

ରସ।

 

ଏହି ପଦ୍ୟରେ ନିରୁକ୍ତି ଅଳଙ୍କାର । ଦୋଷାକର ପଦ ଯୋଗ ରୂଢ଼ [ଦୋଷା = ରାତ୍ରି+କୃ+ଅ] କିନ୍ତୁ ଏଠାରେ ଦୋଷମାନଙ୍କର ଆକାର ହେତୁ ଦୋଷାକର ବୋଲି ବର୍ଣ୍ଣିତ ।

 

କିଂଶୁକ କୁସୁମ ନୁହଇ ଏକାମ ଅର୍ଦ୍ଧ ଚନ୍ଦ୍ରବାଣ ପରାଏ,

କାନ୍ତାର୍ଥିନୀ ନାରୀ ଅଙ୍ଗକୁ ବିଦାରି ହୋଇଛି ମହାରଙ୍ଗମୟେ,

ନିଅଇ ଯଦି ବିଯୋଗିନୀ ପଳାଶ,

କହିଲି ଗୋ ସହି ଜାଣିଥାଅ ସେହି ଘେନି ଏହା ନାମ ପଳାଶ । ରସ ।

 

ଏଠାରେ ପଲାଶରୂପ ରୂଢ଼ ପଦର ବିଯୋଗିନୀ-ମାଂସାଶିତ୍ୱ ରୂପ ଅନ୍ୟାର୍ଥ କଳ୍ପିତ ହୋଇଅଛି (ପଳ= ମାଂସ+ଅଶ= ଭଷ+ଅ ଯେ ମାଂସ ଭକ୍ଷଣ କରେ) ଅତଏବ ନିରୁକ୍ତି ।

 

ଶବ୍ଦାଳଙ୍କାର

ପୁନରୁକ୍ତ ବଦାଭାସ ଅଳଙ୍କାର

 

ଆଭାସିଲେ ପୁନରୁକ୍ତି ପରି ପଦମାନ,

ପୁନରୁକ୍ତ ବଦାଭାସ ଅଳଙ୍କାରମାନ ।୯୯।

 

ଯଦି ପଦଗୁଡ଼ିକ ଏକାର୍ଥକ ପରି ଦିଶିବାରୁ ଅର୍ଥ ପୁନରୁକ୍ତି ହେଲା ପରି ପ୍ରତୀତ ହେଉଥାଏ, ବାସ୍ତବରେ ପୁନରୁକ୍ତି ନଥାଏ, ତେବେ ପୁନରୁକ୍ତବଦାଭାସ ଅଳଙ୍କାର । ଶବ୍ଦର ଅର୍ଥ ପୁନରୁକ୍ତ ହେଲା ପରି ଆଭାସ (ଜ୍ଞାନ) ଥାଏ ବୋଲା ଏହି ଅଳଙ୍କାରକୁ ପୁନରୁକ୍ତବଦାଭାସ କହନ୍ତି । ଏହି ଅଳଙ୍କାର ପଦଗୁଡ଼ିକ ଏକାର୍ଥକ ପରି ଦେଖାଯାଏ କିନ୍ତୁ ଭିନ୍ନାକାର । ପଦ ଏକାକାର ହେଲେ ଯମକ ବା ଅନୁପ୍ରାସ ହେବ । ଉଦାହରଣ ଯଥା-

 

ପତିକାନ୍ତ ପ୍ରିୟା ବଚନକୁ କର୍ଣ୍ଣେ ଶୁଣି,

କୋପମାନ ନାଶକଲା ରାମାଶିରୋମଣି ।

ହେମ କନକ ଗାତ୍ରତା ପୁନରୁକ୍ତ ହୋଇ

ପଦ୍ମ କମଳ ବିଜିତ ନେତ୍ର ଢାଳି ଚାହିଁ ।

ପ୍ରେମ ସୁଧାନିଧି ।

 

ଏହି ପଦ୍ୟରେ ରେଖାଙ୍କିତ ଦୁଇ ଦୁଇଟି ପଦ ଏକାର୍ଥକ ପରି ବୋଧ ହୁଏ, ଯଥାର୍ଥରେ ନୁହେଁ । ପତି=ସ୍ୱାମୀ, କାନ୍ତ=ମନୋହର, କୋପ=କ୍ରୋଧ, ମାନ=ବହୁବଚନ ପ୍ରତ୍ୟୟ, ହେମ=ସୁବର୍ଣ୍ଣ, କନକ=ଚମ୍ପା, ପଦ୍ମ=ନଳିନ, କମଳ=ମୃଗ । ଅତଏବ ଏଠାରେ ପୁନରୁକ୍ତ ବଦାଭାସ ଅଳଙ୍କାର ।

 

ଅନୁପ୍ରାସ ଅଳଙ୍କାର

 

ସ୍ୱରଭେଦ ଥାଇ ସୁଦ୍ଧା ଶବ୍ଦର ଆବୃତ୍ତି

ଥିଲେ ଅନୁପ୍ରାସ ନାମେ ହୁଏ ଅଳଙ୍କୃତି ।୧୦୦।

 

ସଜାତୀୟ ବା ସାକ୍ଷାତ୍‌ ବର୍ଣ୍ଣଦା ବର୍ଣ୍ଣ ସମୂଦାତ୍ମକ ପଦର ପୁନରୁକ୍ତି ହେଲେ ଅନୁପ୍ରାସ ନାମକ ଅଳଙ୍କାର ହୁଏ । ସ୍ୱର ଅବିକଳ ପୁନରୁକ୍ତ ନହୋଇ ଥିଲେ ମଧ୍ୟ ଏ ଅଳଙ୍କାର ହୁଏ । ଅନୁ=ରସାନୁ ଗୁଣରେ ପ୍ରାସ= ଶବ୍ଦର ବିନ୍ୟାସ= ଅନୁପ୍ରାସ । ଏ ଅନୁପ୍ରାସ ଚାରି ପ୍ରକାର । ଅନେକ ଗୁଡ଼ିଏ ବ୍ୟଞ୍ଜନର କ୍ରମିକ ସାମ୍ୟଥିଲେ ପ୍ରଥମ ଅନୁପ୍ରାସ ହୁଏ । ଏହାକୁ ଛେକାନୁପ୍ରାସ କହନ୍ତି । ଛେକ(ବିଦଗ୍ଧ ମାନଙ୍କର ପ୍ରୟୋଜ୍ୟ ଅନୁପ୍ରାସ ଛେକାନୁପ୍ରାସ । ସସ୍ୱର, ବ୍ୟଞ୍ଜନ ସମୂହର ଏକ କିମ୍ୱା ଅନେକବାର ସ୍ୱରୂପତଃ ସାମ୍ୟକୁ ବୃତ୍ତ୍ୟନୁପ୍ରାସ ବୋଲାଯାଏ । ରସ ବିଷୟିଣୀ ବର୍ଣ୍ଣ ରଚନା=ବୃତ୍ତି, ପ୍ରାସ=ତଦନୂଗୁଣ ନ୍ୟାସ=ବୃତ୍ତ୍ୟନୁପ୍ରାସ । ସଜାତୀୟ ବର୍ଣ୍ଣମାନଙ୍କର ବିନ୍ୟାସ ଥିଲେ ଶ୍ରୁତ୍ୟନୁପ୍ରାସ ହୁଏ ଏହି ଭେଦରେ ଠିକ ଶବ୍ଦ ଆବୃତ୍ତ ହୋଇ ନଥାଏ, କିନ୍ତୁ ଏକ ସ୍ଥାନୋଚ୍ଚାରିତ ଶବ୍ଦ ଗୁଡ଼ିଏ ଥାଏ-। ତାତ୍ପର୍ଯ୍ୟ ଭେଦରେ ଶବ୍ଦ ଓ ଅର୍ଥ ଯଦି ଅବିକଳ ଆବୃତ୍ତ ହୁଏ, ତେବେ ଲାଟାନୁପ୍ରାସ । ଲାଟ ଦେଶର ଲୋକେ ଏହାକୁ ଭଲ ପାଆନ୍ତି ବୋଲି ଏହାକୁ ଲାଟାନୁପ୍ରାସ କହନ୍ତି ।

 

କ୍ରମରେ ଉଦାହରଣ ଯଥା-

 

କୁସୁମ ସମୟ ହୋଇଲା ଉଦୟ ଦକ୍ଷିଣା ପବନ ବହିଲା

କାମ ଦେବ ଦୂତ ହୋଇ ମହାମତ୍ତ ପଞ୍ଚମ ସ୍ୱରରେ କହିଲା,

କନ୍ଦର୍ପଦର୍ପ ହୋଇଲା ଅତିଶୟ,

କୁସୁମ ବିଶିଖ କରିବାକୁ ଲାଖ କାମୀ କାମିନୀଙ୍କର ଭୟ । ରସ ।

ଏହି ପଦ୍ୟରେ ମ, ୟ, ଦର୍ପ, ଖ ଓ କାମୀର କ୍ରମିକ ଆବୃତ୍ତି ଥିବାରୁ ଛେକାନୁପ୍ରାସ ହେବ ।

 

ଦେଖି ନବକାଳିକା ବକାଳିକାମାଳିକା ଆଳୀ କାଳିକାକାନ୍ତ ସ୍ମରି

ରକ୍ଷା କେମନ୍ତ କରି କରିବାମତ୍ତ କରି-ଗତିକି ଏମନ୍ତ ବିଚାରି ସେ,

ସହଚରୀ ।

ଭାବେ ବଞ୍ଚିଲେ ଏକାଳକୁ କଥା ଥିବ କାଳ କାଳକୁ

ଏକେ ତୀ କ୍ଷୀଣ ଦିନ ହେଲା ଦୁର୍ଦ୍ଦିନ ଦିନ ନଲଭୁଁ ବଲ୍ଲଭମେଳକୁ ରେ

ଲାବଣ୍ୟ ।

 

ଏଠାରେ କାଳିକା ବା ଳିକା, କରି, କାଳ, ଦିନ ଏହି ପଦମାନ ଅବିକଳ ସ୍ୱରୂପରେ ଆବୃତ୍ତ, ଅତଏବ ବୃତ୍ତ୍ୟନୁପ୍ରାସ ।

 

ପୁଷ୍ପ ପବି ପ୍ରଭାପ୍ରଭ ଭ୍ରମୁ ଭାବେ ଭୁବି

ଭୀମ ବାଷ୍ପ ଭବ ଭବେ ଭବ ଭାବି ଭାବି,

ଭଦ-ପ୍ରଭବୀ ଭୂମିପ ପ୍ରଭାବ ବିଭବେ

ବିଭୋ ପ୍ରଭୋ ଭୀମଭାବ ଭ୍ରମେ ଭ୍ରମି ଭାବେ । ପ୍ରେମ ସୁଧାନିଧି ।

ଏହି ପଦ୍ୟରେ କେବଳ ଓଷ୍ଠ୍ୟ ପୂର୍ଣ୍ଣ ଗୁଡ଼ିକ ଅଛି ଅତଏବ ଶ୍ରୁତ୍ୟନୁପ୍ରାସ ।

କରି ଏମନ୍ତ ବିଚାର ଚାର ଶିରୋମଣି,

ପ୍ରକାଶିଲା ଶତାନୀକ ନିକଟେ ଏ ବାଣୀ ।

କାଶ୍ମୀର ଦେଶ ପ୍ରଭୂତ ପ୍ରଭୂତ ମାନରେ,

ଯୁକ୍ତ ଯଥା ଅବାରଣ ବାରଣ ଦାନରେ ।

ପ୍ରେମମଞ୍ଜରୀ ।

 

ଏଠାରେ ଚାର, ନୀକ, ପ୍ରଭୂତ, ବାରଣ ଶବ୍ଦମାନ ବିଭିନ୍ନ ଅଭିପ୍ରାୟରେ ବ୍ୟବହୃତ ଓ ଆବୃତ୍ତ । ଅତଏବ ଲାଟାନୁପ୍ରାସ ।

 

ଏହି ଅନୁପ୍ରାସ ପୁଣି ଆଦ୍ୟାନୁପ୍ରାସ, ମଧ୍ୟାହ୍ନୁପ୍ରାସ, ଅନ୍ତ୍ୟାନୁପ୍ରାସ, ଆଦ୍ୟନ୍ତାନୁପ୍ରାସ ଆଦିମଧ୍ୟାନ୍ତାନୁପ୍ରାସ, ଏପରି ନାନା ପ୍ରକାର ହୋଇପାରେ । କେବଳ ସ୍ଥାନ ନିୟମ ନେଇ ନାମ କରଣ ହୋଇଥାଏ । ବିଶେଷ କିଛି ବୈଚିତ୍ର୍ୟ ନାହିଁ । ଅତଏବ ବାହୁଲ୍ୟ ଭୟରେ ସେ ସମସ୍ତ ଉପେଷିତ ହେଲା ।

 

ଯମକ ଅଳଙ୍କାର

 

ସସ୍ୱର ଓ ସବ୍ୟଞ୍ଜନ ଭିନ୍ନାର୍ଥ ଶବ୍ଦର

କ୍ରମିକ ଆବୃତ୍ତି ଥିଲେ ଯମକାଳଙ୍କାର । ୧୦୧ ।

 

ସ୍ୱର ବ୍ୟଞ୍ଜନ ସହିତ ଭିନ୍ନାର୍ଥକ ଶବ୍ଦ ଯଦି ପଦ୍ୟରେ କ୍ରମରେ [ଆଦି ମଧ୍ୟ ବା ଅନ୍ତ ଏପରି କୌଣସି କ୍ରମ ଥାଇ] ଆବୃତ୍ତ ହୁଏ, ତେବେ ଯମକାଳଙ୍କାର ପଦ ଏକାର୍ଥକ ହେଲେ ଯମକାଳଙ୍କାର ହୁଏ ନାହିଁ, ଏକାର୍ଥକ ହେଲେ ମଧ୍ୟ ଅନୁପ୍ରାସ ହୁଏ । କ୍ରମିକ ଆବୃତ୍ତି ଥିଲେ ଯମକ ହୁଏ, କ୍ରମିକ ଆବୃତ୍ତି ନଥିଲେ ମଧ୍ୟ ଅନୁପ୍ରାସ ହୁଏ । ଶବ୍ଦ ଅବିକଳ ଆବୃତ୍ତ ହୋଇଥିଲେ ଯମକ ହୁଏ । ଅବିକଳ ନହୋଇ ଥିଲେ ମଧ୍ୟ ଅନୁପ୍ରାସ ହୁଏ, ଯମକରେ ନିୟମରେ ଭିନ୍ନାର୍ଥତା ସ୍ଥାନ ନିୟମ ଓ ଅବିକଳ ଆବୃତ୍ତି ଆବଶ୍ୟକ, ଅନୁପ୍ରାସରେ ସେ ନିୟମ ନାହିଁ । ଏହା ଯମକ ଓ ଅନୁପ୍ରାସର ଭେଦ ।